ଆମର ବିଶାଳ ନଦୀ ଓ ଉପନଦୀରେ ବନ୍ଧ ବାନ୍ଧୁନେ କାହିଁକି?

ଓଡ଼ିଶାର ସାଂକୃତିକ ରାଜଧାନୀ କଟକ ସହିତ ଏହାର ବୃହତମ ନଦୀ ମହାନଦୀର ସଂପର୍କ ଅତି ନିବିଡ । ଗୋଟିଏ କଡେ ମହାନଦୀ ଓ ଅନ୍ୟ କଡେ କାଠ ଯୋଡି, ଦୁଇ ନଦୀର ସଂଗମ ସ୍ଥଳରେ ଗଢି ଉଠିଛି ହଜାର ବର୍ଷର ବାବନ ବଜାର ଓ ଛପନ ଗଳିର କଟକ ସହର । ନଦୀର ଶଯ୍ୟା ଠାରୁ ସହରଟି ନିମ୍ନ ସ୍ଥରରେ ଥିବାରୁ ବନ୍ୟା ହେଲେ କଟକରେ ଆତଙ୍କ ଖେଳିଯାଏ । କେଉଁ ହଜାର ବର୍ଷ ତଳେ କଟକର ଜଣେ ନାଗରିକ ବାଇମୁଣ୍ଡିର ପ୍ରାର୍ଥନାରେ ଓଡ଼ିଶା ରଜା ମର୍କତ କେଶରୀ କଟକ ସହରକୁ ରକ୍ଷା କରିବା ପାଇଁ ପଥର ବନ୍ଧ ବାନ୍ଧି ଦେଇଥିଲେ । ସେହି ଦିନୁ କଥା ରହିଗଲା କଟକ ଚିନ୍ତା ବାଇମୁଣ୍ଡିକୁ । ମହାନଦୀ କୁଳର କାଳିଆ ବୋଦା ମଠ, କାଳିଆ ବୋଦା ଗୁରୁ ଦ୍ୱାର ରେଳପୋଲ, ଜୋବ୍ରା ଆନିକଟ, ଲଂଚଘାଟ, ତାଳଦଣ୍ଡା କେନାଲ, କଟକ ଠେଙ୍ଗା, ମାତା ମଠ, ଗଡଗଡିଆ ଘାଟ, ଚହଟା ଘାଟ, ତୁଳସୀପୁର ଓ ସତି ଚଉରାକୁ ନେଇ କେତେ ଯେ କାହାଣି ଓ ଉପନ୍ୟାସ ରଚିତ ହୋଇଛି ତାହାର ହିସାବ ନାହିଁ । ଗଡଗଡିଆ ଘାଟରେ ହେଉଥିବା ବାଲିଯାତ୍ରା ଓଡ଼ିଶାର ସବୁଠାରୁ ବଡ ଯାତ୍ରା । ଚହଟା ଘାଟିରୁ ଧବଳେଶ୍ୱରକୁ ଯାତ୍ରୀ ମାନେ ନୈାକାରେ ଗଲାବେଳେ ମହାନଦୀର ବିସ୍ଥିର୍ଣ୍ଣ ନିଳ ଜଳ ମଧ୍ୟରେ କେତେ ଯେ ସ୍ୱପ୍ନ ଦେଖୁଥିଲେ ତାହାର ହିସାବ ନଥିଲା ।
ମାତ୍ର ଆଜି କଟକକୁ ଲାଗି ରହିଥିବା ମହାନଦୀକୁ ଦେଖିଲେ ଆଖିରେ ଲୁହ ଆସେ । ନଅଙ୍କ ର୍ଦୁଭିକ୍ଷ ପରେ ଉପକୁଳ ଓଡିଶାରେ ଜଳ ସେଚନ ପାଇଁ ଇଂରେଜ ମାନେ ତିଆରି କରିଥିଲେ ଜୋବ୍ରା ଆନିକଟ । ବର୍ଷ ଯାକ ନିଳଜଳ ଲହଡି ମାରୁଥିଲା । ମାତ୍ର ଆଜି ସବୁ ଉଜୁଡି ଯାଇଛି । ନଦୀ ଶଯ୍ୟା ପୋତି ହୋଇ ଗଲାଣି । ଠାଏ ଠାଏ ବାଲି ଦେଖାଯାଉଛି । ସହର ଠାରୁ ନଦୀ ଶଯ୍ୟା ପୋତି ହୋଇ ପ୍ରାୟ ଅଧ କି.