ବାତ୍ୟା ସୁରକ୍ଷିତ ଗୃହ ନିର୍ମାଣ ଯୋଜନା

ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ରାଜ୍ୟ ଭାବେ ପରିଚିତ । ପ୍ରତି ବର୍ଷ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ଓଡ଼ିଶା । ଫସଲ ହାନି ହେବା ସହିତ ଅନେକ ଧନ-ଜୀବନ ନଷ୍ଟ ହେଉଛି । ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ୁଛି ଓଡ଼ିଆ ମଣିଷର । ପେଟକୁ ମୁଠାଏ ଦାନା ପାଇଁ ଓଡ଼ିଆ ମଣିଷର ଆର୍ତ୍ତ ଚିକ୍ରାର ପ୍ରତିଧ୍ୱନିତ ହେଉଛି ସାରା ଦେଶରେ । ଏଇ ଦୃଷ୍ଟିରୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜନସାଧାରଣଙ୍କ ଧନ-ଜୀବନ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ମାତ୍ର ଅନ୍ୟ ଯୋଜନା ଗୁଡ଼ିକ ଭଳି ଏହି ଯୋଜନା ଗୁଡ଼ିକ ମଧ୍ୟ ବିଫଳ ହେଉଛି । ୧୯୯୯ ପ୍ରଳୟକରୀ ମହାବାତ୍ୟା ପରେ ସରକାରଙ୍କ ଦ୍ୱାରା ବାତ୍ୟା ସୁରକ୍ଷିତ ଗୃହ ନିର୍ମାଣ ଯୋଜନା ଏବଂ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଯୋଜନା ଆରମ୍ଭ କରାଯାଇଥିଲା । ହେଲେ ସରକାରଙ୍କ ତୃଟିପୂର୍ଣ୍ଣ ନୀତିଯୋଗୁଁ ଗୃହ ନିର୍ମାଣ ଯୋଜନା ସଂପୂର୍ଣ୍ଣ ଭାବେ ବିଫଳ ହୋଇଥିବାବେଳେ ବାତ୍ୟା ଆଶ୍ରୟ ସ୍ଥଳ ଯୋଜନାରେ ବ୍ୟାପକ ଅନିୟମିତତା, ଦୁର୍ନୀତି ଓ ପରିଚାଳନାଗତ ତୃଟି ପରିଲକ୍ଷିତ ହେଉଛି ।
ମହାବାତ୍ୟା ପରେ ପରେ ଆରମ୍ଭ ହୋଇଥିଲା ବାତ୍ୟା ସୁରକ୍ଷିତ ଗୃହ ନିର୍ମାଣ ଯୋଜନା । ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ (ଓଆର୍ଏଚ୍ଡ଼ିସି) ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖାା ତଳେ(ବିପିଏଲ) ଥିବା ଲୋକମାନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ନିଷ୍ପତି ନେଇ ଥିଲା ହୁଡ୍ÿକୋ । ଏଥିପାଇଁ ୧୧୦୦ କୋଟି ଟଙ୍କାର ବରାଦ ଥିଲା । ଲକ୍ଷ୍ୟ ଧାର୍ଯ୍ୟ ହିତାଧିକାରୀଙ୍କ ସଂଖ୍ୟାଥିଲା ୮୭,୫୦୦ । ପ୍ରତି ହିତାଧିକାରୀଙ୍କୁ ୩୫ ହଜାର ଟଙ୍କାର ଋଣ ଯୋଗାଇ ଦେବାର ବ୍ୟବସ୍ଥା ଥିଲା । ଅନ୍ୟ ପକ୍ଷରେ ଓଆର୍ଏଚ୍ଡ଼ିସି ସିଧା ଗୃହ ତିଆରି କରିଦେବାର ନିୟମ ରଖାଯାଇଥିଲା । ଏଥିପାଇଁ ଓଆର୍ଏଚ୍ଡ଼ିସି ଅଧୀନରେ ଘରୋଇ ଭାବେ ୧୦୦ଟି ବିଲ୍ଡ଼ିଙ୍ଗ୍ ସେଂଟର ପ୍ରତିଷ୍ଠା କରିବାର ଯୋଜନା ଥିଲା । ପ୍ରତ୍ୟେକ ସେଣ୍ଟରକୁ ଋଣ ଆକାରରେ୨୫ ଲକ୍ଷ ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା ଥିଲା । ସେହିପରି ହୁଡ଼୍କୋ ଅଧୀନସ୍ଥ ସ୍ୱୟଂସେବୀ ସଂସ୍ଥାମାନଙ୍କ ଜରିଆରେ ୨୦ଟି ବିଲ୍ଡ଼ିଙ୍ଗ ସେଂଟର ପ୍ରତିଷ୍ଠା କରିବାର ଯୋଜନା ଥିଲା । ତେବେ ବିଲ୍ଡ଼ିଙ୍ଗ ସେଂଟର ପରିଚାଳକମାନଙ୍କୁ ବୈଜ୍ଞାନିକମାନଙ୍କ ଦ୍ୱାରା ତାଲିମ ଦେବାର ବ୍ୟବସ୍ଥା ଥିଲା । ମୋଟ ଉପରେ ବାତ୍ୟା ସୁରକ୍ଷିତ ଗୃହ ନିର୍ମାଣ ପାଇଁ ଛନ୍ଧୁଣୀଇଟା, କଂକ୍ରିଟ ଆଦି ଉତ୍ପାଦନ କରାଯାଇ ୨୫ ହଜାର ଟଙ୍କା ଭିତରେ ହିତାଧିକାରୀଙ୍କୁ ମଜଭୁତ୍ କୋଠାଘରଟିଏ ତିଆରି କରି ହସ୍ତାନ୍ତର କରିବାର ଯୋଜନା ଥିଲା । ଅର୍ଥାତ୍ ଓଆର୍ଏଚ୍ଡ଼ିସିର ସୁପାରିଶ କ୍ରମେ ବିଲ୍ଡ଼ିଙ୍ଗ୍ ସେଂଟର ମାନେ ଗୃହନିର୍ମାଣ କରିବେ ଓ ଏଥିରେ କୌଣସି ବ୍ୟତିକ୍ରମ ନହେବାକୁ ଓଆରଏଚ୍ଡ଼ିସି ଏବଂ ହୁଡ଼୍କୋ ଭିଜିଲାନ୍ସ କମିଟି ଅନୁଧ୍ୟାନ କରିବାର ଲକ୍ଷ୍ୟ ରଖାଯାଇଥିଲା ।
ମାତ୍ର ରାଜନୀତିକ ଚାପ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହସ୍ତକ୍ଷେପ ଏହି ଯୋଜନାକୁ ବିଫଳତା ଦିଗରେ ଟାଣି ନେଇଥିଲା । ପ୍ରଥମତଃ ବେଆଇନ ଭାବେ ହିତାଧିକାରୀଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାର ୫ଶହକୁ ବୃଦ୍ଧି କରାଯାଇଥିଲା । ସରକାର ଅଧିକ ଲୋକଙ୍କୁ ଉପକୃତ କରାଇବାକୁ ଯାଇ ୩୫ ହଜାର ଟଙ୍କା ଋଣରୁ ୧୦ ହଜାର ଟଙ୍କା କାଟି ସଂପୃକ୍ତ ହିତାଧିକାରୀଙ୍କ ନାଁରେ ସ୍ଥାୟୀଜମା ରଖିବାର ବ୍ୟବସ୍ଥା ବାତିଲ କରି ସେହି ଅର୍ଥକୁ ଅତିରିକ୍ତ ହିତାଧିକାରୀଙ୍କୁ ଋଣ ଆକାରରେ ଯୋଗାଇ ଦେଇଥିଲେ । ନିଷ୍ପତି ଅନୁଯାୟୀ ଓଆରଏଚ୍ଡ଼ିସି , ବିଲ୍ଡ଼ିଙ୍ଗ ସେଂଟର ଓ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରହିବା ପରିବର୍ତେ ପ୍ରଭାବଶାଳୀ ମନ୍ତ୍ରୀ ଓ ନେତାଙ୍କ ଚାପ ଯୋଗୁଁ ଏଥିରେ ବ୍ୟାପକ ବ୍ୟତିକ୍ରମ କରା ଯାଇଥିଲା । ରାଜନୀତିକ ଚାପରେ ହିତାଧିକାରୀଙ୍କୁ ସିଧା ଋଣ ଋଣ ଅର୍ଥ ଧରାଇ ଦିଆଯାଇଥିଲା ଓ ବିଲ୍ଡ଼ିଙ୍ଗ ସେଂଟର ଜରିଆରେ ସୁରକ୍ଷିତ ଘରଟିଏ ତିଆରି କରିନେବା ପାଇଁ ସୁଦ୍ଧା ସେମାନଙ୍କୁ ପରାମର୍ଶ ଦିଆ ଯାଇନଥିଲା । ଏଣେ ତାଲିମପ୍ରାପ୍ତ ସେଂଟର ପରିଚାଳକ ମାନଙ୍କୁ ହୁଡ଼୍କୋ ୧୦ ରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଇଥିଲା । ହୁଡ଼କୋ ଖର୍ଚ୍ଚାନ୍ତ ହୋଇ ଏମାନଙ୍କୁ ତାଲିମ ଦେବାର ମୂଳ ଉଦେ୍ଦଶ୍ୟ ଥିଲା ଯେ, ବାତ୍ୟା ସୁରକ୍ଷିତ ଗୃହ ନିର୍ମାଣ ସହ ଏହି ସେଂଟର ଗୁଡ଼ିକ ହଜାର ହଜାର ଇନ୍ଦିରା ଆବାସ ତଥା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ମଂଜୁରୀ ଘର ଗୁଡ଼ିକ ସ୍ଥାୟୀ ଭାବେ ତିଆରି କରିପାରିବେ । କିନ୍ତୁ ଏଭଳି କିଛି ହେଲାନାହିଁ । ପରିଚାଳକ ମାନେ ହୁଡ଼୍କୋ ଋଣ ଟଙ୍କା ସହ ନିଜ ପକେଟରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ବିଲ୍ଡ଼ିଙ୍ଗ ସେଂଟର ପ୍ରତିଷ୍ଠା କଲେ ଓ ଗୃହ ନିର୍ମାଣ ପାଇଁ କଂଚାମାଲ ତିଆରି କଲେ । ହେଲେ କୌଣସି ହିତାଧିକାରୀ ସୁରକ୍ଷିତ ଗୃହଟିଏ ନିର୍ମାଣ ପାଇଁ ସେଂଟରରେ ପହଂଚିଲେ ନାହିଁ । ଅର୍ଥାତ୍ ସେମାନେ ଏବାବଦ ଅର୍ଥ ନିଜ ଘରର ତେଲ ଲୁଣ ଖର୍ଚ୍ଚ କରିଦେଲେ ଓ ଯୋଜନା ସଂପୂର୍ଣ୍ଣ ଭାବେ ବିଫଳ ହୋଇଗଲା । ଏଥିପାଇଁ କିଏ ଦାୟୀ ହେବେ? ସେଂଟର ପରିଚାଳକମାନେ ମୂଳରୁ ଶିଳ୍ପ ସ୍ଥାପନ ଓ କଂଚାମାଲ ଉତ୍ପାଦନ ଜାରି ରଖିଥିଲେ ମଧ୍ୟ କିଛି ଦିନ ମଧ୍ୟରେ ସେସବୁ ନଷ୍ଟ ହୋଇଗଲା । ମୂଲ୍ୟବାନ ଯନ୍ତ୍ରପାତି ଖତ ହୋଇଗଲା । ଏପରିକି ଓଆର୍ଏଚ୍ଡ଼ିସିର ତୃଟିପୂର୍ଣ୍ଣ ନୀତି ଯୋଗୁ ଆର୍ଥିକ ଓ ମାନସିକ କ୍ଷତିଗ୍ରସ୍ତ କେତେକ ସେଂଟର୍ର ପରିଚାଳକ ଆତ୍ମହତ୍ୟା କରିଛନ୍ତି । ଆଉ କେତେକଙ୍କ ଆର୍ଥିକ ଅବସ୍ଥା ଗମ୍ଭୀର ଆଡ଼କୁ ଗତି କରୁଛି । ତେବେ ପରିଚାଳକଙ୍କ ମନରେ ଓଆର୍ଏଚ୍ଡ଼ିସିର ରଂଗୀନ ଆଶାର ସଂଚାର ଓ ପରେ ନିୟମ ଉଲଘଂନ ଏହାର ପ୍ରମୁଖ କାରଣ । ମୋଟ ଉପରେ ଓଆର୍ଏଚ୍ଡ଼ିସିର ଖାମ୍ଖିଆଲ ନୀତି ଯୋଗୁଁ ଏହି ଯୋଜନା ବିଫଳ ହୋଇଥିଲା ।
