ଜାଲି ସଂଗଠନ ବିରୁଦ୍ଧରେ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇଲେ ଜନସାଧାରଣ

ଜଗତସିଂହପୁର, (ଆଇଏନ୍ଏସ୍): ପାରାଦୀପ ବନ୍ଦର ଶିଳ୍ପ ନଗରୀର ସାଧାରଣ ଗରିବ ଜନତାଙ୍କୁ ଭୋକିଲା ନ ରଖିବା ପାଇଁ ସରକାର ଦୁଇଟି ଆହାର କେନ୍ଦ୍ରର ବ୍ୟବସ୍ଥା କରିଛନ୍ତି । ଖାଇବା ପାଇଁ ଆସୁଥିବା ଲୋକ ଦେବେ ୫ ଟଙ୍କା ଏବଂ ସରକାର ଖର୍ଚ୍ଚ କରିବେ ୧୫ ଟଙ୍କା । ଅଭିଯୋଗରୁ ଜଣା ପଡ଼ିଛି ଯେ, ଗୋଟିଏ ଜାଲି ସଂସ୍ଥାକୁ ତତକାଳିନ ଜିଲ୍ଲାପାଳ ଅହେତୁକ ଅନୁକମ୍ପା ଦେଖାଇ ଏହି ଦାଇତ୍ୱ ପ୍ରଦାନ କରିଥିଲେ । ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଅଭିଜିତ୍ ସ୍ୱାରକୀ ବ୍ୟବସାୟୀ ସହଯୋଗ ସମିତିର ପଞ୍ଜିକରଣ ନମ୍ବର ୧୫୯୨/୪୧-୨୦୦୪.୨୦୦୫ କୁ ବ୍ୟବହାର କରି ଜଣେ ବ୍ୟକ୍ତି ଏହାର ସଂପାଦକ ଭାବରେ ଏହି ଦୁଇଟି ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱ ନିଜ ନିୟସ୍ତ୍ରଣକୁ ନେଇଥିଲେ । ଯାହାକୁ ସହାୟତା କରିଥିଲେ ସ୍ୱର୍ଗୀୟ ପ୍ରାକ୍ତନ ପୌରାଧ୍ୟକ୍ଷା ଏବଂ ବର୍ତମାନର ଉପାଧ୍ୟକ୍ଷା । ଘଟଣାକ୍ରମେ ଗତ ଜାନୁୟାରୀ ୨୦୧୬ ମସିହାରେ ପାରାଦୀପ ଅଂଚଳରେ ଦୁଇଟି ଆହାର କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ସେହି ସମୟରେ ଅଭିଜିତ୍ ସ୍ୱାରକୀ ବ୍ୟବସାୟୀ ସହଯୋଗ ସମିତି ନାମରେ ଏକ ସଂଘ ୨୦୦୪ ମସିହାରେ ଅତିରିକ୍ତ ପଞ୍ଜିକରଣ ଅଧିକାରୀ ଜିଲ୍ଲାପାଳଙ୍କ ଦପ୍ତରରେ ପଞ୍ଜିକରଣ ହୋଇଥିଲା । ଯାହାର ସଭାପତି ଭାବେ ଦାଇତ୍ୱରେ ଥିଲେ ଗଦାଧର ଜେନା ଏବଂ ସମ୍ପାଦକ ପ୍ରଭାକର ସେନାପତି । ହେଲେ ଏହି ସଂଘର ନିଷ୍କ୍ରିୟତାର ସୁଯୋଗ ନେଇ ଆହାର କେନ୍ଦ୍ର ଦାଇତ୍ୱରେ ଥିବା ଜାଲି ସଂସ୍ଥାର ସଂପାଦକ ଉକ୍ତ ପଞ୍ଜିକରଣ ନମ୍ବରକୁ ବ୍ୟବହାର କରି ଓ କେତେକ ରାଜନେତାଙ୍କୁ ହାତେଇ ଆହାର କେନ୍ଦ୍ରକୁ ନିଜ ଅକ୍ତିଆରରେ ରଖିବାକୁ ସକ୍ଷମ ହୋଇଥିବା କୁହାଯାଉଛି । ଏପରିକି ଗଣ ମାଧ୍ୟମରେ ମିଛ ପ୍ରଚାର-ପ୍ରସାର କରି ରାଜ୍ୟ ମୁଖିଆଙ୍କ ଠାରୁ ପ୍ରସଂଶା ଗୋଟାଇ ନିଜକୁ ବାହାବାହା ନେଉଥିବା ଘଟଣା ପାରାଦୀପ ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ପ୍ରଶ୍ନଉଠେ ଯେ, ତତକାଳିନ ଜିଲ୍ଲାପାଳ କିଭଳି ଭାବେ ଗୋଟିଏ ଜାଲି ସଂଗଠନ ହାତରେ ଏତେବଡ ଦାଇତ୍ୱ ପ୍ରଦାନ କରିଥିଲେ? ତା ୦୮/୦୧/୨୦୧୬ ରିଖରେ ଜିଲ୍ଲା ଆହାର ସୋସାଇଟ ଏହି ଜାଲି ସଂଘର ସଂପାଦକଙ୍କ ସହିତ ଦ୍ୱିପାଖିକ ଚୁକ୍ତି କିଭଳି ସଂପାଦନ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି? ପଞ୍ଜିକରଣ ନଥାଇ ଉକ୍ତ ସଂସ୍ଥାର ଲେଟର୍ ପ୍ୟାଡରେ ୨୦୦୩ ମସିହାରୁ ପଞ୍ଜିକରଣ ହୋଇଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ, ଉକ୍ତ ସଂସ୍ଥାର ସମାନ ନମ୍ବର ୧୫୯୨/୪୧ ଦର୍ଶାଇ ଉକ୍ତ ଜାଲି ସଂଘ ପ୍ରତିବର୍ଷ ଡିସେମ୍ବର ମାସରେ ବାର୍ଷିକ ଉସôବ ପାଳନ ନାମରେ ବିଭିନ୍ନ ଶିଳ୍ପ ସଂଗଠନ ଠାରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ସାଧାରଣରେ ଅଭିଯୋଗ ହେଉଛି । ସେହି ସଂସ୍ଥାର କାର୍ଯ୍ୟାଳୟ କେଉଁଠାରେ ଅଛି ତାହା ଜିଲ୍ଲାପାଳ ତଦନ୍ତ କରିବାକୁ ଦାବି ହେଉଛି । ଜିଲ୍ଲାପାଳଙ୍କ ସହିତ ଉକ୍ତ ସମ୍ପାଦକଙ୍କର ଦୁଇ ବର୍ଷିଆ ଚୁକ୍ତି ସମୟରେ ସଂସ୍ଥାର କାଗଜପତ୍ର ତଦନ୍ତ କରିବାର ଆବଶ୍ୟକତା ଥିଲା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ପଞ୍ଜିକରଣ ନମ୍ବର ବ୍ୟବହାର କରାଯାଇଥିବା ସଂସ୍ଥାର କର୍ମକର୍ତାମାନଙ୍କର ନାମ ୨୦୦୪ ମସିହାରୁ ୨୮/୦୨/୨୦୧୯ରିଖ ପର୍ଯ୍ୟନ୍ତ ଅପରିବର୍ତିତ ଥିବା ବେଳେ ସେହି ନମ୍ବରକୁ ବ୍ୟବହାର କରି ଜଣେ ଅସାଧୁ ବ୍ୟକ୍ତି କିଭଳି ଭାବେ ସଂଘର ଜାଲି କାଗଜ ପତ୍ର ମାଧ୍ୟମରେ ଏଭଳି ଚଂଚକତା କଲେ ତାହା ଜିଲ୍ଲାପାଳ ତଦନ୍ତ କରିବେ କି? ତେବେ ସାଧାରଣରେ ଚର୍ଚ୍ଚା ହେବା ପରେ ଗତ ୨୧/୦୮/୨୦୧୯ ରିଖରେ କିଛି ସ୍ଥାନୀୟ ବୁଦ୍ଧିଜୀବୀ ଘଟଣାର ତଦନ୍ତ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଦରଖାସ୍ତରେ ଦର୍ଶାଯାଇଛି ଯେ, ସଂପାଦକ, ସଭାପତି ଓ କୋଷାଧ୍ୟକ୍ଷ ବୋଲାଉଥିବା ବ୍ୟକ୍ତି ଏହି ଆହାର କେନ୍ଦ୍ର ଦାଇତ୍ୱରେ ରହିବା ପରେ ଲକ୍ଷ ଲକ୍ଷ ଟଙ୍କାର ମାଲିକ ହୋଇ ପାରିଛନ୍ତି । ସମସ୍ତ ଘଟଣାକୁ ତଦନ୍ତ କରାଯାଇ ସତ୍ୟ ଉନ୍ମୋଚନ ପାଇଁ ଦରଖାସ୍ତରେ ଦର୍ଶାଯାଇଛି । ତେବେ ଖୁବ୍ ଶୀଘ୍ର ପ୍ରକୃତ ସତ୍ୟ ଉନ୍ମୋଚନ ହେଉଛି ନା ରାଜନୈତିକ ଗୋଟି ଚାଳନା କରାଯାଇ ଉକ୍ତ ଘଟଣାକୁ ଚପାଇ ଦିଆଯାଉଛି, ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published.