ଗଜପତି ଜିଲ୍ଲାରେ ୬୩୦ କୋଟିର ପ୍ରକଳ୍ପ
ପାରଳାଖେମୁଣ୍ଡି, (ଓଏନ୍ଏସ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ଗାରାବନ୍ଧା ଠାରେ ଆୟୋଜିତ “କାଳିଆ” ମହା ସମାବେଶରେ ଯୋଗ ଦେଇ “କାଳିଆ”ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି । ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତମାନ ସୁଦ୍ଧା ୩୦ ଲକ୍ଷ ଚାଷୀଙ୍କୁ “କାଳିଆ”ଯୋଜନାରେ ପଂଜୀକରଣ କରାଯାଇଥିଲା ବେଳେ ଆଉ ୧୦ ଲକ୍ଷ ଚାଷୀଙ୍କର ପଂଜୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାର ୭ଟି ବ୍ଲକରେ ୬୩୦ କୋଟି ଟଙ୍କା ବ୍ୟୟରେ ସଂପୂର୍ଣ୍ଣ ହୋଇଥିବା ୬୦ଟି କାର୍ଯ୍ୟର ଉଦ୍ଘାଟନ କରିଥିଲା ବେଳେ ୭୮୩ଟି ପ୍ରକଳ୍ପ ପାଇଁ ଶୁଭ ଦେଇଥିଲେ । ଉକ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ୭ଟି ବ୍ଲକର ୭ଜଣ ମହିଳା ଓ ୭ଜଣ ପରୁଷ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ମୁଖ୍ୟମନ୍ତ୍ରୀ ଆଉରି ମଧ୍ୟ କହିଥିଲେ ଯେ, ଜଙ୍ଗଲ ଜମି ଉପରେ ଜନଜାତି ବର୍ଗର ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ସରକାର ଲଢେଇ କରିବେ । ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଂଚଳ ଡ଼ିଆଇଜି ଯତୀନ୍ଦ୍ର କୋଏଲଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ, ଜିଲ୍ଲାପାଳ, ପିଡ଼ି, ଏସପି ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ ।