କେନ୍ଦ୍ରାପଡ଼ାରେ ବିଜେଡ଼ିର ବିଜୟ ଏତେ ସହଜ ନୁହେଁ!

ଶରତ କୁମାର ରାଉତ
କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ରାଜନୀତିକ ଦୃଶ୍ୟପଟ୍ଟ କ୍ରମେ ପରିବର୍ତନ ହେବାରେ ଲାଗିଛି । ଗତ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନ ସମେତ ପାଟକୁରା, କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ମାହାଙ୍ଗା ବିଧାନସଭା ଆସନ ବିଜେଡ଼ି ହାତକୁ ଯାଇଥିଲା ବେଳେ ରାଜନଗର, ଆଳି ଓ ସାଲେପୁର ଆସନ କଂଗ୍ରେସ ଅକ୍ତିଆରକୁ ଯାଇଥିଲା । ମାତ୍ର ସମୟ ବଦଳିବା ସହ ଏଠାକାର ରାଜନୀତିକ ପାଣିପାଗ ମଧ୍ୟ ବଦଳିବାରେ ଲାଗିଛି । ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କର ହାୱାରେ କେତେକ ବିଜେଡ଼ି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏଥର ବିଭିନ୍ନ ବିଧାନସଭା ନିର୍ବାଚନ କ୍ଷେତ୍ରରେ ବିଜେଡ଼ିରୁ ଲଢିବାକୁ ଆଶାୟୀଙ୍କ ସଂଖ୍ୟା ୫,୬,୭ ଓ ୮କୁ ଛୁଇଁଲାଣି । ପ୍ରାୟ ସବୁ ଆସନରେ ଦଳୀୟ ପ୍ରାର୍ଥୀତ୍ୱ ପାଇଁ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇ ଗଲାଣି ।
ସଂପ୍ରତି ରାଜନଗର ବିଧାନସଭା କ୍ଷେତ୍ରର ରାଜନୀତିକ ପାଣିପାଗ ବଦଳୁଛି । ଏଥର ଏହି ନିର୍ବାଚନ କ୍ଷେତ୍ରରେ ବିଜେଡ଼ିରୁ ଲଢିବାକୁ ଆଶାୟୀଙ୍କ ସଂଖ୍ୟା ୭/୮କୁ ଛୁଇଁଲାଣି । ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡ଼ି ସଭାପତି ଧୃବ ସାହୁ, ଯୁବ ନେତା ଅଜିତ ନାୟକ, କୃତିବାସ ପାତ୍ର, ସୁନିତା ପ୍ରଧାନ, ବିଜୟ କୁମାର ରାଉତ, ଉଦୟ ଚାନ୍ଦ ମଲ୍ଲିକ, ନିଶିକାନ୍ତ ପ୍ରଧାନ ଆଦି ଆଶାୟୀ ଅଛନ୍ତି । ସମସ୍ତେ ନିଜ ନିଜ ସ୍ତରରେ ଦଳୀୟ ପ୍ରାର୍ଥୀତ୍ୱ ପାଇଁ ଉଦ୍ୟମ ଆରମ୍ଭ କରି ଦେଲେଣି । ସେହିପରି ଏହି ଆସନରେ କଂଗ୍ରେସ ପ୍ରାର୍ଥୀତ୍ୱ ପାଇଁ ଦାବିଦାରଙ୍କ ମଧ୍ୟରେ ବିଧାୟକ ଅଂଶୁମାନ ମହାନ୍ତି ଏବଂ ଯୁବନେତା ମନୋରଞ୍ଜନ ରାଉତରାୟ ସବୁଠୁ ଆଗରେ ରହିଛନ୍ତି । ଏଠାରେ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ଅଲେଖ ଜେନା ଓ ଜ୍ଞାନ ରଂଜନ ବେଉରା ଆଶାୟୀ ପ୍ରାର୍ଥୀ ଅଛନ୍ତିି । ରାଜନଗର ବିଧାନସଭା କ୍ଷେତ୍ର ଅନୁଧ୍ୟାନ ପରେ ଜାଣିବାକୁ ମିଳୁଛି ଯେ, ବିଧାୟକ ଅଂଶୁମାନ ମହାନ୍ତିଙ୍କ ଦୃଢ ନେତୃତ୍ୱରେ କଂଗ୍ରେସ ସଂଗଠନ ନିଜର କାୟା ବିସ୍ତାର କରି ଚାଲିଛି । ବିଜେଡ଼ିର ସମସ୍ତ ଆଶାୟୀ ପ୍ରାର୍ଥୀ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ସାଧାରଣ ଲୋକଙ୍କ ପ୍ରିୟ ଭାଜନ ହୋଇଛନ୍ତି । ଏମାନଙ୍କର ରାଜନୀତିକ ଦକ୍ଷତା ଜିଲ୍ଲାବାସୀ ଜାଣିଛନ୍ତି ।
