ମହାକାଳପଡ଼ାରେ ବିଜେପିର ଶକ୍ତି ବୃଦ୍ଧି ପାଉଛି: ବିଜେଡ଼ି-ବିଜେପି ମଧ୍ୟରେ କଡ୍ଡା ଟକ୍କର
ମହାକାଳପଡ଼ା, (ଓଏନ୍ଏସ୍): ମହାକାଳପଡ଼ା ବିଧାନସଭା ଆସନରେ ବିଜେଡ଼ିରୁ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜେପିରୁ ବିଜୟ ପ୍ରଧାନ ଓ କଂଗେସରୁ ବିଭ୍ରାଂଶୁ ଶେଖର ଲେଙ୍କା ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ବିଧାନସଭା କ୍ଷେତ୍ରରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବିଜେଡ଼ି ସଂଗଠନ ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ବିଜେଡ଼ି ବା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କର ଏଠାରେ କୌଣସି ସଶକ୍ତ ସଂଗଠନ ନଥିଲା କି ଏବେ ନାହିଁ । ବରଂ ନବୀନ ପଟ୍ଟନାୟକଙ୍କ ହାୱା ଯୋଗୁ ଶ୍ରୀ ନାୟକ ଏଠାରୁ ବିଜୟୀ ହୋଇଛନ୍ତି । ସ୍ଥାନୀୟ ବିଜେଡ଼ିର ନାମ ମାତ୍ର ସଂଗଠନଟି ଅତନୁବାବୁଙ୍କୁ ବିରୋଧ କରିବା ଆରମ୍ଭ କରିଛି । ଏହି ଅଂଚଳରେ ବିଧାୟକ କୌଣସି ଆଖିଦୃଶିଆ କାମ କରି ନଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଲୋକମାନେ ଅଧିକାଂଶ ସରକାରୀ ଯୋଜନାର ସୁଫଳ ପାଇ ପାରୁନାହାନ୍ତି । ପାନୀୟ ଜଳ ଓ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟୟ ହୋଇ ପଡ଼ିଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏହି ଅଂଚଳରେ ନିମ୍ନଗାମୀ ହୋଇ ପଡ଼ିଛି । ସବୁ ସରକାରୀ ଉନ୍ନୟନ ଯୋଜନାରେ ପିସି କାରବାର ଯୋଗୁ ସାଧାରଣ ଲୋକଙ୍କ ପାଖରେ ଯୋଜନା ପହଂଚୁ ନାହିଁ । ଲୋକେ କାମ ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷକାର୍ଯ୍ୟ ବିପର୍ଯ୍ୟସ୍ତ ହେଉଛି । ସେହିପରି ଗାଁ, ସହର ଆଦି ଚାରିଆଡ଼େ ମଦର ବନ୍ୟା ଛୁଟୁଛି । ଲୋକଙ୍କର ମୌଳିକ ସମସ୍ୟା ସମାଧାନ ଅପେକ୍ଷା ଅଧିକ ରାଜସ୍ୱ ମିଳୁଥିବାରୁ ମଦର ପ୍ରସାରକୁ ସରକାର ଗୁରୁତ୍ୱ ଦେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଯାହା ଚଳିତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ସାଧାରଣ ଲୋକଙ୍କ ସମେତ ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି ।
ତେବେ ନିର୍ବାଚନର ଅବ୍ୟବହିତ ପୂବରୁ ମହାକାଳପଡ଼ା ବିଧାନସଭା କ୍ଷେତ୍ରର ରାଜନୀତିକ ସ୍ଥିତି ସଂପର୍କରେ ସମୀକ୍ଷାରୁ ଜଣା ପଡ଼ିଛି ଯେ, କଂଗ୍ରେସ ଏଠାରେ ବହୁ ପଛରେ ପଡ଼ିଛି । ମାତ୍ର ଅଧିକାଂଶ ଅଂଚଳରେ ବିଜେପିର ଢେର ଶକ୍ତି ବୃଦ୍ଧି ହୋଇଛି । ମୁଖ୍ୟତଃ କେନ୍ଦ୍ରାପଡ଼ା ଲୋକସଭାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଜେପି ନେତାମାନେ ନିୟମିତ ଏହି ଅଂଚଳ ବୁଲି ସାଧାରଣ ଲୋକଙ୍କ ସୁଖ-ଦୁଃଖରେ ଭାଗି ହେଉଛନ୍ତି । ଯାହା ଏହି ଅଂଚଳରେ ବିଜେପିର ଶକ୍ତି ବୃଦ୍ଧି ହେବାରେ ବେଶ ସହାୟକ ହୋଇଛି । ଏଠାରେ ସର୍ବତ୍ର ବିଜେପି ହାୱା ବହୁଛି । ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡା ଓ ଶ୍ରୀ ପ୍ରଧାନ ତଥା ଦଳୀୟ ନେତାମାନେ ସାଧାରଣ ଭୋଟରଙ୍କ ନିକଟରେ ପହଂଚି ପାରିଛନ୍ତି । କେତେକ ବିଜେପି ଶୂନ୍ୟ ଅଂଚଳରେ ଏବେ ବିଜେପିର ସଂଗଠନ ବଢି ବଢି ଚାଲିଛି । ଏହି ଦୃଷ୍ଟିରୁ ବିଜେପି ଏଠାରେ ଆଗରେ ଚାଲିଛି ବୋଲି କୁହାଯାଉଛି । ତେବେ ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନ ଓ ବିଜେଡ଼ି ପ୍ରାର୍ଥୀ ଅତନୁ ନାୟକଙ୍କ ମଧ୍ୟରେ କଡ୍ଡା ମୁକାବିଲା ହେବ ବୋଲି ସ୍ଥାନୀୟ ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ବାସ୍ତବତା ଦେଖାଗଲେ, ସମଗ୍ର ଅଂଚଳରେ ଆବଶ୍ୟକୀୟ ଉନ୍ନୟନ କାର୍ଯ୍ୟ ହୋଇ ନଥିବାରୁ ସାଧାରଣ ଭୋଟର ବିଧାୟକଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି । ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନ ଜଣେ ସରଳ, ଭଦ୍ର, ଅଭିଜ୍ଞ ଓ ନିଷ୍ଠାପର ବ୍ୟକ୍ତିତ୍ୱ । ସେ ଜଣେ ପ୍ରଗତିଶୀଳ ମଣିଷ ଭାବେ ପରିଚିତ । ଏଠାରେ ଯଦିଓ ତି୍ରମୁଖୀ ଲଢେଇ ହେବାର ଚର୍ଚ୍ଚା ହେଉଛି, ମାତ୍ର ବାସ୍ତବରେ ବିଜେପି ଓ ବିଜେଡ଼ି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ତଥା କେତେକ ରାଜନୀତିକ ସମୀକ୍ଷକ ମତ ଦେଉଛନ୍ତି ।