ଟଏଲେଟ: ଏକ ନିଛକ ଆବଶ୍ୟକତା!
ଏଠାରେ ଗୋପାଳ ଭାଣ୍ଡଙ୍କୁ ନେଇ ସେଇ ଗପ କଥା ମନେ ପଡିଯାଏ । ରାଜାଙ୍କର ପୁଅଟିଏ ହୋଇଚି- ଏ ଖବର ପାଇ ସେ କେତେ ଖୁସି ହୋଇଛନ୍ତି? ରାଜାଙ୍କ ଏଭଳି ପ୍ରଶ୍ନର ଗୋପାଳ ଉତର ଦେଇଥିଲେ, ପ୍ରବଳ ଝାଡା ଲାଗିଲେ, ଝାଡା ପରେ ଯେମିତି ଖୁସି ଲାଗେ, ସେମିତି ଖୁସି ଲାଗୁଛି । ଗପଟି ଲୋକମାନଙ୍କ ମନରେ ହାସ୍ୟରସ ସୃଷ୍ଟି କରେ, କିନ୍ତୁ ଏହା ହେଉଛି, ବାସ୍ତବ ସତ ।
ସତ କହିଲେ ଦେଖି, ଯଦି ଜୋରରେ ଝାଡା ଲାଗୁଥିବ, ଆଉ ପାଖରେ ପାଇଖାନା ନଥିବ, ତେବେ ଅବସ୍ଥା କଣ ହେବ? ଆପଣମାନେ କେବେ ଏଭଳି ସଂକଟର ସମ୍ମୁଖୀନ ହୋଇଛନ୍ତି କି? ଏବେ ବିଶ୍ୱ ଶୌଚାଗାର ଦିବସ ପାଳନ କରାଯାଉଛି । ଯାହା ଅନେକ ଲୋକଙ୍କ ଭୃକୁଂଚନ କରୁଛି । କିନ୍ତୁ ସମସ୍ୟା ସଂପର୍କରେ ଟିକିଏ ଗଭୀର ଭାବେ ଚିନ୍ତା କଲେ? ଭାରତରେ ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ଶିଶୁମୃତ୍ୟୁର କାରଣ ହେଉଛି ଅସ୍ୱାସ୍ଥ୍ୟକର ପରବେଶରେ ମଳତ୍ୟାଗ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ୱରେ ପ୍ରାୟ ଚାରିଶହ କୋଟି ଲୋକ ଶୌଚାଗାର ବ୍ୟବହାର କରନ୍ତି ନାହିଁ । ଏଣୁ ଏତେ ସଂଖ୍ୟକ ଲୋକଙ୍କୁ ଏହା ଭିତରକୁ ଆଣିବା ପାଇଁ, ଶୌଚାଗାର ଦିବସର ପରିକଳ୍ପନା କରାଯାଇଛି ।
୨୦୦୧ ମସିହାରେ ସିଙ୍ଗାପୁରର ଜ୍ୟାକ ସିମ ନାମକ ଜଣେ ବ୍ୟକ୍ତି ପ୍ରଥମେ ଏକ ‘ବିଶ୍ୱ ଶୌଚାଗାର ସଂସ୍ଥା’ ପ୍ରତିଷ୍ଠା କରିଥିଲେ । ତାଙ୍କରି ପ୍ରସ୍ତାବ କ୍ରମେ ୧୯ ନଭେମ୍ବରକୁ ‘ବିଶ୍ୱ ଶୌଚାଗାର ଦିବସ’ ଭାବରେ ଘୋଷଣା କରାଯାଇଛି । ପରବର୍ତୀ ସମୟରେ ଜାତିସଂଘ ୨୦୧୩ ମସିହାରେ ଏହାକୁ ସ୍ୱୀକୃତି ପ୍ରଦାନ କରିଥିଲା । ଏହା ପୂର୍ବରୁ ଜାତିସଂଘ ୨୦୧୦ ମସିହାରେ ‘ନିରାପଦ ଜଳ ଓ ପୟଃ ପ୍ରଣାଳୀ’କୁ ମାନବ ଅଧିକାରର ଅନ୍ତର୍ଭୁକ୍ତ କରିଥିଲା ।