ତେବେ ବିଜେଡ଼ି ରାଜନୀତିରେ ପୁରୁଣା ଅଜିତ ନାୟକ ୧୯୯୦ରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ହେଲା ପରେ ବାରମ୍ବାର ତାଙ୍କୁ ଭେଟି ନିଜ ଚାକିରି କଥା କହିଲେ । କିନ୍ତୁ ବିଜୁବାବୁ ତାଙ୍କୁ କହିଲେ, ଚାକିରି ଠାରୁ ବ୍ୟବସାୟ ଭଲ । ତୁ ମନପ୍ରାଣ ଦେଇ ବ୍ୟବସାୟ କର । ସେଦିନ ଠାରୁ ସେ ବ୍ୟବସାୟ ଆରମ୍ଭ କଲେ । ବହୁ ପରିଶ୍ରମ କରି ଆଜି ସେ ସଫଳ ହୋଇଛନ୍ତି । ୨୦୦୨ ରେ ପ୍ରଥମ କରି ବିଜେଡ଼ି ଟିକଟରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ୧୫ ନମ୍ବର ଜୋନ୍ରେ ସେ ଏକାକୀ ବିଜେଡ଼ି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ଅଜିତ ବାବୁ ଜଣେ ପ୍ରଗତିଶୀଳ ମଣିଷ ଭାବେ ରାଜନଗର ଆସନ ପାଇଁ ବିଜେଡ଼ି ଟିକଟ ପାଇବେ ବୋଲି ଆଶା ରଖିଛନ୍ତି ।
ମହାକାଳପଡ଼ା ବିଧାନସଭା କ୍ଷେତ୍ରରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବିଜେଡ଼ି ସଂଗଠନ ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ବିଜେଡ଼ି ବା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କର କୌଣସି ସଶକ୍ତ ସଂଗଠନ ନଥିଲା । ବରଂ ନବୀନ ପଟ୍ଟନାୟକଙ୍କ ହାୱା ଯୋଗୁ ଶ୍ରୀ ନାୟକ ଏଠାରୁ ବିଜୟୀ ହୋଇଛନ୍ତି । ସ୍ଥାନୀୟ ବିଜେଡ଼ିର ନାମ ମାତ୍ର ସଂଗଠନଟି ଅତନୁବାବୁଙ୍କୁ ବିରୋଧ କରିବା ଆରମ୍ଭ କରିଛି । ସହଜେ ନିକଟ ଅତୀତରେ କୌଣସି ମାମଲାରେ ହାଜର ହେବାକୁ ତାଙ୍କୁ ସିବିଆଇ ଚିଠି କରିଥିôବାରୁ ଆସନ୍ତା ନିର୍ବାଚନରେ ତାଙ୍କର ପ୍ରାର୍ଥୀତ୍ୱ ନେଇ ସନେ୍ଦହ ରହିଛି । ଏଠାରେ ବିଜେଡ଼ିର ସଞ୍ଜୟ ଲେଙ୍କାଙ୍କ ସମେତ ଆଉ ଦୁଇ ତିନି ଜଣ ବିଜେଡ଼ିରୁ ଟିକଟ ପାଇବାକୁ ଉଦ୍ୟମ ଚଳାଇଛନ୍ତି । ଏହି ଅଂଚଳ ସ୍ୱର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ଅଭେଦ୍ୟ ଦୁର୍ଗ ଭାବେ ଅନେକ ବର୍ଷ ତଳୁ ରହିଥିଲା । ଆଉ ଏବେ ସ୍ୱର୍ଗତ ମହାନ୍ତିଙ୍କ ପୁତ୍ର ଅଂଶୁମାନ ମହାନ୍ତିଙ୍କ ପ୍ରାର୍ଥୀତ୍ୱକୁ ଆଶା କରି ଏଠାରେ କଂଗ୍ରେସର ହାୱା ବଢୁଛି । ସେହିପରି ବିଜେପିର ଅନ୍ୟତମ ତୁଙ୍ଗ ଯୁବନେତା ତଥା ମହାକାଳପଡ଼ା ଜିଲ୍ଲା ପରିଷଦ ସଦସ୍ୟ ଦେବ ଚୌଧୁରୀ ଏଠାରୁ ବିଜେପିରୁ ପ୍ରାର୍ଥୀ ହେବାର ଅଧିକ ସମ୍ଭାବନା ରହିଛି । ଏଠାରେ ସେ ବିଜେପି ସଂଗଠନକୁ ମଜଭୁତ କରିବାରେ ଲାଗି ପଡ଼ିଛନ୍ତି ।
ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ କେଶରୀ ଦେବ ଆଳି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ସଂଗଠନକୁ ମଜଭୁତ କରିବାରେ ଲାଗି ପଡ଼ିଛନ୍ତି । ଅନ୍ୟ ପକ୍ଷରେ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠନ ମଧ୍ୟ ନିଜର କାୟା ବିସ୍ତାର କରି ଚାଲିଛି । ପାଟକୁରା ନିର୍ବାଚନ ମଣ୍ଡଳୀରେ ବେଦ ପ୍ରକାଶ ଅଗ୍ରୱାଲାଙ୍କର ଲୋକପ୍ରିୟତା ଧୀରେଧୀରେ ହ୍ରାସ ପାଉଛି । ତେବେ ଏଠାରେ ବିଜେଡ଼ିର ଆଶାୟୀ ପ୍ରାର୍ଥୀ ଭାବେ ବିଧାୟକ ବେଦୁ ବାବୁଙ୍କ ସମେତ ପ୍ରମୋଦ ସାହୁ, ତେଜେଶ୍ୱର ପରିଡ଼ା, ରବି ସାମଲ, ସାନ୍ତନୁ ନାୟକଙ୍କ ଭଳି ନେତାମାନେ ବିଜେଡ଼ି ଟିକଟ ପାଇଁ ଉଦ୍ୟମ ଚଳାଇଛନ୍ତି । କେନ୍ଦ୍ରାପଡ଼ା ସଂରକ୍ଷିତ ବିଧାନସଭା ଆସନରେ ବିଜେଡ଼ିର ସଂଗଠନ ଅପେକ୍ଷାକୃତ ଦୁର୍ବଳ ଥିବାବେଳେ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠନ ନିଜର କାୟା ବିସ୍ତାର କରିଚାଲିଛି । ତେବେ ଏହି ସଂରକ୍ଷିତ ଆସନରୁ ବିଧାୟକ କିଶୋର ତରାଇଙ୍କ ସମେତ ଦୁଷ୍ମନ୍ତ ମଲ୍ଲିକ, ନିମାଇଁ ସେଠୀ ଓ ମୁରଲୀଧର ସେଠୀ ବିଜେଡ଼ି ଟିକଟରେ ଲଢିବାକୁ ଆଶା ବାନ୍ଧିଛନ୍ତି । ମାହାଙ୍ଗା ବିଜେଡ଼ି ସଂଗଠନ କ୍ରମେ ଦୁର୍ବଳ ହେଉଥିବା ଦେଖାଯାଉଛି । ତେବେ ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା ବର୍ତମାନର ମାହାଙ୍ଗା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ପିସି ଖାଉଥିବା ଅଭିଯୋଗ ଆଣିଛନ୍ତି । ଏହାଦ୍ୱାରା ମନ୍ତ୍ରୀ ଶ୍ରୀ ଜେନାଙ୍କର ଭବିଷ୍ୟତ ରାଜନୀତି ପ୍ରଭାବିତ ହେବାର ସମ୍ଭାବନା ଥିବା ରାଜନୀତିକ ବିଷଶଷଜ୍ଞ ମାନେ ମତ ଦେଉଛନ୍ତି । ଏଠାରେ ମଧ୍ୟ ଆଉ କେତେକ ଆଗ ଧାଡ଼ିର ବିଜେଡ଼ି ନେତା ଦଳୀୟ ସଂଗଠନକୁ ମଜଭୁତ କରିବାରେ ସହାୟତା କରୁଛନ୍ତି । ସାଲେପୁରରେ ବିଧାୟକ ତଥା କଂଗ୍ରେସ ନେତା ପ୍ରକାଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଳୀୟ ସଂଗଠନ ମଜଭୁତ ହେବାରେ ଲାଗିଛି । ଏଠାରେ କିଛି ଆଗ ଧାଡ଼ିର ବିଜେଡ଼ି ନେତା ଦଳୀୟ ସଂଗଠନକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଦେଖା ଯାଉଛି ।
ସବୁ କଳ୍ପନା-ଜଳ୍ପନାର ଅନ୍ତ ଘଟାଇ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେଇଛନ୍ତି । ଏଥିନେଇ ରାଜ୍ୟ ବିଜେପି ଦଳ ସମେତ କେନ୍ଦ୍ରାପଡ଼ା ଅଂଚଳରେ ଆନନ୍ଦର ଲହଡ଼ି ଖେଳି ଯାଇଛି । ତେବେ ସେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପିରୁ ସାଂସଦ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ଥିଲେ ହେଁ ଦଳ ପକ୍ଷରୁ ତାଙ୍କୁ ହୁଏତ ଢେଙ୍କାନାଳ ଲୋକସଭା ଆସନରେ ଲଢିବାକୁ ସୁଯୋଗ ଦିଆଯାଇ ପାରେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । କେତେକ ବିଜେଡ଼ି ବିଧାୟକଙ୍କର ସାଧାରଣ ଲୋକଙ୍କୁ ଉପେକ୍ଷା ଯୋଗୁ ଲୋକେ ସେହି ନେତାଙ୍କ ଉପରେ ଭରଷା କରି ପାରୁ ନାହାନ୍ତି ଓ ଏବେ ବିଜେଡ଼ି ବିରୋଧୀ ହାୱା ବହିଲାଣି । ଏହି ଦୃଷ୍ଟିରୁ ଆଗାମୀ ନିର୍ବାଚନରେ କେନ୍ଦ୍ରାପଡ଼ା ବିଜେପି କିମ୍ବା କଂଗ୍ରେସ ଅକ୍ତିଆରକୁ ଚାଲିଯିବା ଆଶଙ୍କାକୁ ଏଡ଼ାଇ ହେବ ନାହିଁ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଚାଲିଛି ।

Leave a Reply

Your email address will not be published.