ଭୁବନେଶ୍ୱର ଅଟୋ ଓ ଟ୍ୟାକ୍ସି ମହାସଂଘର ସଡକ ସୁରକ୍ଷା ଦିବସ
ଭୁବନେଶ୍ୱର, (ଓଏନ୍ଏସ୍): ଭୁବନେଶ୍ୱର ଅଟୋ ଓ ଟ୍ୟାକ୍ସି ମହାସଂଘ ପକ୍ଷରୁ ସଡକ ସୁରକ୍ଷା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ଆର୍.ଟି.ଓ. ପ୍ରଦୀପ କୁମାର ମହାନ୍ତି ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ମାଷ୍ଟର କ୍ୟାଂଟିନ୍ଠାରୁ ଏକ ସଚେତନତା ରାଲି ବାହାରି ହେଲମେଟ୍ ପିନ୍ଧି ଗାଡି ଚଳାଅ, ଗାଡି ଚଲାଇବା ବେଳେ ମୋବାଇଲ୍ ବ୍ୟବହାର କରନାହିଁ, ମଦ୍ୟପାନ କରି ଓ ଦୃତଗତିରେ ଗାଡି ଚଳାଅ ନାହିଁ, ଟ୍ରାଫିକ୍ ନିୟମ ମାନ, ଭଳି ନାରା ସହିତ ଟ୍ରାଫିକ୍ ଫାଣ୍ଡିଠାରେ ପହଂଚିଥିଲା । ସେଠାରେ ସଂଘର ସଂପାଦକ ପଦ୍ମନ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଯୋଗ ଦେଇ ଟ୍ରାଫିକ୍ ନିୟମ ମାନି ଗାଡି ଚଳାଇବା ସହିତ ମଦ୍ୟପାନଠରୁ ଦୂରରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଟ୍ରାଫିକ୍ ଡିସିପି ବିଜୟ କୁମାର ସାହୁ ଯୋଗ ଦେଇ ସ୍ମର୍ଟ ସିଟିରେ ସ୍ମାର୍ଟ ହୋଇ ସବୁ ନିୟମ ମାନି ଗାଡି ଚାଳନା କଲେ ଆମଠାରୁ ଅନ୍ୟମାନେ ସିଖିବେ ବୋଲି କହିଥିଲେ । ଅନ୍ୟତମ ଅତିଥି ଟ୍ରାଫିକ୍ ଏସିପି ଅନୁପ କାନୁନ୍ଗୋ କହିଥିଲେ, ରଙ୍ଗରେ କେହି ଗାଡି ଚଲାନ୍ତୁ ନାହିଁ । ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ପାଷୋର ଚେୟାରମ୍ୟାନ୍ ସୟଦ ମକବୁଲ ଅଲ୍ଲି, ଆରଟିଓ ଡିସିପି ଏଲ୍.ଏନ୍. ପାଢ଼ି, ଅତିରିକ୍ତ ଜିଲ୍ଲାପାଳ ଅତନୁ ବେହେରା, ଟ୍ରକ ମାଲିକ୍ ସଂଘର ସଭାପତି ପ୍ରଣବ କୁମାର ପରିଜା, ଏଭିଆଇ, ସଂଜୟ ଦାସ ଓ ବି. ପାଣିଗ୍ରାହୀ, ପିଆଜିଓ ସେଲ୍ସ ମୁଖ୍ୟ ସନ୍ତୋଷ କୁମାର ଦାସ, ବାଜାଜର ସେଲ୍ସ୍ ମୁଖ୍ୟ ଗିରିଶ ପତି, କାର୍ଯ୍ୟକାରୀ ସଭାପତି ସୟଦ ଅଲ୍ଲି ଜୁନେଥ୍, ସଂପାଦକ ବିଜୟ ପଟ୍ଟନାୟକ, କରୁଣାକର ଦାସ ଓ ସମସ୍ତ ସଂଘର କର୍ମକର୍ତା ଏବଂ ସଭ୍ୟମାନେ ଉପସ୍ଥିତ ଥିଲେ । ପଥପ୍ରାନ୍ତ ନାଟକ ‘ସଡକ ସୁରକ୍ଷା, ଜୀବନ ରକ୍ଷା’ ପରିବେଶିତ ହୋଇଥିଲା । ମହିଳା ଅଟୋଚାଳକ ସନ୍ତୋଷୀଙ୍କୁ ସମ୍ମାନିତ କରାଯାଇଥିଲା ।