କିନ୍ତୁ କେବଳ ଅଧିକାର କହିଲେ ହେବ ନାହିଁ, ବିଶ୍ୱର ୮୯.୨ କୋଟି ଲୋକ ଖୋଲା ଆକାଶ ତଳେ ମଳତ୍ୟାଗ କରୁଛନ୍ତି ବା କରିବାକୁ ବାଧ୍ୟ ହେଉଛନ୍ତି । ମୁକ୍ତ ଜାଗାରେ ମଳତ୍ୟାଗ କଲେ ଦୃଶ୍ୟ ଦୂଷଣ, ବାୟୁ ପ୍ରଦୂଷଣ ବା ଦୁର୍ଗନ୍ଧ ଏବଂ ପାରିପାଶ୍ୱର୍ିକ ଅଂଚଳର ମାଟି ଓ ଜଳ ପ୍ରଦୂଷିତ ହୋଇଥାଏ ।
ମଳ ସହିତ ଯେଉଁସବୁ ରୋଗ ସୃଷ୍ଟିକାରୀ ପରଜୀବି ଜୀବାଣୁ ମାଟିରେ ମିଶନ୍ତି, ସେମାନଙ୍କ ମଧ୍ୟରେ କୃମି ଡିମ୍ବ ଅନ୍ୟତମ । ଏହା ଅନେକ ଦିନ ଧରି ମାଟିରେ ବଂଚି ରହିଥାଏ, ମାଟି ଦେଇ ପାଖ ଭୂଗର୍ଭସ୍ଥ ଜଳରେ ମିଶିଥାଏ । ଯାହାଫଳରେ ଆଖ ପାଖର କୂଅ ପୋଖରି, ନଳକୂପ, ନଦୀନାଳର ଜଳ ପ୍ରଦୂଷିତ ହୋଇଥାଏ । ସେଇ ଘରପାଖରେ ମଳତ୍ୟାଗ କଲେ ପଶୁପକ୍ଷୀଙ୍କ ଦ୍ୱାରା ଗଛପତ୍ର ଓ ପାଣି ପ୍ରଦୂଷିତ ହୋଇଥାଏ ।
ଖୋଲାଜାଗାରେ ମଳତ୍ୟାଗ କଲେ ପରିବେଶରେ ଯେଉଁ ରୋଗ ଘୁରିବୁଲେ ତାର ତାଲିକାଟି ଛୋଟ ନେୁହଁ । ଭାଇରାଲ ହେପାଟାଇଟିସ-ଏ ଓ ଇ, ପିଲାମାନଙ୍କୁ ରୋଟାଭାଇରସ ଡାଇରିଆ, ଟାଇଫଏଡ କଲେରା ଭଳି ବିଭିନ୍ନ ପ୍ରକାରର ବ୍ୟାକଟେରିଆ ଜନିତ ଆନ୍ତ୍ରିକ, ଆମାଶୟାଦି ବିଭିନ୍ ରକମର କୃମି, ସିଷ୍ଟୋସୋମିଆସିସ ଭଳି ରୋଗ ହୁଏ । ଏସବୁ ରୋଗ ଯେ କେବଳ ଜଳବାହିତ ରୋଗର ମୃତ୍ୟୁସଂଖ୍ୟା ବଢାଏ ତାହା ନୁହେଁ, କୁପୋଷଣ, ରକ୍ତହୀନତା, ଶିଶୁମାନଙ୍କର ଶାରୀରିକ ଓ ମାନସିକ ବୃଦ୍ଧିକୁ ଅବରୋଧ କରିଥାଏ । ଏହା ଆମର ଆର୍ଥିକ-ସାମାଜିକ ସ୍ଥତି ଉପରେ ଗଭୀର ପ୍ରଭାବ ପକାଇଥାଏ ।
