ଅଲୋଡ଼ା ଆଡ଼ଭାନୀ ଓ ଆଜିର ବିଜେପି
ଓଡ଼ିଆରେ କଥାଟିଏ ଅଛି, “ବେଙ୍ଗ କହେ ବେଙ୍ଗୁଲି, ପୃଥିବୀ କ୍ଷଣେ କ୍ଷଣେ କେ ଆନ” । ବର୍ତମାନ ଭାରତୀୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି ।୨୦୧୪ ସାଧାରଣ ନିର୍ବାଚନରେ ପ୍ରବଳ ମୋଦି ହାୱାରେ ବିଜେପି ଇତିହାସରେ ପ୍ରଥମ ଥର ପାଇଁ ଏକକ ସଂଖ୍ୟା ଗରିଷ୍ଠତା ପାଇ କେନ୍ଦ୍ରରେ ସରକାର ଗଠନ କଲା । ପରବର୍ତି କାଳରେ ବିଭିନ୍ନ ପ୍ରାଦେଶିକ ନିର୍ବାଚନରେ ଯଥାଃ-ଉତରପ୍ରଦେଶ, ବିହାର, ଗୋଆ, ଉତରାଖଣ୍ଡ, ମିଜୋରାମ୍ ନାଗାଲାଣ୍ଡ ଓ ତି୍ରପୁରାରେ ବିଜେପି ଅପ୍ରତ୍ୟାଶିତ ଭାବେ କ୍ଷମତାକୁ ଆସିଲା ଓ ଏଭଳି ବିପୁଳ ସମର୍ଥନ ପାଇ ଭାରତକୁ କଂଗ୍ରେସ ମୁକ୍ତ କରିବା ପାଇଁବା ପାଇଁ ଦଳୀୟ ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଘୋଷଣା କଲେ ।
ମାତ୍ର ଉକ୍ତ ଆଷ୍ଫାଳନ ଥିଲା କ୍ଷଣିକ । ମୋଦିଙ୍କ ନିଜ କର୍ମଭୂମି ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ବସ୍ତୁତଃ ହାରୁ ହାରୁ ବଂଚିଗଲା । କଂଗ୍ରେସ ସେଠାରେ ଅଭୂତପୂର୍ବ ସଫଳତା ଲାଭ କଲା । ସରକାର ଗଢିଲେ ମଧ୍ୟ ସଂଖ୍ୟା ଉଣେଇଶ୍-ବିଶ୍ ହୋଇଗଲା । ପରେ ପରେ ବିଜେପିର ଦୁର୍ଗ ବୋଲି କୁହାଯାଉଥିବା ରାଜସ୍ତାନ, ମଧ୍ୟପ୍ରଦେଶ, ଉତରପ୍ରଦେଶ ଓ ବିହାରରେ ମଧ୍ୟ ବିଜେପିକୁ ବିଭିନ୍ନ ଉପନିର୍ବାଚନରେ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଲା । ଓଡ଼ିଶାରେ ବିଜେପୁର ଉପନିର୍ବାଚନରେ ବିଜେପି ପରାସ୍ତ ହେଲା । ଲୋକଙ୍କୁ ଆଚ୍ଛାଦିନ୍ ର ସ୍ୱପ୍ନ ଦେଖାଇ ଆକାଶରେ ଉଡ଼ିବାକୁ କହୁଥିବା ମୋଦି ଚମକ ଯେ ପାଣିଚିଆ ହେବାକୁ ଲାଗିଛି, ଏହା ଧୀରେ ଧୀରେ ପରିଷ୍କାର ହୋଇ ଗଲାଣି । ପୁରୁଣା ବିଜେପିର ବରିଷ୍ଠ ନେତା ମୁରଲି ମନୋହର ଯୋଶୀ, ଯଶବନ୍ତ ସିଂହ ଓ ଲାଲ୍ କୃଷ୍ଣ ଆଡ଼ଭାନୀଙ୍କୁ କୋଣଠେସା କରି ଅପମାନିତ କରିବାର ଫଳ ବିଜେପିକୁ ଧୀରେ ଧୀରେ ମହଙ୍ଗା ପଡ଼ୁଛି । ଦୁର୍ବଳ ବିଜେପିକୁ ପୁନଃ ଜୀବନ ଦେବାରେ ଲାଲ୍କୃଷ୍ଣ ଆଡ଼ଭାନୀଙ୍କ ଦାନ ସମସ୍ତେ ସ୍ୱୀକାର କରିବେ । ୧୯୨୭ ମସିହାରେ ପାକିସ୍ତାନର କରାଚୀ ଠାରେ ଜନ୍ମିତ ଆଡ଼ଭାନୀ ୧୯୪୨ ମସିହାରୁ ଶୃଙ୍ଖଳିତ ଆର୍ଏସ୍ଏସ୍ ର ଜଣେ ପ୍ରଚାରକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୫୧ ମସିହାରେ ତାଙ୍କର ଅନ୍ୟ ସହଯୋଗୀ ଲୋକପି୍ରୟ ନେତା ଅଟ୍ଟଳ ବିହାରୀ ବାଜପାୟୀଙ୍କ ସହ ମିଶି ଜନସଂଘ ଦଳ ଗଠନ କରିଥିଲେ । ୧୯୭୩ ମସିହାରେ ସେ ଜନସଂଘ ଦଳର ସଭାପତି ହେଲେ । ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀ ପରିସ୍ଥିତି ଘୋଷଣାକୁ ବିରୋଧ କରି ସେ ଜେଲ୍ ମଧ୍ୟ ଗଲେ ।
୧୯୭୭ ମସିହାରେ ଜନତା ଦଳରେ ଜନସଂଘ ଦଳ ମିଶିଗଲା । ନିର୍ବାଚନରେ ଜନତା ଦଳର ଅଂଶୀଦାରଙ୍କ ମଧ୍ୟରୁ ଜନସଂଘ ୯୩ ଟି ଆସନ ଲାଭ କଲା । ମୋରାଜୀ ଦେଶାଇଙ୍କ ମନ୍ତ୍ରୀ ମଣ୍ଡଳରେ ଆଡ଼ଭାନୀ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରୂପେ ଦକ୍ଷତାର ସହ କାର୍ଯ୍ୟ କଲେ । ୧୯୮୦ ମସିହାରେ ଜନତା ଦଳ କ୍ଷମତାଚୁ୍ୟତ ହେଲା ଓ ପୁଣି ଇନ୍ଦିରା ଗାନ୍ଧୀ କ୍ଷମତାକୁ ଆସିଲେ । ଜନତା ଦଳ ଅଂଶୀଦାରଙ୍କ ମଧ୍ୟରେ କଳହ ହେତୁ ଜନସଂଘ କର୍ମୀମାନେ ଅଲଗା ହୋଇ ୧୯୮୦ ଏପି୍ରଲ୍ ୬ ତାରିଖରେ ଏକ ନୂତନ ରାଜନୀତିକ ଦଳ “ଭାରତୀୟ ଜନତା ପାର୍ଟି” ଗଠନ କଲେ । ଅଟ୍ଟଳ ବିହାରୀ ବାଜପାୟୀ ଉଦାର ନୀତି ଘୋଷଣା କରି ଏହାର ପ୍ରଥମ ସଭାପତି ହେଲେ । ୧୯୮୪ ରେ ହୋଇଥିବା ସାଧାରଣ ନିର୍ବାଚନରେ ବିଜେପି ଦଳ ମାତ୍ର ୨ଟି ଆସନ ପାଇଲା ଓ ତାହାର ପରିଚୟ ସଂକଟ ଘେରକୁ ଆସିଗଲା । ଅଟ୍ଟଳ ବିହାରୀ ବାଜପାୟୀ ସଭାପତି ପଦରୁ ଇସ୍ତଫା ଦେଲେ । ଦଳର ଏହି ଦୁର୍ଦ୍ଦିନରେ ଲାଲ୍କୃଷ୍ଣ ଆଡ଼ଭାନୀ କଠୋର ଦକ୍ଷିଣ ପନ୍ଥୀ ଓ ହିନ୍ଦୁତ୍ୱ ଆଭିମୁଖ୍ୟ ଘୋଷଣା କରି ସଭାପତି ଆସନ ଗ୍ରହଣ କଲେ । ହିନ୍ଦୁତ୍ୱର ବିକାଶ ଓ ତଥାକଥିତ ଧର୍ମ ନିରପେକ୍ଷତାର ବିରୋଧ ସଙ୍ଗେସଙ୍ଗେ ରାମ ଜନ୍ମ ଭୂମିର ଉଦ୍ଧାର ପାଇଁ ସଂକଳ୍ପ ଗ୍ରହଣ କଲେ । ରଥଯାତ୍ରା ମାଧ୍ୟମରେ ଭାରତର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତରକୁ ଭ୍ରମଣ କଲେ । ୧୯୮୯ ନିର୍ବାଚନରେ ବିଜେପି ଆଶ୍ଚର୍ଯ୍ୟ ଜନକ ଭାବେ ୮୫ଟି ଆସନ ପାଇ ବୃହତମ ଦଳରେ ପରିଣତ ହେଲା ଓ ଭିପି ସିଂହଙ୍କ ସରକାରକୁ ବାହାରୁ ସମର୍ଥନ ଦେଲା । ୧୯୯୦ରେ ଆଡ଼ଭାନୀ ତାଙ୍କର ପ୍ରସିଦ୍ଧ ସୋମନାଥ ଠାରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା ଆରମ୍ଭ କଲେ । ରାସ୍ତା କଡ଼ରେ ଲକ୍ଷ ଲକ୍ଷ ଲୋକେ ଏହାକୁ ସ୍ୱାଗତ କଲେ । ବିହାର ରାଜ୍ୟ ଦେଇ ଗଲାବେଳେ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କୁ ଗିରଫ କଲେ ଓ ବିଜେପି ଭିପି ସିଂହଙ୍କ ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିବାରୁ କେନ୍ଦ୍ର ସରକାରଙ୍କର ପତନ ଘଟିଲା । ୧୯୯୧ ମସିହା ନିର୍ବାଚନରେ ବିଜେପି ୧୨୦ ଆସନରେ ବିଜୟୀ ହେଲା । ୧୯୯୬ରେ ୧୬୧ ଟି ଆସନ ଲାଭ କରି ପ୍ରଥମ ଥର ପାଇଁ ବିଜେପି ଅଟ୍ଟଳ ବିହାରୀ ବାଜପାୟୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଢିଲା । ହେଲେ ଏହି ସରକାର ମାତ୍ର ୧୩ ଦିନ ପାଇଁ କାର୍ଯ୍ୟ କରିଥିଲା । ୧୯୯୮ନିର୍ବାଚନରେ ବିଜେପି ୧୮୨ ଆସନ ଲାଭ କରି ମାତ୍ର ୧୩ ମାସ ପାଇଁ କେନ୍ଦ୍ରୀୟ ଶାସନ ଭାର ସମ୍ଭାଳି ଥିଲା । ୧୯୯୯ରେ ଏହି ଦଳ ଅନ୍ୟ ସହଯୋଗୀ ଦଳ ମାନଙ୍କ ସହିତ ମିଶି ବାଜପାୟୀଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ କେନ୍ଦ୍ରରେ ପୂର୍ଣ୍ଣ ୫ ବର୍ଷ କାର୍ଯ୍ୟ କରିଥିଲା ।
