ଓଡ଼ିଶାରେ ସ୍ୱାସ୍ଥ୍ୟସେବା ନିମ୍ନମାନର କାହିଁକି?

ଶରତ କୁମାର ରାଉତ
ଦେଶରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ୧୪ ବର୍ଷ ତଳେ କାର୍ଯ୍ୟକାରୀ ହୋଇଥିଲା ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ୍ । ଏହି କ୍ରମରେ ଓଡ଼ିଶାରେ ମିସନ୍ର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରାଜ୍ୟବାସୀ ଉଚ୍ଚମାନର ମୌଳିକ ସ୍ୱାସ୍ଥ୍ୟସେବା ପାଇବେ ବୋଲି ଗଭୀର ଆଶା ବାନ୍ଧିଥିଲେ । ଧୀରେ ଧୀରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ହୋଇ ଚାଲିଲା । ବିଭିନ୍ନ ଯୋଜନାରେ ଲୋକେ ଉପକୃତ ହେଲେ । ମା’ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ମିସନ୍ ଜରିଆରେ ଯେଭଳି ବ୍ୟବସ୍ଥା କଲେ, ତାହା ସେହି ହତଭାଗ୍ୟ ମା’ ଓ ଶିଶୁ ମାନଙ୍କ ପାଇଁ ଆଶୀର୍ବାଦ ହେଲା । ମୁଖ୍ୟମନ୍ତ୍ରୀଙ୍କ ସୁନାମ ଆଗକୁ ବଢି ଚାଲିଲା । ମାତ୍ର ନବିନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି ୪ର୍ଥ ଥର ପାଇଁ ଶାସନ ଭାର ଗ୍ରହଣ କରିବା ପରଠାରୁ ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭୁଷୁଡ଼ି ପଡ଼ିବା ପର୍ବ ଆରମ୍ଭ ହେଲା । କ୍ରମେ ସ୍ୱାସ୍ଥ୍ୟସେବା ଗମ୍ଭୀର ଅବସ୍ଥା ଦେଇ ଗତି କଲା । ଏହି ଅବସ୍ଥା ପ୍ରାୟ ୨୦୧୭ ମାର୍ଚ୍ଚ ପର୍ଯ୍ୟନ୍ତ ବଳବତର ରହିଲା । ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଜାଡ଼ିବାକୁ ବିଜେଡ଼ି ସରକାରଙ୍କୁ ୧୪ ବର୍ଷ ଧରି ଯେଭଳି କଷ୍ଟ କରିବାକୁ ପଡ଼ିଥିଲା, ତାହା ଧୂଳିସାତ୍ ହୋଇ ଗଲା । ପଙ୍ଗୁ ପାଲଟି ଗଲା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା । ସବୁ କ୍ଷେତ୍ରରେ ଫେଲ୍ ମାରିଲା ସ୍ୱାସ୍ଥ୍ୟ ବିଭାଗ । ବିଭାଗୀୟ ଦାୟିତ୍ୱହୀନତା ଯୋଗୁ କେଉଁଠି ଅସହାୟ ଆଦିବାସୀ ମଣିଷ ହସ୍ପିଟାଲ୍ ରୁ ନିଜ ସ୍ତ୍ରୀର ଶବକୁ ନିଜ କାନ୍ଧରେ ବୋହି ନେଲା ତ କେଉଁଠି ଅଟୋରେ ବା କାନ୍ଧରେ ବୁହା ହୋଇ ଯାଉଥିବା ଗର୍ଭବତୀ ମା’ଟି ପ୍ରସବ କଲା ତ ରକ୍ତ ଅଭାବରୁ ଗର୍ଭବତୀ ମା’ ତଥା ବିଭିନ୍ନ ଜଟିଳ ରୋଗୀ ଅକାଳ ମୃତୁ୍ୟ ବରଣ କଲେ । ଶିଶୁ ମୃତୁ୍ୟ ଓ ମାତୃ ମୃତୁ୍ୟ ହାର ସର୍ବୋଚ୍ଚ ଶିଖରରେ ପହଂଚି ଗଲା । ମାଲକାନାଗିରି ଜିଲ୍ଲାରେ ୨୦୧୬ ସେପ୍ଟେମ୍ବର ୧୧ରୁ ଅକ୍ଟୋବର ୨ତାରିଖ ମଧ୍ୟରେ ମାରାତ୍ମକ ଜାପାନୀ ଏନ୍ସେଫାଲାଇଟ୍ସ (ମସ୍ତିଷ୍କ ଜ୍ୱର)ରେ ୧୦୨ ଶିଶୁଙ୍କର