ସ୍ୱାସ୍ଥ୍ୟସେବା ଆଉ କେତେ ତଳକୁ ଗଲେ, ଚେତିବେ ସରକାର?

ଭୁବନେଶ୍ୱର, (ଓଏନ୍ଏସ୍): ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନ୍ର ପୂର୍ଣ୍ଣ ସହଯୋଗରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଯତକିଂଚିତ ଉନ୍ନତି ହୋଇଥିଲା, ମାତ୍ର ନବିନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ିର ୪ର୍ଥ ପାଳି ଶାସନ ସମୟରେ ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ଏବେ ସ୍ୱାସ୍ଥ୍ୟସେବା ଗମ୍ଭୀର ଅବସ୍ଥା ଦେଇ ଗତି କରୁଛି । ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ନେଇ ହୋହଲ୍ଲା । ସାଧାରଣ ଲୋକେ ସରକାରୀ ସ୍ୱାସ୍ଥ୍ୟସେବା ଉପରେ ଭରସା କରିବାକୁ ଚାହୁଁନାହାନ୍ତି । ବିଶେଷ କରି ଏହି ସାଢେ ୩ବର୍ଷ ମଧ୍ୟରେ ଧୂଳିସାତ୍ ହୋଇ ଯାଇଛି ସରକାରୀ ସ୍ୱାସ୍ଥ୍ୟସେବା । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମଧ୍ୟ ପଙ୍ଗୁ ପାଲଟି ଯାଇଛି । ସ୍ୱାସ୍ଥ୍ୟସେବାର ସବୁ କ୍ଷେତ୍ରରେ ଫେଲ୍ ମାରିଛି ବିଭାଗ । ଶିଶୁ ମୃତୁ୍ୟ ଓ ମାତୃ ମୃତୁ୍ୟ ହାର ସର୍ବୋଚ୍ଚ ଶିଖରରେ ପହଂଚିଛି । କଟକ ଶିଶୁ ଭବନ ଶିଶୁ ମୃତୁ୍ୟ ବିଭୀଷିକା, ନଗଡ଼ା ଆଦିବାସୀ ଶିଶୁ ମୃତୁ୍ୟ ଘଟଣା ଓ ମାଲକାନଗିରି ଶିଶୁ ମୃତୁ୍ୟ ଘଟଣା ସାରା ଦେଶରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଏଥିପାଇଁ କାହିଁକି ଉତରଦାୟୀ ରହିବେନି ସ୍ୱାସ୍ଥ୍ୟ ସଚିବ? ବିଭାଗର ଦାୟିତ୍ୱହୀନତା ଯୋଗୁ କେଉଁଠି ଅସହାୟ ଆଦିବାସୀ ମଣିଷ ହସ୍ପିଟାଲ୍ ରୁ ନିଜ ସ୍ତ୍ରୀର ଶବକୁ ନିଜ କାନ୍ଧରେ ବୋହି ନେଉଛି ତ କେଉଁଠି ଅଟୋରେ ବା କାନ୍ଧରେ ବୁହା ହୋଇ ଯାଉଥିବା ଗର୍ଭବତୀ ମା’ଟି ପ୍ରସବ କରୁଛି । ଇତିମଧ୍ୟରେ କେବିକେ ଜିଲ୍ଲାରେ ଡ଼ାଇରିଆ, ମ୍ୟାଲେରିଆ ଓ ରକ୍ତ ହୀନତା ଆଦି ମାରାତ୍ମକ ରୋଗ ଭୟଙ୍କର ରୂପ ନେଇଛି । ରକ୍ତ ଅଭାବରୁ ଗର୍ଭବତୀ ମା’ ମାନଙ୍କ ସମେତ ବିଭିନ୍ନ ଜଟିଳ ରୋଗୀ ଅକାଳ ମୃତୁ୍ୟ ବରଣ କରୁଛନ୍ତି । ୨୦୨୦ ସୁଦ୍ଧା ଶିଶୁ ଓ ମାତୃ ମୃତୁ୍ୟହାରରେ ଯଥେଷ୍ଟ କମାଇବାକୁ ୨୦୧୫ ମଇ ୧୯ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା୧୫ଟି ପଛୁଆ ଜିଲ୍ଲାର ୬୮ଟି ଅବହେଳିତ ବ୍ଲକ୍ରେ ୫୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଯୋଜନା ଘୋଷଣା ମଧ୍ୟ ଫେଲ୍ ମାରିଛି । ଏହି ସ୍ୱତନ୍ତ୍ର ଯୋଜନା ୨୦୧୫ ଅଗଷ୍ଟ ୭ ତାରିଖରେ କାର୍ଯ୍ୟକାରୀ ହୋଇଥିଲେ ହେଁ ବର୍ତମାନ ସୁଦ୍ଧା ଏଥିରୁ କୌଣସି ସୁଫଳ ମିଳିନାହିଁ । ସରକାରୀ ଡ଼ାକ୍ତରଖାନାରେ ୨୪ ଘଂଟା ମାଗଣା ଔଷଧ ବାଂଟିବାକୁ ୨୦୧୫ ମଇ ୧ ତାରିଖରୁ ‘ନିରାମୟ’ ଯୋଜନା ଆରମ୍ଭ ହୋଇଥିଲା । ଏହା ଏବେ ହାସ୍ୟାସ୍ପଦରେ ପରିଣତ ହୋଇଛି । ୩୪୮ ପ୍ରକାର ଔଷଧ ମାଗଣାରେ ଦିଆ ଯିବା ଦୂରର କଥା, ସାଧାରଣ ରୋଗର ବଟିକା ମଧ୍ୟ ରୋଗୀ ପାଉ ନାହାନ୍ତି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଦୁର୍ନୀତି ଓ ଅନିୟମିତତାର ଗର୍ଭ ମଧ୍ୟକୁ ଠେଲି ହୋଇ ଯାଇଛି । ଓଏନ୍ଏସ୍ ଦ୍ୱାରା ଅନୁସନ୍ଧାନରୁ ଜଣାପଡିଛି ଯେ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନର ବିଭିନ୍ନ କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ଅନାବଶ୍ୟକ ଭାବେ ଖର୍ଚ୍ଚ ହେଉଛି । ବିଭିନ୍ନ ଯୋଜନା ଯଦି ସଠିକ୍ ଭାବେ କାର୍ଯ୍ୟକାରୀ ହେଉଥାନ୍ତା, କେବେଠୁଁ ରାଜ୍ୟରେ ସ୍ୱାସ୍ଥ୍ୟସେବା ବିକଶିତ ହୋଇ ସାରନ୍ତାଣି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଉଛନ୍ତି ।
ମନମୁଖୀ ଶାସନ ଚାଲୁଛି ସ୍ୱାସ୍ଥ୍ୟ ସଚିବଙ୍କ ଦପ୍ତରରେ । ସରକାରୀ ନୀତି ଅବମାନନା ଯୋଗୁ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଉଛି । ନିଜର ସ୍ୱାସ୍ଥ୍ୟ ନେଇ ରାଜ୍ୟବାସୀ ଆଉ ବିଭାଗ ଉପରେ ଭରସା କରି ପାରୁ ନାହାନ୍ତି । ୨୦୧୬ ଓ ୨୦୧୭ ବଦଳି ଋତୁରେ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ବଦଳିରେ ମଧ୍ୟ ମନ୍ତ୍ରୀ ଓ ସଚିବଙ୍କ ଦପ୍ତର ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଥିଲା । ଆନ୍ତଃଜିଲ୍ଲା ବଦଳିରେ ବେଆଇନ ବଦଳି ବା ଡ଼େପ୍ଲଏମେଂଟ ଚାଲିଛି ସ୍ୱାସ୍ଥ୍ୟ ବିଭାଗରେ । ସରକାରୀ ନିୟମ ଅନୁଯାୟୀ ବଦଳି ବା ଡ଼େପ୍ଲଏମେଂଟ କରା ଯାଉନାହିଁ । ସ୍ୱାସ୍ଥ୍ୟସେବା ବିକାଶର କଥା ଭୁଲି ନିଜର ସ୍ୱାର୍ଥ ହାସଲ ପାଇଁ କେତେକ ନିର୍ଦ୍ଦିଷ୍ଟ ଡ଼ାକ୍ତର ଓ କର୍ମଚାରୀଙ୍କ ସୁବିଧା କରିବାରେ ଲାଗିଛନ୍ତି ସଚିବଙ୍କ ଦପ୍ତରର ଅଧିକାରୀ ଓ କର୍ମଚାରୀ ମାନେ । ସଚିବ ମଧ୍ୟ ସ୍ୱାସ୍ଥ୍ୟସେବା ନୀତି ସ୍ୱୟଂ ଉଲଘଂନ କରୁଥିବା ସାରା ରାଜ୍ୟରେ ଆଲୋଚନା ଚାଲିଛି । ରାଜ୍ୟରେ ସ୍ୱାସ୍ଥ୍ୟସେବା ଆଉ କେତେ ତଳକୁ ଗଲେ, ରାଜ୍ୟ ସରକାର ଚେତିବେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଓଏନ୍ଏସ୍ ।

Leave a Reply

Your email address will not be published.