ଦୁଃଖିନୀ କନିକାର ଦୁଃଖ!
ମହାନ୍ ସ୍ୱାଧୀନତା ସଂଗ୍ରାମୀ ଆନନ୍ଦଚନ୍ଦ୍ର ଜେନା ପୂର୍ବତନ କନିକା ଜମିଦାରୀର ଏକ ଅନାମଧେୟ ଗ୍ରାମ ଡ଼ାଳିକାଏନ୍ଦାରେ ୧୮୮୪ ମସିହା ଜୁଲାଇ ୧୭ ତାରିଖରେ ଏକ ଖଣ୍ଡାୟତ ପରିବାରରେଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବାପା ଖଗେଶ୍ୱର ଜେନା ବେଙ୍ଗଲ୍ରେ ପୋଲିସ୍ ଏସ୍.ଆଇ. ପଦରୁ ବହିଷ୍କୃତ ହେବା ପରେ କଲିକତାର ଜଗତ୍ଦଳ ବଜାରରେ ଗୋଟିଏ ଲୁହା ଲକତର ଦୋକାନ କରି ରହୁଥିବାରୁ ଆନନ୍ଦ ଚନ୍ଦ୍ର ମଧ୍ୟ ଉଚ୍ଚ ଶିକ୍ଷା ନିମନ୍ତେ କଲିକତାରେ ରହୁଥିଲେ । ବାପାଙ୍କର କେତେକ ଘନିଷ୍ଠ ବନ୍ଧୁଙ୍କ ସହାୟତାରେ ଆଚାର୍ଯ୍ୟ ପ୍ରଫୁଲ ଚନ୍ଦ୍ର ରାୟ, ଅରବିନ୍ଦ ଘୋଷ୍, ଚିତରଞ୍ଜନ ଦାସ, ରାସବିହାରୀ ବୋଷ୍ ପ୍ରମୁଖଙ୍କ ସହ ଆନନ୍ଦ ଚନ୍ଦ୍ରଙ୍କର ସମ୍ପର୍କ ସ୍ଥାପନ ହେଲା । ୧୯୧୨ ମସିହା ବଙ୍ଗଭଙ୍ଗ ଆନେ୍ଦାଳନରେ ଆନନ୍ଦଚନ୍ଦ୍ର ସକି୍ରୟ ଅଂଶ ଗ୍ରହଣ କରି ପ୍ରଥମ ଥର ପାଇଁ କାରାବରଣ କଲେ । ୧୯୧୪ ରେ ଓଡ଼ିଶାରେ ଅନୁଷ୍ଠିତ ଉକ୍ରଳ ସମ୍ମିଳନୀରେ ଯୋଗଦେବା ପରେ ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସଙ୍କ ସହ ତାଙ୍କର ସଂପର୍କ ଦୃଢ ହୋଇଥିଲା । ସେ୧୯୧୭ରେ ପ୍ରଥମଥର ପାଇଁ ସାବରମତୀ ଆଶ୍ରମ ଯାଇ ୩ମାସ ସେଠାରେ ରହିବା ଭିତରେ ଗାନ୍ଧୀଜୀ ଓ ଅନେକ ଜାତୀୟ ସ୍ତରର ନେତାଙ୍କ ସହିତ ତାଙ୍କର ପରିଚୟ ହେଲା । ଦ୍ୱିତୀୟ ଥର ଆନନ୍ଦ ଚନ୍ଦ୍ର ଗୋପବନ୍ଧୁଙ୍କ ସହ ସାବରମତୀ ଯାଇ ଗାନ୍ଧୀଙ୍କ ସମେତ ବହୁ ଜାତୀୟ ସ୍ତରୀୟ ନେତାଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ୧୯୧୯ରେ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଦ୍ୱାରା ଉକ୍ରଳର ସର୍ବାଙ୍ଗୀନ ଉନ୍ନତି କରିଥିବା ଗୋପବନ୍ଧୁ ଓ ମଧୁସୂଦନଙ୍କୁ ଯେଉଁ ଉପାଧି ଯଥାକ୍ରମେ ଉକ୍ରଳମଣି ଓ ଉକ୍ରଳ ଗୌରବ ପ୍ରଦାନ କରାଯାଇଥିଲା, ସେଥିପାଇଁ ଆନନ୍ଦଚନ୍ଦ୍ରଙ୍କ ଭୂମିକା ଥିଲା ବେଶ୍ ଉଲ୍ଲେଖନୀୟ ।୧୯୧୪ରେ ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିଲା । ଆବାଳ ବୃଦ୍ଧ ବନିତା ହା ହୁତାଶରେ ଭାଙ୍ଗିପଡ଼ିଥିବା ବେଳେ ଇଂରେଜ ସରକାରର ଖଜଣା ଆଦାୟ କରିବାର ବିରାମ ନଥିଲା । ଓଡ଼ିଶାର ଦୁଃଖ ସହିନପାରି ଗାନ୍ଧିଜୀ ନାଲି ଖୁଦ ବାଂଟିବା ପାଇଁ ଆହ୍ୱାନ ଦେବାରୁ ଆନନ୍ଦ ଚନ୍ଦ୍ର ଓ ଗୋପବନ୍ଧୁ ଦାସ ଦୁହେଁ ଆସି ଆଳି ଠାରେ କରାଳ ଦୁର୍ଭିକ୍ଷଗ୍ରସ୍ତ ପ୍ରଜାଙ୍କୁ ଖୁଦ ବାଂଟିଥିଲେ । ସେତେବେଳେ ଜମିଦାର ଓ ପୁଞ୍ଜିପତି ମାନେ ଇଂରେଜ ସରକାରର ପଦାଙ୍କ ଅନୁସରଣ କରିଥାନ୍ତି । ସେମାନଙ୍କର ନିର୍ମମ ଅତ୍ୟାଚାର ଓ ଶୋଷଣରେ ପ୍ରଜାକୂଳ ତ୍ରାହୀତ୍ରାହୀ ଡ଼ାକ ଛାଡ଼ୁଥିଲେ । ପ୍ରଜାଙ୍କ ଦୁଃଖରେ ମି୍ରୟମାଣ ହୋଇ ଆନନ୍ଦଚନ୍ଦ୍ର ପ୍ରଜାମଣ୍ଡଳ ଗଠନ କରି ରାଜାଙ୍କ ବିରୋଧରେ ଲଢିବାକୂ ପ୍ରଜାଙ୍କୁ ଆହ୍ୱାନ ଦେଲେ ।
ଆନନ୍ଦ ଚନ୍ଦ୍ରଙ୍କ ନେତୃତ୍ୱରେ ଅନେକ ଥର ପ୍ରଜାମେଳି ହୋଇଥିଲା । ବହୁବାର କନିକା ରାଜପ୍ରାସାଦ, ଥାନା, କଚେରୀ ଆଦି ଘେରାଉ ହୋଇଥିଲା । ବହୁବାର ସେ ପୋଲିସ୍ ଓ ରାଜାଙ୍କ ମୁହଁରେ କଡା ଜବାବ ଦେଇଥିବା ବେଳେ ଅନେକ ଥର ନିର୍ଯ୍ୟାତନା ସହିଥିଲେ ଓ କାରାବରଣ କରିଥିଲେ । କନିକାର ଦୁଃଖ ବିଷୟରେ ସେ ଅନେକଥର କେନ୍ଦ୍ରୀୟ ନେତା ମାନଙ୍କୁ ଜଣାଇ ଥିଲେ । କନିକାର ହୃଦୟସ୍ପର୍ଶୀ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣକୁ ଅନୁଭବ କରି ୧୯୨୨ ମସିହାରେ ୬୪ଟି ଅଭିଯୋଗ ଆକାରରେ ବର୍ଣ୍ଣିତ “ଦୁଃଖିନୀ କନିକା” ନାମରେ ଏକ ପୁସ୍ତକ ଛପାଇ ସାରା ଓଡ଼ିଶାରେ ବଂଟନ କରିଥିଲେ । ଫଳତଃ ସମଗ୍ର ଓଡ଼ିଶା ତଥା