ଇଂରେଜ ମାନଙ୍କ ଭାରତ ଆବିଷ୍କାର
୧୮୩୮ ମସିହାର କଥା । ସର୍ଭେ କାର୍ଯ୍ୟରେ ନିୟୋଜିତ ଜଣେ ଇଂରେଜ ଇଂଜିନିୟର କ୍ୟାପଟେନ୍ ଟି.ଏସ୍.ବର୍ଟ ମଧ୍ୟ-ଭାରତର ବିନ୍ଧ୍ୟାଂଚଳରେ ପାଲିଙ୍କିରେ ବସି ଯାତ୍ରା କରୁଥିଲେ । ସବୁଆଡ଼େ ଘଂଚ ଜଙ୍ଗଲ ଓ ଛୋଟବଡ଼ ପାହାଡ଼ । ହଠାତ୍ ତାଙ୍କ ପାଲିଙ୍କିକୁ ବୋହୁଥିବା ଜଣେ ସ୍ଥାନୀୟ ଲୋକ ଗୋଟିଏ ଦିଗକୁ ଆଙ୍ଗୁଳି ଦେଖାଇ କହିଲା, “ହଜୁର, ଏଠାରୁ କିଛି ଦୂରରେ ଥିବା ଚାଟପୁର ନିକଟରେ କେତେ ଗୁଡ଼ିଏ ସୁନ୍ଦର ମନ୍ଦିର ରହିଅଛି ।” ଏକଥା ଶୁଣି ଏକ ନୂତନ ଆବିଷ୍କାର ଭାବନାରେ ଉତ୍ଫୁଲିତ ହୋଇ ବର୍ଟ ସେହି ସ୍ଥାନକୁ ଯାତ୍ରା କଲେ । ବଣଜଙ୍ଗଲ ବେଷ୍ଟିତ ଖଜୁରାହୋ ନିକଟରେ ୭ଟି ହିନ୍ଦୁ ମନ୍ଦିର ଧୀରେ ଧୀରେ ଦୃଷ୍ଟି ଗୋଚର ହେଲା । ସେଗୁଡ଼ିକର କାରୁକାର୍ଯ୍ୟ ଅତ୍ୟନ୍ତ ବିସ୍ମୟଜନକ ଥିଲା । ମନ୍ଦିର ଚାରିକଡ଼ରେ ଜଙ୍ଗଲ ମାଡ଼ି ଯାଇଥିଲା । ଅସଂଖ୍ୟ ବାଦୁଡ଼ି ଓ ଭାଲୁ ମନ୍ଦିର ଗୃହକୁ ଆଶ୍ରୟସ୍ଥଳ କରି ସାରିଥିଲେ । ମନ୍ଦିର ଗାତ୍ରରେ ଲତା, ବୃକ୍ଷ, ଦେବଦେବୀ ଓ ନର୍ତକୀ ମାନଙ୍କ ମୂର୍ତି ଖୋଦିତ ହୋଇଥିଲା । ବର୍ଟ ଏହି ଖବର ତାଙ୍କର ଉପରିସ୍ଥ ଅଫିସର ଆଲେକ୍ଜାଣ୍ଡାର କନିଙ୍ଗହମ୍ ଙ୍କୁ ଦେଲେ । କନିଙ୍ଗହମ୍ ସେତେବେଳେ ପ୍ରତ୍ନତତ୍ୱ ବିଭାଗର ମୁଖ୍ୟ ଥାଆନ୍ତି । ତାଙ୍କ ଚେଷ୍ଟାରେ କାରୁକାର୍ଯ୍ୟ ମଣ୍ଡିତ ଖଜୁରାହୋ ମନ୍ଦିରର ଖ୍ୟାତି ସାରା ବିଶ୍ୱରେ ବ୍ୟାପିଗଲା ଓ ଏହି ଘନ ଜଙ୍ଗଲକୁ ଲୋକଙ୍କ ସୂଅ ଛୁଟିଲା । ଏହି ମନ୍ଦିର ଏକାଦଶ ଶତାବ୍ଦୀରେ ଚାନେ୍ଦଲ ରାଜବଂଶ ଦ୍ୱାରା ନିର୍ମିତ ହୋଇଥିଲା । ୧୩୦୦ ଶତାବ୍ଦୀରେ ସେହି ରାଜବଂଶ ଇସଲାମୀୟ ଆକ୍ରମଣ ପୂର୍ବରୁ ସ୍ଥାନ ପରିତ୍ୟାଗ କଲେ ଓ ଉକ୍ତ ସ୍ଥାନଟି ଜଙ୍ଗଲରେ ଭରିଗଲା । ମାତ୍ର କ୍ରମେ ଲୋକେ ଏକଥା ଭୁଲିଗଲେ । ଇଂରେଜ ମାନଙ୍କ ଭାରତ ଆବିଷ୍କାରର ଏହା ଗୋଟିଏ ଘଟଣା ।
କାହାକୁ ଭଲ ଲାଗୁ କି ନଲାଗୁ, ଏହା ସତ୍ୟ ଯେ ଇଂରେଜ ମାନଙ୍କ ଯୋଗୁ ଆମେ ଆମର ରାଜନୈତିକ ମାନଚିତ୍ର ପାଇଛୁ । ଇଂରେଜ ମାନଙ୍କ ପୂର୍ବରୁ ଭାରତ କେବେ ଗୋଟିଏ ଶାସନର ଅନ୍ତର୍ଗତ ନଥିଲା । ପ୍ରାଚୀନ ଭାରତର ମୌର୍ଯ୍ୟ ଗୁପ୍ତ ସାମ୍ରାଜ୍ୟ ମୁଖ୍ୟତଃ ଉତର ଭାରତରେ ସୀମାବଦ୍ଧ ଥିଲା । ହର୍ଷବର୍ଦ୍ଧନଙ୍କ ପରେ ଭାରତ ଖଣ୍ଡଖଣ୍ଡ ହୋଇଗଲା । ଛୋଟ ଛୋଟ ରାଜା ମାନେ ନିଜ ରାଜ୍ୟରେ ନିଜକୁ ଭଗବାନ୍ ଭାବି ଶାସନ କଲେ । ବାହାର ଦୁନିଆ ସହିତ ସଂପର୍କ ରଖିଲେ ନାହିଁ । ବାହାର ଦୁନିଆରେ ଯେତେବେଳେ ମହାସାଗରରେ ଜଳଯାତ୍ରା ଓ ନୂତନ ଆବିଷ୍କାର ମାନ ହେଉଥିଲା, ଭାରତୀୟ ମାନେ କୂପ ମଣ୍ଡୁକ ଭଳି ନିଜ ଗାଁ, ନିଜ ମନ୍ଦିର ଓ ନିଜ ପରମ୍ପରା ଭିତରେ ଆବଦ୍ଧ ରହିଥିଲେ । ସମୁଦ୍ର ଯାତ୍ରା ପ୍ରାୟ ନଥିଲା । ଅତି ବେଶୀରେ ଚାରିଧାମ ବୁଲିଦେଲେ, କାମ ସରୁଥିଲା । ସବୁ ଜିନିଷ ଗୁପ୍ତ ରଖିବା ଆମର ପରମ୍ପରା ଥିଲା । ପୋଥୀ ଓ ମନ୍ତ୍ର ତନ୍ତ୍ର ଆଦି ବିଦ୍ୟା ବ୍ରାହ୍ମଣ ମାନେ ନିଜ ଭିତରେ ସୀମିତ ରଖିଥିଲେ । ଭାବର ଆଦାନ-ପ୍ରଦାନ ନଥିଲା । ସବୁଆଡ଼େ ଅନେକ ମନ୍ଦିର ଓ ଦୁର୍ଗ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ଏହାର ନିର୍ମାଣକର୍ତା ବା ସୁରକ୍ଷା ବିଷୟରେ ଜାଣିବାକୁ କେହି ଚାହୁଁନଥିଲେ । କୌଣସି ଲିପିବଦ୍ଧ ରାଜକୀୟ ବିବରଣୀ ଉପଲବ୍ଧ ନଥିଲା । କହିବାକୁ ଗଲେ ଖ୍ରୀ.ପୂ. ୩୨୬ରେ ଆଲେକଜାଣ୍ଡାରଙ୍କ ଭାରତ ଆକ୍ରମଣ ଆମ ପାଇଁ ଏକମାତ୍ର ନିର୍ଭରଯୋଗ୍ୟ ସମୟସୀମା ଥିଲା । ଏହା ପରଠାରୁ ଦିଲ୍ଲିରେ ମୁସଲମାନ ରାଜତ୍ୱ ପର୍ଯ୍ୟନ୍ତ ଶହଶହ ବର୍ଷ ଧରି ଆମ ଇତିହାସ ଅନ୍ଧକାରାଚ୍ଛନ୍ନ ହୋଇ ରହିଥିଲା । ବିଦେଶୀ ପରିବ୍ରାଜକ ମେଘସ୍ଥିନିସ୍, ହୁଏନ୍ସା ଓ ଫାଇୟାନ୍ ଙ୍କ ଭଳି ବ୍ୟକ୍ତିମାନେ ଭାରତକୁ ଆସି ଭ୍ରମଣ ବିବରଣୀ ଲେଖୁଥିବାବେଳେ ଆମେ ସଂପୂର୍ଣ୍ଣ ନିରବ ଥିଲେ ।
୧୭୬୫ ମସିହାରେ ଦିଲ୍ଲି ସମ୍ରାଟଙ୍କର ଆଦେଶନାମା ବଳରେ ଇଷ୍ଟଇଣ୍ଡିଆ କମ୍ପାନୀ ବଙ୍ଗ, ବିହାର ଓ ଓଡ଼ିଶାର ଶାସନ ଭାର ଗ୍ରହଣ କଲା । ସେତେବେଳେ ସଭ୍ୟ ଇଂରେଜ ମାନେ ଭାରତୀୟ ମାନଙ୍କୁ ବର୍ବର, ମୂର୍ତି ପୂଜକ ଓ ସଂସ୍କୃତିବିହିନ ବୋଲି ଭାବି ନେଇଥିଲେ । ଏ ଦେଶର ଲଙ୍ଗଳା ସନ୍ୟାସୀ, ସାପ ଧରାଳି, ମହିଳା ମାନଙ୍କର ନିଅାଁରେ ଝାସ ଦେବା ଘଟଣା ଭଳି ଅସଭ୍ୟ ଘଟଣା ମାନ ଘଟେ ବୋଲି ସେମାନେ ପ୍ରଚାର କଲେ । ଏହି ସମୟରେ ସାର୍ ଉଇଲିୟମ୍ ଜୋନ୍ସ ନାମକ ଜଣେ ଇଂରେଜ ବିଦ୍ୱାନ ୧୭୮୩ ମସିହାରେ ମାଡ଼୍ରାସ ବନ୍ଦରରେ ପହଂଚିଲେ । ଅନେକଙ୍କ ମତରେ ସେ ଥିଲେ ଇଂଲଣ୍ଡର ଶ୍ରେଷ୍ଠ ବିଦ୍ୱାନ । ପାରସ୍ୟ ଓ ଗ୍ରୀକ୍ ସଭ୍ୟତାର ଅନୁସନ୍ଧାନ ପରେ ସେ ଭାରତ ବିଷୟରେ ଅନୁସନ୍ଧାନ କରିବାକୁ ଉତ୍ସୁକ ଥିଲେ । ୧୭୮୪ ମସିହାରେ ସେ କଲିକତାରେ ପହଂଚି ସୁପି୍ରମ୍ କୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଲେ ଓ ମହାନ୍ ସଂସ୍କୃତ ଭାଷା ସଂପର୍କରେ ଗବେଷଣା ଆରମ୍ଭ କଲେ । ସେତେବେଳକୁ ଉଇଲକିନ୍ ନାମକ ଜଣେ ଇଂରେଜ ସାହେବ ଭାଗବତ ଗୀତାକୁ ଇଂରାଜୀରେ ଅନୁବାଦ କରିଥିଲେ । ଏହାକୁ ପଢି ଗଭର୍ଣ୍ଣର ଜେନେରାଲ୍ ୱାରେଙ୍ଗ ହେଷ୍ଟିଙ୍ଗ୍ କହିଲେ, ଇଂରେଜ ମାନେ ଯେତେବେଳେ ଭାରତରେ ନଥିବେ, ସେତେବେଳେ ମଧ୍ୟ ଏହି ଲେଖା ରହିଥିବ ।
