ଅବହେଳିତ କେନ୍ଦ୍ରାପଡ଼ାର ଭାଗ୍ୟ ସୁଧୁରିବ କେବେ?
ଶରତ କୁମାର ରାଉତ
ସମୁଦ୍ର, ନଦୀ, ନାଳ, ବନାନୀ ଘେରା ଚିର ଅବହେଳିତ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ବିବିଧ ସମସ୍ୟାର ଗର୍ଭ ମଧ୍ୟରେ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି, ପାନୀୟଜଳ,ସଂଚାର,ଦାରିଦ୍ର୍ୟ, ବେକାରୀ ଆଦି ମୌଳିକ ସମସ୍ୟା ଉକ୍ରଟ ରୂପ ଧାରଣ କରିଥିବା ବେଳେ ୧୯୯୯ ର ପ୍ରଳୟଙ୍କରୀ ବାତ୍ୟା ଜିଲ୍ଲାର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଏପରିକି କେବିକେ ବ୍ୟତୀତ ଅନ୍ୟ ୨୨ଟି ଜିଲ୍ଲା ମଧ୍ୟରେ ଏହି ଜିଲ୍ଲା ଲୋକଙ୍କର ମୌଳିକ ସମସ୍ୟା ସବୁଠୁ ଆଗରେ ରହିଛି । ବଙ୍ଗୋପସାଗର କୂଳବର୍ତ୍ତୀ ଏହି ଜିଲ୍ଲାର ଭୌଗୋଳିକ ଆୟତନ ୨୬୪୪ ବର୍ଗ କିଲୋମିଟର ଓ ଏହାର ଉପକୂଳବର୍ତ୍ତୀ ସୀମା ୪୮ କିଲୋମିଟର । ଏହି ଜିଲ୍ଲାର ଲୋକସଂଖ୍ୟା ୧୪ଲକ୍ଷ ୪୧ ହଜାର । ଏହାର ଜଙ୍ଗଲ ପରିମାଣ ୧୯୯୩୯ ବର୍ଗ କିଲୋମିଟର ଓ ଚାଷ ଉପଯୋଗୀ ଜମି ପରିମାଣ ୧ଲକ୍ଷ ୮୨ ହଜାର ୧୮୪ହେକ୍ଟର । ୨୪୯ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୫୪୯ ଟି ଗ୍ରାମ ରହିଛି ଏହି ଜିଲ୍ଲାରେ । ୧୯୯୯ ମହାବାତ୍ୟାରେ କ୍ଷତିଗ୍ରସ୍ତ ତାଲିକାରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲା ଧ୍ୱଂସ ସ୍ତୂପରେ ପରିଣତ ହୋଇଥିବା ଜଗତସିଂହପୁର ଜିଲ୍ଲାର ପଛକୁ ରହିଥିଲା । ଶିଳ୍ପବିହୀନ ଏହି ଜିଲ୍ଲା ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ସ୍ୱାଧୀନତା ପରଠାରୁ ସଂଘର୍ଷ କରିଆସୁଥିଲେ ହେଁ ସମୟ ଓ ପରିସ୍ଥିତି ଜିଲ୍ଲାବାସୀଙ୍କୁ ଭୋକ ଉପାସରେ ରହି ଜିଇଁବାକୁ ବାଧ୍ୟ କରିଚାଲିଛି ।
ଏଠାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ବହୁ ଅଧିକ ଥିଲାବେଳେ ନିଯୁକ୍ତି ହାର ସବୁଠୁ କମ୍ ରହିଛି । ଦାରିଦ୍ର୍ୟ ଦୂରୀକରଣ ଯୋଜନା, ସ୍ୱାସ୍ଥ୍ୟସେବା, ବିଦୁ୍ୟତ୍ସେବା, ସଂଚାର ସେବା, ଗମନାଗମନ ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି । ଏଠାରେ ଥିବା ବିଶ୍ୱ ବିଖ୍ୟାତ କଇଁଛ ଓ କୂମ୍ଭୀର ପ୍ରଜନନ କେନ୍ଦ୍ର ତଥା ଭିତରକନିକା ପ୍ରାଣୀ ଅଭୟାରଣ୍ୟ ଓ ସାମୁଦି୍ରକ ଅଭୟାରଣ୍ୟର ଆବଶ୍ୟକୀୟ ଉନ୍ନତି ହୋଇ ପାରୁନାହିଁ । ପ୍ରାକୃତିକ ଦୃଶ୍ୟ ରାଜିରେ ଭରା ଅଭୟାରଣ୍ୟ, କମନୀୟ ସମୁଦ୍ର ବେଳାଭୂମି ଓ ସମୁଦ୍ର ତଟ୍ଟରେ ଯେଭଳି ପ୍ରଚୁର ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଛି, ତା’ର ଉପଯୁକ୍ତ ଉପଯୋଗ ହେଲେ ଜିଲ୍ଲାର ଆର୍ଥିକ ପ୍ରଗତି ସମ୍ଭବ ହୋଇ ପାରନ୍ତା ।
ଜିଲ୍ଲାରେ ସରକାରୀ ଉନ୍ନୟନ ଯୋଜନା କାର୍ଯ୍ୟକାରୀତା ଉପରେ ବ୍ୟାପକ ସମୀକ୍ଷା ହେଉନଥିବାରୁ ପ୍ରକୃତ ହିତାଧିକାରୀ ମାନେ ଉପକୃତ ହୋଇ ପାରୁ ନାହଁନ୍ତି । ଯେଉଁଥିପାଇଁ ଜିଲ୍ଲାର ପ୍ରାୟ ୧ଲକ୍ଷ ୨୦ ହଜାର ବେକାର ଶିକ୍ଷିତ ଯୁବକ/ଯୁବତୀ ଦେଶ ବିଦେଶର ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ୧୯୬୭ ଓ ୧୯୭୨ ସାମୁଦ୍ରିକ ମହାପ୍ଲାବନରେ ରାଜନଗର,ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇର ଅନେକ ଧନ-ଜୀବନ ନଷ୍ଟ ହୋଇଥିବା ବେଳେ ୧୯୮୨ ସାମୁଦ୍ରିକ ଜୁଆରରେ ଉପକୂଳବାସୀଙ୍କର ପ୍ରଭୃତ କ୍ଷୟକ୍ଷତି ହୋଇଥିଲା । ଉପକୂଳବାସୀଙ୍କର ସୁରକ୍ଷା ପାଇଁ ବିଜୁ ପଟ୍ଟନାୟକ ୧୯୭୨ ଏପ୍ରିଲ୍ ୪ରେ ଧାମରା ଠାରୁ ପାରାଦୀପ ପର୍ଯ୍ୟନ୍ତ ବରୁଣେଇ ଦେଇ ବିଶାଳ ପଥର ପନ୍ଧ ନିର୍ମାଣ କରାଇବାକୁ ଘୋଷଣା କରିଥିଲେ । ମାତ୍ର ଏଯାଏ ତାହା ସମ୍ଭବ ହୋଇପାରିନାହିଁ । ପ୍ରତି ମୁହୂର୍ତ୍ତରେ ଧ୍ୱଂସ ପାଇ ଚାଲିଛି ଉପକୂଳ ଝାଉଁଜଙ୍ଗଲ । ୧୯୮୦ ରେ ବରୁଣେଇ ନିକଟସ୍ଥ ଜଗରିଜୋର ଠାରେ ସରକାର ଓ ବିଶ୍ୱବ୍ୟାଙ୍କ୍ର ମିଳିତ ସହାୟତାରେ ବିଶାଳ ହେନ୍ତାଳବଣ ଧ୍ୱଂସ କରାଯାଇ ଏକ ନଡ଼ିଆ ଚାଷ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ମାତ୍ର ଏହି ପ୍ରକଳ୍ପ ବିଫଳ ହୋଇଥିଲା । ପୁନଶ୍ଚ ୧୯୯୪ରେ ସେହି ସ୍ଥାନରେ ବିଶ୍ୱବ୍ୟାଙ୍କ୍ ସହାୟତାରେ ବାକି ଥିବା ହେନ୍ତାଳବଣ ଧ୍ୱଂସ କରାଯାଇ ଏକ ଚିଙ୍ଗୁଡ଼ି ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ହେଲେ ଅଳ୍ପ କିଛି ବର୍ଷ ପରେ ଏହି ପ୍ରକଳ୍ପ ମଧ୍ୟ ବିଫଳ ହୋଇଥିଲା । ଆଜି ପର୍ଯ୍ୟନ୍ତ ଉକ୍ତ ଦୁଇଟି ପ୍ରକଳ୍ପର ବିଫଳତା ସଂପର୍କରେ କୌଣସି ସମୀକ୍ଷା ହୋଇନାହିଁ । ସଂପ୍ରତି ଜିଲ୍ଲାରେ ରାସ୍ତାଘାଟ ସମସ୍ୟା ଗମ୍ଭୀର ରହିଛି । ଆଜି ମଧ୍ୟ ବିଭିନ୍ନ ଗାଁ, ପଞ୍ଚାୟତ ଓ ବ୍ଲକ୍ ସଦର ମହକୁମା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି । ବହୁ ରାସ୍ତା କିଛି ବର୍ଷ ତଳୁ ମରାମତି ହୋଇନାହିଁ । ୩୦ ରୁ ଉଦ୍ଧ୍ୱର୍ ନିର୍ମାଣାଧିନ ନଦୀ ସେତୁ ଦୀର୍ଘ ବର୍ଷ ତଳୁ ଅଧାପନ୍ତରିଆ ଭାବେ ପଡ଼ି ରହିଛି । ଏପରିକି ୧୮ ବର୍ଷ ତଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ମହାକାଳପଡ଼ା ବ୍ଲକ୍ର ବିଜୟନଗର ନଦୀ ସେତୁ ସଂପୂର୍ଣ୍ଣ ହୋଇପାରିନାହିଁ । ଯଦ୍ୱାରା ଉକ୍ତ ବ୍ଲକ୍ର ଗୋଗୁଆ, ବଡ଼ିହି, ବଳିପାଳ, ଦେଉଳିପଡ଼ା, ବିଜୟନଗର ଆଦି ୧୦ଟି ପଞ୍ଚାୟତର ହଜାର ହଜାର ଲୋକେ ନିଜ ବ୍ଲକ୍ ସଦର ମହକୁମାରେ ପହଞ୍ଚିବାରେ ନାନା ଅସୁବିଧାର ସନ୍ମୁଖିନ ହେଉଛନ୍ତି ।
ସମୁଦ୍ର ତଟ୍ଟବର୍ତ୍ତୀ ଗାଁ ଗୁଡ଼ିକର ଅବସ୍ଥା ଭାରି ସାଂଘାତିକ । ଇତି ମଧ୍ୟରେ ଅନେକ ଗାଁ ସମୁଦ୍ର ଓ ନଦୀର ମହାପ୍ଲାବନରେ ମିଳେଇ ଯାଇଛି । ସାତଭାୟା ଭଳି କେତେକ ଗାଁ କେଉଁ ମୁହୂର୍ତ୍ତରେ ସମୁଦ୍ରର ମହାପ୍ଲାବନରେ ଲୀନ ହୋଇଯିବ, ତାହା ଭଗବାନଙ୍କୁ ଜଣା । ଲୁଣା ଘେରିବନ୍ଧ ଖୁବ୍ ଦୁର୍ବଳ ଥିବାରୁ ସମୁଦ୍ରରୁ ଲୁଣାପାଣି ଆସି ଭେଡ଼ା ଭିତରେ ପଶୁଛି ଓ ଅକାଳରେ ଫସଲ ହାନୀ ହେଉଛି । ସେହିପରି ବନ୍ୟା ଘେରିବନ୍ଧ ଅତି ଦୁର୍ବଳ ଯୋଗୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକେ ବନ୍ୟା ପୀଡ଼ିତ ହୋଇ ସର୍ବସ୍ୱାନ୍ତ ହେଉଛନ୍ତି ଓ ଅନେକ ଧନ-ଜୀବନ ନଷ୍ଟ ହେଉଛି । ଜଳସେଚନ ବ୍ୟବସ୍ଥା ଜିଲ୍ଲାବାସୀଙ୍କ ପାଇଁ ଯେମିତି ସ୍ୱପ୍ନ ହୋଇଛି । କେତେକ ଅଞ୍ଚଳରେ ଅନେକ ବର୍ଷ ତଳେ କେନାଲ୍ ଖୋଳା କାମ ଆରମ୍ଭ ହୋଇ ଆଜି ମଧ୍ୟ ତାହା ଅଧାପନ୍ତରିଆ ଭାବେ ପଡ଼ିରହିଛି ।
