ଫୋନି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର ନିମନ୍ତେ ଜେଏସପିଏଲ ପକ୍ଷରୁ ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ
: ଜେଏସପିଏଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଆଜି ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ୩ କୋଟି ଟଙ୍କାର ଚେକ୍ ପ୍ରଦାନ କଲେ
ଭୂବନେଶ୍ୱର, (ଆଇଏନ୍ଏସ୍): ଫୋନି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସହାୟତା କରିବା ନିମନ୍ତେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସପିଏଲ) ପକ୍ଷରୁ ଓଡିଶା ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଜି ରାଜ୍ୟ ସଚିବାଳୟରେ ଜେଏସପିଏଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୩ କୋଟି ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ ।
ଏହି ସହାୟତା ରାଶି ପ୍ରଦାନ କରିବା ପରେ ଜେଏସପିଏଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ କହିଥିଲେ ଯେ, ଏକ ଦାୟୀତ୍ୱବାନ କର୍ପୋରେଟ୍ ଭାବରେ ଜେଏସପିଏଲ୍ ସବୁବେଳେ ପ୍ରାକୃତିକ ଦୁର୍ବିପାକ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତା କରିଆସିଛି । ଫୋନି ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଅଂଚଳର ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଅମେ ଓଡିଶାର ଜନସାଧାରଣ ତଥା ସରକାରଙ୍କ ସହିତ ରହିଛୁ । ରାଜ୍ୟ ସରକାରଙ୍କ ଦୁର୍ବିପାକ ପରିଚାଳନାକୁ ସେ ପ୍ରଶଂସା କରିବା ସହିତ ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ ।
ଫୋନି ବାତ୍ୟା ପରେ ଜେଏସପିଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱ ଅନୁଷ୍ଠାନ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ପୁରୀରେ ଜିଲ୍ଲା ପ୍ରଶାସନର ସମନ୍ୱୟରେ ବାତ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଏକ ଲକ୍ଷ ମିଲ୍ (ରନ୍ଧା ଖାଦ୍ୟ) ଯୋଗାଇ ଦିଆଯାଇଥିଲା । ଏହା ବ୍ୟତୀତ, ସୁନ୍ଦରଗଡର ଟେନ୍ସା ଠାରେ ଥିବା ଜେଏସପିଏଲ୍ ଟିଆରବି ମାଇନ୍ସ ପକ୍ଷରୁ ୫୦୦୦୦ ଲିଟର ପାନୀୟ ଜଳ ଏବଂ ଅନୁଗୁଳ କାରଖାନା ପକ୍ଷରୁ ସରକାରୀ କାର୍ଯ୍ୟାଳୟ ମରାମତି ନିମନ୍ତେ ସିମେଣ୍ଟ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦିଆଯାଇଥିଲା ।