ଦାମ ଗଢିବେ ବିଜୁ ସମତାକ୍ରାନ୍ତି ଦଳ!

ଦାମ ଗଢିବେ ବିଜୁ ସମତାକ୍ରାନ୍ତି ଦଳ!

ବିଜେଡିରୁ ତଡା ଖାଇବା ପରେ ଡାକ୍ତର ଦାମୋଦର ରାଉତ ନୂଆ ଦଳ ଗଢିବା ପାଇଁ ଜୋରଦାର ଉଦ୍ୟମ କରୁଥିଲେ । ଯେଉଁମାନେ ତାଙ୍କ ନୂତନ ଗଠିତ ହେବାକୁ ଥିବା ଦଳରେ ଯୋଗଦେବାକୁ ମୌଖିକ ସମ୍ମତି ଜଣାଇଥିଲେ, ୍େସମାନେ ସମସ୍ତେ ଆଉ ଧରାଛୁଆ ଦେଲେ ନାହିଁ । ତାର କାରଣ ବିଭିନ୍ନ ଜାଗାରେ ସେ ଭାଷଣ ଦେଲାବେଳେ କାହା ବିରୋଧରେ କଣ କହୁଥିଲେ ସେ ନିଜେ ଜାଣି ପାରୁ ନଥିଲେ । ଏମିତି କି ପ୍ରଥମେ ତାଙ୍କ ଦୁର୍ଦ୍ଦିନରେ ପାଖରେ ପହଂଚି, ତାଙ୍କୁ ସାନ୍ତ୍ୱନା ଦେଇଥିବା ବୈଜୟନ୍ତ ମଧ୍ୟ ଧରାଛୁଆଁ ଦେଇ ନଥିଲେ । ଯାହଫଳରେ ଦଳଗଠନ ଶିଥିଳ ହୋଇ ପଡିଥିଲା । କେବଳ ସମତାକ୍ରାନ୍ତିର ବ୍ରଜ ତ୍ରିପାଠୀ ତାଙ୍କ ସହ ରହିବେ ବୋଲି ପ୍ରକାଶ କରିଥିଲେ । ବିଜୟ ମହାପାତ୍ର ବହୁ ଚେଷ୍ଟା ସତ୍ୱେ ଧରା ଦେଇନଥିଲେ । ପଂଚାନନ କାନୁନଗୋ ମଧ୍ୟ ଧରା ଦେଇନଥିଲେ । ଏମିତି ଭାବରେ ନୂଆ ଗଠିତ ହେବାକୁ ଦଳ ଆରମ୍ଭରୁ ଖଇଚା ହୋଇଯାଇଥିଲା ।
ନୂତନ ଦଳ ଗଠନ କରିବାକୁ ଆଉ ସମୟ ନାହିଁ । ନେତାମାନେ ମଧ୍ୟ ଧରାଛୁଆଁ ଦେଉ ନାହାନ୍ତି । କିନ୍ତୁ ଦାମ ଏହା ଭିତରେ ବିଜେଡି ବିରୋଧରେ ଯୁଦ୍ଧ ଘୋଷଣା କରିସାରିଛନ୍ତି । ତେଣୁ ସେ ବ୍ରଜ ତ୍ରିପାଠୀଙ୍କ ସମତାକ୍ରାନ୍ତି ଦଳକୁ ନୂତନ ରୂପ ଦେବାକୁ ଚାହାନ୍ତି ।
ଯେହେତୁ ଦାମବାବୁ ବିଜୁବାବୁଙ୍କ ନାମକୁ ବାଦ ଦେଇ କୌଣସି କାମ କରିବାକୁ ଚାହାନ୍ତି ନାହିଁ, ତେଣୁ ଦଳର ନାମ ବିଜୁ ସମତାକ୍ରାନ୍ତି ଦଳ ରଖାଯିବାକୁ ଆପାତତଃ ସ୍ଥିର କରାଯାଇଛି । ଏ ନେଇ ବିଧିବଦ୍ଧ ଘୋଷଣା ଆସନ୍ତା ସପ୍ତାହରେ ହେବ । ସମତା କ୍ରାନ୍ତିଦଳରେ ବିଜୁ ନାମ ଯୋଡିବାକୁ ହେଲେ, ଦଳର ସାଧାରଣ ପରିଷଦ ବୈଠକ ଡାକି ରିଜୋଲ୍ୟୁସନ ପାସ କରିବାକୁ ହେବ । ଡିସେମ୍ବର ମାସ ପ୍ରଥମ ସପ୍ତାହରେ ସମତାକ୍ରାନ୍ତି ଦଳର ସାଧାରଣ ପରିଷଦ ବୈଠକ ଡକାଯାଇଛି । ତେବେ ଏ କ୍ଷେତ୍ରରେ ପ୍ରଧାନ ପ୍ରତିବନ୍ଧକ ହେଉଛି, ଏ ପର୍ଯ୍ୟନ୍ତ କୌଣସି ନାମି ନେତା ଦାମଙ୍କୁ ଖୋଲାଖୋଲି ସମର୍ଥନ କରି ନାହାନ୍ତି । ବୈଜୟନ୍ତ ପଣ୍ଡା ଓ ଦିଲ୍ଲିପ ରାୟଙ୍କ ଭଳି ନେତା ଦଳକୁ ନ ଆସିଲେ, ଦଳରେ ପାଣ୍ଠି ଯୋଗାଡ କରିବା କଷ୍ଟକର ହୋଇପଡିବ । ତାଛଡା ନିକଟରେ ଦାମ ବୈଜୟନ୍ତଙ୍କୁ ରଗେଇ ଦେଇଥିବାରୁ ସେ ଆଉ ଦାମଙ୍କୁ ବିଶ୍ୱାସ କରିପାରୁ ନାହାନ୍ତି ।
ବୈଜୟନ୍ତ ଓ ବିଜୟ ଚାରୋଟି ରାଜ୍ୟରେ ହେଉଥିବା ବିଧାନସଭାର ନିର୍ବାଚନର ଫଳାଫଳକୁ ଅପେକ୍ଷା କରିଛନ୍ତି । କାରଣ, ଏହି ସବୁ ରାଜ୍ୟରେ ହେଉଥିବା ନିର୍ବାଚନର ଫଳାଫଳ ଆସନ୍ତା ସାଧାରଣ ନିର୍ବାଚନର ପଥ ପ୍ରଦର୍ଶକ ହେବ । ଯଦି ଏଇ ସବୁ ରାଜ୍ୟରେ ବିଜେପି ପରାଜିତ ହୁଏ, ତେବେ ବିଜେପି ସହିତ ମିଶିବା ବା ମେଂଟ କରିବା ସେମାନଙ୍କ ଆତ୍ମଘାତୀ ହେବ । ବୈଜୟନ୍ତଙ୍କୁ ବୁଝାଇବା ଦାଇତ୍ୱ ନେଇଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ । ଦାମବାବୁ ପ୍ରକୃତରେ ବୈଜୟନ୍ତଙ୍କ ବିରୋଧରେ କିଛି କହି ନାହାନ୍ତି, ଯାହା କିଛି ପ୍ରକାଶ ପାଇଛି, ତାହା କେବଳ ଅନୌପଚାରିକ କଥାବାର୍ତା । ଏଣୁ ଏହାକୁ ଗୁରୁତ୍ୱ ଦେବା ଉଚିତ ନୁହେଁ ବୋଲି ସେ ବୁଝାଉଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଦାମ ଓ ବ୍ରଜଙ୍କ ମିଳିତ ତତ୍ୱାବଧାନରେ ଦଳ ପ୍ରତିଷ୍ଠା କଥା ଘୋଷଣା ହେବ ଏବଂ ଅନ୍ୟ ନେତାମାନେ ଚାରୋଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଦଳରେ ମିଶିବା କଥ ଘୋଷଣା କରିବେ । ତେବେ ଏଠାରେ ପ୍ରକାଶ କରାଯାଇପାରେ ଯେ, ଯେହେତୁ ବିଜୟ ମହାପାତ୍ର ଓ ଦିଲ୍ଲିପ ରାୟ ବିଜେଡ଼ିରେ ମିଶିବା ପାଇଁ ଅଧିକ ଆଗ୍ରହି, ତେଣୁ ସେମାନେ ଏମାନଙ୍କୁ ଧରାଛୁଆଁ ଦେଉ ନାହାନ୍ତି । ସେମାନଙ୍କ ସହିତ ରହିଛନ୍ତି ପଂଚାନନ କାନୁନଗୋ । ତାଙ୍କର ପ୍ରଥମ ପସନ୍ଦ ହେଲା ବିଜେଡି । ଯଦି ବିଜେଡ଼ି ଦଳରେ ଯୋଗ ଦେବା ସମ୍ଭବ ହେବ ନାହିଁ, ତେବେ ସେ କଂଗ୍ରେସ ଦଳରେ ଯୋଗ ଦେବେ । ଦାମଙ୍କୁ ସେ ବିଶ୍ୱାସ କରି ପାରୁ ନାହାନ୍ତି । ତାର କାରଣ ହେଉଛି, ଯଦି ବିଜୁ ସମତାକ୍ରାନ୍ତି ଦଳ ଗଠିତ ହୁଏ, ତେବେ ଏହି ଦଳ କାହାସହିତ ଆସନ ବୁଝାମଣା କରିବ? କଂଗ୍ରେସ ନା ବିଜେପି? ଯଦି ବିଜେପି ଦଳ ସହିତ ଆସନ ବୁଝାମଣା କରିବ, ତେବେ ଦିଲ୍ଲିପ ରାୟ, ବିଜୟ ମହାପାତ୍ରଙ୍କୁ ବିଜେପିବାଲା କେବେହେଲେ ଆସନ ଛାଡିବାକୁ ରାଜି ହେବେ ନାହିଁ । ଯାହାଫଳରେ ବିଜୟ ମହାପାତ୍ର ପୁଣିଥରେ ଏନସିପି ଭଳି ଦଶା ଭୋଗ କରିବେ । ଆଉ ଯଦି କଂଗ୍ରେସ ସହିତ ଆସନ ବୁଝାମଣା କରେ ତେବେ କଂଗ୍ରେସ ଦଳ ଏମାନଙ୍କ ପାଇଁ କେତେ ଆସନ ଛାଡିବ? କାରଣ ଜାତୀୟ ସ୍ତରରେ କଂଗ୍ରେସ ଦଳ କିଛି ଛୋଟ ଛୋଟ ଦଳ ସହିତ ମେଂଟ କରିବାକୁ ଯାଉଥିବାରୁ ସେମାନଙ୍କୁ ଜାତୀୟ ସ୍ତରରେ ଗୁରୁତ୍ୱ ମିଳିବ । ଏପରି ଅବସ୍ଥାରେ ନବ ଗଠିତ ଏହି ଦଳକୁ କେତେ ଆସନ ମିଳିବ ତାହା ଏବେଠୁ କହିବା କଷ୍ଟକର ହେବ । ତେଣୁ ଅନେକ ନେତା ନିଜ ଭବିଷ୍ୟତ ଦୃଷ୍ଠିରୁ ବିଜୁ ସମତାକ୍ରାନ୍ତି ଦଳରେ ଯୋଗଦେବେ ନାର୍ହି ।
ସବୁଠାରୁ ବଡ କଥା ହେଲା, ଅନେକ ନେତାଙ୍କ ମତରେ ଦାମଙ୍କ କଥାକୁ ବିଶ୍ୱାସ କରିବାର ଅର୍ଥ ନିଜ ଗୋଡରେ କୁରାଢି ମାରିବା । ନିଜ ସ୍ୱାର୍ଥ ପାଇଁ ସେ ସବୁକିଛି କରିପାରନ୍ତି । ଅତୀତରେ ଏହାର ଅନେକ ଉଦାହରଣ ରହିଛି । ବିଜୟ, ଦିଲ୍ଲିପ, ନଳିନୀ, ରାମକୃଷ୍ନ ଭଳି ବରିଷ୍ଠ ନେତାଙ୍କୁ ଦଳରୁ ବାହାର କଲାବେଳେ, ସେମାନଙ୍କ ପ୍ରତି ସହାନୁଭୂତି ଦେଖାଇବା ପରିବର୍ତେ, କଟା ଘା’ରେ ଚୂନ ଦେଲା ଭଳି ଆକ୍ଷେପ କରିଥିଲେ ।
ସମତାକ୍ରାନ୍ତି ଦଳ ବ୍ରଜ ତ୍ରିପାଠୀ ଗଠନ କରିଥିଲେ । ମାତ୍ର ତାଙ୍କର ସ୍ଥିତି ସବୁଠାରୁ ଦୟନୀୟ । ବିଜେପିରେ ଅଣନିଶ୍ୱାସୀ ହୋଇ ବାହାରି ଆସି ସେ ଏହି ଦଳ ଗଠନ କରିଥିଲେ । ମାତ୍ର ଦଳ ନିର୍ବାଚନରେ ସେଭଳି ଭୋଟ ପାଇପାରିଲା ନାହିଁ । ଦଳରେ କେବଳ ଜର୍ଜ ତିର୍କୀ ବିଧାୟକ ହୋଇଥିଲେ । ମାତ୍ର ଏଥିରେ ବ୍ରଜ ତ୍ରିପାଠୀଙ୍କର କୌଣସି ଭୂମିକା ନଥିଲା । ଜର୍ଜ ତିର୍କୀ ନିଜ ଉଦ୍ୟମ ବଳରେ ଜିତି ଆସୁଛନ୍ତି । ଦିନକୁ ଦିନ ନିର୍ବାଚନ ଖର୍ଚ ବଢି ଚାଲିଥିବାରୁ ସେ ନିଜର ଆସନ ସୁରକ୍ଷିତ ରଖିବା ପାଇଁ ଇତି ମଧ୍ୟରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଏଣୁ ଦଳ ନେତାଶୂନ୍ୟ,ଏପରି ଅବସ୍ଥାରେ ଦଳରେ ବିଜୁଙ୍କ ନାଁ ଯୋଗ ହେଲେ, ବିଜୁଙ୍କ ନାମରେ କିଛି ଭୋଟ ଆସିବ ବୋଲି ଭାବୁଛନ୍ତି । ମାତ୍ର ଏହି ଆଶା କେତେଦୂର ସଫଳ ହେବ, ତାହା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଜଣାପଡିବ ।
ଏକ ବିଶ୍ୱସ୍ତ ସୂତ୍ରରୁ ଜଣାଯାଏ ଯେ, ଦାମବାବୁ ନିଜର ଅଭିଳାଷ ଚରିତାର୍ଥ କରିବାକୁ ଏବେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଶରଣାପନ୍ନ ହୋଇଛନ୍ତି । ତାଙ୍କ ପ୍ରଚେଷ୍ଟାରେ ଅନ୍ୟ ନେତାମାନଙ୍କୁ ବିଜୁ ସମତାକ୍ରାନ୍ତି ଦଳରେ ଯୋଗ ଦେବାକୁ ବୁଝା ଚାଲିଛି । ଦେଖାଯାଉ, ଦଳ ଗଠନର ପରିଣତି କୁଆଡେ ଯାଉଛି?
  ସୁବାସ ଷଡଙ୍ଗୀ, ଓଡ଼ିଶା ନୁ୍ୟଚ୍ ସର୍ଭିସ୍,
ମୋ-୯୪୩୯୬୫୨୩୨୨

Leave a Reply

Your email address will not be published.