ଜାତିସଂଘର ଏସଡିଜି-୬ର ଲକ୍ଷ୍ୟ ହେଲା, ୨୦୩୦ ମସିହା ମଧ୍ୟରେ ବିଶ୍ୱର ସବୁ ଲୋକଙ୍କୁ ନିରପଦ ଶୌଚାଗାର ଓ ମଳତ୍ୟାଗର ବ୍ୟବସ୍ଥା କରାଇବା । କେହି ଯେପରି ଆଉ ଖୋଲା ଜାଗାରେ ମଳତ୍ୟାଗ କରିବେ ନାହିଁ ।
ଶୌଚାଗାର ତିଆରି କରାଗଲା ବେଳେ ଦେଖିବାକୁ ହେବ ଯେ ଏହାର କାନ୍ଥ ଯେପରି ମଜବୁତ ହୋଇଥିବ । ଦୁଇଟି ସେଫ୍ଟି ଟାଙ୍କି ରହିବ । ଏକ ନିର୍ଦ୍ଧିଷ୍ଟ ସମୟର ବ୍ୟବଧାନରେ ମଳ ପ୍ରାକୃତିକ ଉପାୟରେ ପରିଶୋଧିତ ହୁଏ । ଏହାକୁ ଜମିରେ ସାର ହିସାବରେ ବ୍ୟବହାର କରାଯାଇପାରେ । ସେିପରି ପାଣିର ଅପବ୍ୟବହାରକୁ ବନ୍ଦ କରାଯିବା ଦରକାର । ବ୍ୟବହୃତ ଜଳକୁ ପୁଣି ଥରେ ବିଶୋଧନ କରାଯାଇ ପୁନଃ ବ୍ୟବହାର କରାଯଇପାରିବ । ଶୌଚକର୍ମପରେ ଭଲଭାବରେ ସାବୁନରେ ହାତ ଧୋଇବ ।
ବିଶ୍ୱର ଯେତେ ସଂଖ୍ୟକ ଲୋକ ଶୌଚାଗାର ବ୍ୟବହାର କରନ୍ତି ନାହିଁ, ସେମାନଙ୍କ ଭିତରୁ ଶତକଡା ୫୯ ଭାଗ ଭାରତରେ ବାସ କରନ୍ତି । ଏଣୁ ଭାରତରେ ଏସଡିଜି-୬ ର ଭୂମିକା ବେଶି । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା, ୟୁନିସେଫ ଓ ଏସଡିଜି-୬ ଏହି ପ୍ରକଳ୍ପ ରୂପାୟନରେ ମିଳିତଭାବେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାରଙ୍କ ‘ସ୍ୱଛ ଭାରତ ଅଭିଯାନ’ ଏହାର ଏକ ଅଂଶ । ୨୦୧୪ ମସିହା ଅକ୍ଟୋବର ୨ ତାରିଖରୁ ଏହା ଆମ ଦେଶରେ ଆରମ୍ଭ ହୋଇଛି । ଏହାର ଲକ୍ଷ୍ୟ ହେଉଛି, ୨୦୧୯ ଅକ୍ଟୋବର ୨ ତାରିଖ ସୁଧା ଗରିବ ଲୋକମାନଙ୍କୁ ୯ କୋଟି ଶୌଚାଗାର ତିଆରି କରି ଯୋଗାଇବା । ଯେପରି ଜଣେ ଲୋକ ଖୋଲା ଆକଶ ତଳେ ଶୌଚ ହେବ ନାହିଁ । ପରିସଂଖ୍ୟାନରୁ ଜଣାପଡିଛି, ଏଯାବତ ୮.୬ କୋଟି ଲୋଙ୍କ ଘରେ ପାଇଖାନା ତିଆରି ହେଲାଣି । ଯାହାଫଳରେ ଖୋଲା ଜାଗାରେ ମଳମୂତ୍ରତ୍ୟାଗ କମିଛି ।
