ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମଜଭୁତ ହେଉନି କାହିଁକି?

ଶରତ କୁମାର ରାଉତ
ଓଡ଼ିଶାରେ ଅନେକ ସ୍ୱାସ୍ଥ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଗୁଡ଼ାଏ ନିଷ୍ପତି ଓ ପଦକ୍ଷେପ ଗ୍ରହଣ କରାଯାଉଛି । ହେଲେ ସ୍ୱାସ୍ଥ୍ୟସେବାର ଉନ୍ନତି ଶୂନ । ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ତଥା ଶିଶୁ ଓ ମାତୃ ମୃତୁ୍ୟହାର ହ୍ରାସ ପାଇଁ କାର୍ଯ୍ୟକାରୀ ହୋଇଥିବା୧୯୮୩-୮୪ରେ ଜାତୀୟ ସ୍ୱାସ୍ଥ୍ୟ ନୀତି, ୧୯୮୭-୮୮ରେ ପ୍ରଜନନ ଶିଶୁସ୍ୱାସ୍ଥ୍ୟ ପ୍ରକଳ୍ପ, ୧୯୯୯-୨୦୦୭ ରେ ଓଡ଼ିଶା ସ୍ୱାସ୍ଥ୍ୟ ଉନ୍ନୟନ ପ୍ରକଳ୍ପ, ୨୦୦୧-୦୨ ରେ ଶିଶୁ ମୃତୁ୍ୟହାର ହ୍ରାସ ମିସନ୍,୨୦୦୨-୦୩ ରେ ସମନ୍ୱିତ ସ୍ୱାସ୍ଥ୍ୟସେବା ନୀତି ଓ କୌଶଳ ଭିଜନ୍-୧୦, ୨୦୦୫ରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନ୍, ୨୦୦୭ ରୁ ନରୱେ ଏବଂ ଭାରତ ସରକାରଙ୍କ ମିଳିତ ସହଯୋଗ (ନିପି)ରେ ଯଶୋଦା ନିଯୁକ୍ତି ଓ ମାତୃ-ଶିଶୁ ସ୍ୱାସ୍ଥ୍ୟ ଯୋଜନା, ୨୦୧୧ ଅକ୍ଟୋବର ୧୯ ରୁ ମମତା ଯୋଜନା ଆଦି ଫେଲ୍ ମାରିଛି ।୨୦୨୦ ସୁଦ୍ଧା ଶିଶୁ ଓ ମାତୃ ମୃତୁ୍ୟହାର ଯଥେଷ୍ଟ କମାଇବାକୁ ୨୦୧୫ ମଇ ୧୯ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା୧୫ଟି ପଛୁଆ ଜିଲ୍ଲାର ୬୮ଟି ଅବହେଳିତ ବ୍ଲକ୍ରେ ୫୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଯୋଜନା ଘୋଷଣା ମଧ୍ୟ ଫେଲ୍ ମାରିଛି । ଏହି ସ୍ୱତନ୍ତ୍ର ଯୋଜନା ୨୦୧୫ ଅଗଷ୍ଟ ୭ ତାରିଖରେ କାର୍ଯ୍ୟକାରୀ ହୋଇଥିଲେ ହେଁ ବର୍ତମାନ ସୁଦ୍ଧା ଏଥିରୁ କୌଣସି ସୁଫଳ ମିଳିନାହିଁ । ୨୦୧୭ ଡ଼ିସେମ୍ବର ୩ୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ୪ ନୂଆ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଗୁଡ଼ିକ ହେଲା, “ନିଦାନ”, “ସହାୟ”, “ଆମ କ୍ଲିନିକ୍” ଓ “ଅନମୋଲ୍ ଟାବ୍ଲେଟ୍” । ଆଉ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୮ ଅଗଷ୍ଟ ୧୫ ତାରିଖରେ କାର୍ଯ୍ୟକାରୀ ହୋଇଥିଲା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ । ହେଲେ ଏହି ଯୋଜନା ଗୁଡ଼ିକ ଯେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ସଂସ୍କାର ଆଣିବ ବା ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ କରାଇବ, ଏହାର କିଛି ଗ୍ୟାରେଂଟି ନଥିବା ଜଳଜଳ ଦେଖା ଯାଉଛି । ଯେହେତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ସ୍ୱାସ୍ଥ୍ୟ ପ୍ରକଳ୍ପ ଗୁଡ଼ିକ ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜଭୁତ କରିବାରେ ବିଫଳ ହୋଇଛି । ବିଭିନ୍ନ ପ୍ରକଳ୍ପ ଛଡ଼ା ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ୟୁନିସେଫ୍, ବିଶ୍ୱସ୍ୱାସ୍ଥ୍ୟ ସଂଗଠନ, ବିଶ୍ୱବ୍ୟାଙ୍କ, ବି୍ରଟିଶ୍ ଏଡ଼୍ସ ସ୍କିମ୍, ୟୁଏନ୍ଡ଼ିପି, ଆରସିଏଚ୍, ଡ଼୍ୟାନଟିବି, କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜେଡ୍ÿଏସ୍ଏସ୍, ଆଇଏନ୍ଡ଼ିପି, ଆଇପିଡ଼ିପି, ଆଇଇସି ଆଦି ସଂସ୍ଥାରୁ ସ୍ୱାସ୍ଥ୍ୟ ବିଭାଗକୁ କୋଟି କୋଟି ଟଙ୍କା ଆସୁଛି । ହେଲେ ଯୋଜନା ଚାଲିଛି କିପରି, କେଉଁଠି ଓ କାହାପାଇଁ(?), କେହି କିଛି ଜାଣିପାରୁ ନାହାଁନ୍ତି । କେବଳ ସ୍ପଷ୍ଟ ଦେଖାଯାଉଛି, ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ବିଶେଷତଃ ଶିଶୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ମୃତୁ୍ୟର ଅାଁ ଭିତରକୁ ଚାଲି ଯାଇଛି ।
ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମିର ଅଭାବ ଓ ପରିଚାଳନାଗତ ତୃଟି ସୀମା ପାର କରିଛି । କଟକ ଶିଶୁ ଭବନ ଶିଶୁ ମୃତୁ୍ୟ, ନଗଡ଼ା ଆଦିବାସୀ ଶିଶୁ ମୃତୁ୍ୟ ଓ ମାଲକାନଗିରିରେ ଲଗାତାର ଅବୋଧ ଆଦିବାସୀ ଶିଶୁଙ୍କର ମୃତୁ୍ୟ ବିଭିଷୀକା ଏହାର ଜ୍ୱଳନ୍ତ ଉଦାହରଣ । ଅଧିକାଂଶ ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ରେ ଆଇସିୟୁ ପ୍ରକୋଷ୍ଠରେ ତାଲା ଝୁଲୁଛି । କେତେକ ସ୍ଥାନରେ ଜୀବନ ରକ୍ଷାକାରୀ ଅକ୍ସିଜେନ୍ର ସଂଯୋଗ ମଧ୍ୟ ନାହିଁ । ରାଜ୍ୟରେ ୩୧୪ଟି ବ୍ଲଡ଼୍ ଷ୍ଟୋରେଜ୍ ୟୁନିଟ୍, ଉପଜିଲ୍ଲା ଓ ଜିଲ୍ଲା ହସ୍ପିଟାଲ୍ ମାନଙ୍କରେ ବ୍ଲଡ଼୍ ବ୍ୟାଙ୍କ୍ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ମିସନ୍ର ଲକ୍ଷ୍ୟ ଫେଲ୍ ମାରିଛି । ମିସନ୍ର ହର୍ତାକର୍ତା ସାଜିଥିବା ଅନଭିଜ୍ଞ, ଅଦକ୍ଷ ଓ ଅସ୍ଥାୟୀ କର୍ମଚାରୀଙ୍କ ହାତରେ ଛାଡ଼ି ଦିଆ ଯାଉଛି ରାଜ୍ୟର ସ୍ୱାସ୍ଥ୍ୟସେବା ଦାୟିତ୍ୱ । ସରକାରୀ ଡ଼ାକ୍ତରଖାନାରେ ରୋଗୀମାନେ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି । ଏଠାରେ ସୁବିଧାରେ ରକ୍ତ, ମଳ, ମୂତ୍ର ଆଦି ବିଭିନ୍ନ ପରିକ୍ଷା ବ୍ୟବସ୍ଥା ଥିôଲେ ହେଁ ରୋଗୀଙ୍କୁ ଘରୋଇ ପରିକ୍ଷାଗାର ଉପରେ ନିର୍ଭର କରିବାକୁ ପଡ଼ୁଛିÿ । ବହୁମୂଲ୍ୟ ଔଷଧ ମିଳିବାତ ଦୂରର କଥା, ସାଲାଇନ୍ ବା