ସେବିକା ନିର୍ଦେଶାଳୟର ଭିତିରି କଥା!
ଭୁବନେଶ୍ୱର,(ଆଇଏନ୍ଏସ୍): ଓଡ଼ିଶାରେ କାର୍ଯ୍ୟରତ ସେବିକା ମାନଙ୍କୁ ଅଧିକ ଦକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ୬ ବର୍ଷ ତଳେ ଏକ ସେବିକା ନିର୍ଦେଶାଳୟ(ଚିଠି ସଂଖ୍ୟା: ୫୬୭୮/ତା.୧୮.୦୨.୨୦୧୩) ସୃଷ୍ଟି ହୋଇଥିଲା । ଏଏନ୍ଏମ୍, ଜିଏନ୍ଏମ୍(ଷ୍ଟାଫ୍ନର୍ସ), ଏଲ୍ଏଚ୍ଭି(ସ୍ୱାସ୍ଥ୍ୟ ପରିଦର୍ଶିକା), ନର୍ସିଙ୍ଗ ସିଷ୍ଟର୍,ସହକାରୀ ମ୍ୟାଟ୍ରନ୍, ମ୍ୟାଟ୍ରନ୍, ମୁଖ୍ୟ ମ୍ୟାଟ୍ରନ୍, ପିଏଚ୍ଏନ୍, ଡ଼ିପିଏଚ୍ଏନ୍, ବିଏସ୍ସି ନର୍ସିଙ୍ଗ୍(ସିଷ୍ଟର୍ ଟୁ୍ୟଟର୍) ଓ ଏମ୍ଏସସି ନର୍ସିଙ୍ଗ୍(ସିଷ୍ଟର୍ ଟୁ୍ୟଟର୍)ଙ୍କୁ ସେବିକା କୁହାଯାଏ । ଓଡ଼ିଶାରେ ଏହିସବୁ ପଦବୀରେ ସ୍ଥାୟୀ ଓ ଚୁକ୍ତିଭିତିକ ପ୍ରାୟ ୧୭ ହଜାର କର୍ମଚାରୀ ଅଛନ୍ତି । ଏମାନଙ୍କ ମଧ୍ୟରେ ବୃହତ୍ କ୍ୟାଡ଼ର୍ ଭାବେ ଏଏନ୍ଏମ୍ ରହିଛନ୍ତି, ଯେଉଁମାନଙ୍କର ସଂଖ୍ୟା ୯୦୨୩ ଓ ଜାତୀୟ ସ୍ୱାସ୍ଥ୍ୟ ମିସନ୍ ଅଧୀନରେ ଅସ୍ଥାୟୀ ଭାବେ ୪ ହଜାରରୁ ଉଦ୍ଧ୍ୱର୍ । ପ୍ରାପ୍ତ ସୂଚନା ଅନୁଯାୟୀ ବର୍ତମାନ ସୁଦ୍ଧା ଏହି ନିର୍ଦେଶାଳୟ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନଥିବା ବେଳେ ଏଥିରେ ଏଏନ୍ଏମ୍ ଓ ଏଲ୍ଏଚଭି ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ ।
ଏଏନ୍ଏମ୍ର ପୂର୍ଣ୍ଣ ଅର୍ଥ ହେଲା, ଅକ୍ଜୁଲାରୀ ନର୍ସିଂ ଏଣ୍ଡ ମିଡ଼୍ୱାଇଫରୀ ବା ନର୍ସ, ଯିଏ ଗ୍ରାମାଂଚଳରେ ରୋଗୀଙ୍କୁ ସିଧା ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇଥାଏ । ଏଏନ୍ଏମ୍ ଟ୍ରେନିଂ ପାଇଁ ନର୍ସିଂ ଡ଼ାଇରେକ୍ଟୋରେଟ୍(ସେବିକା ନିର୍ଦେଶାଳୟ) ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଏ । ଇଣ୍ଡିଆନ୍ ନର୍ସିଂ କାଉନସିଲ୍ ନିୟମ ଅନୁଯାୟୀ ଓଡ଼ିଶା ନର୍ସିଂ ଏଣ୍ଡ ମିଡ଼୍ଓ୍ାଇଫରୀ କାଉନସିଲ୍ ଏବଂ ସେବିକା ନିର୍ଦେଶାଳୟର ମିଳିତ ସହଯୋଗରେ ଏଏନ୍ଏମ୍ ଟ୍ରେନିଂ ଓ ପରୀକ୍ଷା ପରିଚାଳିତ ହୁଏ । ଏଏନ୍ଏମ୍ ର ପଦୋନ୍ନତି ପଦବୀ ସ୍ୱାସ୍ଥ୍ୟ ପରିଦର୍ଶିକା(ଏଲ୍ଏଚ୍ଭି) ପାଇଁ ତାଲିମ୍ ମଧ୍ୟ ସେବିକା ନିର୍ଦେଶାଳୟ ଦ୍ୱାରା ପରିଚାଳିତ ହୁଏ । ଏଏନ୍ଏମ୍ କାର୍ଯ୍ୟର ପ୍ରକୃତି ନର୍ସିଂ । ନିଜ କର୍ମକ୍ଷେତ୍ରରେ ରହି ସେ ନିୟମିତ ଜନସାଧାରଣଙ୍କୁ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ୦ରୁ ୧୪ବର୍ଷ ବୟସର ଶିଶୁ ଓ ଗର୍ଭବତୀ ମା’ମାନଙ୍କୁ ପ୍ରତିଷେଧକ ଟୀକାଦାନ ଓ ଯତ୍ନ, ୧୪ ରୁ ୫୦ ବର୍ଷ ବୟସର (କିଶୋରାବସ୍ଥାରୁ ବୃଦ୍ଧାବସ୍ଥା) କିଶୋରୀ ଓ ମା’ମାନଙ୍କର ଆବଶ୍ୟକୀୟ ଯତ୍ନ, ମାତୃ ଓ ଶିଶୁ ମୃତୁ୍ୟହାର ହ୍ରାସ ପାଇଁ ମା’ ଓ ଶିଶୁର ନିୟମିତ ଯତ୍ନ, ମୃତୁ୍ୟ ନହୋଇ ପ୍ରାକୃତିକ ପ୍ରସବ କରାଇବା, ଡ଼ାଇରିଆ, ମ୍ୟାଲେରିଆ, କୁଷ୍ଠ ଓ ଯକ୍ଷ୍ମା ଆଦି ମାରାତ୍ମକ ରୋଗୀକୁ ଚିକିତ୍ସା ସେବା ଯୋଗାଇ ଦେବା ଓ ରକ୍ତକାଚ ନମୂନା ସଂଗ୍ରହ ଆଦି କାର୍ଯ୍ୟରେ ନିୟୋଜିତ ରୁହନ୍ତି । ପରିବାର କଲ୍ୟାଣ ଅସ୍ତ୍ରୋପଚାର ପରେ ସେ ସଂପୃକ୍ତ ମା’ ମାନଙ୍କୁ ସଂପୂର୍ଣ୍ଣ ଚିକିତ୍ସା ସେବା ଯୋଗାଇ ଦେଇଥାଏ । ମାତୃ ଓ ଶିଶୁ ମୃତୁ୍ୟହାର ହ୍ରାସ, ପରିବାର ନିୟୋଜନ କାର୍ଯ୍ୟକ୍ରମର ସଫଳତା, ସଂକ୍ରାମକ ଓ ମାରାତ୍ମକ ରୋଗର ନିୟନ୍ତ୍ରଣ, ଜନ୍ମ ମୃତୁ୍ୟ ରିପୋର୍ଟ ଆଦି ସେ ସରକାରଙ୍କୁ ପ୍ରଦାନ କରନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିସନ୍ ଅନ୍ତର୍ଗତ ଜନନୀ ଶିଶୁ ସୁରକ୍ଷା ଯୋଜନା ଓ ମମତା ଯୋଜନା ସମେତ ବିଭିନ୍ନ କାର୍ଯ୍ୟକ୍ରମର ୧୦୦ ଭାଗ ସଫଳତା ଏଏନ୍ଏମ୍ଙ୍କର ଆନ୍ତରିକତା ଓ ନିଷ୍ଠାପରତା ପାଇଁ ସମ୍ଭବ ହେଉଛି । ବିଭାଗୀୟ ବୈଠକ, ନିୟମିତ ସ୍ୱାସ୍ଥ୍ୟସେବା ଜନିତ ରିପୋର୍ଟ ସରକାରଙ୍କୁ ପ୍ରଦାନ, ସ୍ୱାସ୍ଥ୍ୟ ସଂପର୍କୀତ ସରକାରୀ ସୂଚନା ଲୋକଙ୍କୁ ଦେବା ଓ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଜନସଚେତନତା ସୃଷ୍ଟି ଆଦି ଏଏନ୍ଏମ୍ଙ୍କର ପ୍ରଧାନ କାର୍ଯ୍ୟ ହୋଇଥିଲାବେଳେ ନିଜ ଅଂଚଳରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାପାଇଁ ସେ ସରକାରଙ୍କ ପାଖରେ ଉତର ଦାୟୀ ରହିଥାଆନ୍ତି । ମାତ୍ର ସେମାନଙ୍କର ପଦୋନ୍ନତି ଓ ଆବଶ୍ୟକୀୟ କାର୍ଯ୍ୟଦକ୍ଷତା ବୃଦ୍ଧି ଦିଗରେ କୌଣସି ପଦକ୍ଷେପ ନିଆ ଯାଉନାହିଁ । ନୂଆ ନିର୍ଦେଶାଳୟର ବିଜ୍ଞପ୍ତି ହେବା ପରେ ଏଏନ୍ଏମ୍ ଓ ଏଲ୍ଏଚଭିଙ୍କ ମନରେ ନୂଆ ଆଶାର ସଂଚାର ହୋଇଥିଲା । ସ୍ୱତନ୍ତ୍ର ନିର୍ଦେଶାଳୟ ଦ୍ୱାରା ସେମାନଙ୍କର ମୌଳିକ ସମସ୍ୟା ସମାଧାନ ହେବା ସହ ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ହେବା ଆଶା କରାଯାଉଥିଲା । କିନ୍ତୁ ତାହା ଏବେ ସ୍ୱପ୍ନ ହୋଇଯାଇଛି । ପୂର୍ବରୁ ସେବିକାମାନେ ପରିବାର କଲ୍ୟାଣ, ସ୍ୱାସ୍ଥ୍ୟ ସେବା, ମେଡ଼ିକାଲ୍ ଶିକ୍ଷା ଓ ତାଲିମ ନିର୍ଦେଶାଳୟ ଅଧୀନରେ କାର୍ଯ୍ୟ କରି ଆସୁଥିଲେ । ବ୍ୟକ୍ତିଗତ ଭାବେ ନିଜର ଛୋଟ ଛୋଟ ସମସ୍ୟା ସମାଧାନ ପାଇଁ ସେମାନଙ୍କୁ ଦିନଦିନ ମାସମାସ ଓ ବର୍ଷବର୍ଷ ଧରି ନିର୍ଦେଶାଳୟକୁ ଦୌଡ଼ିବାକୁ ପଡ଼ୁଥିଲା । ହୁଏତ ସେମାନଙ୍କୁ ଆଉ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ସେମାନେ ଆଶା ବାନ୍ଧିଥିଲେ । ମାତ୍ର ସେବିକା ନିର୍ଦେଶାଳୟ ବର୍ତମାନ ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ । ନିର୍ଦେଶକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କର କର୍ତବ୍ୟ ତାଲିକା ମଧ୍ୟ ପ୍ରସ୍ତୁତ ହୋଇ ନାହିଁ । ଏବେ ବି ସେବିକା ମାନେ ନିଜର ବିଭିନ୍ନ କାର୍ଯ୍ୟ ପାଇଁ ପୂର୍ବପରି ଅନ୍ୟାନ୍ୟ ନିଦେ୍ର୍ଦଶାଳୟ ଉପରେ ନିର୍ଭର କରୁଛନ୍ତି । କେତେକ ନର୍ସଙ୍କୁ ମଧ୍ୟ ଏଯାଏ ଏହି ନିର୍ଦେଶାଳୟରେ ସାମିଲ୍ କରା ଯାଇନାହିଁ । ତେବେ କିଛି ଡ଼ାକ୍ତରଙ୍କୁ ନିଦେ୍ର୍ଦଶକ ପଦବୀରେ ଥଇଥାନ କରିବା ସରକାରଙ୍କର ଭିତିରି ଉଦେ୍ଦଶ୍ୟ ନୁହେଁ ତ? ତେବେ ‘ନର୍ସିଂ’ର ସରକାରୀ ଅର୍ଥ ଅନୁଯାୟୀ ଉପରୋକ୍ତ ସମସ୍ତ କର୍ମଚାରୀ ଏଥିରେ ସାମିଲ୍ ହେବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଉଛନ୍ତି ।