ଆଉ ମିଳୁନି ଗାଁର ମାଛ!
ଡ଼ାକ୍ତର ସୁରେନ୍ଦ୍ର ନାଥ ଦାଶ
ଗାଁ ର ମାଛ କଥା ମନେ ପଡିଲେ ପାଟିରୁ ଲାଳ ବୋହିଆସେ । ଜାତି ଜାତିକା ମାଛ, କେରାଣ୍ଡି, ଦଣ୍ଡକିରି, ଜହ୍ଲା, ମହୁରାଳି, ଶେଉଳ, ମାଗୁର, କଉ, ବାଳିଆ, ରୋହି, ଫଳି, କଂଟିଆ, ଭାକୁର, ଚିଙ୍ଗୁୁଡି, ଚିତଳ, ଶେରଣା ଆଦି କେତେଜାତିର ମାଛ ଫକ୍ ଫକ୍ ହୋଇ ଡେଉଁ ଥିବା ଦୃଶ୍ୟ; ଏପରିକି ତେଲ କରେଇ ରେ ପଡି ଛଟ ପଟ ହେଉ ଥିବାର ଦୃଶ୍ୟ । ସଜ ମାଛ ର ସୁଆଦ ଏ ଜାତି କେବେଠାରୁ ଭୁଲି ଗଲାଣି, ଗାଁଠାରୁ ସହର, ସକାଳୁ ସକାଳୁ ପହଂଚି ଯାଏ ବରଫ ଦିଆ ମାଛ । ସେହି ମାଛକୁ ଗାଁ ଠାରୁ ସହର ଯାଏ ସବୁ ଓଡ଼ିଆ କିଣି ଖାଆନ୍ତି । ମାଛ ର ଖଣି ଥିବା ଯୋବ୍ରା ଓଡ଼ିଆ ପୁଅ ଆନ୍ଧ୍ର ବରଫ ମାଛ ବିକୁଛି, ବାଲୁଗା ଁ ଚିଲିକା କୁଳ, ପାରାଦ୍ୱୀପ ସାଗର ତଟ, ମୁଣ୍ଡୁଳୀ ମହାନଦୀ ପୋଲ ଉପରେ ମଧ୍ୟ ସେହି ଅବସ୍ଥା । ସବୁ ଯାଗାରେ ଅଧେ ମାଛ ଆନ୍ଧ୍ର ର । ଆଳସ୍ୟ ଓ ଅଯୋଗ୍ୟତା ର ବଡ ଉଦାହରଣ ସାରା ପୃଥିବୀ ରେ ଏହାଠାରୁ ଆଉ କେଉଁଠି ନାହିଁ ।
ସବୁଦିନେ ଏମତି ନଥିଲା । ଗାଁ ଗଣ୍ଡା ରେ ମାଛ ଭାସୁଥିଲା । ନଈ ପୋଖରୀ, ନାଳ, ଯୋର, ପାଟ ସବୁଠାରେ ମାଛ ଭାସୁଥିଲେ । ସମସ୍ତେ ମାଛ ଧରି ଜାଣିଥିଲେ । ସମସ୍ତ ଙ୍କ ଘରେ ମାଛଧରା ଉପକରଣ ମାନଥିଲା । ଜୁନ ମାସ ଶେଷ ଆଡକୁ ଅସରାଏ ବଡ ବର୍ଷା ହେଲେ ନାଳ ଗଡିଆରେ ଥିବା ମାଛ ମାନେ ଉପରକୁ ଉଠି ଆସନ୍ତି । ଲୋକ ମାନେ ସେଗୁଡିକୁ ହାତ ରେ ଧରନ୍ତି କିମ୍ବା ବାଡି ରେ ପିଟି ଥାଅନ୍ତି । କୁହାଯାଏ କଉ ଜାତୀୟ ମାଛ ଏ ସମୟ ରେ ତାଳ ଗଛ ଉପରେ ମଧ୍ୟ ଚଢ଼ି ଯଆନ୍ତି । ଏ ସମୟ ରେ ମାଛ ଙ୍କ ପେଟରେ ବିହନ ହୋଇଥାଏ ଓ ବେଶ୍ ସୁଆଦିଆ ଲାଗେ । ଅଶୀଣ ମାସ ବେଳକୁ ଯାଆଁଳ ମାନ ବଡ ହୁଅନ୍ତି । ଲୋକ ମାନେ ଜାଲ ରେ ଧରନ୍ତି । ଅଧିକାଂଶ ଲୋକେ ଜାଲ ପକାଇ ଜାଣନ୍ତି । ଜାଲ ଛଡା ବନଶି ପକାଇ ମାଛ ଧରାଯାଏ । ବିଲ ମାନଙ୍କରେ ବଜା, ମୁଗରା ବସାଇ ମାଛ ଧରାଯାଏ । ପାଟ ରେ କିଆ ବୁଦା ପକାଯାଏ, ଦୁଇ, ତିନି ଦିନ ପରେ ଟଣା ଯାଏ । ମାଛ ମାନେ ବସା କରି ଥାଆନ୍ତି, ଧରା ପଡନ୍ତି । ପାଣି ରେ ଓଦର ବୁଡାଇ ମାଛ ଧରାଯାଏ । ଟୋକାଇ ରେ ଦଳ ଝାଡି ମାଛ ଧରାଯାଏ । ଜିଅନ୍ତା ଛଟ ପଟ ହେଉ ଥିବା ମାଛ କୁ ଭାଜି ଖାଇବାର ଯେଉଁ ସୁଆଦ ଆଜିର ବରଫ ମାଛରେ କୁଆଡୁ ମିଳିବ? ମାର୍ଚ୍ଚ ମାସ ବେଳ କୁ ପାଣି କମିଯାଏ । ପୋଖରି, ଚୁଆ, ପାଟ ଗୋଳାଯାଇ ମାଛ ଧରାଯାଏ । ଶହ, ଶହ ଲୋକ ହୋ ହା ହୋଇ ପାଣି ରେ ପଶି ମାଛ ଧରନ୍ତି । ଯିଏ ଯେତେ ପାରିଲା ଧରିଲା ଓ ଘରକୁ ନେଲା । ବନ୍ଧୁ ଘରକୁ ପଠାଇଲା । ଗାଁ ଗଣ୍ଡା ରେ ମାଛ ବିକ୍ରି ନିଷେଧ ଥିଲା । ପରସ୍ପର ମଧ୍ୟରେ ଦିଆନିଆ ହେଉଥିଲା । ଖାଲି ମାଛ ନୁହେଁ. ଅଣ୍ଡା, ପିଆଜ, ଆଳୁ, କଦଳି, କାଗେଜି, ଆମ୍ବ ସବୁ ପାଇଁ ଆମେ ପର ପାଖରେ ହାତ ପାତୁଛ ୁା ସେମାନେ ନଦେଲେ ଘରେ ବସି କାନ୍ଦୁଛୁ । ଯେତେ ମିଶନ୍ ହେଲେ ସବୁ ଫେଲ୍ । ସ୍ୱାଧୀନତା ପରେ ରାଜ୍ୟ ରାଜ୍ୟ ରେ ମାଛ, ଫଳ, ଦୁଧ, କୁକୁଡା ଚାଷ ପାଇଁ ପ୍ରୋସôାହନ ଆସିଲା । ଅନ୍ୟ ରାଜ୍ୟ ମାନେ ଏହାର ଫାଇଦା ନେଲେ । ଆମ ଓଡ଼ିଶାର ବାବୁ ମାନେ କିଛି ନକରି ମିଛ ଯୋଜନା ନାଁ ରେ ହରିଲୁଟ କଲେ । ଚେତା ପଶିଲା ବେଳକୁ ଆଉ ସମୟ ନଥିଲା । ଆମେ ସମସ୍ତଙ୍କ ପଛରେ ପଡିଗଲୁ । ଜଳଂ ଗତେ କିଂ ଖଳୁ ସେତୁବନ୍ଧଂ, ଚୌର ଗତେଁ କିମପୁଃ ସାବଧାନଃ ଅବସ୍ଥା ଆମର ହେଲା ।