ଏକ ଦେଶ ପ୍ରେମର କାହାଣୀ
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଭାରତର ଇତିହାସରେ ଦେଶ ପ୍ରେମର କାହାଣୀର ଅଭାବ ନଥିଲେ ମଧ୍ୟ ଏହି କାହାଣୀ ଗୁଡ଼ିକୁ ଲୋକମାନଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାର କରିବା ପାଇଁ ସରକାରୀ କିମ୍ବା ବେସରକାରୀ ସ୍ତରରେ ବିଶେଷ ଉଦ୍ୟମ ହେଉନାହିଁ । ତା’ ଫଳରେ ନୂଆ ପିଢୀର ଲୋକମାନେ ଅନେକ ଦେଶ ପ୍ରେମିଙ୍କର ଜୀବନ ଓ କାର୍ଯ୍ୟ ସଂପର୍କରେ ଜାଣିବାରେ ସକ୍ଷମ ହୋଇ ପାରୁନାହାନ୍ତି । ଏପରିକି ସହିଦ ଭଗତ୍ ସିଂ, ବାଘା ଯତିନ, ସୁଖିରାମ, ଚାପେକର ଭାଇ ମାନଙ୍କର କଥା ଆଉ ବିଶେଷ ଭାବରେ ଶୁଣା ଯାଉନାହିଁ । କେବଳ ଭ୍ରଷ୍ଟ ରାଜନେତା ମାନଙ୍କର ଗୁଣ କିର୍ତନ ଓ ସେମାନଙ୍କ ସମ୍ବଦ୍ଧରେ ଅବାନ୍ତର ଆଲୋଚନା ଆମ ଗଣ ମାଧ୍ୟମ ମାନଙ୍କର ମୁଖ୍ୟ କାର୍ଯ୍ୟ ହୋଇ ପଡିଛି ।
ଇତିହାସର ଅନ୍ଧ ଗଳିରେ ହଜି ଯାଇଥିବା ଏହିପରି ଏକ ଦେଶ ପ୍ରେମର କାହାଣୀକୁ ଆଲୋକକୁ ଆଣି ଲୋକମାନଙ୍କ ଆଗରେ ଉପସ୍ଥାପନ କରିବା ଏ ଲେଖାର ଉଦେ୍ଦଶ୍ୟ । ମରହଟ୍ଟା ବିର ଶିବାଜୀଙ୍କ ଜୀବନ ରକ୍ଷା କରିବାକୁ ତାଙ୍କର ଜଣେ ଅନୁଗତ କର୍ମଚାରୀ କିପରି ନିଜ ଜୀବନକୁ ହସି ହସି ଜଳାଞ୍ଜଳି ଦେଇଥିଲା ତାହା ଏଠାରେ ବର୍ଣ୍ଣନା କରା ହୋଇଛି ।
୧୫୫୯ ମସିହାରେ ପ୍ରତାପଗଡ ଦୁର୍ଗ ଠାରେ ଶିବାଜୀଙ୍କ ସହ ଦ୍ୱନ୍ଦ୍ୱ ଯୁଦ୍ଧରେ ବିଜାପୁର ସୁଲତାନ୍ଙ୍କର ଦୁର୍ଦ୍ଦଶ ସେନାପତି ଆଫଜଲ ଖାନ୍ଙ୍କର ମୃତୁ୍ୟ ହୋଇଥିଲା । ଏହାର ସୁଯୋଗ ନେଇ ଶିବାଜୀ ନିଜର ସୈନ୍ୟ ମାନଙ୍କ ସହିତ ବିଜାପୁର ରାଜ୍ୟ ଭିତରକୁ ପଶିଗଲେ ଓ ସେହି ରାଜ୍ୟର ଅନେକ ଅଂଚଳ ଅଧିକାର କରି ଫେରି ଆସି ପାନହଳା ଦୁର୍ଗରେ ବିଶ୍ରାମ ନେଲେ । ପାନହଳା ଦୁର୍ଗଟି କୋହ୍ଲାପୁର ସହର ନିକଟରେ ଅବସ୍ଥିତ । ବିଜାପୁର ସହରରୁ କଙ୍କଣ ଉପକୁଳକୁ ଯାଇଥିବା ରାସ୍ତାର ଘାଟି ସ୍ଥାନରେ ଏହା ରହିଛି । ପରାଜୟର ପ୍ରତିଶୋଧ ପାଇଁ ବିଜାପୁର ସୁଲତାନ୍ କୁର୍ଣ୍ଣଲର ସିଦ୍ ମାସୁଦ୍ଙ୍କୁ ନିମନ୍ତ୍ରଣ କରି ଶିବାଜୀଙ୍କୁ ଆୟତ କରିବାକୁ ଅନୁରୋଧ କଲେ । ସେ ମଧ୍ୟ ନିମନ୍ତ୍ରଣ ଗ୍ରହଣ କରି ପ୍ରାୟ ୪୦୦୦୦ ସୈନ୍ୟ ସହ ପାନହଳା ଦୁର୍ଗକୁ ଘେରାଉ କରିଦେଲା । ଏହି ଘେରାଉ ୧୭୬୦ ମସିହା ଫେବୃୟାରୀ ମାସରୁ ଜୁଲାଇ ପର୍ଯ୍ୟନ୍ତ ଚାଲିଥିଲା । ଦିନ ରାତି ଦୁର୍ଗ ଉପରେ ନଜର ରଖାଗଲା । କେହି ଜଣେ ଯେପରି ଦୁର୍ଗ ଭିତରକୁ ଯାଇ ପାରିବେନି କି ଦୁର୍ଗରୁ ଆସି ପାରିବେନି ।
ଏଣେ ରାଜଗଡ ଦୁର୍ଗରେ ମାଁ ଜୀଜା ବାଇ ପୁଅର ବିପତିରେ ବ୍ୟସ୍ତ ହୋଇ ପଡିଲେ । ସେ ଓ ସେନାପତି ନେତାଜୀ ପାଲେକର ମାସୁଦ୍ର ସୈନ୍ୟ ବାହିନି ଉପରେ ବାରମ୍ବାର ଆକ୍ରମଣ କଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ବରଂ ଅବରୋଧ ଦିନକୁ ଦିନ ଦୃଢ ହେବାକୁ ଲାଗିଲା ।
ଏଣେ ଦୁର୍ଗ ଉପରକୁ ଦିନ ରାତି ଗୋଳା ବର୍ଷଣ ଚାଲିଥାଏ । ଦୁର୍ଗ ଛାତରେ ଠିଆ ହୋଇ ଶିବାଜୀ ଦୁର ଦିଗ୍ବଳୟକୁ ଚାହିଁ ମୁକ୍ତିର ବାଟ ଖୋଜୁଥାଆନ୍ତି । ଦିନେ ଦେଖିଲେ ରାଜପୁର ଦୁର୍ଗର ଇଂରେଜ ମାନେ ନିଜ ପତାକା ଉଡାଇ ବଡ ବଡ କମାଣ ମାନ ଧରି ମାସୁଦ୍ ସହ ଯୋଗ ଦେବାକୁ ପହଂଚି ଗଲେ । ସେ ମନେ ମନେ କହିଲେ, କେଡେ ନିମକ୍ ହରାମ୍ ଏ ଇଂରେଜ ଜାତି । ମାତ୍ର କେଇ ମାସ ତଳେ ମୋ ସହିତ ବଂଧୁତାର ଚୁକ୍ତି ବାନ୍ଧିଥିଲେ । ମାତ୍ର ସ୍ୱାର୍ଥ ପାଇଁ ବର୍ତମାନ ମୋ ଶତୃ ସହିତ ଯୋଗ ଦେଉଛନ୍ତି ।
ଏଣେ ଦୁର୍ଗରୁ ଖାଦ୍ୟ ସରି ଆସିଲାଣି । ବର୍ଷା ଋତୁ ଆରମ୍ଭ ହୋଇଗଲା । ପଶ୍ଚିମ ଘାଟର ପାହାଡ ଉପରେ ଦିନ ରାତି ବର୍ଷା ଅଜାଡି ହୋଇ ପଡୁଥାଏ । ସବୁଆଡେ ପାଣି କାଦୁଅ ଭର୍ତି । ତଥାପି ଶତୃ ମାନେ ଜଗି ବସିଥାନ୍ତି । ମନ୍ତ୍ରଣା କକ୍ଷରେ କେତେ ସମୟ ବସି ସେ ଭାବିଛନ୍ତି ତାହା ସେ ଜାଣନ୍ତି ନାହିଁ । ଅତିତରେ ସେ ଅନେକ ଜଟିଳ ସମସ୍ୟା ନିଜର ବୁଦ୍ଧି ବଳରେ ସମାଧାନ କରିଛନ୍ତି । ପିତା ସାହାଜୀଙ୍କୁ ବିଜାପୁରର ବନ୍ଦିଶାଳରୁ ମୁକ୍ତ କରିପାରିଛନ୍ତି । ଦୁର୍ଦ୍ଦଶ ଆଫଜଲ ଖାନ୍ଙ୍କୁ ବୁଦ୍ଧି ବଳରେ ମାରିଛନ୍ତି । ଆଜି ସେ ଉପାୟ ଶୁନ୍ୟ । କାହାର ପାଦ ଶଦ୍ଦ ଶୁଣି ସେ ମୁହଁ ଟେକିଲେ । ଦେଖିଲେ ତାଙ୍କ ଆଗରେ ତାଙ୍କର ବିଶ୍ୱସ୍ତ ନାପିତ ଶିବା କାଭାଜୀ ଠିଆ ହୋଇଛି । ଖାଲି ନା ନୁହେଁ ଚେହେରାରେ ମଧ୍ୟ ସେ ଶିବାଜୀଙ୍କ ଅନୁରୁପ । ସେଥିପାଇଁ ତାକୁ ତା ସାଙ୍ଗ ମାନେ ଥଟାରେ ମହାରାଜ ବୋଲି ଡାକିଥାନ୍ତି । ତାକୁ ଦେଖି ଶିବାଜୀଙ୍କ ମୁଣ୍ଡରେ ଏକ ଉପାୟ ଖେଳିଗଲା । ଶିବା ନାପିତକୁ ତାଙ୍କ ବେଶରେ ଶତୃ ଶୀବିରକୁ ପଠାଇ ସେ ଖସିଯାଇ ପାରିବେ । ଅବଶ୍ୟ ଏହା ଦ୍ୱାରା ସେ ଶିବାକୁ ନିଶ୍ଚିତ ମୃତୁ୍ୟ ମୁଖକୁ ଠେଲି ଦେବେ । ତେଣୁ ତାକୁ ସବୁକଥା ଖୋଲି କହିବା ଦରକାର । ଏକଥା ଶୁଣି ଶିବା ନାପିତ ଆନନ୍ଦରେ ନାଚି ଉଠିଲା । ଦେଶ ପାଇଁ ଓ ତା ରଜା ପାଇଁ ସେ ପ୍ରାଣ ଦେବ । ଏହା ଠାରୁ ବଳି ଭାଗ୍ୟର କଥା କଣ । ଶିବାଜୀଙ୍କ ଆଖିକୁ ଲୁହ ଆସିଗଲା । ଜାଣି ଜାଣି ସେ ଜଣକୁ ହାଣ ମୁହଁକୁ ପଠାଉଛନ୍ତି । ମାତ୍ର ସ୍ୱରାଜ୍ୟ ସ୍ୱଧର୍ମ କୁ ରକ୍ଷା କରିବାକୁ ହେବ । ସେଥିପାଇଁ ତାଙ୍କର ବର୍ତିବା ଏକାନ୍ତ ଆବଶ୍ୟକ । ଦୁତ ମାନଙ୍କ ଦ୍ୱାରା ମାସୁଦ୍ ପାଖକୁ ସେ ଆତ୍ମ ସମର୍ପଣ ପ୍ରସ୍ତାବ ଦେଲେ । ଏ ଖବର ଶୁଣି ମାସୁଦ୍ର ଛାତି ଗର୍ବରେ ଫୁଲି ଉଠିଲା । ଦୁର୍ଦ୍ଦଶ ଶିବାଜୀକୁ ବନ୍ଦି କରି ସେ ସାରା ଭାରତରେ ବିଖ୍ୟାତ ହୋଇଯିବ । ଏଣେ ଶିବାଜୀ ତାଙ୍କ ଯୋଜନା ଆଗେଇ ନେଲେ । ନାପିତ ଶିବାଜୀକୁ ରାଜା ବେଶରେ ସଜାଇ ମୁଣ୍ଡରେ ପଗଡି ଓ କାନରେ କୁଣ୍ଡଳ ଲଗାଇ ଦେଲେ । ଅର୍ଦ୍ଧ ରାତ୍ରିରେ ଏକ ରୂପା ପାଲଙ୍କିରେ ବସି ସେ ସୈନ୍ୟ ସାମନ୍ତଙ୍କ ସହ ମାସୁଦ୍ ଶିବିରକୁ ବାହାରିଲା । ତୋପ ଧ୍ୱନୀ ଓ କାହାଳି ବାଦ୍ୟ ଦ୍ୱାରା ଶତୃ ଶିବିରକୁ ସଂକେତ ଦିଆଗଲା ।
ଶିବାଜୀ ଆସୁଛନ୍ତି । ସଂଦ୍ଧି ହେବ । ଯୁଦ୍ଧ୍ୟ ସରିଯିବ । ବର୍ଷାର ଥଣ୍ଡା ଓ ପାଣିରେ ହନ୍ତ ସନ୍ତ ହେଉଥିବା ଶତୃ ସୈନ୍ୟ ମାନେ ଖୁସି ହୋଇଗଲେ । ନିଜର ଯାଗା ଛାଡି ସମସ୍ତେ ଶିବାଜୀଙ୍କୁ ଦେଖିବାକୁ ଧାଇଁ ଗଲେ । ଏଣେ ଧିରେ ଧିରେ ଶିବାଜୀଙ୍କର ଶୋଭାଯାତ୍ରା ଚାଲିଥାଏ । ବିଳମ୍ବ କରିବା ପାଇଁ ଜାଣି ଜାଣି ଭୁଲ ବାଟକୁ ଚାଲିଯାଉଥାଏ । ଏହି ସୁଯୋଗରେ ପ୍ରାୟ ଏକ ହଜାର ସୈନ୍ୟଙ୍କ ସହ ଶିବାଜୀ ଅନ୍ୟ ଏକ ପଥ ଦେଇ ଦୁର୍ଗ ଛାଡି ଛୁଟି ଚାଲିଲେ । ପ୍ରବଳ ବର୍ଷା ଓ ତୋ‘ାନରେ ତାହାର ଶଦ୍ଦ କେହି ଶୁଣି ପାରିଲେ ନାହିଁ । ସେଠାରୁ ୧୨ କୋଶ ଦୁରରେ ଥିବା ବିଶାଳଗଡ ଦୁର୍ଗରେ ପହଂଚିବା ତାଙ୍କର ଲକ୍ଷ ଥିଲା । ଏଣେ ଶିବା ନାପିତ ଅନେକ ବିଳମ୍ବରେ ମାସୁଦର ଶିବିରରେ ପହଂଚିଲା । ତାକୁ ଆଖି ଆଗରେ ଦେଖି ମାସୁଦ୍ ଅଶ୍ଚର୍ଯ୍ୟ ହୋଇଗଲା । ଉଭୟ ମୋଗଲ୍ ଓ ବିଜାପୁର ଦରବାରକୁ ଚକ୍ମା ଦେଇଥିବା ଶିବାଜୀ କଣ ଏତେ ସହଜରେ ଧରା ପଡିବ? ଏହା ସେ ବିଶ୍ୱାସ କରିପାରୁନଥିଲା । ଥକା ମାରି ବସି ପଡିଲା । ହଠାତ୍ ବାହାରୁ ଜଣେ ଗୁପ୍ତଚର ଆସି ତାକୁ ସମ୍ବାଦ ଦେଲା ଯେ ପ୍ରକୃତ ଶିବାଜୀ ପଳାୟାନ କରିଛନ୍ତି । କ୍ରୋଧରେ ଥରି ଥରି ମାସୁଦ୍ ଶିବା ନାପିତକୁ ଗର୍ଜନ କରି କହିଲା ସତ କହ ତୁ କିଏ? ଶିବା ତାଛଲ୍ୟ କରି କହିଲା ମୁଁ ତାଙ୍କର ନାପିତ ମାତ୍ର । ମହାରାଜ ତୁମ ଠାରୁ ଖସି ଚାଲି ଗଲେଣି । କ୍ଷଣକ ପାଇଁ ହେଲେ ମଧ୍ୟ ମୁଁ ଶିବାଜୀଙ୍କ ମୁକୁଟ ମୁଣ୍ଡରେ ପିନ୍ଧି ଧନ୍ୟ ହୋଇଛି । ମୁଁ ଜାଣିଛି ତୁ ମୋତେ ମାରିଦେବୁ । ମାତ୍ର ଦେଶ ପାଇଁ ମରି ମୁଁ ଧନ୍ୟ ହୋଇଯିବି । ପାଖରେ ଥିବା ଏକ ଖୁଂଟକୁ ଜାବୁଡି ଧରି ସେ କହିଲା, ମୋ ମୁଣ୍ଡରେ ଥିବା ସ୍ୱରାଜ୍ୟର ଏହି ମୁକୁଟକୁ ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ଭୁମି ସ୍ପର୍ଶ କରାଇବି ନାହିଁ ।
ପର ମୁହୁର୍ତରେ ବିଫଳତାରେ ଜର୍ଜରିତ ମାସୁଦର ତିକ୍ଷ୍ଣ ତରବାରୀ ଶିବାର ବକ୍ଷ ଭେଦକଲା । ତଥାପି ସେ ଖୁଂଟକୁ ଯାବୁଡି ଧରିଥାଏ । ମୁହଁ ଓ ଆଖିରୁ ଏକ ଜ୍ୱତି ବାହାରୁଥାଏ । ଧିରେ ଧିରେ ତାର ନିଶ୍ଚଳ ଶରୀର ତଳେ ପଡିଗଲା ଓ ରକ୍ତର ଧାର ମାଟିକୁ ଓଦା କରିଦେଲା । ସେତେବେଳକୁ ଶିବାଜୀ ନିଜ ଅଙ୍ଗ ରକ୍ଷି ମାନଙ୍କ ସହିତ ବିଶାଳଗଡ ଦୁର୍ଗ ଦିଗରେ ଛୁଟି ଚାଲିଥିଲେ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