ସରକାରି ହିସାବ ଖାଲି ଶୌଚାଳୟ ତିଆରି କରିବାରେ । ପ୍ରକୃତରେ କ’ଣ ଯେଉଁମାନେ ଶୌଚାଳୟ ତିଆରି କରିଛନ୍ତି, ତାହାକୁ ସେମାନେ ବ୍ୟବହାର କରୁଛନ୍ତି? ବାହାରେ ମଳତ୍ୟାଗ କରୁନାହାନ୍ତି? ‘ଟଏଲେଟ: ଏକ ପ୍ରେମକଥା’ ସିନେମା ଏହାର ଏକ ନିଛକ ଝଲକ । କେବଳ ଘରେ ଶୌଚାଳୟ ତିଆରି କରିଦେଲେ ହେବ ନାହିଁ, ଲୋକମାନେ ବାହାରକୁ କାମ କରିବାକୁ ଯାଉଛନ୍ତି । ବାହାରେ ସେମାନେ ବାରଘଂଟାରୁ ଅଧିକ ରହୁଛନ୍ତି । ଅଫିସ ଓ ରାସ୍ତାଘାଟରେ ପାଇଖାନାର ଅଭାବ । ସେମାନେ କଣ କରିବେ? ଝିଅପିଲା ମାନେ ବାହାରକୁ ବାହାରିଲେ, କମ ପରିମାଣର ପାଣି ପିଅନ୍ତି, ତାର କାରଣ ହେଉଛି, ସେମାନଙ୍କୁ ଯେପରି ବାହାରେ ପରିସ୍ରା ନ ଲାଗେ । ରାସ୍ତାଘାଟରେ ଏକ ନିର୍ଦ୍ଦିଷ୍ଟ ଦୂରତାରେ ଲେକମାନଙ୍କ ପାଇଁ ଟଏଲେଟ ତିଆରି ହେବା ଦରକାର । ୧୯୭୦ ମସିହାରେ ବିହାରର ବିନେ୍ଦଶ୍ୱର ଦୁବେ ଏହି ଆଭିମୁଖ୍ୟ ନେଇ ‘ସୁଲଭ ଶୌଚାଳୟ’ ପ୍ରତିଷ୍ଠା କରିଥିଲେ ।
ଆମ ଦେଶରେ ସଚେତନତାର ଅଭାବ ଯୋଗୁ ବହୁ ଲୋକଙ୍କ ଘରେ ପାଇଖାନା ଥିଲେ ମଧ୍ୟ ସେମାନେ ତାହାକୁ ବ୍ୟବହାର କରୁ ନାହାନ୍ତି । ବ୍ୟସ୍ତ ଓ ଆଧୁନିକ ସଭ୍ୟତାର ବିକାଶ ଫଳରେ ଲୋକମାନେ ବାହାରେ ଅଧିକ ସମୟ ରହୁଛନ୍ତି । ସରକାରୀ ସ୍କୁଲ ଗୁଡିକରେ ସ୍ୱଛ ପାଇଖାନାର ଘୋର ଅଭାବ । ଯାହାଫଳରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଝିଅପିଲାମାନେ ସ୍କୁଲକୁ ଯିବାକୁ ଭୟ କରୁଛନ୍ତି । ଏଣୁ ଲୋକମାନଙ୍କ ମନରେ ପାଇଖାନା ପ୍ରତି ଆକର୍ଷଣ ସୃଷ୍ଟି କରାଯିବା ଦରକାର । ଆମେ ଆମ ଘରକୁ ଯେପରି ସଫାସୁତୁରା ରଖୁ, ସେଇପରି ପାଇଖାନାକୁ ମଧ୍ୟ ସଫା ରଖିବା ଦରକାର ।
ସୁବାସ ଷଡଙ୍ଗୀଙ୍କ ରିପୋର୍ଟ, ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର,ମୋ-୯୪୩୯୬୫୨୩୨୨