ଭାରତର ଜାଗ୍ରତ ଜନମତ କନିକା ପ୍ରଜାମେଳି ପାଇଁ ସମ୍ବେଦନଶୀଳ ହୋଇ ପଡ଼ିଥିଲା । ପୁସ୍ତକଟି ପଣ୍ଡିତ ମଦନ ମୋହନ ମାଲବ୍ୟ, ଲାଲା ଲଜପତ୍ ରାୟ, ସ୍ୱଂୟ ଗାନ୍ଧିଜୀ ପ୍ରମୁଖ ନେତା ମାନଙ୍କୁ ହତବାକ୍ କରି ଦେଇଥିଲା । ଗାନ୍ଧିଜୀ ଏହାର ଇଂରାଜୀ ଅନୁବାଦ ପଢି ମର୍ମାହତ ହୋଇ ପଡ଼ିଥିଲେ ଓ “ୟଙ୍ଗ୍ ଇଣ୍ଡିଆ” ପତି୍ରକାରେ ଏହାର ଅନୁବାଦ ପ୍ରକାଶ କରିବାରୁ ସାରା ଭାରତରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ଆଉ ସେହି ଦିନ ଠାରୁ ସାରା ଭାରତରେ ଆନନ୍ଦ ଚନ୍ଦ୍ର ପରିଚିତ ହୋଇଥିଲେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଭାବରେ । ଗୋପବନ୍ଧୁ ଆନନ୍ଦ ଚନ୍ଦ୍ରଙ୍କ ନିକଟକୁ ପତ୍ର ଲେଖିଥିଲେ, ‘ତୁମେ ସାରା ଭାରତର ଗର୍ବ ଓ ଗୌରବ! ଅତ୍ୟଧିକ କରପୀଡ଼ା ଓ ସାମନ୍ତବାଦୀ ଶୋଷଣର ଶିକାର କନିକା ଜମିଦାରୀକୁ “ଦୁଃଖିନୀ କନିକା” ବୋଲି ସମ୍ବୋଧନ କରି ତୁମେ ଜନମାନସକୁ ଯେଭଳି ସ୍ପନ୍ଦିତ କରିଦେଲ, ସେଥିପାଇଁ ତ ତୁମେ କନିକାର ମୁକୁୁଟ ବିହୀନ ସମ୍ରାଟ! ମୁଁ ଆଜିଠୁ ତୁମକୁ ସମ୍ବୋଧନ କରୁଛି ‘ଦୁଃଖିନୀ କନିକା’ ଭାବରେ ।”
ପୁସ୍ତକ ପ୍ରକାଶନ ପରେ ପରେ ପତରପୁର ଘାଟ ଠାରେ ଏକ ବିଶାଳ ପ୍ରଜାମେଳିରେ ଆନନ୍ଦ ଚନ୍ଦ୍ର ଭାଷଣ ଦେଉଥିବା ବେଳେ ହଠାତ୍ କଲେକ୍ଟର, ପୋଲିସ ଅଫିସର କୃର୍ଷ୍ଣ ମହାପାତ୍ର ଓ ୩୭ଜଣ ସଶସ୍ତ୍ର ପୋଲିସ୍ ଫୋର୍ସଙ୍କ ସହ ରାଜା ଉପସ୍ଥିତ ହୋଇ ପ୍ରଜାମେଳି ଉପରକୁ ଗୋଳା ବର୍ଷଣ କରିବାକୁ ଆଦେଶ ଦେଲେ । ଘଟଣା ସ୍ଥଳରେ ବାସୁ ସେଠୀ ଓ ବିସୁନି ମେଢୁଆଳ ନାମକ ଦୁଇଜଣ ପ୍ରଜା ଟଳି ପଡ଼ିଲେ । ଅନେକ ପ୍ରଜା ରକ୍ତାକ୍ତ ହେଲେ । ଆନନ୍ଦ ଚନ୍ଦ୍ରଙ୍କୁ ଗିରଫ୍ କରାଯାଇ ନିର୍ମମ ନିର୍ଯ୍ୟାତନା ଦିଆଗଲା । ତାଙ୍କର ୪୨ଏକର ଜମିକୁ ବାଜ୍ୟାପ୍ତ କରାଗଲା