ବିଜେଡ଼ି ଓ ବିଜେପିର ହାଇ ଭୋଲଟେଜ ସଭା: ଜନମତ କୁଆଡେ?

ସୁବାସ ଷଡଙ୍ଗୀ
ଜାନୁୟାରି ୫ ତାରିଖ । ସେଦିନ ଓଡିଶା ରାଜନିତି ପାଇଁ ନିଶ୍ଚିତ ଭାବେ ଏକ ବିଶେଷ ଦିନ । କାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦାରେ ରାଜନୈତିକ ସଭା କରୁଥିବାବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ପୁରୀ ଠାରେ ମିଶନ ଶକ୍ତିର ମହାସମାବେଶକୁ ଉଦଘାଟନ କରିଛନ୍ତି ।
ଗତ ପନ୍ଦର ଦିନ ଭିତରେ ପ୍ରଧାନମନ୍ତ୍ରୀ ଦୁଇଥର ଓଡିଶା ଆସିଲେଣି । ପ୍ରଥମଥରକ ଖୋର୍ଦ୍ଦାଠାରେ ସାଧାରଣ ସଭାକୁ ଉଦବୋଧନ ଦେଇଥିବା ବେଳେ, ଏଥରକ ବାରିପଦାଠାରେ ଜନସଭାକୁ ସମ୍ବୋଧିତ କରିଛନ୍ତି । ନିର୍ବାଚନ ସମୟ ଆସିଲେ, ଏମିତି ନେତାମାନଙ୍କର ସଭା କରିବାକୁ ମନେପଡେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୫୦୦ କୋଟି ଟଙ୍କର ପ୍ରକଳ୍ପ ଲୋକାର୍ପଣ କରିଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ହଜାର ଟଙ୍କାର ସବସିଡ ମନି ସହାୟତା ପ୍ରଦାନ କରିଛନ୍ତି ।
ଇଏ ଆରମ୍ଭ ମାତ୍ର । ଏମିତି ଅନେକ ନାଟକ ଆଗକୁ ପ୍ରଦର୍ଶିତ ହେବ । ତେବେ ଏହାର ପ୍ରଭାବ କଣ?
ଗତ ଦୁଇଥର ପ୍ରଧାନମନ୍ତ୍ରୀଙ୍କ ସଭା ରାଜ୍ୟ ବିଜେପିକୁ ସେପରି ଉଲ୍ଲସିତ କରିପାରି ନାହିଁ । କାରଣ ପ୍ରଧାନମନ୍ତ୍ରୀ ଦଳୀୟ ସଭାରେ ବିଜେଡି ବା ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପଦୁଟିଏ କହି ନାହାନ୍ତି । ଆଗରୁ ଅମିତ ଶାହ ଓଡିଶା ଆସି ଦଳୀୟ ନେତାଙ୍କୁ ୧୨୦ର ଟାର୍ଗେଟ ଦେଇ ଯାଇଛନ୍ତି । ଯେମିତି ପରୀକ୍ଷା ସମୟରେ ଶିକ୍ଷକ ପିଲାଙକୁ ଏତିକି ମାର୍କ ରଖିବାକୁ ଟାର୍ଗେଟ ଦେଇଥାନ୍ତି । କିନ୍ତୁ ପିଲା କିପରି ପାଠ ପଢିବ, ତାର ଫର୍ମୁଲା ଦେଇ ନାହାନ୍ତି । କଥା ହେଉଚି, ବିଜେପିର ଓଡିଶାର ନେତା କିଏ? ଏକଥା ପ୍ରଥମେ ଓଡିଶାବାସୀ ଜାଣିବା ଦରକାର । ତପରେ ଯାଇ ସମର୍ଥନ କରିବା କଥା ଚିନ୍ତା କରାଯିବ ।
