ଦୁର୍ନୀତି ଅଭିଯୁକ୍ତଙ୍କୁ ସୁରକ୍ଷା କାହିଁକି?

ଶରତ କୁମାର ରାଉତ
ଭାରତ ବର୍ଷରେ ଦୁର୍ନୀତିର ଚେର ଲମ୍ବି ଲମ୍ବି ଚାଲିଥିବାରୁ ଭାରତୀୟଙ୍କ ପାଇଁ ଏହା ଚିନ୍ତାର ବିଷୟ ହୋଇଛି । ସବୁ କ୍ଷେତ୍ରରେ ଦୁର୍ନୀତି ଓ ଅନିୟମିତତା ବଢି ଚାଲିଛି । ସମସ୍ତେ ଅସାଧୁ ଉପାୟରେ ନିଜ ସ୍ୱାର୍ଥ ହାସଲ ପାଇଁ ଲାଗି ପଡ଼ିଛନ୍ତି । ରାଜନୈତିକ ନେତା ଓ ଅଧିକାରୀ ନିଜ ଦାୟିତ୍ୱ ଓ କର୍ତବ୍ୟ ପ୍ରତି ସଚେତନ ରହିବାକୁ ଆଗ୍ରହୀ ହେଉ ନାହାଁନ୍ତି । ଆଇନ ଓ ସମ୍ବିଧାନକୁ ମାନିବାକୁ କେହି ପ୍ରସ୍ତୁତ ନାହାନ୍ତି । ଏଇ ଅବସ୍ଥାରେ ଦେଶ ଏକ ଅନ୍ଧକାର ଭବିଷ୍ୟତ ଆଡ଼କୁ ଠେଲି ହୋଇ ଚାଲିଛି । ଦୁର୍ନୀତି ମୁକ୍ତ ସ୍ୱଚ୍ଛ ନିର୍ମଳ ଶାସନର ଡିଣ୍ଡିମ ପିଟି ଓଡ଼ିଶା ଶାସନ ଗାଦିରେ ବସି ଆସୁଥିବା ନବୀନ ପଟ୍ଟନାୟକଙ୍କ ସରକାର ଦୁର୍ନୀତି ରୋକିବାରେ ସକ୍ଷମ ହୋଇ ପାରୁନାହାନ୍ତି । ବିଭିନ୍ନ ଯୋଜନା ଅର୍ଥ ବାଟମାରଣା ହେବା ତ ସାଧାରଣ କଥା, ହେଲେ ଖଣି, ପାଣି, ଜମି, ଡ଼ାଲି, କୋଇଲା ମହାଦୁର୍ନୀତି ଓ ଚିଟ୍ଫଣ୍ଡ ଠକେଇ ଅତି ନିନ୍ଦନୀୟ ଓ ଲଜ୍ଜା ଜନକ ଘଟଣା । ‘ପିସି’ ସଂସ୍କୃତି ରାଜ୍ୟରେ ଯେଭଳି ପ୍ରସାର ଲାଭ କରି ଚାଲିଛି, ଏଠାରେ ଗଣତାନ୍ତି୍ରିକ ଶାସନ ବ୍ୟବସ୍ଥା ଥିବା ପରି ମନେ ହେଉନାହିଁ । ବିଭିନ୍ନ କଲ୍ୟାଣକାରୀ ଯୋଜନା ବା ପ୍ରକଳ୍ପ ବିଫଳ ହେବାରେ ‘ପିସି’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିଯୋଗୁ ଗରିବ ଓ ଦଳିତ ପ୍ରଜା ମୌଳିକ ସେବା ପାଇବାରୁ ବଂଚିତ ହେଉଛନ୍ତି । ନିର୍ମାଣ କାର୍ଯ୍ୟ ଗୁଡ଼ିକ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ସତ୍ୱେ ରାଜ୍ୟ ସରକାର ଏହାର ସ୍ଥାୟୀ ପ୍ରତିକାର କରୁନାହାନ୍ତି । ପ୍ରଜାମାନଙ୍କୁ ସାଧାରଣ ସରକାରୀ ସେବା ଯୋଗାଣରେ ସଚିବାଳୟ ପାଖରୁ ଆରମ୍ଭ କରି ଗ୍ରାମ ପଂଚାୟତ ଅଫିସ୍ ପର୍ଯ୍ୟନ୍ତ ଯେଉଁ ଦୁର୍ନୀତିର ଚେର ମଜଭୁତ୍ ହୋଇ ଯାଇଛି, ତାର ପ୍ରମାଣ ହେବା ତ କଷ୍ଟକର କଥା, ହେଲେ ଯାହା ଲୋକ ଲୋଚନରେ ସ୍ପଷ୍ଟ, ତାହାର ପର୍ଦ୍ଦାଫାସ ନହେବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ସ୍ୱେଚ୍ଛା·ରିତା ବୋଲି କୁହାଯାଇ ପାରେ ।
ରାଜ୍ୟରେ ଦୁର୍ନୀତି ତାର ପ୍ରକାଣ୍ଡ କାୟା ବିସ୍ତାର କରି ଚାଲିଥିବା ପ୍ରମାଣିତ ହୋଇଛି । ଓଡ଼ିଶାରେ ଖଣି ମହାଦୁର୍ନୀତିର ପ୍ରମାଣ ବହୁ ପୂର୍ବରୁ ସ୍ପଷ୍ଟ ହୋଇଥିଲେ ମଧ୍ୟ କାହା ବିରୁଦ୍ଧରେ ସେମିତି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଖଣି ଚୋର ମାନଙ୍କ ଠାରୁ ଜରିମାନା ଅର୍ଥ ପ୍ରାୟତଃ ଆଦାୟ ହେଲା ନାହିଁ । ରାଜ୍ୟ ପ୍ରଶାସନର ମୁଖିଆମାନଙ୍କ ଅଜାଣତରେ ଖଣି ଲୁଟ୍ ଅସମ୍ଭବ । ରାଜ୍ୟ ସରକାରଙ୍କ ସଲାସୁତୁରା ନୀତି ଯୋଗୁ ଖଣି ମହାଦୁର୍ନୀତିର ମହାନାୟକ ମାନେ କେବଳ ସୁରକ୍ଷିତ ନାହାନ୍ତି, ରାଜନେତା ବା ଜନପ୍ରତିନିଧି ବି ହୋଇ ଗଲେଣି । ଏଥିରେ ସଂପୃକ୍ତ କେତେକ ଖଣି ଲୁଟେରାଙ୍କ ସଂପୃକ୍ତି ନେଇ ଅନେକ ବିଧାୟକ ମଧ୍ୟ ଖୋଲାଖୋଲି ଅଭିଯୋଗ କରିଥିଲେ । ଖଣି ବିଭାଗ ପକ୍ଷରୁ ମଧ୍ୟ ଉକ୍ତ ଖଣିଚୋରଙ୍କ ବେଆଇନ କାର୍ଯ୍ୟକୁ ନେÿଇ ଉପର ମହଲକୁ ବାରମ୍ବାର ଚିଠି ଲେଖା ଯାଇଛି! ଏଥିନେଇ ମଧ୍ୟ ଗଣମାଧ୍ୟମ ଓ ଅନ୍ୟାନ୍ୟ ମଂଚରେ ବ୍ୟାପକ ଆଲୋଚନା ଓ ବ୍ୟବଚ୍ଛେଦ ହୋଇଛି । ଏବେ ରାଜ୍ୟରେ ଏପରି ଅବସ୍ଥା ସୃଷ୍ଟି ହୋଇଛି ଯେ, ଖଣି ଦୁର୍ନୀତି ହେଉ କି ଅନ୍ୟାନ୍ୟ ଦୁର୍ନୀତି, ଏ ସଂପର୍କରେ କଥା ଉଠାଉଥିବା ନେତା ବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ରାଜ୍ୟରେ ଦୁର୍ନୀତି/ଭ୍ରଷ୍ଟାଚାରର ମାତ୍ରା ଏତେ ବଢିଯିବାର କାରଣ କ’ଣ ହୋଇପାରେ?
