୬ ବିଧାୟକଙ୍କୁ ବଦଳାଇଲେ ନବୀନ
ଭୁବନେଶ୍ୱର, (ଓଏନ୍ଏସ୍) : ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଢ଼େଙ୍କାନାଳ ଓ କେନ୍ଦୁଝର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଆଜି ଘୋଷିତ ୭ଟି ବିଧାନସଭା ଆସନ ମଧ୍ୟରୁ ୬ ଜଣ ବିଧାୟକଙ୍କୁ ପରିବର୍ତ୍ତନ କରାଯାଇଛି। ପାଲଲହଡା ବିଧାୟକ ମହେଶ ସାହୁଙ୍କୁ ନବୀନ ପଟ୍ଟନାୟକ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ।
ସେହିପରି କେନ୍ଦୁଝର ସାଂସଦ ପ୍ରାର୍ଥୀ ଭାବେ ନୂଆ କରି ଚନ୍ଦ୍ରାଣୀ ମୁର୍ମୁଙ୍କ ନାମ ଘୋଷଣା କରାଯାଇଛି । ଚନ୍ଦ୍ରାଣୀ ଜଣେ ମେକାନିକାଲ ଇଂଜିନିୟର୍ । ସେ ଗତକାଲି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। କେବଳ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ପୁଣି ଦଳୀୟ ପ୍ରାର୍ଥୀ କରାଯାଇଛି।
ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରେ ବିଜୟ କୁମାର ମହାନ୍ତିଙ୍କୁ ବଦଳାଇ ନବୀନ ଏଥର ବାଛିଛନ୍ତି ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ ମେୟର୍ ଥିବା ଅନନ୍ତ ନାରାୟଣ ଜେନାଙ୍କୁ । ସେହିପରି ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶିୀ ମିଶ୍ରଙ୍କ ସ୍ଥାନରେ ସୁଶାନ୍ତ କୁମାର ରାଉତଙ୍କୁ ପ୍ରାର୍ଥୀ କରାଯାଇଛି। କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କୁ ଏଥର ଟିକେଟ ଦିଆଯାଇ ନାହିଁ। ତାଙ୍କ ସ୍ଥାନରେ ଅଶୋକ ବଳଙ୍କୁ ପ୍ରାର୍ଥୀ କରାଯାଇଛି। ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ବଦଳାଯାଇ ରାଜ୍ୟସଭା ସଦସ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଏଥର ନିର୍ବାଚନ ମଇଦାନକୁ ପଠାଯାଇଛି। ପାଲଲହଡ଼ା ବିଧାନସଭା ଆସନରେ ମୁକେଶ ପାଲ୍ଙ୍କୁ ପ୍ରାର୍ଥୀ କରାଯାଇଛି। ଆଠମଲ୍ଲିକର ବିଧାୟକ ସଞ୍ଜୀବ କୁମାର ସାହୁଙ୍କୁ ବଦଳାଯାଇ ରମେଶ ଚନ୍ଦ୍ର ସାଇଙ୍କୁ ଦଳୀୟ ଟିକେଟ ଦିଆଯାଇଛି।