୧୭୮୪ ମସିହାରେ ଉଇଲିୟମ୍ ଜୋନ୍ସ ଙ୍କ ଉଦ୍ୟମରେ ଏସିଆଟିକ୍ ସୋସାଇଟୀ ନାମକ ଏକ ଗବେଷଣା କେନ୍ଦ୍ର ଗଠନ ହେଲା । ନିଜେ ଜୋନ୍ସ ସଂସ୍କୃତ ଶିଖିବାକୁ ବର୍ଷର ୩ମାସ ନଦିଆ ଠାରେ ରହି ଜଣେ ଶିକ୍ଷକଙ୍କ ଠାରୁ ସଂସ୍କୃତ ଶିଖିଲେ, ଧୋତି ପିନ୍ଧିଲେ ଓ ଚାଳ ଘରେ ରହିଲେ । ସଂସ୍କୃତ ବିଷୟରେ ଯେତେ ଜାଣିଲେ, ଏହାର ମହାନତା ତାଙ୍କୁ ସେତିକି ମୁଗ୍ଧ କଲା । ସେ ଦୃଢ ଭାବରେ ଘୋଷଣା କଲେ ଯେ, “ପ୍ରାଚୀନ ଭାଷା ଲାଟିନ୍ ଓ ଗ୍ରୀକ୍ ଠାରୁ ଆହୁରି ଉନ୍ନତ । ବାସ୍ତବରେ କାଳିଦାସଙ୍କ ସ୍ଥାନ ହୁମରଙ୍କ ଠାରୁ ଉଚ୍ଚରେ!” ସେ ନିଜେ କାଳିଦାସଙ୍କର ଶକୁନ୍ତଳା କାବ୍ୟକୁ ସଂସ୍କୃତରେ ଅନୁବାଦ କରି ବିଶ୍ୱର ଦୃଷ୍ଟି ଆକର୍ଷଣ କଲେ ଓ ସାରା ପୃଥିବୀରେ ସଂସ୍କୃତ ଭାଷା ଉପରେ ଗବେଷଣା ଆରମ୍ଭ ହେଲା ।
୧୭୯୪ ମସିହାରେ ୱିଲିୟମ୍ ଜୋନ୍ସ ଙ୍କର ଅକାଳ ମୃତୁ୍ୟ ଘଟିଲା । ସେତେବେଳକୁ ସେ ଏକ ଅନୁଷ୍ଠାନରେ ପରିଣତ ହୋଇ ସାରିଥିଲେ । ନିଜର ପ୍ରଚଣ୍ଡ ଜ୍ଞାନ ଯୋଗୁ ସମସ୍ତଙ୍କ ଠାରୁ ସେ ଭକ୍ତି ଓ ସମ୍ମାନ ପାଉଥିଲେ । ତାଙ୍କୁ କୁହାଯାଉଥିଲା ଭାରତର ସକ୍ରେଟିସ୍ । ତାଙ୍କର ମୃତୁ୍ୟ ହେଲେ ମଧ୍ୟ ତାଙ୍କ ଆଦର୍ଶରେ ଉଦ୍ବୁଦ୍ଧ ହୋଇ ଅନେକ ଇଂରେଜ ଯୁବକ ଭାରତର ଲୁପ୍ତ ସଂସ୍କୃତିକୁ ଆଲୋକକୁ ଆଣିବା ପାଇଁ ଚେଷ୍ଟା ଚଳାଇଲେ ।
