ବାସନ୍ତୀର ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ତହସିଲଦାରଙ୍କ ପ୍ରତିଶୃତି!

ପାରାଦୀପ, (ଓଏନ୍ଏସ୍): ବୟସ ଅପରାହ୍ନରେ ଦମ୍ପତିଙ୍କର ପାଦ ଆଗକୁ ଚଳୁନି । ଭିକ ମାଗିବା ପାଇଁ ବାରଦ୍ୱାରକୁ ଯିବା ଧିରେ ଧିରେ ବନ୍ଦ ହୋଇ ଗଲାଣି । ଏଭଳି ଦାରୁଣ ଦୁଃଖ ସ୍ଥାନୀୟ ଅଂଚଳରେ ପ୍ରଚାରିତ ହେବା ପରେ କେହି ଜଦି ସହୃଦୟ ବ୍ୟକ୍ତି ସେହି ରାସ୍ତାରେ ଯାଉଥାନ୍ତି ରାସ୍ତାରୁ ଓହ୍ଲାଇ କଣ ଟିକେ ଦେଲେ ସେଇଥିରେ ଦିନେ ଖାଇ ଦୁଇଦିନ ଉପବାସ ରହିବାକୁ ପଡୁଛି । ସରକାରଙ୍କର ଦାରିଦ୍ର୍ୟ ଦୂରିକରଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ବାସ୍ତବରେ ଉକ୍ତ ଲୋକାଭିମୂଖୀ ଯୋଜନା କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକିଅଛି । ସ୍ଥାନୀୟ କୁଜିନେତା ମାନେ ବିଭିନ୍ନ ସଭାରେ ବଡବଡ ଭାଷଣ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରଶଂସା କରି ଡିଣ୍ଡିମ ପିଟନ୍ତି ଯେ, ରାଜ୍ୟର ମୁଖିଆ କହିଛନ୍ତି କାଳେ ଲୋକଙ୍କ ପାଖକୁ ଯାଅ, ଲୋକଙ୍କ ସହ ମିଶ, ଜନସଂମ୍ପର୍କ ସୃଷ୍ଟିକର । ତେବେ ତାହା ଭାଷଣ ବାଜି ନା ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ଘଟୁଛି ? ସରକାର କହୁଛନ୍ତି ରାଜ୍ୟରେ କାହାରିକୁ ଉପବାସରେ ମରିବାକୁ ଦେବେନାହିଁ । ହେଲେ ବାସ୍ତବରେ ଅନାହାରରେ ଜୀବନ ହରେଇବାକୁ ବସିଥିବା ପରିବାରର ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ସହରର ତିନି କି.ମି. ପଶ୍ଚିମ ପଟ ତାଳ ଦଣ୍ଡା କେନାଲ କଡର ଏକ ପରିତ୍ୟକ୍ତ ଘରେ । ମୃତୁ୍ୟ ସହ ସଂଗ୍ରାମ କରି ପଡି ରହିଛନ୍ତି ୭୫ ବର୍ଷ ବୟସର ଋଗ୍ଣ ବୃଦ୍ଧା ବାସନ୍ତୀ ଖଟୁଆର ପରିବାର । ପରିବାର ବୁଝାଇଲେ ବୟସାଧିକ ରୋଗ ଶଯ୍ୟାରେ ଥିବା ନିଜର ସ୍ୱାମୀ ଇଶ୍ୱର ଖଟୁଆ(୮୪) ଏବଂ ମାନସିକ ବିକାରଗ୍ରସ୍ଥ ପୁଅ ସନିଆ ଖଟୁଆ (୪୫) । ପାରାଦୀପ ଗଡ ପନ୍ଚାୟତ ନିକଟସ୍ଥ ତାଳଦଣ୍ଡା କେନାଲର ରାସ୍ତା କଡରେ ଥିବା ଏକ ଭଙ୍ଗା ମାଛ ଘେରି ଘରେ ରହି ଦୀର୍ଘ ୨୦ ବର୍ଷ ହେବ ଭିକ ମାଗି ଚଳୁଥିଲେ । କିନ୍ତୁ ଏବେ ଦିନେ ଖାଇଲେ ଦୁଇଦିନ ଉପବାସ ରହିବାକୁ ପଡୁଛି । ଜମି ଘରବାରି ନଥିବା ଗରିବଙ୍କ ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ବାହାବାହା ନେଉଚନ୍ତି । ହେଲେ ବାସନ୍ତି ପରିବାର ପାଇଁ ତାହା ସାତ ସପନ ପାଲଟିଛି । ଘଟଣା କ୍ରମ ଅନୁସାରେ ବଡମ୍ବା ନରସିଂହପୁର ଅଂଚଳର ବାସନ୍ତୀ ଖଟୁଆ । ସ୍ୱାମୀ ଆଉ ଦୁଇ ପୁଅକୁ ନେଇ ସୁଖଦୁଃଖରେ ଚଳୁଥିଲା ସଂସାର । ଘରବାରି ବୋଲି କିଛି ନଥିଲା ଗାଁରେ । ସରକାରୀ ଗୋଚର ଜମିରେ ଚାଳିଆ କରି ରହିଆସୁଥିଲେ । ବଡ ପୁଅ ମାନସିକ ବିକୃତ । କେତବେଳେ ଘରେ ଥାଏ ତ କେତବେଳେ କୁଆଡେ ଚାଲିଯାଏ । ପ୍ରାୟ ୨୫ ବର୍ଷ ପୂର୍ବେ ସାନ ପୁଅ ଦିନେ ସ୍କୁଲ କୁ ପାଠ ପଢିବାକୁ ଯାଇ ଆଉ ଘରକୁ ଫେରି ନ ଥିଲା । ସାତ ବର୍ଷର ପୁଅକୁ ଖୋଜି ଖୋଜି ଶେଷରେ ପାରାଦୀପ ଉପକଣ୍ଠ ରେ ପହଁଚିଥିଲେ ବାସନ୍ତିର ପରିବାର । ମୁଣ୍ଡ ଗୁଞ୍ଜିବାକୁ ଯାଗା ପାଇ ନଥିଲେ । ଭିକ ମାଗି ଖାଇବା ପରେ ବିଭିନ୍ନ ସରକାରୀ ଘର ବାରଣ୍ଡାରେ ରାତି ବିତାଉଥିଲେ । କିଛି ଦିନ ପରେ ଜଣେ ସହୃଦୟ ବ୍ୟକ୍ତି କେନାଲ କଡରେ ଥିବା ମାଛ ଘେରି ଘରେ ରହିବାକୁ ସୁଯୋଗ ଦେଇଥିଲେ । ଦୀର୍ଘ ବର୍ଷ ପରେ ଘରର ଛପର ନଷ୍ଟ ହେବା ସହିତ ଘରର କାନ୍ଥ ଭାଙ୍ଗି ଗଲାଣି । ମରାମତି ହେଇ ପାରୁନି । ବୟସ ଦିନକୁ ଦିନ ବୃଦ୍ଧି ହେବାରୁ ସ୍ୱାମୀ ଇଶ୍ୱର ଙ୍କୁ ଦେଖା ଯାଉନାହିଁ କି ସେ ଭିକ ମାଗିବାକୁ ଯାଇ ପାରୁ ନାହାନ୍ତି । ବୁଢି ର ଦେହ ଖରାପ ହେବାରୁ ସବୁଦିନ ଭିକ ମାଗିବାକୁ ଯାଇ ହେଉ ନାହିଁ ବୋଲି କୋହ ଭରା କଣ୍ଠରେ କୁହନ୍ତି ବୁଢା ବୁଢି । ବର୍ଷା ଦିନ ହେଲେ ପିମ୍ପୁଡି ବେଢି ଯାଉଛନ୍ତି , ଶୋଇଥିବା ବେଳେ ସାପ ପସି ଯାଉଛନ୍ତି , ଶୀତ ଦିନେ ପ୍ରବଳ ଶୀତ ହେଉଛି, ଘୋଡେଇ ହେବାକୁ କିଛି ନାହିଁ । ଉପାସ ଭୋକ ରେ ଅନେକ ଦିନ ପାଣି ପିଇ ରହିବାକୁ ପଡୁଛି ବୋଲି କୁହନ୍ତି ବୁଢାବୁଢି । ଅନେକ ଥର ସ୍ଥାନୀୟ ସରପନ୍ଚ ଙ୍କୁ ଗୁହାରୀ କରିଛନ୍ତି ହେଲେ ସରକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା କଥା ଦୂରରେ ଥାଉ କେହି ଭୋଟ ପରିଚୟ ପତ୍ର ଖଣ୍ଡେ କରିଦେବା ପାଇଁ ଆଗ୍ରହ ପ୍ରକାଶ କରି ନାହାନ୍ତି । ଖାଦ୍ୟ ଯୋଜନା ପାଇଁ ଆବେଦନ କରିଥିଲେ ବି କେହି କିଛି ବୁଝିଲେ ନାହିଁ । ବାରାମ୍ବାର ଏହି ଦୁଃଖ ସବୁ ଜଣାଇବା ପରେ ସରପନ୍ଚ ବାବୁ ଥରେ ୫୦୦ ଟଙ୍କା ଦେବା ସହିତ କିଛି ଚାଉଳ ଦେଇଥିଲେ । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚଳର ଜଣେ ଜଣାସୁଣା ସାମଜିକ କର୍ମୀ ମାନ୍ୟବର ଉଚ୍ଚ ଅଦାଲତଙ୍କ ନିକଟରେ ଉକ୍ତ ପରିବାରକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ଡବ୍ଲୁ.ପି(ସି) ନଂ ୨୧୮୬୨/୨୦୧୩ ରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଦାଲତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ନିମନ୍ତେ ନିଦେ୍ର୍ଦଶ ଦେଇଥିଲେ । ତେଣୁ ବାସନ୍ତି ତତ୍କାଳିନ କୁଜଙ୍ଗ ତହସିଲଦାର ଙ୍କ ନିକଟରେ ଅଦାଲତଙ୍କ ନିଦେ୍ର୍ଦଶ ନାମା ଦାଖଲ କରିବା ଦିନ ମହୋଦୟ ମାତ୍ର ୨୦ ଟଙ୍କା ବୁଢି ହାତରେ ଧରେଇ ବିଦା କରିଥିଲେ । ହେଲେ ତା ପରେ କୈାଣସି ସରକାରୀ ସହାୟତା ଅଦ୍ୟାବଧି ଯୋଗାଇ ନାହାନ୍ତି । କୁଜଙ୍ଗ ତହସିଲ ଅଧିନରେ ଅନେକ ଧୁରନ୍ଧର ବ୍ୟକ୍ତି ତହସିଲଦାର ତଥା ରାଜ ନେତା ଙ୍କୁ ହାତ କରି ସରକାରୀ ଯାଗା ହାତେଇ ନେଇଥିବା ନଜିର ଅଛି । ହେଲେ ଉକ୍ତ ଗରିବ ଲୋକ ହୁଏତ ଲାଂଚ ଦେଇ ପାରୁନଥିବାରୁ ତାକୁ ସରକାରୀ ସହାୟତା ମିଳୁନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା, ଏଠାରେ ଯିଏ ମୋଟା ଅଙ୍କର ମାଲ ଦେବ ତାହାର ସବୁକାମ ରାତାରାତି ହେବ । ହେଲେ ଉଚ୍ଚ ଅଦାଲତ ଛାଡି ସର୍ବୋଚ୍ଚ ଅଦାଲତ ନିଦେ୍ର୍ଦଶ ଦେଲେବି ସରକାରୀ ବାବୁମାନେ ତାହାକୁ ଫୁ କରି ଟେବୁଲ ତଳେ ଫାଇଲକୁ ଚାପି ରଖିବେ । ତେବେ ଏହି ସମ୍ବେଦନଶୀଳ ଘଟଣା ଏଇ ନିକଟରେ ଯୋଗଦାନ କରିଥିବା ତହସିଲଦାର ରମେଶ ପଣ୍ଡାଙ୍କ ପାଖରେ ପହଁଚିବା ପରେ ସେ ଆବଶ୍ୟକୀୟ ସହାୟତା ଯଥାଶୀଘ୍ର ପ୍ରଦାନ କରିବା ପାଇଁ ସହମତି ପ୍ରଦାନ କରିବା ସହିତ ବସୁନ୍ଧରା ଯୋଜନାରେ ପଟ୍ଟା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ବାକି ରହିଲା ଦେଖିବାକୁ ତାହା କେବେ କାର୍ଯ୍ୟକାରୀ ହେଉଛି । ତେଣୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ତଥା ସେଛାସେବୀ ସର୍ବଶୀ୍ର ପ୍ରମୋଦ ଦାସ, ବସିର ଅଲ୍ଲି , ଡୋରା ଚାନ୍ଦ ମଲ୍ଲିକ, ରଘୁନି ସ୍ୱାଇଁ, ଦିପୁନି ସ୍ୱାଇଁ ପ୍ରମୁଖ ଅନେକ ଉକ୍ତ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବା ନିମନ୍ତେ ଦାବି କରିଛନ୍ତି ।

Leave a Reply

Your email address will not be published.