ମୃତୁ୍ୟ ଘଟିଥିବା ସରକାରୀ ଭାବେ କୁହାଯାଇଥିଲେ ହେଁ ଏହି ସଂଖ୍ୟା ବହୁ ଅଧିକ ବୋଲି ଚର୍ଚ୍ଚା ହୋଇଥିଲା । ଜିଲ୍ଲାର ଦୁର୍ଗମ ଅଂଚଳରେ ଏହି ରୋଗରେ ଓ ପୃଷ୍ଠିହୀନତାରେ ଅନେକ ଆକ୍ରାନ୍ତ ହେଲେ । ସାରା ଅଂଚଳରେ ହୃଦୟ ବିଦାରକ ପରିବେଶ ସୃଷ୍ଟି ହେଲା । ଏହି ଖବର ସାରା ରାଜ୍ୟକୁ ମଧ୍ୟ ସ୍ତବ୍ଧ କରି ଦେଲା । ଏମିତି କାହିଁକି, କ’ଣ ପାଇଁ ଘଟୁଛି, ପ୍ରଶ୍ନବାଚୀ ସୃଷ୍ଟି କଲା । ଓଡ଼ିଶାରେ ଏଭଳି ଘଟଣା ନୂଆ ନୁହେଁ । ମାଲକାନାଗିରି ହେଉ କି ନଗଡ଼ା କି ନବରଙ୍ଗପୁର, ଏଭଳି ଆମ ରାଜ୍ୟରେ ଅନେକ ଗାଁ ଅଛି, ଯେଉଁଠି ସ୍ୱାସ୍ଥ୍ୟ ପ୍ରଶାସନ ଏବେ ବି ପହଂଚି ପାରିନାହିଁ ।
୨୦୧୬ରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ନଗଡ଼ା ଗ୍ରାମରେ ପୃଷ୍ଠିହୀନତା ଯୋଗୁ ୨୨ ରୁ ଉଦ୍ଧ୍ୱର୍ ଶିଶୁଙ୍କର ଅକାଳ ମୃତୁ୍ୟ ଖବର ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଥିଲା । ୨୦୧୫ରେ ଓଡ଼ିଶାର ସବୁଠୁ ବୃହତମ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ବା ଶିଶୁ ଭବନରେ ୧୧ ଦିନ ମଧ୍ୟରେ ୫୩ ଜଣ ନବଜାତ ଓ କୋମଳମତି ଶିଶୁଙ୍କର ଅକାଳ ମୃତୁ୍ୟ ଘଟିଥିଲା । ବଡ଼ ମେଡ଼ିକାଲ୍ ହେଉ କି ଜିଲ୍ଲା ହସ୍ପିଟାଲ୍ କି ଗୋଷ୍ଠୀ ସ୍ୱାସ୍ଥୃକେନ୍ଦ୍ର, ସବୁଠି ଚିକିତ୍ସାସେବା ଅଭାବରୁ ଧାରାବାହିକ ଭାବେ କୋମଳମତି ଶିଶୁ ମାନଙ୍କର ମୃତୁ୍ୟ ଘଟି ଚାଲିଛି । ଏହାଠୁ ଆହୁରି ଅଧିକ ମୃତୁ୍ୟସଂଖ୍ୟା ଦୁର୍ଗମ ଗ୍ରାମାଂଚଳରେ । ଗତ ୪ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଅଂଚଳରେ ଶହଶହ ଶିଶୁ ଅକାଳ ମୃତୁ୍ୟ ବରଣ କରିଛନ୍ତି । ଆଦିବାସୀ ଓ ଦୁର୍ଗମ ଅଂଚଳରେ ଜଣ୍ଡିସ୍, ମ୍ୟାଲେରିଆ, ଡ଼ାଇରିଆ ଆଦି ମାରାତ୍ମକ ସଂକ୍ରାମକ ରୋଗରେ ଲୋକେ ପୋକମାଛି ଭଳି ମରୁଛନ୍ତି । ଅସଜଡ଼ା ଭିତିଭୂମି ସାଙ୍ଗକୁ ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କର ଘୋର ଅଭାବ । ଅଧିକାଂଶ ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ରେ ପ୍ରଭାବୀ ଚିକିତ୍ସା ବ୍ୟବସ୍ଥା ନାହିଁ । ଆଇସିୟୁ ପ୍ରକୋଷ୍ଠରେ ତାଲା ଝୁଲୁଛି । କେତେକ ସ୍ଥାନରେ ଜୀବନ ରକ୍ଷାକାରୀ ଅକ୍ସିଜେନ୍ର ସଂଯୋଗ ମଧ୍ୟ ନାହିଁ । ସ୍ୱାସ୍ଥ୍ୟ ମିସନ୍ର ହର୍ତର୍ାକର୍ତା ସାଜିଥିବା ଅନଭିଜ୍ଞ ଓ ଅସ୍ଥାୟୀ କର୍ମଚାରୀଙ୍କ ହାତରେ ଛାଡ଼ି ଦିଆ ଯାଉଛି ରାଜ୍ୟର ସ୍ୱାସ୍ଥ୍ୟସେବା ଭଳି ଗୁରୁ ଦାୟିତ୍ୱ । ସରକାରୀ ଡ଼ାକ୍ତରଖାନାରେ ରୋଗୀମାନେ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି । ଏଠାରେ ସୁବିଧାରେ ରକ୍ତ, ମଳ, ମୂତ୍ର ଆଦି ବିଭିନ୍ନ ପରିକ୍ଷା ବ୍ୟବସ୍ଥା ଥିôଲେ ହେଁ ରୋଗୀଙ୍କୁ ଘରୋଇ ପରିକ୍ଷାଗାର ଉପରେ ନିର୍ଭର କରିବାକୁ ପଡ଼ୁଛିÿ । କେବିକେ ଜିଲ୍ଲାରେ ମ୍ୟାଲେରିଆ ଓ ରକ୍ତ ହୀନତା ରୋଗ ଭଳି ଅତି ମାରାତ୍ମକ ରୋଗ ଭୟଙ୍କର ରୂପ ନେଉଛି । ରକ୍ତ ଅଭାବରୁ ଗର୍ଭବତୀ ମା’ ଓ ବିଭିନ୍ନ ଜଟିଳ ରୋଗୀ ଅକାଳ ମୃତୁ୍ୟବରଣ କରୁଛନ୍ତି । ୨୦୨୦ ସୁଦ୍ଧା ଶିଶୁ ଓ ମାତୃ ମୃତୁ୍ୟହାର ଯଥେଷ୍ଟ କମାଇବାକୁ ୨୦୧୫ ମଇ ୧୯ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା୧୫ଟି ପଛୁଆ ଜିଲ୍ଲାର ୬୮ଟି ଅବହେଳିତ ବ୍ଲକ୍ରେ ୫୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଯୋଜନା ଘୋଷଣା ଫେଲ୍ ମାରିଛି । ଏହି ଯୋଜନା ୨୦୧୫ ଅଗଷ୍ଟ ୭ ତାରିଖରେ କାର୍ଯ୍ୟକାରୀ ହୋଇଥିଲେ ହେଁ ବର୍ତମାନ ସୁଦ୍ଧା ଏଥିରୁ କୌଣସି ସୁଫଳ ମିଳିନାହିଁ । ସରକାରୀ ଡ଼ାକ୍ତରଖାନାରେ ୨୪ ଘଂଟା ମାଗଣା ଔଷଧ ବାଂଟିବାକୁ ୨୦୧୫ ମଇ ୧ ତାରିଖରୁ ‘ନିରାମୟ’ ଯୋଜନା ଆରମ୍ଭ ହୋଇଥିଲା । ୩୪୮ ପ୍ରକାର ଔଷଧ ମାଗଣାରେ ଦିଆ ଯିବା ଦୂରର କଥା, ସାଧାରଣ ରୋଗର ବଟିକା ମଧ୍ୟ ରୋଗୀ ପାଉ ନାହାନ୍ତି । ଏହି ସମୟ ମଧ୍ୟରେ ଲକ୍ଷଲକ୍ଷ ଟଙ୍କାର ମୂଲ୍ୟବାନ୍ ଔଷଧ ରୋଗୀଙ୍କୁ ଦିଆ ନଯାଇ ନଷ୍ଟ କରାଯାଇ ଥିବା ବେଳେ ଅବଧି ସମୟ ପରେ କିଛି ଔଷଧ ରୋଗୀଙ୍କୁ ଦିଆ ଯାଇଥିଲା । ଏହାଛଡ଼ା ଔଷଧ ଓ ଚିକିତ୍ସା ଉପକରଣ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା କେତେକ କମ୍ପାନୀଙ୍କ ଜୀବନ ରକ୍ଷାକାରୀ ଔଷଧ ଓ ଇଂଜେକ୍ସନ୍ ନିମ୍ନ ମାନର ବୋଲି ଯାଂଚ ବେଳେ ଜଣାପଡ଼ିଥିଲା । ପ୍ରାୟ ସବୁ କମ୍ପାନୀଙ୍କର ଔଷଧ ଓ ଇଂଜେକ୍ସନ୍ ନିମ୍ନ ମାନର ହେବା ମୂଳରେ କିଛି ବିରାଟ ଷଡ଼ଯନ୍ତ୍ର ଥିବା ପ୍ରସଙ୍ଗ ଚର୍ଚ୍ଚା ପରିସରକୁ ଆସିଥିଲା ।
ସେହିପରି ସରକାରୀ ଅବହେଳା ଯୋଗୁ ଭୁବନେଶ୍ୱରସ୍ଥିତ ଡ଼ା.ଅଭିନ୍ନ ଚନ୍ଦ୍ର ହୋମିଓପାଥୀ ମେଡ଼ିକାଲ୍ କଲେଜରେ ଆବଶ୍ୟକୀୟ ଭିତିଭୂମିର ଅଭାବ ସାଙ୍ଗକୁ ପ୍ରଫେସର, ଅଧ୍ୟାପକ, ଡ଼ାକ୍ତର ଓ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଛି । ମହାକାଳପଡ଼ାର ବାବର ଭଳି ରାଜ୍ୟର ଶହଶହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଦୂରବସ୍ଥା ମଧ୍ୟରେ ଗତି କରୁଛି । ଅଧିକାଂଶ ସ୍ୱାସ୍ଥ୍ୟକେନ୍ଦ୍ରରେ ଅତ୍ୟାବଶ୍ୟକ ଔଷଧ, ଚିକିତ୍ସା ଉପକରଣ, ଡ଼ାକ୍ତରଙ୍କର ଅଭାବ ସାଙ୍ଗକୁ ଉପଯୁକ୍ତ ଭିତିଭୂମିର ସୁବିଧା ନାହିଁ ।
ଇତିମଧ୍ୟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଦୁର୍ନୀତି ଓ ଅନିୟମିତତାର ଗର୍ଭ ମଧ୍ୟକୁ ଠେଲି ହୋଇ ଯାଇଛି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନର ବିଭିନ୍ନ କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ଅନାବଶ୍ୟକ ଭାବେ ଖର୍ଚ୍ଚ ହେଉଛି । ମାତ୍ର ଟଳମଳ ଅବସ୍ଥାାରେ ଥିବା ସ୍ୱାସ୍ଥ୍ୟ ଭିତିଭୂମିିର ବିକାଶ ହୋଇପାରି ନାହିଁ । ଏବେ ସହରାଂଚଳରେ ୮୦ଭାଗ ଲୋକେ ଘରୋଇ ଚିକିତ୍ସା ଉପରେ ନିର୍ଭର କରୁଥିବା ବେଳେ ସରକାରୀ ଚିକିତ୍ସାସେବା ଉପରେ ମାତ୍ର ୨୦ଭାଗ ଲୋକେ(ଦରିଦ୍ର, ଅସହାୟ) ନିର୍ଭର କରନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ସରକାରୀ ସ୍ୱାସ୍ଥ୍ୟ ସେବା ମାଗଣାରେ ମିଳୁଥିବା ବେଳେ ଲୋକେ ଖର୍ଚ୍ଚାନ୍ତ ହୋଇ ଘରୋଇ ଚିିକିତ୍ସାଳୟକୁ ଯାଆନ୍ତି କାହିଁକି?
ବିଭାଗୀୟ ନିଦେ୍ର୍ଦଶକ ଓ ସିଡ଼ିଏମ୍ଓ ସ୍ୱାସ୍ଥ୍ୟସେବା ସଂପର୍କୀୟ କୌଣସି ନୀତି ନିର୍ଦ୍ଧାରଣ କରନ୍ତି ନାହିଁ । ରାଜନୀତିକ ନେତାଙ୍କ ଫୋନ୍ ଦ୍ୱାରା ସ୍ୱାସ୍ଥ୍ୟସେବା ପରିଚାଳନା ହୁଏ, ଡ଼ାକ୍ତର ଓ କର୍ମଚାରୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରାଯାଏ । ବଦଳି ଋତୁରେ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ବଦଳିରେ ବି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦପ୍ତର ହସ୍ତକ୍ଷେପ କରିବା ଅଭିଯୋଗ ଅତି ଲଜ୍ଜାଜନକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଗତ ୧୮ ବର୍ଷ ମଧ୍ୟରେ ଯେଉଁ କେତେଜଣ ଅଭିଜ୍ଞ ମନ୍ତ୍ରୀ ବିଭାଗର ଦାୟିତ୍ୱ ନେଇଛନ୍ତି, ସେମାନେ ଅଳ୍ପ ସମୟ ଭିତରେ ବିଭାଗରେ ନୂଆ ସଂସ୍କାର ଆଣିବା ବେଳକୁ ତାଙ୍କୁ ପଦରୁ ହଟାଇ ଦିଆଯାଇଛି । ବର୍ତମାନର ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୟରେ ମଧ୍ୟ ସ୍ୱାସ୍ଥ୍ୟସେବାର ଆଶାନୁରୂପ ଉନ୍ନତି ହୋଇ ପାରିନାହିଁ । ତେବେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ମନ୍ତ୍ରୀ ଓ ସଚିବଙ୍କର ଆଦୌ ଆନ୍ତରିକତା ନଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave a Reply

Your email address will not be published.