ଭୂତମୁଣ୍ଡାଇ ବନ୍ଦ ସଫଳ: ଜନ ସାଧାରଣଙ୍କ ଦାବିକୁ ମାନିନେଲା ପ୍ରଶାସନ
ପାରାଦୀପ, (ଓଏନ୍ଏସ୍): କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ନିକଟରେ ଆଜି ସକାଳ ଆଠ ଘଟିକାରୁ ସଂଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଚକ ଅଖ ଯାମ କରି ଦିଆ ଯାଇଥିଲା । ସ୍ଥାନୀୟ ଜନସାଧାରଣଙ୍କ ମୁଖ୍ୟ ସମସ୍ୟାକୁ ସମାଧାନ କରିବା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା । ହେଲେ ସରକାର ସବୁ ଘଟଣାକୁ ଏଡାଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଯାଉଥିଲେ । ଯାହା ଫଳରେ ସ୍ଥାନୀୟ ଅଂଚଳର ସାତଟି ପନ୍ଚାୟତର ଅଣତିରିଷ ଗ୍ରାମର ନାହିଁ ନଥିବା କ୍ଷତି ପରିଲକ୍ଷିତ ହେଉଥିଲା । ଚାଷ କ୍ଷତି ହେବା ଠାରୁ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯିବା ସହିତ ଟୋପାଏ ବର୍ଷା ହେଲେ କୃର୍ତୀମ ବନ୍ୟା ସୃଷ୍ଟି ହେଉଥିଲା । ତେଣୁ ପୂର୍ବ ଯୋଜନା ମୁତାବକ ଆଜି ଶୀତ ସକାଳରୁ ଶହଶହ ସ୍ଥାନୀୟ ଅଧିବାସୀ, ମହିଳା, ବୁଢା, ବୁଢି, ଛୋଟ ପିଲା, ରାଜନେତା ରାଜ୍ୟ ରାଜ ପଥ ଏବଂ ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ । ଯାହା ଫଳରେ ଜୀବନ ଯାତ୍ରା ସମ୍ପୁର୍ଣ୍ଣ ଠପ ହୋଇ ପଡିଥିଲା । ତେଣୁ ଦୀର୍ଘ ସମୟ ରାସ୍ତା ରୋକ ପରେ ଅପରାହ୍ନରେ ପ୍ରଶାସନ ଆନେ୍ଦାଳନ କାରୀଙ୍କ ନିକଟରେ ପହଁଚି ଆପୋଷ ସମାଧାନର ପନ୍ଥା ଆପଣେଇ ଥିଲେ । ହଳଦୀ ପାଣି ଅବରୋଧକୁ ଉଚ୍ଛେଦ କରିବା ପ୍ରସ୍ତାବକୁ ପନ୍ଦର ଦିନ ମଧ୍ୟରେ ସମାଧାନ କରିବାକୁ ସମୟ ନେଇଥିଲେ । ତତ୍ ସହିତ ଭୂତମୁଣ୍ଡାଇ ଠାରେ ପାରାଦୀପ ବନ୍ଦର ଦ୍ୱାରା ପ୍ରସ୍ତାବିତ ଟ୍ରକ ଟର୍ମିନାଲକୁ ନ କରିବା ସହିତ ସୁପର ଷ୍ପେସାଲିଟ୍ ହସ୍ପିଟାଲ ସ୍ଥାପନକୁ ଗୁରୁତ୍ୱ ପ୍ରଦାନ କରାଯିବା ପାଇଁ ସ୍ଥାନୀୟ ଅଂଚଳର ଦାବିକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଆଲୋଚନା ମଧ୍ୟମରେ ସମାଧାନ କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ । ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧିର, କୁଜଙ୍ଗ ତହସିଲଦାର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ଆଇଆଇସି ଉପସ୍ଥିତ ରହି ସ୍ଥାନୀୟ ନେତୃ ମଣ୍ଡଳୀ ସଂଜୟ ସ୍ୱାଇଁ, ସଂଜୟ ବେହେରା, ଜାନକୀ ମହାରଥି, ଧିରେନ୍ଦ୍ର କୁମାର ସ୍ୱାଇଁ, ଭଂଜନ ମଲ୍ଲ, ଜ୍ୟୋର୍ତିମୟୀ ସ୍ୱାଇଁ, ଶ୍ରୀବଲ୍ଲଭ କର, ଦେବ ମହାନ୍ତି, ପ୍ରଶାନ୍ତ ଚୈାଧୁରୀ, ହରେକୃଷ୍ଣ ମିଶ୍ର, ଦିବ୍ୟଜ୍ୟୋତି ପଲାଇ, ବିଜନ ସାହୁ, ସଂଜତ୍ ପ୍ରଧାନ , ଟିଟନ ମହାମାତ୍ର, ଛଚି ସାହୁ , ପ୍ରଶନ୍ନ ନାୟକ ପ୍ରମୁଖଙ୍କ ସହିତ ଆଲୋଚନା କରି ତୁରନ୍ତ ସମାଧାନ କରିବାକୁ ନିଷ୍ପତି ପରେ ରାସ୍ତା ଅବରୋଧ ହଟି ଯାନ ବାହାନ ଚଳାଚଳ ସ୍ୱଭାବିକ ହୋଇଥିଲା ।