ଓ “ଦୁଃଖିନୀ କନିକା” ବହିକୁ ବେଆଇନ ଘୋଷଣା କରାଗଲା । ଏହାପରେ ଆନନ୍ଦ ଚନ୍ଦ୍ରଙ୍କୁ କନିକାରୁ ନିର୍ବାସିତ କରାଯିବାରୁ ନିଜକୁ ବଂଚାଇବା ପାଇଁ ରାତି୍ରର ଅନ୍ଧକାରରେ ହିଂସ୍ର ଜଳଜନ୍ତୁ ପୂର୍ଣ୍ଣ ଖରସ୍ରୋତା ନଦୀ ପହଁରି ସେ ଆଳି ଅଂଚଳକୁ ପଳାଇ ଆସିଲେ । ରାଜା ତାଙ୍କ ବଦଳରେ ତାଙ୍କ ପରିବାର ଲୋକଙ୍କୁ ନାନା ନିର୍ଯ୍ୟାତନା ଦେଲେ । ଏ ଖବର ପାଇ ଗୋପବନ୍ଧୁ ଚୌଧୁରୀ, ଯଦୁମଣି ମଙ୍ଗରାଜ, ସନ୍ଥ ଚରଣ ବେହୁରା, ଡ଼ଃ ଅଟଳ ବିହାରୀ ଆଚାର୍ଯ୍ୟ, ରାମଦାସ ବାବାଜୀ, ଡ଼ଃ ରସୁଲ ପ୍ରମୁଖ ବିପ୍ଲବୀ ମାନେ କନିକା ଧାଇଁ ଯାଇ ରାଜାଙ୍କ ସହ ଯୁକ୍ତିତର୍କ କଲେ । ସେତେବେଳେ ଗୋପବନ୍ଧୁ ଦାସ ହଜାରିବାଗ୍ ଜେଲ୍ରେ ଥାଇ ତାଙ୍କର ପ୍ରିୟ ଶିଷ୍ୟ “ଦୁଃଖିନୀ କନିକା”ଙ୍କ ଦୁଃଖରେ ମି୍ରୟମାଣ ହୋଇ ପଡ଼ିଥିଲେ ।
ଆନନ୍ଦଚନ୍ଦ୍ର ହତୋତ୍ସାହ ହୋଇନଥିଲେ । ଉକ୍ରଳମଣି ଓ ବହୁ ଜାତୀୟ ନେତାଙ୍କ ଉତ୍ସାହ-ପ୍ରେରଣା ତାଙ୍କୁ ଶତ ସିଂହର ବଳ ଦେଉଥିଲା । ଯେତେବେଳେ ଭାରତର ଭାଗ୍ୟ ଆକାଶରେ ନିରନ୍ଧ୍ର ଅନ୍ଧକାର ମାଡ଼ି ଆସିଥିଲା, ସେ ଭାରତର ମୁକ୍ତି ପାଇଁ ଲୋକଙ୍କ କାନରେ ଇଂରେଜ ବିରୋଧୀ ଧ୍ୱନି ଶୁଣାଉ ଥିଲେ । କେବଳ କନିକା ନୁହେଁ, ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇ ଉତ୍ପୀଡ଼ିତ ଲୋକଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଏକଜୁଟ କରୁଥିଲେ । ୧୯୨୫ ଚରଖା ଆନେ୍ଦାଳନ, ୧୯୩୦ରେ ଲବଣ ସତ୍ୟାଗ୍ରହ ଆନେ୍ଦାଳନ, ୧୯୪୨ରେ ଭାରତ ଛାଡ଼ ଆନେ୍ଦଳନରେ ଆନନ୍ଦ ଚନ୍ଦ୍ର ସକି୍ରୟ ଅଂଶ ଗ୍ରହଣ କରି ଗାନ୍ଧିଜୀ, ଗୋପବନ୍ଧୁ ଚୌଧୁରୀ, ଡ଼ଃ ହରେକୃର୍ଷ୍ଣ ମହତାବ ଆଦି ନେତାଙ୍କ ଠାରୁ ପ୍ରଶଂସା ପାଇଥିଲେ । ବିଭିନ୍ନ ସମୟରେ ଗାନ୍ଧିଜୀ ତାଙ୍କ ପାଖକୁ ସାନ୍ତ୍ୱନାମୂଳକ ପତ୍ର