ସୁତରାଂ ଦୁର୍ନୀତିର ଚେର ଯେତେ ମଜଭୁତ ହେଲେ ବି ସତ୍ୟ ଦିନେ ନା ଦିନେ ନିଶ୍ଚୟ ପଦାକୁ ଆସିଥାଏ! ଏମିତି ଯେଉଁମାନେ ଦିନେ ବାହାସ୍ପଟ ମାରୁଥିଲେ, ସେମାନେ ଜେଲ୍ରେ ଅଛନ୍ତି ବା ଜେଲ୍ରେ ପଶିବାକୁ ଯାଉଛନ୍ତି! ଦୁର୍ନୀତିରେ ଛନ୍ଦି ହୋଇଥିବା ବା ଦୁର୍ନୀତି ଅଭିଯୁକ୍ତ ବ୍ୟକ୍ତି ମାନେ ନିଜକୁ ଯଦି ସଚ୍ଚୋଟ ଭାବୁଛନ୍ତି, ତେବେ ସଂପୃକ୍ତ ଘଟଣା ଗୁଡ଼ିକର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରନ୍ତୁ! ଦୁର୍ନୀତିର ପର୍ଦ୍ଦାଫାସ୍ ହେଉ! ନିଜେ କେତେ ସ୍ୱଚ୍ଛ-ନିର୍ମଳ, ପ୍ରଥମେ ପ୍ରମାଣ ଦେବାର ଆବଶ୍ୟକତା ରହିଛି । ଅନ୍ୟଥା ଦୁର୍ନୀତି ହଟିବ କେମିତି? ଦୁର୍ନୀତିମୁକ୍ତ, ନିର୍ମଳ-ସ୍ୱଚ୍ଛ ଶାସନ ନାଁରେ ବିଭିନ୍ନ ମହାଦୁର୍ନୀତି ପ୍ରମାଣିତ ହେଲା ପରେ ଏଥିପାଇଁ ବେଶୀ ଦାୟୀ କିଏ ହେବେ? ସରକାର ନ ·ହିଁବା ପର୍ଯ୍ୟନ୍ତ ସରକାରୀ ସ୍ତରରେ କିଛି ହୋଇପାରେ କି? ଶାସନତନ୍ତ୍ର ଯଦି ସ୍ୱଚ୍ଛ ଓ ନିର୍ମଳ, ତେବେ ଦୁର୍ନୀତି ବା ଅନିୟମିତତା ହୋଇଥିବା ସରକାର ସ୍ୱୀକାର କରୁଛନ୍ତି କିପରି? ଆଉ ସେଥିରେ କେବଳ ଅଫିସର ଓ କର୍ମ·ରୀ ବା ଅନ୍ୟମାନେ କାହିଁକି ବଳି ପଡ଼ିବେ? ଆଜି ମଧ୍ୟ ସେହି ରାଜନୀତିକ ହୀନ ଉଦେ୍ଦଶ୍ୟରେ ଯଥେଷ୍ଟ ପ୍ରମାଣ ଥାଇ ମଧ୍ୟ ବହୁ ନେତା, ମନ୍ତ୍ରୀ, ଅଫିସର ଓ ବିଭିନ୍ନ ଦୁର୍ନୀତିରେ ଛନ୍ଦି ହୋଇଥିବା ମହାନାୟକମାନଙ୍କୁ ଘଂଟ ଘୋଡ଼େଇ ରଖା ଯାଉଥିବା ଦେଖା ଯାଉଛି । ସେହିପରି ନିଜର ଅପର୍ଯ୍ୟାପ୍ତ ଆୟ ବର୍ହିଭୁତ ସଂପତି ଲୁଚାଇ ରାଜ୍ୟର କେତେକ ମନ୍ତ୍ରୀ, ବିଧାୟକ, ସାଂସଦ, ଅଧିକାରୀ ମାନଙ୍କ ଦ୍ୱାରା ମନଗଢା ସଂପତି ତାଲିକା ପ୍ରଦାନ ଓ ଇଛାଧିନ କୋଟା ନାଁରେ କ୍ଷମତାର ଅପବ୍ୟବହାର କରାଯିବା, ଜନସାଧାରଣଙ୍କ ସଂପତିକୁ ନେତାମାନେ ନିଜ ନିଜ ଭିତରେ ବାଂଟି ନେବା କ’ଣ ଭ୍ରଷ୍ଟାଚାର ନୁହେଁ?………
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଏବେ ସ୍ୱେଛାଚାରୀ ଶାସନ ବ୍ୟବସ୍ଥାରେ ପରିଣତ ହୋଇଛି । ସାଧାରଣ ପ୍ରଜାଙ୍କ ପରାମର୍ଶ, ଆପତି, ଅଭିଯୋଗ ଓ ଅଳିକୁ ଆଡ଼େଇ ଯାଇ ରାଜନୈତିକ ନେତା ଓ ଅଧିକାରୀ ମନଇଛା ଶାସନ କରୁଛନ୍ତି । ଅଧିକାଂଶ ଅପରାଧି, ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି ଜନ ପ୍ରତିନିଧି ଭାବରେ ନିର୍ବାଚିତ ହେଉଛନ୍ତି । ସମ୍ବିଧାନର ଲକ୍ଷ୍ୟ ଅନୁଯାୟୀ ସାଧାରଣ ଲୋକ, ବୁଦ୍ଧିଜୀବୀ, ଜ୍ଞାନୀ, ଗୁଣୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ଏଥିରେ ଆଉ ସ୍ଥାନ ନାହିଁ । ଯଦ୍ୱାରା ଦେଶରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢି ଚାଲିଛି । ରାଜନେତା ଓ ଅଧିକାରୀମାନେ ଟଙ୍କାର ପାହାଡ଼ ଉପରେ ବସୁଛନ୍ତି । ଧନୀ ଆଉରି ଧନୀ ଓ ଗରିବ ଆଉରି ଗରିବ ହୋଇ ଚାଲିଛନ୍ତି । ଯଦିଓ ଗରିବ ମଣିଷର ପେଟର ଦାନାକୁ ଲୁଟ୍ କରି ନେତା ଓ ଅଧିକାରୀମାନେ ନିଜ ପକେଟ ଗରମ କରିବେ, ତେବେ କ’ଣ କୁହାଯିବ ଆମ ଶାସନ ବ୍ୟବସ୍ଥାକୁ? ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ କୋଟି କୋଟି ଟଙ୍କା ବାଟମାରଣା କରା ଯାଉଛି କାହିଁକି? ଅନିୟମିତତା ହେଉଛି କାହିଁକି? ଏହାକୁ କ’ଣ ରାଜ୍ୟ ସରକାର ଅସ୍ୱୀକାର କରି ପାରିବେ? ଭ୍ରଷ୍ଟାଚାର/ଦୁର୍ନୀତି ଅମାନବୀୟତା ନୁହେଁ? ପ୍ରାୟ ସବୁ ବିଭାଗରେ ଦୁର୍ନୀତି ତାର ପ୍ରକାଣ୍ଡ କାୟା ବିସ୍ତାର କରିଛି । ଏପରିକି ସ୍ୱୟଂ ବଡ଼ବଡ଼ ଅଧିକାରୀ ଲାଂଚ-ମିଛ ଭଳି ଅତି ଘୃଣ୍ୟ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି । ଟିକିଟିକି କାମରେ ଲାଂଚ ଖାଇ ଭୁଲ୍ କରୁଥିବା ବଡ଼ ଅଫିସରଙ୍କ ଦ୍ୱାରା ସାଧାରଣ ଲୋକେ କେତେ ସରକାରୀ ସେବା ପାଉଥିବେ,ତାହା ଅନୁସନ୍ଧାନ ସାପେକ୍ଷ । ମାତ୍ର ଏଭଳି ବେଇମାନ ରାଜନେତା ଓ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ଲୋକଙ୍କ ହାତରେ କିଛି କ୍ଷମତା ନାହିଁ । ଏହା ହିଁ ଆମ ପାଇଁ ଦୁର୍ଭାଗ୍ୟର କଥା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି କାର୍ଯ୍ୟକାରୀ କରି ଯଦି ଭାବୁଥାନ୍ତି, ରାଜ୍ୟରେ ଦୁର୍ନୀତି ହଟିଯିବ, ତାହା କେବଳ ତାଙ୍କର ସ୍ୱପ୍ନ ବୋଲି କୁହାଯାଇପାରେ! କାରଣ ବର୍ତମାନ ସୁଦ୍ଧା ରାଜ୍ୟ ଶାସନରେ ୫-ଟିର କୌଣସି ପ୍ରଭାବ ପଡ଼ିନାହିଁ କି ଭବିଷ୍ୟତରେ ପଡ଼ିବାର ଆଶା ନଥିବା ମନେ ହେଉଛି । ଯେହେତୁ ଏବେ ମଧ୍ୟ ଶାସନରେ ଦୁର୍ନୀତି ଓ ଅନିୟମିତତା ଲାଗି ରହିଛି । ଯେଉଁମାନଙ୍କୁ ସରକାରୀ ଚାକିରିରୁ ବିଦା କରାଗଲା, ସେମାନଙ୍କ ବିରୁଦ୍ଧରେ ବର୍ଷବର୍ଷ ତଳୁ ଭିଜିଲାନ୍ସ ମାମଲା ରହିଥିଲା ଓ ସେମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଗମ୍ଭୀର ଭିଜିଲାନ୍ସ ମାମଲା ଥିବା ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଏପର୍ଯ୍ୟନ୍ତ ବିଦା କରାଯାଇନାହିଁ । ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତର ଅର୍ଥ କ’ଣ? ସାଧାରଣତଃ ଯେଉଁମାନେ ଭିଜିଲାନ୍ସ ହାତରେ ଧରା ପଡ଼ୁଛନ୍ତି, ସେମାନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କୁହାଯାଉଛି । କିନ୍ତୁ ରାଜ୍ୟରେ ବିନା ଲାଂଚରେ କୌଣସି ସରକାରୀ କାମ ହେଉନଥିବା ସମସ୍ତେ ଜାଣନ୍ତି । ବାସ୍ତବତା ହେଲା, ଭିଜିଲାନ୍ସ ଜାଲରେ ପଡ଼ିଥିବା ବ୍ୟକ୍ତିଙ୍କ ଠାରୁ ଆହୁରି ବଡ଼ବଡ଼ ଅଧିକାରୀ ଓ କର୍ମଚାରୀ ପ୍ରତିଦିନ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଛି । କୌଣସି ଏକ ସରକାରୀ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ କାମ ପାଇଁ ଏତେ ଶୋଷିତ ଓ ନିର୍ଯ୍ୟାତିତ ହେଉଛନ୍ତି ଯେ ତାହା ଅବର୍ଣ୍ଣନୀୟ । ତେବେ ଏହି ଅନୈତିକ କାର୍ଯ୍ୟ ବନ୍ଦ ପାଇଁ ସରକାରଙ୍କ ପାଖରେ ପ୍ରଭାବଶାଳୀ ଯୋଜନା ଅଛି କି? ଅବଶ୍ୟ ୫-ଟି ଏହି ସମସ୍ୟା ସମାଧାନର ଏକ ମାଧ୍ୟମ ହୋଇପାରେ । ମାତ୍ର ସରକାର କେବଳ ୫-ଟି ଲାଗୁ କରି ବସିପଡ଼ିଛନ୍ତି । ତାହାର ସଫଳ କାର୍ଯ୍ୟକାରୀ ପାଇଁ ସ୍ୱଂୟ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଅଧିକାରୀ ମାନେ ସେମିତି କିଛି ସକି୍ରୟ ଥିବା ପରି ଦେଖା ଯାଉନାହିଁ । ଟିକି ଟିକି ବା ଜରୁରୀ କାମ ପାଇଁ ଲାଂଚ ନଦେଲେ କେହି କିଛି କରୁ ନାହାନ୍ତି । ୫-ଟି ଲାଗୁ ପରେ ଏମିତି ଅନେକ ଉଦାହରଣ ସାମ୍ନାକୁ ଆସୁଛି । ଉଦାହରଣ ସ୍ୱରୂପ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନସ୍ତ ଆୟୁଷ ନିଦେ୍ର୍ଦଶାଳୟରେ ୫-ଟିକୁ ‘ଫୁ’ରେ ଉଡ଼ାଇ ଦିଆଯାଇଛି । କିଛି କର୍ମଚାରୀ ନିଜର ଜରୁରୀ ଆବଶ୍ୟକତା ପାଇଁ ନିଜ ଜିପିଏଫ୍ ରୁ ଅର୍ଥ ଉଠାଣ ନିମନ୍ତେ ୨/୩ ମାସ ତଳୁ ଆବେଦନ କରିଥିଲେ ହେଁ ଏପର୍ଯ୍ୟନ୍ତ ସେମାନଙ୍କୁ ମିଳିନାହିଁ । ଏପରିକି ଏ ବାବଦରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଟୁ୍ୟଟ୍ ଯୋଗେ ଅବଗତ କରାଯାଇଥିଲେ ହେଁ କୌଣସି ସୁଫଳ ମିଳି ନାହିଁ । ତେବେ ୫-ଟି କାହା ପାଇଁ? ଏହା କେବଳ ଲୋକ ଦେଖାଣିଆ ନୁହେଁ ତ? ଏଥିପ୍ରତି ଓଡ଼ିଶାବାସୀ ସଚେତନ ହୋଇ ଦୁର୍ନୀତି ବିରୁଦ୍ଧରେ ନିଜେ ସ୍ୱର ଉଠାଇବାର ସମୟ ଆସିଛି ।

Leave a Reply

Your email address will not be published.