ସାଧାରଣ ରୋଗର ବଟିକା ମଧ୍ୟ ରୋଗୀଙ୍କୁ ବାହାରୁ କିଣିବାକୁ ପଡୁଛିÿ । ରାଜ୍ୟ ସରକାର କୋଟିକୋଟି ଟଙ୍କାର ଅନେକ ପ୍ରକାର ଔଷଧ କିଣନ୍ତି । ମାତ୍ର ସେସବୁ ରୋଗୀଙ୍କ ଭାଗରେ ପଡ଼େନି । କର୍ମଚରୀଙ୍କ ଦ୍ୱାରା କିଛି ହରିଲୁଟ୍ ହୁଏ, କିଛି ସମୟ ସୀମା ଶେଷ ପରେ ବଂଟାଯାଏ ଓ ଆଉକିଛି ବର୍ଷ ଶେଷ ବେଳକୁ ନଷ୍ଟ କରି ଦିଆଯାଏ । ତେବେ ସରକାରୀ ଡ଼ାକ୍ତରଖାନାରେ ୨୪ ଘଂଟା ମାଗଣା ଔଷଧ ବାଂଟିବାକୁ ୨୦୧୫ ମଇ ୧ ତାରିଖରୁ ‘ନିରାମୟ’ ଯୋଜନା ଆରମ୍ଭ ହୋଇଥିଲା । ଏହା ହାସ୍ୟାସ୍ପଦରେ ପରିଣତ ହୋଇଛି । ତଥାପି ଟଳମଳ ଅବସ୍ଥାରେ ଥିବା ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ସ୍ଥାନରେ ଲୋକମାନଙ୍କୁ ଭୂଅାଁ ବୁଲାଇବା ପାଇଁ ନୂଆ ନୂଆ ଯୋଜନା ଘୋଷଣା ଚାଲିଛି । ଆଶ୍ଚର୍ଯ୍ୟର କଥା ଯେ, ସରକାର ଯେତେ ଯାହା କଲେ ବି ଲୋକଙ୍କୁ ନିର୍ଭର କରିବାକୁ ପଡ଼ୁଛି ଘରୋଇ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ।
୨୦୦୫ରୁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ୍ (ଏନ୍ଆର୍ଏଚ୍ଏମ୍) କାର୍ଯ୍ୟକାରୀ ହେଉଛି । ସମୁଦ୍ର ଲହଡ଼ି ଭଳି ଅନୁଦାନ ସ୍ରୋତ ମାଡ଼ି ଆସୁଛି । ରଙ୍ଗାରଙ୍ଗ ଘର, କାଚର ଦ୍ୱାର ଓ ଝରକା, ଏସି ମେସିନ୍, ମାର୍ବଲ୍ ଚଟାଣ, ଗଦି ଲଗା ଚେୟାର୍, ନିୟନ୍ ଲାଇଟ୍, ଶହଶହ ଗାଡ଼ି ଓ ସୁନ୍ଦର ଉଦ୍ୟାନରେ ହସ୍ପିଟାଲ୍ ଗୁଡ଼ିକ ଶୋଭା ପାଉଛି । ହେଲେ ବାସ୍ତବ ଭିତିଭୂମିର ବିକାଶ ହୋଇନାହିଁ । କୌଣସି ମୁହୂର୍ତରେ ମିସନ୍ କାର୍ଯ୍ୟ ବନ୍ଦ୍ ହୋଇଗଲେ ଓ ଅନୁଦାନର ମହାନଦୀ ଶୁଖି ଗଲେ, ତା’ପରେ ରାଜ୍ୟରେ କି ଅବସ୍ଥା ହେବ ବିଭାଗୀୟ ମନ୍ତ୍ରୀ କି ସଚିବ ଥରେ ଚିନ୍ତା କଲେଣି କି? ଆଜି ଯେତିକି ଭିତିଭୂମିର ବିକାଶ ହୋଇଥିବା ଆମେ ଦେଖୁଛେ, ତାହା ସ୍ୱାସ୍ଥ୍ୟ ମିସନ୍ର ଦାନ । ଆୟୂଷ କାର୍ଯ୍ୟକ୍ରମ ଅନ୍ତର୍ଗତ ହୋମିଓପାଥୀ, ଆର୍ୟୁବେଦ, ଯୋଗ, ୟୁନାନୀ, ସିଦ୍ଧ ଓ ନେଚରପାଥୀ ଚିକିସôା ସେବାର ଉନ୍ନତି କରାଇବା ମିସନ୍ର ମୂଳ ଲକ୍ଷ୍ୟ । ମିସନ୍ ଦ୍ୱାରା ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ େକେନ୍ଦ୍ରରେ ହୋମିଓ ଏବଂ ଆୟୁର୍ବେଦ ଡ଼ାକ୍ତର ନିଯୁକ୍ତି ଦିଆ ଯାଉଛି । ହେଲେ ହୋମିଓ ଏବଂ ଆୟୁର୍ବେଦ ଚିକିସôାଳୟ ଗୁଡ଼ିକରେ ଖାଲିଥିବା ପଦବୀ ପୂରଣ ହେଉ ନାହିଁ ଏବଂ ଏହି ଚିକିସôାଳୟ ଗୁଡ଼ିକ ଆଜି ମଧ୍ୟ ଚାଳ ଛପର କିମ୍ବା ଝୁମ୍ପୁଡ଼ି ଘରେ କାର୍ଯ୍ୟ କରୁଛି । ରାଜଧାନୀରେ ହୋମିଓ ଚିକିସôା ସେବା ଯୋଗାଣରେ ପ୍ରମୁଖ ଭୂମିକା