ଗୋଟାଏ କଥା ଏଠାରେ କହି ରଖିବା ଦରକାର, ବିଜେପି ଆଜି ନବୀନ ପଟନାୟକ ସରକାରଙ୍କ ବିରୋଧରେ ପାଟି କରୁଛି । ମାତ୍ର ନବୀନଙ୍କ ୧୮ ବର୍ଷର ଶାସନ ଭିତରେ ସେମାନେ ୯ ବର୍ଷ ଭାଗିଦାର ଥିଲେ । ବର୍ତମାନର ଅନେକ ନେତା ସେତେବେଳେ ମନ୍ତ୍ରୀ ଥିଲେ । ସେତେବେଳେ ସେମାନେ କଣ କରିଛନ୍ତି, ତାହା ଆମେ ଜାଣୁ । ପରଫରମାନ୍ସ ଜିରୋ । ଯେଉଁଥି ପାଇଁ ୨୦୦୯ ମସିହାରେ ଯେତେବେଳେ ବିଜେପି ବିଜେଡିରୁ ବାହାରି ଆସିଲା, ସେତେବେଳେ ବିଜେପିକୁ ସମର୍ଥନ ମିଳିଲା ନାହିଁ । ଏହାର ପ୍ରଥମ କାରଣ ହେଲା, ବିଜେପି ସରକାରରେ ରହି କେବଳ ମଉଜ ବା କ୍ଷମତା ଉପଭୋଗ କରିଥିଲା । କିଛି ନେତା ସେମାନଙ୍କର ସ୍ୱାର୍ଥସାଧନରେ ଲିପ୍ତ ଥିଲେ । ଯାହାର ପରିଣାମ ବିଜେପିର ଓଡିଶା ଶାଖାକୁ ଭୋଗିବାକୁ ପଡିଥିଲା । ସେମାନଙ୍କୁ ଧରି କେବେହେଲେ ନିର୍ବାଚନ ବୈତରରୀ ପାର ହୋଇ ପାରିବ ନାହିଁ ।
ଦ୍ୱିତୀୟ କଥା ହେଲା, ଯଦିଓ କେନ୍ଦ୍ରୀୟ ନେତା ଓଡିଶାର ପ୍ରକୃତ ନେତା କିଏ ତାହା ଘୋଷଣା କରି ନାହାନ୍ତି, ତଥାପି ଧର୍ମେନ୍ଦ୍ର ପ୍ରଧାନ ନିଜକୁ ଏକଚାଟିଆ ଭାବରେ ଓଡିଶାର ନେତାଭାବେ ପ୍ରମାଣିତ କରିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ତାଙ୍କର ଏହି ସାଢେଚାରିବର୍ଷର ଉଦ୍ୟମ ସଫଳ ହୋଇ ପାରି ନାହିଁ । ଓଡିଶାର ଲୋକେ ତାଙକୁ ନେତାଭାବେ ଗ୍ରହଣ କରିବାକୁ ରାଜି ନୁହଁନ୍ତି । ସେ କେବଳ ନିଜର କିଛି ଚାଟୁକାରଙ୍କୁ ଧରି ବାହବା ନେବାରେ ଲାଗିଛନ୍ତି । କେବଳ ବିଜେପି ଦଳର ପ୍ରାର୍ଥୀ ହୋଇ ସେ କୌଣସି ନିର୍ବାଚନ ଜିତି ପାରି ନାହାନ୍ତି । ବରଂ ଜୁଏଲ ଓରାମ ନିର୍ବାଚନ ଜିତଚନ୍ତି । ମାତ୍ର ପଶାପାଲିରେ ସେଏବେ ଏକଘରକିଆ । ତାର କାରଣ ହେଉଛି, ସେ ଜରେ ଆଦିବାସୀ ନେତା, ଫିକ୍ସିଂ କରିବାରେ ଅସମର୍ଥ ।
ବିଜେପି ଏପର୍ଯନ୍ତ କୌଣସି ନିର୍ବାଚନରେ ସେଭଳି ସଫଳତା ପ୍ରଦର୍ଶନ କରିପାରି ନାହିଁ । କେବଳ ପଂଚାୟତ ନିର୍ବାଚନକୁ ଛାଡି । ଏହି ନିର୍ବାଚନରେ ବିଜେପିର କଂଗ୍ରେସ ସହିତ ପ୍ରତିଦ୍ୱନ୍ଦିତା ଥିଲା, ବିଜେଡି ସହିତ ନୁହେଁ ।ଏଣୁ ବିଜେପି ଏବେ ଦ୍ୱିତୀୟ ହେବାକୁ ଚେଷ୍ଟା କରୁଛି । କଂଗ୍ରେସକୁ ପଛକୁ ଠେଲି ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଲେ, ପରବର୍ତୀ ସମୟରେ କିଛିଟା ଫଳ ପାଈବ ବୋଳି ଆଶା ରଖିଛି । ଏଣୁ ତୃତୀୟ ସ୍ଥାନରୁ ଉପରକୁ ଉଠି ଦ୍ୱତୀୟ ସ୍ଥାନ ରେ ପହଂଚିବାକୁ ଯଦି କେହି ନିଜର ପୂର୍ଣ୍ଣ ସଫଳତା ବୋଲି ମନେ କରୁଥାଏ ତେବେ ତାହା ଦିବା ସ୍ୱପ୍ନ ଚଡା ଆଉ କଣ ହୋଇପାରେ । ନେତା ଅଭାବରୁ ବିଜେପି ଆଗକୁ ବଢି ପାରୁ ନାହିଁ । ଠିକ ଏକା ଢଙ୍ଗରେ କଂଗ୍ରେସ ମଧ୍ୟ ନେତା ଅଭାବରୁ ଆଗକୁ ବଢିପାରୁ ନାହିଁ ।ଏହାର ଫାଇଦା ନେଉଛି, ବିଜେପି । ନହେଲେ ତାର ଅସ୍ତିତ୍ୱ ନାହିଁ କହିଳେ ଚଳେ ।
କଂଗ୍ରେସର କେନ୍ଦ୍ରିୟ ନେତୃତ୍ୱ ଓଡିଶା ଉପରେ ସେପରି ଗୁରୁତ୍ୱ ଦେଲା ଭଳି ମନେ ହେଉ ନାହିଁ । କଂଗ୍ରେସ ତୁଳନାରେ ବିଜେପି ଓଡିଶାକୁ ଅଧିକ ଗୁରୁତ୍ୱ ଦେଉଚି । ଯାହାର ସୁଫଳ ସେ ପାଉଛି । ମାତ୍ର ଏବେ ବି ବିଜେପି ପୁଷ୍ୟିହୀନ ଶିଶୁ ଅବସ୍ଥାରେ ଥିବାରୁ ପ୍ରୋଟିନ ଅଭାବରୁ ଆଗକୁ ବଢିପାରୁ ନାହିଁ ।
ଏସବୁର ଫାଇଦା ବିଜେଡି ଶିବିରକୁ ଯାଉଚି । ଯଦି ତିନୋି ମୁଖ୍ୟ ଦଳର ନେତାଙ୍କ ସହ ଆଲୋଚନା କରାଯାଏ, ତେବେ ଦେଖାଯିବ ଯେ ବିଜେଡିର ନବୀନ ପଟନାୟକ ଦୀର୍ଘ ୧୮ ବର୍ଷ ଧରି କ୍ଷମତାରେ ଥିଲେବି ତାଙ୍କର ବ୍ୟକ୍ତିଗତ ସ୍ୱଛତା ସବୁଠୁ ଅଧିକ । ତାଙ୍କ ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗ ନାହିଁ କହିଳେ ଚଳେ । ସବୁଠାରୁ ବଡ କଥା ହେଲା, ସେ ସବୁବେଳେ ନିଜ ଭୋଟ ବ୍ୟାଙ୍କ ପ୍ରତି ସଚେତନ । ସେମାନଙ୍କୁ କିପରି ଭାବେ ଖୁସ କରିବାକୁ ହୁଏ, ସେ କଥା ନବୀନବାବୁ ଜାଣନ୍ତି । ଏଣୁ ଦୀର୍ଘ ବର୍ଷ ଧରି କ୍ଷମତାରେ ଥବଲେ ବି ତାଙ୍କ ପ୍ର୍ତି ସାଧାରଣ ଲୋକଙ୍କ ରୋେ ନାହିଁ ।