୧୮୧୯ ମସିହାରେ ଜେମ୍ସ ପି୍ରନ୍ସେଫ୍ ନାମକ ଜଣେ ଯୁବକ କଲିକତାର ମୁଦ୍ରାଖାନାର ଆସିଷ୍ଟାଂଟ ଆସେମାଷ୍ଟର ରୂପେ ନିଯୁକ୍ତି ପାଇଲେ ଓ ଖୁବ୍ ଶୀଘ୍ର ଭାରତୀୟ ସଂସ୍କୃତି ପ୍ରତି ଆକର୍ଷିତ ହୋଇ ପଡ଼ିଲେ । ତାଙ୍କ ପ୍ରଚେଷ୍ଟାରେ ବମ୍ବେ ସହର ଠାରୁ ସମୁଦ୍ର ଭିତରେ ମାତ୍ର ୧କିମି ଦୂରରେ ଥିବା ଏଲିଫେଂଟା ଦ୍ୱୀପର ପ୍ରାଚୀନ ଗୁମ୍ଫା ଓ ମୂର୍ତି ଆବିଷ୍କୃତ ହେଲା । ଏଥିସହିତ ସାଲସେଟା ଦ୍ୱୀପର ଗୁମ୍ଫା ଓ କାହ୍ନେରୀ ଗୁମ୍ଫା ଲୋକଲୋଚନକୁ ଆସିଲା । ବଣ-ଜଙ୍ଗଲ ଭିତରେ ହଜି ଯାଇଥିବା ଏଲୋରା ଗୁମ୍ଫା ସମୂହ ଆବିଷ୍କୃତ ହେଲା ଓ ସ୍ଥାପତ୍ୟ ଜଗତର ବିସ୍ମୟ ଖଣ୍ଡିତ ପଥରରେ ନିର୍ମିତ କୈଳାଶ ମନ୍ଦିର ଲୋକଲୋଚନକୁ ଆସିଲା । ସେହି ଗୁମ୍ଫା ଗୁଡ଼ିକ ଶହଶହ ବର୍ଷ ଧରି ଲୋକାଳୟ ଠାରୁ ବହୁ ଦୂରରେ କେଉଁ ଉଦେ୍ଦଶ୍ୟରେ ନିର୍ମିତ ହୋଇଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।
ଇଂରେଜ ମାନେ ଭାରତ ଆସିବା ପୂର୍ବରୁ ପ୍ରାୟ ୩୦୦ ବର୍ଷ ଧରି ଦିଲ୍ଲି ଭାରତର ରାଜଧାନୀ ଥିଲା । ସମୟକ୍ରମେ ତୋଗଲକବାଗ୍, ଖିଜିରବାଦ୍, ସାଲିମ୍ଗଡ଼, ଫତେପୁର ସିକି୍ର ଓ ଶେରଶାହାଙ୍କ ରାଜଧାନୀ ପରିତ୍ୟକ୍ତ ହୋଇ ଘନ ଜଙ୍ଗଲରେ ଭରିଗଲା । ଲୋକମାନେ ସେହି ଭଗ୍ନ ସହର ମଧ୍ୟରେ ଥିବା ସ୍ଥାପତ୍ୟକୁ ଭୁଲିଗଲେ । ଥୋମାସ୍ କୋରିୟଟ୍ ନାମକ ଜଣେ ଇଂରେଜ ସେହି ଜଙ୍ଗଲ ଭିତରେ ବୁଲୁ ବୁଲୁ ୪୦ ଫୁଟ୍ ଉଚ୍ଚର ଏକ ଚିକ୍କଣ ପଥର ଖଣ୍ଡ ଦେଖିବାକୁ ପାଇଲେ । ସେଗୁଡ଼ିକରେ ଦୁର୍ବୋଧ୍ୟ ଭାଷାରେ କିଛି ଖୋଦିତ ଥିଲା । ଜନ୍ ମାର୍ଶାଲ୍ ନାମକ ଜଣେ ଇଂରେଜ ସେହି ରକମର ଏକାଧିକ ପିଲାର ଉତର ଭାରତରେ ଆବିଷ୍କାର କଲେ ଓ ୧୮୩୭ ମସିହାରେ ମାର୍କଖାନ୍ କିଟୋ ନାମକ ଜଣେ ଗବେଷକ ଓଡ଼ିଶାର ଦୟାନଦୀ କୂଳରେ ଧଉଳି ପାହାଡ଼ର ଶିଳାଲିପିକୁ ଆବିଷ୍କାର କଲେ । ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