୨୦୦୪ ନିର୍ବାଚନରେ ବିଜେପିର ଆକସ୍ମିକ ପରାଜୟ ଘଟିଲା । ଏଥିରେ ବ୍ୟଥିତ ବାଜପାୟୀ କ୍ଷମତା ରାଜନୀତିରୁ ଅପସରି ଗଲେ । ୨୦୦୯ ନିର୍ବାଚନରେ ବିଜେପି ଆଡ଼ଭାନୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ଘୋଷଣା କଲା । ଏଥର ଦଳ ମାତ୍ର ୧୧୬ ଟି ଆସନ ପାଇଲା ଓ ବିରୋଧୀ ଆସନରେ ବସିଲା ।୨୦୧୪ ନିର୍ବାଚନକୁ ଆଖି ଆଗରେ ରଖି ଆଡ଼ଭାନୀ ନିଜକୁ ଶେଷ ଥର ପାଇଁ ପ୍ରସ୍ତୁତ କରିବାକୁ ଲାଗିଲେ । ଏହି ସମୟରେ ପାକିସ୍ତାନ ଗସ୍ତ କାଳରେ ଲାହୋର ଠାରେ ଜିନ୍ନାଙ୍କୁ ପ୍ରଂଶସା କରିବାରୁ ସେ ଆର୍ଏସ୍ଏସ୍ ର ବିଷ ଦୃଷ୍ଟିରେ ପଡ଼ିଲେ । ଫଳତଃ ସେ ଊଭୟ ଦଳ ସଭାପତି ଓ ବିରୋଧୀ ଦଳନେତା ପଦବୀରୁ ଇସ୍ତଫା ଦେଲେ । ମୁରଲୀ ମନୋହର ଯୋଶୀ ହେଲେ ଦଳର ସଭାପତି ଓ ସୁଷମା ସ୍ୱରାଜ ହେଲେ ବିରୋଧୀ ଦଳ ନେତ୍ରୀ । ଏଣେ ୨୦୦୨ ମସିହା ଡ଼ିସେମ୍ବର ୬ ତାରିଖରେ ବାବି୍ର ମସଜିଦ୍ ଭଙ୍ଗା ଘଟଣାରେ ଲାଇବେରିଆ କମିସନ୍ ଆଡ଼ଭାନୀଙ୍କୁ ଦୋଷୀ ଘୋଷଣା କଲେ ।
ତଥାପି ଆଡ଼ଭାନୀ ଥିଲେ ବିଜେପିର ସବୁଠାରୁ ପ୍ରଭାବଶାଳୀ ନେତା । ହେଲେ ଏହି ସମୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭୁ୍ୟଥାନ ସବୁ ଓଲଟ ପାଲଟ କରିଦେଲା । ୨୦୧୩ ମସିହାରେ ତାଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଗଲା । ଜାତୀୟ କାର୍ଯ୍ୟକାରିଣୀ କମିଟିରୁ ଆଡ଼ଭାନୀ ଓ ଯୋଶୀଙ୍କୁ ବାଦ୍ ଦିଆଗଲା । ତାଙ୍କୁ କେବଳ ଦଳର ମାର୍ଗଦର୍ଶକ ଭାବେ ରଖାଗଲା । ଅପମାନିତ ଆଡ଼ଭାନୀ ପାର୍ଟିରୁ ଇସ୍ତଫା ଦେଲେ ମଧ୍ୟ ଆର୍ଏସ୍ଏସ୍ ଚାପରେ ଇସ୍ତଫା ପତ୍ର ପ୍ରତ୍ୟାହାର କରି ଚୂପ୍ ରହିଲେ । ନିର୍ବାଚନରେ ତାଙ୍କୁ ପ୍ରାଧାନ୍ୟ ଦିଆଗଲା ନାହିଁ । ଦଳ କ୍ଷମତାକୁ ଆସିଲା ପରେ ତାଙ୍କୁ ଏକପ୍ରକାର ଅଲୋଡ଼ା ମଣିଷ ଭଳି ବ୍ୟବହାର କରାଯାଉଛି ।