ଅପର ପକ୍ଷରେ ଦୀର୍ଘ ବର୍ଷ ଧରି କଂଗ୍ରେସ କ୍ଷମତାରେ ଥିଲା । ବର୍ତମାନର ତଥାକଥିତ ନେତାମାନେ ସେତେବେଳେ କ୍ଷମତା ଉପଭୋଗ କରିଥିଲେ । ସେତେବେଳେ ସେମାନେ ସାଧାରଣ ଳୋକଙ୍କ କଥା ବା ନିଜ ଭୋଟ ବ୍ୟାଙ୍କ କଥା ଚିନ୍ତା କରି ନଥିଲେ । ବରଂ କେମିତି ନିଜ କ୍ଷମତା ବଜାୟ ରହିବ, ସେ ନେଇ ଉଦ୍ୟମ କରିଥିଲେ । ବରଂ କଂଗ୍ରେସର ଭୋଟ ବ୍ୟାଙକରେ ନିଜ ରୁଟି ସେକିବାକୁ ଚେଷ୍ଟା କରିଥିଲେ । ଯାହାର ପରିଣାମ ଏବେ ଦଳକୁ ଭୋଗ କରିବାକୁ ପଡୁଛି । ଦଳ ଯଦି ନିଜ ଭିତରେ ନେତୃତ୍ୱ ବଦଳରେ ଲୋକଙ୍କ କଥା ଚିନ୍ତା କରନ୍ତା ତେବେ ହୁଏତ ଲୋକଙ୍କ ଉପରେ କିଛିଟା ପ୍ରଭାବ ପଡନ୍ତା । ଦଳ ଭିତରେ ବହୁ ବଡ ବଡ ନେତା ରହିଯାଇଥିବାରୁ ସେମାନେ ଗୋଷ୍ଠୀ ଗଢିବାରେ ବ୍ୟସ୍ତ । ସେଥିପାଇଁ ଦଳ ପଛରେ ରହିଯାଇଛି । ବର୍ତମାନର କଂଗ୍ରେସ ନେତାମାନେ ପୂର୍ବରୁ ଲୋକଙ୍କ ଦ୍ୱାରା ପରିକ୍ଷିତ । ପୂର୍ବରୁ ଅନେକ ପ୍ରତିଶୃତି ଦେଇ ରଖିନାହାନ୍ତି ।
ଏବେ ଆସିବା ବିଜେପି କଥାକୁ । ଦଳ ନବୀନ ପଟନାୟକଙ୍କ ହାତ ଧରି କିଛି ବାଟ ଆଗେଇ ଯାଇଥିଲା । ମାତ୍ର ତାହକୁ ବଜାୟ ରଖିପାରିଲା ନାହିଁ । କାହିଁକି ଦଳ ନିଜର ପତିଆରା ରଖିପାରିଲା ନାହିଁ, ସେ ନେଇ ତର୍ଜମା କରିବା ପରିବର୍ତେ, ଦଳ ଭିତରେ କ୍ଷମତା ପାଇଁ ଲଢେଇ ଚାଲିଛି । କେନ୍ଦ୍ରରେ ଦଳ କ୍ଷମତାରେ ଥିବାରୁ କେବଳ ଟଙ୍କା ଖର୍ଚ କରି କିଛି ଟା ସଫଳତା ପାଇଛି । ଏହାହିଁ ତାର ଏକମାତ୍ର ସମ୍ବଳ । କେବଳ ସଭା କରିଦେଲେ କେହି ନିର୍ବାଚନରେ ଜିତିପାରିବ ନାହିଁ । ବିଜେପି ଯେଉଁ କାମ କରିବା କଥା କହୁଛି, ତାହା ତଏମିତି ହେବା କଥା । ଲୋକଙ୍କୁ କଣ ଦେଇଛି? କେଉଁ ଭୋଟ ବ୍ୟାଙ୍କକୁ ସେ ଧରି ରଖିପାରିଛି? ଯାହାକୁ ଧରି ନିର୍ବାଚନ ବୈତରଣୀ ପାର ହେବ?
କେବଳ ପ୍ରଧାନମନ୍ତ୍ରୀଙ୍କ ଭାଷଣ ବା ଉଜ୍ୱଳା ଯୋଜନା ଭୋଟ ଆଣି ନପାରେ । ନରେନ୍ଦ୍ର ମୋଦିଙ୍କ ସଭା କେବଳ ଗତାନୁଗତିକ ଥିଲାବେଳେ ନବୀନ ପଟନାୟକଙ୍କ ସଭା ଥିଲା, ଗୋଟିଏ ନିର୍ଦ୍ଦିଷ୍ଟ ଭୋଟ ବ୍ୟାଙ୍କକୁ କରାୟତ କରିବା ।

Leave a Reply

Your email address will not be published.