ପରିବେଶର ସୁରକ୍ଷା ଆବଶ୍ୟକ!
ଭୁବନେଶ୍ୱର, (ଓଏନ୍ଏସ୍): ଏଇ କିଛିଦିନ ତଳର କଥା । ହଠାତ ଢେଙ୍କାନାଳର ଗୋଟାଏ ଜାଗାରେ ଗଛକଟା ଆରମ୍ଭ ହୋଇଗଲା । ପ୍ରଶାସନର ସହଯୋଗରେ ଏଇ ଗଛ ସବୁ କଟା ଚାଲିଥିଲା । ସ୍ଥାନୀୟ ଲୋକମାନେ ବିଶେଷକରି ମହିଳାମାନେ ଆସି ଗଛକଟାର ପ୍ରତିବାଦ କରିବାକୁ ଯାଇ ଗଛସବୁକୁ କୁଣ୍ଢାଇ ଧରି କାନ୍ଦିଥିଲେ । ଗଛ ସବୁକୁ ନ କାଟିବାକୁ ଚେଷ୍ଟା କରିଥିଲେ । ଯାହାହେଉ କଥାଟା ଗଣ ମାଧ୍ୟମରେ ପ୍ରଚାରିତ ହୋଇଯିବା ଫଳରେ ସାଧାରଣ ଲୋକଙ୍କ ମନରେ କ୍ଷୋଭ ସୃଷ୍ଟି ହୋଇଥିଲା । ଲୋକମତ ପ୍ରକାଶ ପାଇବାରୁ ପ୍ରଶାସନ ଚେତିଲା । ଗଛକଟା ବନ୍ଦ ହେଲା । କୁହାଯାଏ, ସେଠାରେ ଏକ ବିଅର କାରଖାନା ପ୍ରତିଷ୍ଠା କରିବା ପାଇଁ ପ୍ରଶାସନ ଗଛ କାଟିବାକୁ ଅନୁମତି ଦେଇଥିଲା ।
ଆମ ରାଜ୍ୟରେ ପରିବେଶ ଉପରେ ସେତେଟୋ ଗୁରୁତ୍ୱ ଦିଆଯାଏ ନାହିଁ । ବିଶେଷ କରି ରାଜନୈତିକ ନେତାମାନେ ପରିବେଶ ଉପରେ ସେତେ ଗୁରୁତ୍ୱ ଦିଅନ୍ତି ନାହିଁ । ପରିବେଶର ସୁରକ୍ଷା ଆମ ରାଜ୍ୟରେ ଏକ ଗୌଣ ବିଷୟ । ସେଇ କାରଣରୁ ବନ୍ଦର ବର୍ଷରୁ ଅଧିକ ସମୟର ଗାଡି କଳା ଧୂଆଁ ଛାଡି ରାସ୍ତାରେ ଗଲେ, କେହି ବହିବାକୁ ନାହାନ୍ତି । ସହର ଭିତରେ ବିଭିନ୍ନ ବିଷାକ୍ତ ସାମଗ୍ରି ତିଆରି ଚାଲିଛି ଅବାଧ ଭାବରେ । ଏସିଡ ଦେଇ ସୁନା ତିଆରି ଚାଲିଛି ଜନବସତି ଅଂଚଳରେ । କେହି କହିବାକୁ ନାହିଁ ।
ପରିବେଶକୁ ନେଇ ଏଭଳି ଉଦାସୀନତା ଅନେକ ଦିନରୁ । ମଝିରେ ମଝିରେ ଗାଡି ଜେକିଙ୍ଗ ହୁଏ । କିନ୍ତୁ ତାହା କେବଳ ଧର୍ମକୁ ଆକ୍ଷିଠାର ଭଳି । କାରଣ, ଏଥିରେ ପରିବେଶ ଚିନ୍ତା ଯେତିକି ନୁହେଁ ତାଠାରୁ ଅଧିକ ହେଉଛି, ପକେଟ ଗରମ କରିବା ।
ରାଜ୍ୟ ପ୍ରଶାସନ ଯଦି ପରିବେଶ ନେଇ ଗୁରୁତ୍ୱ ଦେଇ ଚିନ୍ତା କରେ ତେବେ , ରାଜ୍ୟର ହାଲ କିପରି ବଦଳିଯାଏ ତାହାର ଏକ ନିଛକ ଉଦାହରଣ ହେଉଛି, ସିକିମ । ୧୯୯୮ ମସିହାରୁ ସେ ରାଜ୍ୟରେ ପଲିଥିନକୁ ନିଷିଦ୍ଧ କରାଯାଇଛି । ପ୍ଲାଷ୍ଟିକ ନିଷିଦ୍ଦ କରିବାରେ ସିକିମ ଶତକଡା ଶହେଭାଗ ସଫଳ । ଖାଲି ସେତିକିରେ ସେମାନେ ରହିଯାଇ ନାହାନ୍ତି । ସବୁକ୍ଷେତ୍ରରେ ପରିବେଶ ପ୍ରଦୂଷଣ ମୁକ୍ତ ରାଜ୍ୟ ଭାବେ ପରିଚିତ ହେବା ପାଇଁ ସରକାର ଅନେକ ପରିକଳ୍ପନା ହାତକୁ ନେଇଛନ୍ତି । ଗଛକୁ ସେମାନେ ବନ୍ଧୁଭାବେ ଗ୍ରହଣ କରିବାକୁ ଖୋଦ ମୁଖ୍ୟମନ୍ତ୍ରୀ ଅଗ୍ରଣୀ ଭୂମିକା ନେଇଛନ୍ତି । ‘ରଡୋଡ୍ରେନ’ ଗଛ ସହିତ ବନ୍ଧୁତ୍ୱ କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଙ୍ଗ । ଏଣୁ ସିକିମରେ କେହି ଏଇ ଗଛ ଦେହାରେ ହାତ ମାରି ପାରିବେ ନାହିଁ । ଏମିତିକି ଡାଳ ଭାଙ୍ଗିଲେ ପୋଲିସ ଆପଣଙ୍କୁ ଧରିନେବ । ଜରିମାନା ଆଦାୟ କରିବ । ଚାମଲିଙ୍ଗ ଚାହାନ୍ତି, ରାଜ୍ୟର ପ୍ରତ୍ୟେକ ଲୋକ କୌଣସି ନା କୌଣସି ଗଛକୁ ବନ୍ଧୁ ହିସାବରେ ଗ୍ରହଣ କରନ୍ତୁ । ଚାମଲିଙ୍ଗ ଠୋରେ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ । ତାଙ୍କର ଆଦେଶ ହେଉଛି, ଯେଉଁ ସବୁ ଗଛର ଚେର ଅତି ଗଭୀରକୁ ଯାଇଛଇ, ସେଇ ସବୁ ଗଛ କାଟିବାକୁ ନିଷିଦ୍ଧ କରାଯାଇଛି । ପିଲାମାନଙ୍କୁ ପରିବେଶ ଉପରେ ଶିକ୍ଷା ଦିଆଯାଉଛି, ଯାହାଫଳରେ ପିଲାଟି ଦିନରୁ ସେମାନେ ପରିବେଶର ଉପକାରିତା ବିଷୟରେ ଜାଣି ପାରୁଛନ୍ତି । ତାହାର ସୁଫଳ ମଧ୍ୟ ମିଳିଛି । ଭାରତରେ ସିକିମ ହେଉଛି, ଏକମାତ୍ର ରାଜ୍ୟ, ଯେଉଁଠାରେ ଜଙ୍ଗଲର ପରିମାଣ ବଢିଛି ଚାରି ଶତାଂଶ ।
ସିକିମ ହେଉଛି ବିଦୁ୍ୟତ ବଳକା ରାଜ୍ୟ । ରାଜ୍ୟର ଯେତିକି ବିଦ୍ୟୁତ ଦରକାର ତାକୁ ବାଦ ଦେଇ ବଳକା ବିଦ୍ୟୁତକୁ ଜାତୀୟ ଗ୍ରିହରେ ବିକ୍ରି କରାଯାଏ । ତିସ୍ତାର ଜଳାଧାରକୁ କାମରେ ଲଗାଇ ଜଳବିଦ୍ୟୁତ ପ୍ରସ୍ତୁତ କରାଯାଉଥିବାରୁ ପରିବେଶ ପ୍ରଦୂଷଣର ଭୟ ନାହିଁ । ଏଣୁ ଆଉ ଏକ ପ୍ରକଳ୍ପ କରିବାକୁ ରାଜ୍ୟ ପ୍ରସ୍ତୁତ ହେଉଛି । ସରକାରଙ୍କ ପକ୍ଷରୁ କୁହାଯାଉଚି, ରାଜ୍ୟର ଲୋକମାନଙ୍କ ପାଇଁ ଆଉ ଅଧିକ ବିଦ୍ୟୁତର ଆବଶ୍ୟକତା ନାହିଁ, କିନ୍ତୁ ସରକାର ସୌର ବିଦ୍ୟୁତ କଥା ଚିନ୍ତା କରୁଛନ୍ତି । ସୌର ବିଦ୍ୟୁତ ବିକ୍ରିକରି କିଛି ରୋଜଗାର କରିବା ପାଇଁ ସରକାର ଆଗ୍ରହୀ ।
