ଦକ୍ଷତା ପାଇଁ ସୋର ପୋଲିସକୁ କେବେ ମିଳିବ ଆୱାର୍ଡ?

ବାଲେଶ୍ୱର (ଆଇଏନ୍ଏସ୍) : ଦକ୍ଷ ପୋଲିସମାନଙ୍କୁ ସରକାରୀ ଆୱାର୍ଡ଼ ମିଳେ । ଏହି ଆୱାର୍ଡ଼ ସୋର ପୋଲିସକୁ କେବେ ମିଳିବ ବୋଲି ସୋରର ଜନସାଧାରଣ ଚାତକ ଭଳି ଅନାଇ ରହିଛନ୍ତି । କାହିଁକି ନା’ ସୋର ଅଂଚଳରେ ଯେଭଳି ଭାବରେ ଚୋରୀ, ଡକାୟତି, ଲୁଟ୍ ଭଳି ଅପରାଧର ସଂକ୍ୟା ବଢ଼ିବଢ଼ି ଚାଲିଛି, ତାହା ସୋର ପୋଲିସର ଦକ୍ଷତାକୁ ପ୍ରମାଣିତ କରୁଥିବା ବେଳେ ଏବେ ଆଉ ଏକ ବଡ଼ ସଫଳତା ସୋର ପୋଲିସର ଦକ୍ଷତାର ଫର୍ଦ୍ଦରେ ଯୋଡ଼ି ହୋଇଯାଇଛି । ଏଥିପାଇଁ ସୋର ପୋଲିସକୁ ନିହାତି ଆୱାର୍ଡ଼ ମିଳିବା ଜରୁରୀ ବୋଲି ମତ ପ୍ରକାଶ ପାଉଛି । ଏହି ଘଟଣା ଟି ହେଲା, ଜେଲ୍ରେ ଥିବା ନାମରେ ଡକାୟତି କେସ୍ କରିଛି ସୋର ପୋଲିସ୍ ।
ସୋର ଥାନା କେସ୍ ନଂ.-୨୩୭/୧୯ ଅନୁସାରେ, ଚଳିତ ବର୍ଷ (୨୦୧୯) ମେ ମାସ ୨୩ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥର ବିଦୁ ନିକଟରେ ଏକ ଲୁଟ୍ ହୋଇଥିଲା । ଭାରତ ଫାଇନାନ୍ସ କମ୍ପାନୀର, ପ୍ରମୋଦ ଦାସ ନାମକ ଜଣେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍ କରାଯାଇଥିଲା । ଏହି ଘଟଣାରେ କୋଚାଲି ନାମକ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବା ପୋଲିସ ତଦନ୍ତ ରିପୋର୍ଟରେ ଦର୍ଶାଇଥିବା ବେଳେ ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତି ‘କୋଚାଲି’ ଜେଲ୍ରେ ଥିଲେ । ଏକ ମାମଲାରେ ଖଇରା ପୋଲିସ୍ କୋଚାଲିକୁ ଜାନୁଆରୀ ମାସରେ କୋର୍ଟ ଚାଲାଣ କରିଥିଲା । ଜେଏମଏଫସି ଓ ଜିଲ୍ଲା ଜଜ୍ କୋର୍ଟରେ ଜାମିନ୍ ନାମଞ୍ଜୁର ହୋଇଥିବାରୁ କୋଚାଲି ଜେଲ୍ରେ ଥିବା ବେଳେ ଜୁଲାଇ ୩୦ ତାରିଖରେ ହାଇକୋର୍ଟରେ ଜାମିନ୍ ମଞ୍ଜୁର ହେବାରୁ ଅଗଷ୍ଟ ୨ ତାରିଖରେ ଜେଲ୍ରୁ ଖଲାସ ହୋଇଥିଲେ । ଜାନୁଆରୀ ୧୯ରୁ ଅଗଷ୍ଟ ୧ତାରିଖ ପର୍ଯ୍ୟନ୍ତ କୋଚାଲି ଜେଲ୍ରେ ଥିବାବେଳେ ମେ ମାସ ୨୩ ତାରିଖରେ ଜାତୀୟ ରାଜପଥ ଉପରେ ହୋଇଥିବା ଲୁଟ୍ରେ କିପରି ସମ୍ପୃକ୍ତ ଥିଲା ତାହା ଯେତିକି ଆଶ୍ଚର୍ଯ୍ୟର ବିଷୟ, ତା’ ଠାରୁ ଅଧିକ ଆଶ୍ଚର୍ଯ୍ୟର ବିଷୟ ହେଲା ସୋର ପୋଲିସର ତଦନ୍ତ ଓ ଦକ୍ଷତାକୁ ନେଇ ।
ପ୍ରକାଶଯୋଗ୍ୟଯେ, ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଥିଲେ, ସୋର ଥାନା ଅଧିନସ୍ଥ ସାଉଡ଼ ଫାଣ୍ଡିଅଧିକାରୀ ମୀନକେତନ ସିଂ । ଏହି ତଦନ୍ତ ଅଧିକାରୀଙ୍କର ତଦନ୍ତର ଧାରା କିପରି ଓ ତାଙ୍କର ଦକ୍ଷତା କେତେ ତାହା ଏଥିରୁ ସ୍ପଷ୍ଟ ବାରୀ ହୋଇପଡ଼ୁଛି । ଏଭଳି ଦକ୍ଷତା ସମ୍ପନ୍ନ ପୋଲିସ ଅଧିକାରୀଙ୍କୁ କେବେ ସମ୍ମାନୀତ କରିବେ ସରକାର?

Leave a Reply

Your email address will not be published.