ଲେଖି ତାଙ୍କ ଭିତରେ ଉତ୍ସାହ ଭରି ଦେଉଥିଲେ । ତାଙ୍କର ନିର୍ବାସନ ସମୟରେ ଗାନ୍ଧିଜୀ ମଦନ ମୋହନ ମାଲବ୍ୟଙ୍କୁ କନିକା ପରିଦର୍ଶନରେ ପଠାଇଥିଲେ । ତାଙ୍କର ବହୁ ସାବରମତୀ ଆଶ୍ରମ ସାଥୀ ତାଙ୍କ ନିକଟକୁ ଆସି ଭଲମନ୍ଦ ବୁଝି ଯାଉଥିଲେ । ଶରତ ବୋଷ୍, ଆଚାର୍ଯ୍ୟ କୃପାଳିନୀ, ଚିତରଞ୍ଜନ ଦାସ, ଡ଼ଃ ସାବରକର ଆଦି ବହୁ ନେତା ତାଙ୍କ ସହ ପତ୍ରାଳାପ କରୁଥିଲେ ।
ଆନନ୍ଦଚନ୍ଦ୍ର ଦିନ ତମାମ ପ୍ରଜାମେଳି କରି ରାତିରେ ଖୁବ୍ କମ୍ ସମୟ ବିଶ୍ରାମ ନେବା ପରେ କବିତା ଲେଖୁଥିଲେ । ୧୯୨୮ ବେଳକୁ ସେ ବହୁ କବିତା ଗ୍ରନ୍ଥ ରଚନା କରିଥିଲେ । ସେଗୁଡ଼ିକ ମଧ୍ୟରେ ଭକ୍ତ ପ୍ରହଲ୍ଲାଦ, ମାତୃଦେବୀ, ବାରକଥା, ମୂଢମତୀ, କନିକା ବନ୍ଧୁ, “ଦୁଃଖିନୀ କନିକା” ଆଦି ଉଲ୍ଲେଖନୀୟ ।୧୯୩୬ରେ ବିହାର-ଓଡ଼ିଶା ଅଲଗା ହୋଇ ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ଆନନ୍ଦଚନ୍ଦ୍ର କଟକରେ ରହି ସନ୍ଥ ବିନୋବା ଭାବେଙ୍କ ବ୍ୟକ୍ତିଗତ ସତ୍ୟାଗ୍ରହ ଆନେ୍ଦାଳନକୁ ସଫଳ କରାଇବା ପାଇଁ ପ୍ରୟାସ କରୁଥିବାବେଳେ ତାଙ୍କୁ ଗିରଫ୍ କରାଗଲା । ଦଲାଲ୍ ମାନଙ୍କ ଦ୍ୱାରା ତାଙ୍କ ପରିବାରର ସଦସ୍ୟ ମାନଙ୍କୁ ପିଟିପିଟି ଆଣି ରାଜପ୍ରାସାଦରେ ହାଜର କରାଗଲା । ସେଠାରେ ସମସ୍ତଙ୍କୁ ଗିରଫ୍ କରାଯାଇ କଟକ ଜେଲ୍କୁ ପଠାଗଲା । ଖବର ପାଇ ବାଳକୃର୍ଷ୍ଣ କର, ଗୋପାଳ ପ୍ରହରାଜ, ବିଧାନ ପରିଷଦର ବାଚସ୍ପତି ଯଦୁମଣି ମଙ୍ଗରାଜ ଆଦି ବହୁ ନେତା ଆନନ୍ଦଚନ୍ଦ୍ର ଓ ତାଙ୍କ ପରିବାରକୁ ଜାମିନରେ ଖଲାସ କଲେ ଓ ଡ଼ାଳିକାଏନ୍ଦା ସ୍ଥିତ ତାଙ୍କର ସମସ୍ତ ଜମିବାଡ଼ି ରାଜା ବାଜ୍ୟାପ୍ତି କରି ଦେଇଥିବା କଥା ନେତାମାନେ ଆନନ୍ଦ ଚନ୍ଦ୍ରଙ୍କୁ ଜଣାଇଲେ । ସେ ଆଉ ଆଳି କିମ୍ବା କନିକା ଫେରନ୍ତୁ ନାହିଁ ବୋଲି ପରାମର୍ଶ ଦେଲେ । କଟକସ୍ଥିତ ଗୋପାଳ ପ୍ରହରାଜଙ୍କ ଘରେ ଦୁଇଦିନ ରହିବା ଭିତରେ ଆନନ୍ଦଚନ୍ଦ୍ରଙ୍କ ଅନେକ ସଂଗ୍ରାମୀ ସାଥୀ ସାକ୍ଷାତ କରି ତାଙ୍କ ଦୁଃଖରେ ଭାଙ୍ଗିପଡ଼ିଲେ । ଶେଷରେ ଯଦୁମଣି ମଙ୍ଗରାଜ କେନ୍ଦ୍ରାପଡ଼ା ନିକଟସ୍ଥ ହଜାରିବଗିଚା ଗାଁରେ ଚିର ବାସ କରି ରହିବା ପାଇଁ ଆନନ୍ଦଚନ୍ଦ୍ରଙ୍କ ପରିବାରର ସବୁପ୍ରକାର ବନେ୍ଦାବସ୍ତ କରିଦେଲେ । ବାଳକୃର୍ଷ୍ଣ କର ଓ ଆଉ କେତେକ ବିପ୍ଲବୀ ତାଙ୍କ ପରିବାରର ଭରଣ ପୋଷଣ ବ୍ୟବସ୍ଥା କଲେ ।
ଗାନ୍ଧିଜୀଙ୍କ ସହ ତାଙ୍କର ଶେଷ ସାକ୍ଷାତ ହୋଇଥିଲା ଶୁଦ୍ଧପୂତ ଆଶ୍ରମରେ । ସେଠାରେ ସେ ଗାନ୍ଧିଜୀଙ୍କ ଚରଣ ସ୍ପର୍ଶ କରିବା ମାତ୍ରେ ଗାନ୍ଧିଜୀ ତାଙ୍କୁ କୋଳାଗ୍ରତ କରିନେଇ ତାଙ୍କର ସର୍ବହରା ଜନିତ କାରଣ ପାଇଁ ସାନ୍ତ୍ୱନା ଦେଇଥିଲେ । ଆଉ ତାଙ୍କ ହୃତ ସଂପତି ଫେରି ପାଇବାକୁ ସାହାଯ୍ୟ କରିବା ପାଇଁ ଭି.ଭି.ଗିରିଙ୍କୁ ଦାୟିତ୍ୱ ଦେଇଥିଲେ । ଗଡ଼ଜାତ ଆନେ୍ଦାଳନ ବେଳେ ଡ଼ଃ ମହତାବ ଓଡ଼ିଶାର ସବୁ ରାଜା-ଜମିଦାରଙ୍କ ନିଜସ୍ୱ ମୋଟ ଜମିର ଚିଠା ପ୍ରସ୍ତୁତ କଲାବେଳେ ଆନନ୍ଦଚନ୍ଦ୍ର କନିକା ରାଜାଙ୍କର ନିଜସ୍ୱ ଜମିଜମାର ନିଚ୍ଛକ ଚିତ୍ର ଉପସ୍ଥାପନ କରିଥିଲେ । ଏତିକିବେଳେ ଡ଼ଃ ମହତାବ ‘ପ୍ରଜାତନ୍ତ୍ର’ ପ୍ରକାଶ କରିବା ପାଇଁ ଚିନ୍ତା କରୁଥାନ୍ତି । ‘ପ୍ରଜାତନ୍ତ୍ର’ ଦ୍ୱାରା ପ୍ରଜାମାନଙ୍କର ସ୍ୱାର୍ଥ ରକ୍ଷା ହୋଇପାରିବ ବୋଲି ଆନନ୍ଦଚନ୍ଦ୍ର ଦୃଢ ଭାବରେ ମହତାବଙ୍କୁ ପରାମର୍ଶ ଦେଇଥିଲେ । ଏହାର ତିନିଦିନ ପରେ ତାଙ୍କୁ ମାରିଦେବାର ଯୋଜନା କରି ରାଜା ବାଘବୁଦା ଗାଁର ଦୁଇଜଣ ପ୍ରଜାଙ୍କୁ କେନ୍ଦ୍ର୍ରାପଡ଼ା ପଠାଇଲେ । ଦୁହେଁ ବାହାନା କରି କାନ୍ଦିକାନ୍ଦି ଆନନ୍ଦଚନ୍ଦ୍ରଙ୍କୁ କହିଲେ ଯେ, ରାଜା ସେମାନଙ୍କର ସବୁ ଭୂ-ସଂପତି ଛଡ଼ାଇ ନେଇଛନ୍ତି । ଆନନ୍ଦଚନ୍ଦ୍ର ଏକଥା ଶୁଣି ରାଗରେ ଲାଲ୍ ପଡ଼ିଗଲେ । କେନ୍ଦ୍ରାପଡ଼ା କୋର୍ଟରେ ରାଜାଙ୍କ ବିରୋଧରେ ମୋକଦ୍ଦମା କରିବାର ବ୍ୟବସ୍ଥା କରି ସେଦିନ ରାତିରେ ସେ ସେମାନଙ୍କ ଭଡ଼ାଘରେ ଆତିଥ୍ୟ ଗ୍ରହଣ କଲେ । ପ୍ରାୟ ରାତି ୧୨ଟାରେ ଘରକୁ ଫେରି ପୁଅ ମାନଙ୍କୁ ସେ ଦୁଇଜଣଙ୍କ ଦୁଃଖ କହୁକହୁ ହଠାତ୍ ଅସୁସ୍ଥ ହୋଇଗଲେ । ଡ଼ାକ୍ତର ଅଟ୍ଟଳ ବିହାରୀ ଆଚାର୍ଯ୍ୟ ଓ କମ୍ପାଉଣ୍ଡର ବ୍ରଜବନ୍ଧୁ ସିଂ ଲଗାତାର ୧୪ଘଂଟା ଚିକିତ୍ସା କରିଥିଲେ ହେଁ କିଛି ଫଳ ମିଳିଲା ନାହିଁ । ଖାଦ୍ୟରେ ବିଷ ମିଶା ଯାଇଥିବା ଜଣା ପଡ଼ିଥିଲା । ୧୯୪୬ ମସିହା ଜାନୁୟାରୀ ୨୭ତାରିଖରେ କନିକା ତଥା ସାରା ଓଡ଼ିଶାରେ ଘୋଟି ଯାଇଥିଲା ଘନ ଅନ୍ଧକାର । ପ୍ରଜାମାନେ ମୁଣ୍ଡ କଚାଡ଼ି ରାହା ଧରି କାନ୍ଦିଥିଲେ । ହଜାର ହଜାର ଲୋକଙ୍କର ଲମ୍ବା ଧାଡ଼ି ଲାଗିଥିଲା ତାଙ୍କ ଭଗ୍ନ କୁଡ଼ିଆ ଅଭିମୁଖେ । ଓଡ଼ିଶାର ପ୍ରମୁଖ ନେତାମାନେ ପହଂଚି ଶୋକସଭା କରିଥିଲେ । ବହୁ ଜାତୀୟ ସ୍ତରର ନେତା ଶୋକ ସମ୍ବାଦ ପଠାଇ ଶୋକ ସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେଇଥିଲେ । ଏତେ କଷଣ ସତ୍ୱେ ଜୀବନର ଶେଷ ମୁହୂର୍ତ ପର୍ଯ୍ୟନ୍ତ ବିପ୍ଲବର ବହ୍ନିଶିଖା ତାଙ୍କ ଜୀବନରେ ଅନିର୍ବାଣ ହୋଇ ରହିଗଲା । ସେ ସର୍ବଦା ପ୍ରଜାଙ୍କ ମୁକ୍ତି ପାଇଁ ଚିନ୍ତା କରୁଥିଲେ । ସେ ଲଢୁଥିଲେ ରାଜାଙ୍କ ବିରୁଦ୍ଧରେ, ବି୍ରଟିସ୍ ସରକାର ବିରୁଦ୍ଧରେ, କନିକା ପ୍ରଜାଙ୍କ ସୁଖ-ସମୃଦ୍ଧି ପାଇଁ-ଭାରତର ସ୍ୱାଧୀନତା ପାଇଁ । ସେ ମୋଟରେ ୭ଥର କାରାବରଣ କରି ୧୨ବର୍ଷ କାଳ କାରାବାସରେ କଟାଇଥିଲେ । ଇହଧାମ ତ୍ୟାଗ କରିଥିଲେ ମଧ୍ୟ ସେ ଆଜି ବି ଆମ ପାଖରେ ଅମର ହୋଇ ରହିଛନ୍ତି । ଆଜି ତାଙ୍କର ପବିତ୍ର ଶ୍ରାଦ୍ଧ ତିଥିରେ ତାଙ୍କର ଅମ୍ଲାନ କିର୍ତୀ ସମସ୍ତଙ୍କ ସାମ୍ନାରେ ଭାସି ଉଠୁଛି । ଶରତ କୁମାର ରାଉତ