ଚାଷ କାମରେ ସିକିମ ସରକାର କେବଳ ଜୈବ ସାର ବ୍ରବହାର କରନ୍ତି । କୃଷି ବିଭାଗ ପକ୍ଷରୁ କୁହାଯାଇଛି, କେନ୍ଦ୍ର ସରକାର ସାରରେ ଯେଉଁ ସବସିଡି ଦିଅନ୍ତି, ତାହାକୁ ସିକିମର ଚାଷୀ ଗ୍ରହଣ କରନ୍ତି ନାହିଁ । ଏଣୁ ଆମେ ଜୈ ସାର ଉପରେ ଗୁରୁତ୍ୱ ଦେଉ । ଏବେ ସଭିଏଁ, ଜୈବ ସାର ବ୍ୟବହାର କରୁଛନ୍ତି ।
ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଦଶକ୍ରମେ ରାଜ୍ୟରେ ଧୂମପାନକୁ ନିଷିଦ୍ଧ କରାଯାଇଛି । ଏକ ନିର୍ଦ୍ଧାରିତ ଜାଗାରେ ଧୂମପାନ କରାଯାଉଛି । ସିକିମ ମଧ୍ୟ ଦୂମପାନକୁ ନିଷିଦ୍ଧ କରିଛି । କିନ୍ତୁ ତାର ଏକ ବିଶେଷତ୍ୱ ହେଲା, ରାସ୍ତାରେ ଗଲାବେଳେ, ଯେଉଁ ସବୁ ଜାଗାରେ ଧୂମପାନ କରାଯିବାର ବ୍ୟବସ୍ଥା ହୋଇଛି, ସେଠାରେ ପାଂଚଟଙ୍କା ଦେଇ ଧୂମପାନ କରିବାକୁ ହୁଏ । ଏଥିରୁ ଯେଉଁ ଟଙ୍କା ଆଦାୟ କରାଯାଏ ତାହାକୁ ପରିବେଶ ଉନ୍ନୟନରେ ଖର୍ଚ କରାଯାଏ ।
ରାସ୍ତାରେ ପରିସ୍ରା କରିବାଟାକୁ ଆମେ ଆମର ମୌଳିକ ଅଧିକାର ବୋଲି ଧରି ନେଇଛୁ । କିନ୍ତୁ ସେଠାରେ ପୁରାପୁରି ବନ୍ଦ । ସେଥିପାଇଁ ନିର୍ଦ୍ଦିଷ୍ଟ ଜାଗା ଅଛି । ଏହାର ବ୍ୟତିକ୍ରମ ହେଲେ ଜରିମାନା ଦେବାକୁ ହେବ । ଯେଉଁ ଗାଡିରେ ଆପଣ ଯାଉଥିବେ ସେ ଗାଡିର ଡ୍ରାଇଭରକୁ ଏକ ଯିବା ପାଇଁ କହିଲେ ସେ ଗାଡି ରଖିବ ନାହିଁ । କାରଣ ଆପଣଙ୍କ ସହିତ ତାକୁ ମଧ୍ୟ ଜରିମାନା ଦେବାକୁ ହେବ ।
କୁହାଯାଏ ସିକିମ ସରକାର ନିୟମ କରିଛନ୍ତି ଯେ ପ୍ରତ୍ୟେକଟି ବିଭାଗ ସେମାନଙ୍କ ବଜେଟ ଏକ ଶତାଂଶ ପରିବେଶ ଉନ୍ନୟନ ପାଇଁ ଖର୍ଚ କରିବେ ।
ତେବେ ଗ୍ୟାଙ୍ଗଟକ କଥା ଅଲଗା । ସେଠାରେ ଦୃତ ନଗରାୟନ ଫଳରେ ପରିବେଶ ଉପରେ ଗଭୀର ପ୍ରଭାବ ପଡୁଛି । ବିକାଶର ଅନ୍ୟନାମ ହେଉଛି, ବିନାଶ । କିନ୍ତୁ ବିକାଶକୁ ଛାଡି ଆମେ ରହି ପାରିବା ନାହିଁ । ତେଣୁ ବିକାଶ ସହିତ ପରିବେଶ ଉପରେ ଗୁରୁତ୍ୱ ଦେବାକୁ ହେବ । ନହେଲେ, ଯେତେ ଯେହୋ ହେଲେ ବି ଦିଲ୍ଲି ଭଳି ଅବସ୍ଥା ଭୋଗ କରିବାକୁ ହେବ । ବିକାଶକୁ ତ ଆମେ ଅଟକାଇ ପାରିବା ନାହିଁ, କିନ୍ତୁ ପରିବେଶର କିପରି ସୁରକ୍ଷା ହେବ ସେ ନେଇ କିଛି ବ୍ୟବସ୍ତା କରିବାକୁ ହେବ । ଆମ ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର । (ସୁବାସ ଷଡଙ୍ଗୀଙ୍କ ରିପୋର୍ଟ)