ସେହିପରି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଓ ପରିଚାଳନାରେ ବ୍ୟାପକ ତୃଟି ଓ ଦୁର୍ନୀତି ଚରମସୀମା ପାର କରିଛି । ଏ ଘଟଣା ସୂଚନା ଅଧିକାର ଆଇନ ମାଧ୍ୟମରେ ଜଣାପଡ଼ିଛି । ବର୍ତମାନ ସୁଦ୍ଧା ରାଜ୍ୟର ଉପକୂଳବର୍ତୀ ଅଂଚଳରେ୧୨୫ଟି ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକାରୀ ହେଉଛି । ଏଥିମଧ୍ୟରୁ ବିଶ୍ୱବ୍ୟାଙ୍କ ଦ୍ୱାରା ୩୭ଟି ନିର୍ମାଣ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରେ ୫୫ଟି ଓ ପ୍ରଧାନ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରେ ୩୩ଟି ନିର୍ମାଣ ହୋଇଛି । ତେବେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୩୪ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମିତ ହୋଇଥିବାବେଳେ ଭଦ୍ରକରେ ୨୯ଟି, ବାଲେଶ୍ୱରରେ ୨୧ଟି, ପୁରୀରେ ୧୬ଟି, ଗଞ୍ଜାମରେ ୧୫ଟି ଓ ଜଗତ୍ସିଂହପୁରରେ ୧୦ଟି ନିର୍ମିତ ହୋଇଛି । ଏହାର ପରିଚାଳନା ଦାୟିତ୍ୱ ଏକ କମିଟି ହାତରେ ନ୍ୟସ୍ତ କରାଯାଇଛି । ସ୍ଥାନୀୟ ବିଡ଼ିଓ ଏହି କମିଟିର ସଭାପତି ରହିଥିବା ବେଳେ ସ୍ଥାନୀୟ ଜଣେ ସ୍ୱେଚ୍ଛାସେବୀ-ସଂପାଦକ ତଥା ସ୍ଥାନୀୟ ତହସିଲଦାର, ମେଡ଼ିକାଲ ଅଫିସର, ସ୍ଥାନୀୟ ରାଜସ୍ୱ ନିରୀକ୍ଷକ, ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସ୍ଥାନୀୟ ସରପଂଚ, ସ୍ଥାନୀୟ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ/ସଦସ୍ୟା, ମହିଳା ଓ ଶାରୀରିକ ଅକ୍ଷମ ସଦସ୍ୟ/ସଦସ୍ୟା ରହିବାର ନିୟମ ରହିଛି । ଏହାର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଏହି କମିଟି ହାତରେ ରହିଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ନିୟମ ଅନୁଯାୟୀ କମିଟି ଗୁଡ଼ିକ ଗଠନ କରାଯାଇନଥିବାରୁ ପରିଚାଳନା କ୍ଷେତ୍ରରେ ଆଇନ ଉଲଘଂନ ହେଉଛି । ରାଜନୀତିକ ହୀନ ଉଦେ୍ଦଶ୍ୟ ରଖାଯାଇ ଅଧିକାଂଶ କମିଟିରେ ଖଳପ୍ରକୃତିର ଲୋକଙ୍କୁ ସଂପାଦକ ପଦରେ ନିଯୁକ୍ତି ଦିଆଯାଇଛି । ସଂପାଦକଙ୍କ ଦ୍ୱାରା ମନଇଚ୍ଛା କାର୍ଯ୍ୟ ହେଉଥିବାରୁ ଅଧିକାଂଶ ଆଶ୍ରୟସ୍ଥଳ ଅବସ୍ଥିତ ଗ୍ରାମରେ ଗଣ୍ଡଗୋଳ ଉପୁଜୁଛି । ଆଶ୍ରୟସ୍ଥଳକୁ ବାହାରର ଠିକାଦାର/କମ୍ପାନୀକୁ ଭଡ଼ା ସୂତ୍ରରେ ଦିଆ ଯାଉଛି । ରକ୍ଷଣା ବେକ୍ଷଣ ପାଇଁ ଆସୁଥିବା ଅନୁଦାନ ଅର୍ଥ ବାଟମାରଣା ହେଉଛି । ମରାମତି/ନବୀକରଣ ବାବଦ ଅର୍ଥ ଆତ୍ମସାତ୍ ହେଉଥିବା ବେଳେ ବିଭିନ୍ନ ସମୟରେ ଆୟୋଜିତ ସଭା, କର୍ମଶାଳା ଆଦିରେ ଫର୍ଜରୀ ଖର୍ଚ୍ଚ ଦେଖାଇ ହଜାର ହଜାର ଟଙ୍କା ଆତ୍ମସାତ୍ କରାଯାଉଛି । ଆଶ୍ରୟସ୍ଥଳକୁ ସରକାରଙ୍କ ପକ୍ଷରୁ ନିୟମିତ ଯୋଗାଇ ଦିଆ ଯାଉଥିବା ବହୁମୂଲ୍ୟ ଉପକରଣ, ସରଞ୍ଜାମ ଓ ଖାଦ୍ୟ ସାମଗ୍ରୀ କୁଆଡ଼େ ଯାଉଛି, ତାର ହିସାବ ମିଳି ପାରୁନାହିଁ । ବିଶେଷତଃ କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାରେ ଥିବା ଆଶ୍ରୟ ସ୍ଥଳ ଗୁଡ଼ିକରେ ଏଭଳି ଅବ୍ୟବସ୍ଥା ଲାଗି ରହିଛି । ରାଜନଗର ବ୍ଲକ୍ରେ ଥିବା ୧୭ଟି ଆଶ୍ରୟ ସ୍ଥଳ ମଧ୍ୟରୁ ୧୧ଟି, ପଟ୍ଟାମୁଣ୍ଡାଇର ୨ଟି ଓ ମହାକାଳପଡ଼ାର ୮ଟି ମଧ୍ୟରୁ ୬ଟିରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଜାରି ରହିଛି । ଏପରିକି ବେଆଇନ କାର୍ଯ୍ୟକୁ ସମର୍ଥନ କରୁଥିବା କେତେକ ସଦସ୍ୟ/ବ୍ୟକ୍ତି ଏବଂ ବାକି ଗ୍ରାମବାସୀଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହିଛି । ତେବେ ଗ୍ରାମବାସୀ, ୱାର୍ଡ଼ମେମ୍ବର, ସରପଞ୍ଚ ଆଦି ବୟୋଜ୍ୟୋଷ୍ଠ ବ୍ୟକ୍ତିଙ୍କ ପରାମର୍ଶ କ୍ରମେ ଗ୍ରାମର ଯୋଗ୍ୟ ବ୍ୟକ୍ତିଙ୍କୁ ସଂପାଦକ ଓ ଅନ୍ୟ ପଦପଦବୀରେ ରଖାଯିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଅନ୍ୟପକ୍ଷରେ ପ୍ରତିବର୍ଷ କିମ୍ବା ପ୍ରତି ୨ବର୍ଷରେ କମିଟି ପୁନର୍ଗଠିତ ହେବା ସହ କୌଣସି ଉଚ୍ଚ କ୍ଷମତା ସଂପନ୍ନ କମିଟି ଦ୍ୱାରା ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣ ଓ ଆୟ ବ୍ୟୟ ସଂପର୍କରେ ସମୀକ୍ଷା କରାଯିବାର ବ୍ୟବସ୍ଥା ହେବା ଉଚିତ । ଆଶ୍ରୟସ୍ଥଳକୁ ଖୋଲାଖୋଲି ଭାବେ ଭଡ଼ାରେ ଲଗାଯିବା, ଖାଦ୍ୟସାମଗ୍ରୀ ଓ ଉପକରଣକୁ ହଡ଼ପ୍ କରାଯିବା ସ୍ୱଚ୍ଛ ଓ ନିର୍ମଳ ଶାସନର ସଂଜ୍ଞା ନୁହେଁ । ଏଥିପାଇଁ ସ୍ଥାନୀୟ ଜିଲ୍ଲାପାଳ ଉତ୍ତରଦାୟୀ ରହିବାର କଡ଼ା ନିୟମହେବା ଦରକାର । ଅନ୍ୟଥା ଏହି ସ୍ୱାଗତଯୋଗ୍ୟ ଯୋଜନା ମଧ୍ୟ ବିଫଳ ହେବା ନିଶ୍ଚିତ ମନେ ହେଉଛି । ଶରତ କୁମାର ରାଉତ 

Leave a Reply

Your email address will not be published.