ଅନେକ ଜାଣନ୍ତି ନାହିଁ ଯେ, ମୋଦିଙ୍କ ଉଦୟ ପଛରେ ଆଡ଼ଭାନୀଙ୍କ ଆଶୀର୍ବାଦ ହିଁ କାର୍ଯ୍ୟ କରୁଛି । ମୋଦି ଗୁଜୁରାଟରେ ଆର୍ଏସ୍ଏସ୍ ପକ୍ଷରୁ ପର୍ଯ୍ୟବେକ୍ଷକ କାର୍ଯ୍ୟ କରୁଥିଲେ । ଦଳରେ ନାନା ବିଭ୍ରାଟ ଘଟିବାରୁ ମୋଦିଙ୍କୁ ଗୁଜୁରାଟରୁ ବହିଷ୍କାର କରି ସେଠାକୁ ଆସିବାକୁ ନିଷେଧ କରାଗଲା । ମାତ୍ର ଆଡ଼ଭାନୀଙ୍କ ପରାମର୍ଶରେ ୨୦୦୨ ମସିହାରେ ଆଗରୁ କୌଣସି ନିର୍ବାଚନ ନଲଢି ମଧ୍ୟ ମୋଦିଙ୍କୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଗଲା । ୨୦୦୨ରେ ଗୁଜୁରାଟରେ ଭୟଙ୍କର ସାଂପ୍ରଦାୟିକ ଦଙ୍ଗା ହେଲା । ସବୁ ସ୍ତରରେ ମୋଦିଙ୍କୁ ହଟାଇବାକୁ ଚାପ ପଡ଼ିଲା । ପ୍ରଧାନମନ୍ତ୍ରୀ ବାଜପାୟୀ ସ୍ୱୟଂ ମୋଦିଙ୍କୁ ରାଜଧର୍ମ ପାଳନ କରିବାକୁ ଉପଦେଶ ଦେଲେ । କୋଚିନ୍ ଠାରେ ବିଜେପିର କାର୍ଯ୍ୟକାରଣୀ ବୈଠକ ବସିଲା । ମୋଦି ନିଜର ଇସ୍ତଫା ପତ୍ର ଦେଲେ । ମାତ୍ର ଆଡ଼ଭାନୀଙ୍କ ପ୍ରଭାବ ଯୋଗୁ ତାହା ଗ୍ରହଣ କରାଗଲା ନାହିଁ । ବରଂ ତାଙ୍କୁ ବିଧାନସଭା ଭାଙ୍ଗି ନିର୍ବାଚନ କରାଇ ଲୋକମତର ସମ୍ମୁଖୀନ ହେବାକୁ ନିଦେ୍ର୍ଦଶ ଦିଆଗଲା । ନିର୍ବାଚନରେ ଜିତିଲା ପରେ ମୋଦିଙ୍କ ଜୟଯାତ୍ରା ଆଗକୁ ବଢି ଚାଲିଲା । ସେହି ଭୀଷ୍ମ ପିତାମହ ରୂପୀ ବିଜେପିର ଜନକ ଲାଲ୍ କୃଷ୍ଣ ଆଡ଼ଭାନୀଙ୍କୁ ଉଦେ୍ଦଶ୍ୟମୂଳକ ଭାବେ ଭାରତର ରାଷ୍ଟ୍ରପତି କରାଗଲା ନାହିଁ । ଆର୍ଏସ୍ଏସ୍ ର ଶୃଙ୍ଖଳା ଗଣ୍ଡି ଭିତରେ ବଢିଥିବା ଆଡ଼ଭାନୀ ମୁହଁ ନଖୋଲି ସମସ୍ତ ଅପମାନକୁ ହଜମ କରି ନିରବରେ କାଳ କାଟୁଛନ୍ତି । ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