ଥିବା ଡ଼ା. ଅଭିନ୍ନ ଚନ୍ଦ୍ର ହୋମୀଓପାଥୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ ଉପରେ ରାଜ୍ୟର ହଜାର ହଜାର ରୋଗୀ ଚିକିତ୍ସା ସେବା ପାଇଁ ନିର୍ଭର କରନ୍ତି । ଏଠାରେ ବହୁ ପଦବୀ ଖାଲି ପଡ଼ିଥିଲେ ହେଁ ମିସନ୍ କିମ୍ବା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଏଠାରେ ଅର୍ଦ୍ଧାଧିକ ମଞ୍ଜୁରୀପ୍ରାପ୍ତ ପ୍ରଫେସର, ରିଡ଼ର୍, ଅଧ୍ୟାପକ ଓ ୩ୟ ତଥା ୪ର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଖାଲି ପଡ଼ିଛି । ଏଠାକାର ଭିତିଭୂମି ବିକାଶର ଅତ୍ୟନ୍ତ ଆବଶ୍ୟକତା ରହିଛି ।
ରାଜ୍ୟରେ ଯୋଜନାର ଅଭାବ ନଥିବାବେଳେ ସରକାରୀ ସ୍ତରରେ ପ୍ରତିଦିନ ନୂଆ ନୂଆ ନିଷ୍ପତି ଓ ପଦକ୍ଷେପ ଘୋଷଣା କରାଯାଉଛି । ମିସନ୍ର ଅଜସ୍ର ଅନୁଦାନ ସତ୍ୱେ ଆମେ ଯଦି ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଧାରି ପାରିଲୁ ନାହିଁ, ତେବେ ଭଗବାନ୍ ବି ଆମକୁ କ୍ଷମା ଦେବେ ନାହିଁ । କୌଣସି ପ୍ରକଳ୍ପ, ଆଇନ୍ ଓ ପଦକ୍ଷେପ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ କାହିଁକି ଆଦର୍ଶ କରିପାରୁ ନାହିଁ, ତା’ ଉପରେ ବ୍ୟାପକ ସମୀକ୍ଷା ହେବା ଉଚିତ । ଅଯଥା ରାଜନୈତିକ ହସ୍ତକ୍ଷେପ ଓ ପ୍ରଶାସନିକ ଅପାରଗତା ଯୋଗୁଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସ୍ୱୟଂ ରୋଗଗ୍ରସ୍ତ ହୋଇ ଗଲାଣି । କାହିଁକି ଚିକିତ୍ସା ସେବାରେ ଉନ୍ନତି ହେଇ ପାରୁନି, କାହିଁକି ଆବଶ୍ୟକୀୟ ଭିତିଭୂମିର ଅଭାବ ଦେଖା ଦେଉଛି, ସେ ସଂପର୍କରେ କେହି ଭାବୁଛନ୍ତି କି? ଆଇନଗତ ବ୍ୟବସ୍ଥାକୁ ମଜଭୁତ୍ ଏବଂ ସ୍ୱାସ୍ଥ୍ୟ ପ୍ରଶାସନକୁ ଲୋକାଭିମୁଖୀ କରାଇବାକୁ ଆନ୍ତରିକତାର ଆବଶ୍ୟକତା ରହିଛି । ଆଜି ପର୍ଯ୍ୟନ୍ତ କୌଣସି ଜଣେ ମନ୍ତ୍ରୀ କି ସଚିବ ନିଜ କରିସ୍ମା ବଳରେ ସ୍ୱାସ୍ଥ୍ୟ ବିଭାଗରେ ସାମାନ୍ୟତମ ପରିବର୍ତନ ଆଣି ପାରି ନାହାନ୍ତି କି ନୂଆ ସଂସ୍କାର । ଏଇମାତ୍ର ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ବହନ କରିଥିବା ବରିଷ୍ଟ ବିଧାୟକ ନବ କିଶୋର ଦାସ ଜଣେ ଅଭିଜ୍ଞ ଓ ନିଷ୍ଠାପର ବ୍ୟକ୍ତିତ୍ୱ । ତାଙ୍କର ରାଜନୀତିକ ଜୀବନ ଭିତରେ ସେ ଆଜି ପର୍ଯ୍ୟନ୍ତ ସଫଳ ହୋଇ ଆସୁଛନ୍ତି । ସେହି ଦୃଷ୍ଟିରୁ ସେ ସ୍ୱାସ୍ଥ୍ୟ ବିଭାଗରେ ବ୍ୟାପକ ସଂସ୍କାର ଆଣିବା ସହିତ ସରକାରୀ ନୀତି କାର୍ଯ୍ୟକାରୀ କରିବାରେ ସଫଳ ହୋଇ ପାରିବେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published.