ସେହିପରି ରାଜନୈତିକ ଓ ପ୍ରଶାସନିକ ଇଚ୍ଛା ଶକ୍ତି ଅଭାବରୁ ଅବହେଳିତ ବିଶ୍ୱବିଖ୍ୟାତ ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ପ୍ରାଣୀ ଅଭୟାରଣ୍ୟ, ହେନ୍ତାଳ ଜଙ୍ଗଲ, ଡ଼ାଙ୍ଗମାଳ କୂମ୍ଭୀର ପ୍ରଜନନ କେନ୍ଦ୍ର, ବତୀଘର, ବ୍ରିଟିସ୍ ବାଣିଜ୍ୟର କୋଠାଘର ହୁକିଟେଲା ଓ ବରୁଣେଇ ଜଙ୍ଗଲ ଆଦିର ବିକାଶ ସ୍ୱପ୍ନ ହୋଇ ରହିଛି । ଏସବୁକୁ ଏଯାଏ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳି ପାରିନାହିଁ । କ୍ରମେ ଏହି ଜିଲ୍ଲା ଅବହେଳାର ଚରମ ସୀମାକୁ ଟପିଗଲାଣି । ଏଠାରେ ବହୁ ସୁଯୋଗ ରହିଥିଲେ ହେଁ ତାହାର ଉପଯୁକ୍ତ ଉପଯୋଗ ହୋଇ ପାରୁନାହିଁ । ପ୍ରଚୁର ମନୋରମ ପ୍ରାକୃତିକ ସଂପଦ, ମତ୍ସ୍ୟ ସଂପଦ, ବନ୍ୟପ୍ରାଣୀ ସଂପଦ, ପର୍ଯ୍ୟଟନ ସଂପଦ ଓ ବନ୍ଦର ସୁଯୋଗ ଭଳି ଅନେକ ଦୁର୍ଲଭ ସଂପଦ ଭରପୂର ହୋଇ ରହିଛି ଏହି ଜିଲ୍ଲାରେ । ଜିଲ୍ଲାରେ ଥିବା ପ୍ରଚୁର ପର୍ଯ୍ୟଟନ ଶିଳ୍ପର ସୁଯୋଗକୁ ଉପଯୋଗର ଆବଶ୍ୟକତା ରହିଛି । ମାତ୍ର ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାଁନ୍ତି । ଏସବୁର ଉପଯୁକ୍ତ ଉପଯୋଗ ହେଲେ,, ଜିଲ୍ଲାର ଆର୍ଥିକ ବିକାଶ ହେବା ସହ ଓଡ଼ିଶା ସରକାର ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ପାଇ ପାରନ୍ତେ ।
ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ଅର୍ଥନୈତିକ ପ୍ରଗତିର ଚାବିକାଠି କେଉଁଠି ରହିଛି, ସେସଂପର୍କରେ ବ୍ୟାପକ ସମୀକ୍ଷାର ଆବଶ୍ୟକତା ରହିଛି । ବିଶେଷ କରି କେନ୍ଦ୍ରାପଡ଼ାର ଭାଗ୍ୟ ଓ ଭବିଷ୍ୟତ ପାଞ୍ଚ ଜଣ ବିଧାୟକ ଓ ସାଂସଦଙ୍କ ଇଚ୍ଛା ଶକ୍ତି ଉପରେ ନିର୍ଭର କରୁଛି । ସେମାନଙ୍କୁ କେନ୍ଦ୍ରାପଡ଼ା ବାସୀ ନିଜର ଅକୁଣ୍ଠିତ ସମର୍ଥନ ଦେଇ ସେମାନଙ୍କ ଦ୍ୱାରା ଜିଲ୍ଲାର ବିକାଶ ଆଶା ରଖିଛନ୍ତି । ମାତ୍ର ବିଧାୟକ ଓ ସାଂସଦ ନିଜ ପ୍ରତିଶ୍ରୂତି ମୁତାବକ କାର୍ଯ୍ୟ କରୁଥିବା ଦେଖାଯାଉନାହିଁ । ସେହିପରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ପ୍ରାୟ ୮ବର୍ଷ କାର୍ଯ୍ୟକାଳ ଭିତରେ ନିଜ ଭାଷଣ ପ୍ରତିଶ୍ରୂତି ମୁତାବକ ୧ଭାଗ କାର୍ଯ୍ୟ ବି କରି ନଥିବା କୁହାଯାଉଛି । ୨୦୧୪ରେ ନିର୍ବାଚିତ ବିଧାୟକ ମାନଙ୍କ କାର୍ଯ୍ୟ ଆଦୌ ସନ୍ତୋଷ ଜନକ ନଥିଲା ବୋଲି ଚର୍ଚ୍ଚା ହେଉଛି । କେବଳ ମୁଖ୍ୟମନ୍ତ୍ରୀଙ୍କ ସମ୍ମତିରେ ମୋହର ମାରିବା ଭଳି ଲୋକେ ସେମାନଙ୍କୁ ଭୋଟ ବେଳେ ନିଜ ସମର୍ଥନ ଦେଇ ଆସୁଛନ୍ତି । ହେଲେ ଲୋକମାନଙ୍କ ସୁବିଧା-ଅସୁବିଧା ବା ସୁଖ-ଦୁଃଖରେ ସେମାନେ ଛିଡ଼ା ହୁଅନ୍ତି ନାହିଁ, କେବଳ ନିଜର କିଛି କର୍ମୀଙ୍କ ଛଡ଼ା । ସାଧାରଣ ଲୋକେ ନିଜର ବିଧାୟକ ବା ସାଂସଦଙ୍କୁ ଦେଖା ବି କରି ପାରନ୍ତି ନାହିଁ । ଚିଠିଟିଏ ଦେଲେ ଉତ୍ତର ବି ମିଳେନି । ତେବେ ତୃଣମୂଳ ସ୍ତରରେ ଲୋକଙ୍କ ସେବା କରି, ଲୋକଙ୍କ ସୁଖ-ଦୁଃଖରେ ଏକାକାର ହୋଇ ନେତା ପାଲଟି ଥିବା ବ୍ୟକ୍ତି ହିଁ ବାସ୍ତବ କ୍ଷେତ୍ରରେ ଲୋକପ୍ରତିନିଧି ହେବାକୁ ଯୋଗ୍ୟ ହୋଇଥାଏ । ମାତ୍ର ଆଜିର ନେତାମାନେ ଏହାର ସଂପୂର୍ଣ୍ଣ ବ୍ୟତିକ୍ରମ ଥିବାରୁ ସେମାନେ ଲୋକଙ୍କ ସହିତ ମିଶିବାକୁ ପସନ୍ଦ କରନ୍ତି ନାହିଁ ବୋଲି ହାଟ-ବଜାରରେ ଆଲୋଚନା ଚାଲିଛି । କେନ୍ଦ୍ରାପଡ଼ାର ବିକାଶ ପାଇଁ ସାଂସଦଙ୍କ ସମେତ ବିଧାୟକ ମାନେ ନିଜର ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟ କରିବାର ସମୟ ଆସିଛି । ବିକଶିତ କେନ୍ଦ୍ରାପଡ଼ା ଗଠନ କରିବାକୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଦଳ ମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବାକୁ ବୁଦ୍ଧିଜୀବୀମାନେ ଆହ୍ୱାନ ଦେଉଛନ୍ତି ।