ଗୁରୁ ସ୍ୱାମୀ ଦାମୋଦର ଦାସଙ୍କ ୭୭ତମ ଜନ୍ମୋତ୍ସବ ପାଳିତ
ପଟ୍ଟାମୁଣ୍ଡାଇ/ରାଜନଗର,(ଓଏନ୍ଏସ୍): ଗୁରୁସ୍ୱାମୀ ଶ୍ରୀ ଶ୍ରୀ ଦାମୋଦର ଦାସଙ୍କର ୭୭ ତମ ଜନ୍ମୋତ୍ସବ ପଟ୍ଟାମୁଣ୍ଡାଇ ବ୍ଲକ୍ର କୋରିଆପଲ୍ଲାସ୍ଥିତ ଗୁରୁସ୍ୱାମୀ ଆଶ୍ରମ ଠାରେ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଶୁଭ ଅବସରରେ ଭୋର ୪ ଟାରେ ନଗର କୀର୍ତନ ସହ ଜନ୍ମୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସକାଳ ୫ ଟାରେ ଗୁରୁସ୍ୱାମୀଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଏକ ବିରାଟ ଧାର୍ମିକ ଶୋଭାଯାତ୍ରାରେ ଉତ୍ସବ ମଣ୍ଡପକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଦିନ ତମାମ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିଥିଲା । କଟକ, ଭୁବନେଶ୍ୱର, ଦିଲ୍ଲୀ, ବାଙ୍ଗାଲୋର, କେନ୍ଦ୍ରାପଡ଼ା, ଯାଜପୁର,ଭଦ୍ରକ, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡ଼ା, ଆଳି ପ୍ରଭୃତି ଅଂଚଳରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଏହି ସମାରୋହରେ ଯୋଗଦେଇ ଗୁରୁସ୍ୱାମୀଙ୍କ ସାନ୍ନିଧ୍ୟ ଲାଭ କରିଥିଲେ । ଏହି ଅବସରରେ ବିଭିନ୍ନ ଅଂଚଳରୁ କେତେକ ଭଜନ ଗାୟକ ଓ କୀର୍ତନ ମଣ୍ଡଳୀ ଯୋଗ ଦେଇଥିଲେ । ଗୁରୁସ୍ୱାମୀଙ୍କର ପ୍ରବଚନ ଭକ୍ତମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଗୁରୁସ୍ୱାମୀଙ୍କର ଆଶୀର୍ବାଦରେ ନିଜ କର୍ମମୟ ଜୀବନର ସଫଳତା ଓ ତାଙ୍କର ଅଲୌକିକତା ସଂପର୍କରେ କେତେକ ଭକ୍ତ ଅଙ୍ଗେଲିଭା କଥା ଆଲୋଚନା କରିଥିଲେ । ଦିନତମାମ ଆଶ୍ରମ ପରିସରରେ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଉତ୍ସବକୁ ଖଗେଶ୍ୱର ରାଉତ,ଦାମୋଦର ବାରିକ,ନିମାଇଁ ବେହେରା, ଧୀରେନ୍ ମଣ୍ଡଳ, ଅଭୟ କୁମାର ଚୌଧୁରୀ, ରଂଜନ କୁମାର ରାଉତ, ଦୁର୍ଯେ୍ୟଧନ ରାଉତ, ରଂଜନ କୁମାର ଦାସ, ସୁନାକର ପରିଡ଼ା, ପ୍ରଫୁଲ କୁମାର ରାଉତ, ଚିନ୍ତାମଣି ଭାଇ ପ୍ରମୁଖ ଭକ୍ତମାନେ ପରିଚାଳନା କରିଥିଲେ ।