ମି ଘୁଂଚି ଗଲାଣି । ନଦୀକୁଳରେ ହଜାର ହଜାର ଟ୍ରକ ଅଳିଆ ଗଦା ହେଉଛି । ଶହ ଶହ ଝୁମ୍ପୁଡ଼ି ବନ୍ଧ ତଳେ ମୁଣ୍ଡ ଟେକିଲେଣି । ବିଲ୍ଡର ମାନେ ବହୁତଳ ପ୍ରାସାଦ କରିବାକୁ ଅଂଟା ଭିଡିଲେଣି । ଯେଉଁ ମାତା ମଠ କଡରେ ଆଗେ ଶହ ଶହ ଡଙ୍ଗା ଲାଗୁଥିଲା ସେଠାରେ ଟୋପେ ପାଣି ନାହିଁ । ଗଡଗଡିଆ ଘାଟରେ ମଧ୍ୟ ସେହି ଅବସ୍ଥା । ନଦୀ ଶଯ୍ୟାକୁ ପୋତି ଆମେ ବାଲି ଯାତ୍ରା ପଡିଆ କରି ସାରିଲୁଣି । ଏଣେ ମହାନଦୀ ମରିଗଲା ବୋଲି ପଡୋଶି ରାଜ୍ୟକୁ ଦୋଷ ଦେଉଛୁ । ଚହଟା ଘାଟକୁ ମଧ୍ୟ ଆଉ ଡଙ୍ଗା ଆସୁନାହିଁ ।
ମହାନଦୀର ଏହି ର୍ଦୁଦଶା ପାଇଁ କ’ଣ ଛତିଶଗଡ ଦାୟି? ଅଳିଆ ଆବର୍ଜନା କ’ଣ ଛତିଶଗଡ ସରକାର ପକାଉଛନ୍ତି? ଜଳ ଭଣ୍ଡାର ଶଯ୍ୟାକୁ ଗଭିର କରିବା ଦାୟିତ୍ୱ କାହାର? ଆନିକଟର ସ୍ୱଳ୍ପ ଜଳ ମଧ୍ୟରୁ ହାତି ସୁଣ୍ଢ ଭଳି ପାଇପରେ ପାରାଦ୍ୱୀପରେ ଥିବା ଶିଳ୍ପକୁ ପାଣି ଯାଉଛି । ଏହା କଣ ଶିଳ୍ପକୁ ଜଳ ଯୋଗାଣ ନୁହେଁ? ଆମେ କେଉଁ ସତ୍ ସାହସରେ ଛତିଶଗଡ ସରକାର ଶିଳ୍ପକୁ ପାଣି ବିକୁଛି ବୋଲି ଆଙ୍ଗୁଠି ଦେଖାଉଛୁ?
ସମୟ ବଦଳି ଯାଉଛି । ପାଣି ପାଗର ଗତି ମଧ୍ୟ ପରିବର୍ତନ ହୋଇଛି । ଅଣ ମୈାସୁମି ବର୍ଷା ବର୍ତମାନ ପ୍ରାୟ ଆଉ ନାହିଁ । ମୈାସୁମି ଋତୁରେ ବେଳେ ବେଳେ ପ୍ରବଳ ବର୍ଷା ହେଉଛି । ଜଳ ବାୟୁ ପରିବର୍ତନ କୁ ଚାହିଁ ଆମେ ପାଣିକୁ ସୁରକ୍ଷିତ ରଖିବା ପାଇଁ ଯୋଜନା ମାନ କରିବାକୁ ପଡିବ । ଏହା ଦିବାଲୋକ ଭଳି ସତ୍ୟ ଯେ, ଛତିଶଗଡ ତାର ପାଣିକୁ ସଂପୂର୍ଣ୍ଣ ରୂପେ ବ୍ୟବହାର କରିବାକୁ ସକ୍ଷମ ହୋଇଛି । ଶହ ଶହ ଡ୍ୟାମ ବାନ୍ଧି ପାଣି ଅଟକାଇଛି । ଶିଳ୍ପକୁ ପାଣି ଦେଇଛି । ଅନୁର୍ବର ଭୂମିକୁ ଶସ୍ୟ ଶ୍ୟାମଳ କରିଛି । ମାତ୍ର ଆମେ କିଛି ନକରି କେବଳ ତାକୁ ଗାଳି ଦେଉଛୁ । ନିଜ ରାଜ୍ୟରେ ନିଜେ ବନ୍ଦ ପାଳନ କରୁଛୁ । ଶହ ଶହ ସମାବେଶ କରି ଅର୍ଥ ଓ ସମୟ ଅପବ୍ୟୟ କରୁଛୁ । ମାତ୍ର ମହାନଦୀର ବିଶାଳ ଜଳ ରାଶିକୁ କାମରେ ଲଗାଇବା ପାଇଁ ପଚାଶ ବର୍ଷ ଭିତରେ କିଛି କରି ପାରିନୁ । ମହାନଦୀର ଏକ ମୁଖ୍ୟ ଉପନଦୀ ତେଲ ନଦୀ । ବର୍ଷା ଦିନେ ଏହି ନଦୀରେ ପ୍ରଚୁର ଜଳ ପ୍ରବାହିତ ହୁଏ । ପ୍ରବଳ ଜଳ ସ୍ରୋତରେ ଏହି ନଦୀର ଏକାଧିକ ପୋଲ ଭାଙ୍ଗିବା ଘଟଣା ଘଟିଛି । ଏହି ବିଶାଳ ଜଳ ରାଶିକୁ କାମରେ ଲଗାଇବା ପାଇଁ କୈାଣସି ଯୋଜନା ହୋଇନାହିଁ । ତେଲ ଛଡା ମହାନଦୀର ଉଭୟ ପାଶ୍ୱର୍ରେ ଅନେକ ଉପନଦୀ ପଡିଛନ୍ତି । ସେଗୁଡିକରେ ବନ୍ଧ ବାନ୍ଧି ଆମେ ଗ୍ରୀଷ୍ଣ ଦିନରେ ମହାନଦୀର ଜଳ ପ୍ରବାହକୁ ବଢାଇ ପାରିବା । ମାତ୍ର ଆମର ସବୁ କାର୍ଯ୍ୟ କେବଳ ଭାଷଣରେ ଓ ଫାଇଲରେ ରହି ଯାଇଛି । ନିଜେ କିଛି ନକରି ଯିଏ କରୁଛି ତାହା ସହ କଳି କରିବା ଓ ଲୋକଙ୍କୁ ମତାଇବା ନେତା ମାନଙ୍କର ଏକ ନାଟକରେ ପରିଣତ ହୋଇ ଗଲାଣି । ଚାହୁଁ ଚାହୁଁ ପୋଲାଭରମ୍ ପ୍ରକଳ୍ପ ସରି ଗଲାଣି । ଆମର ପ୍ରତିବାଦ ଓ ଧର୍ମଘଟ ସବୁ ନିସ୍ଫଳ ହୋଇ ଯାଇଛି । ଏପରି ହେବା ସମସ୍ତେ ଜାଣିଥିଲେ ମଧ୍ୟ ଅଭିନୟ କରୁଥିବା ସ୍ପଷ୍ଟ । ଆମେ ଭାଗ୍ୟବାନ ଯେ, ଭାରତର ସବୁ ରାଜ୍ୟ ଠାରୁ ଆମର ଜଳ ସମ୍ପଦ ସବୁଠାରୁ ଅଧିକ । ଗୋଟିଏ କାବେରି ନଇକୁ ନେଇ ଚାରଟି ରାଜ୍ୟ କଳି କରୁଛନ୍ତି । ଉତରରୁ ଦକ୍ଷିଣକୁ ଗଲେ ସୁବର୍ଣ୍ଣ ରେଖା, ବୁଢା ବଳଙ୍ଗ, ବ୍ରାହ୍ମଣୀ, ବୈତରଣି, ମହାନଦୀ, ଋଷିକୁଲ୍ୟା, ବଂଶଧାରା, ଶିଲେରୁ, ସାବେରୀ, ଇନ୍ଦ୍ରାବତୀ ଓ ନାଗାବଳି ଭଳି ଅସଂଖ୍ୟ ନଇ ଆମ ରାଜ୍ୟରେ ବୋହି ଯାଉଛନ୍ତି । ଏମାନଙ୍କର ପ୍ରବାହିତ ଜଳକୁ ସଂଚୟ କରିପାରିଲେ ଆମେ ନିଜେ ବ୍ୟବହାର କରି ଅନ୍ୟ ରାଜ୍ୟକୁ ମଧ୍ୟ ଜଳ ଦାନ କରି ପାରିବା । ମାତ୍ର ନିଜ ଅମୂଲ୍ୟ ମମ୍ପଦ କୁ ଆମେ ନଚିହ୍ନିି ଅଣ ଦେଖା କରି ଧନ ଓ ଜନ ଅପଚୟ କରି ଯେଉଁ ନାଟକ ମାନ ଅଭିନୟ କରି ଚାଲିଛୁ ତାହାର ବିଚାର ଇତିହାସ ହିଁ କରିବ ।
   ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ, ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published.