କଂଗ୍ରେସ ନେତାମାନେ ଚିନ୍ତା କରିବାର ବେଳ?

ସୁବାସ ଷଡଙ୍ଗୀ
‘ଅଘାଡି’ ଏଇ ଶଦ୍ଦଟି ଏବେ ରାଜନୀତିରେ ବେଶ ଚର୍ଚ୍ଚା ହେଉଛି ।ଓଡିଆ ଭାଷାରେ ଅବଶ୍ୟ ଅଗାଡିର ଅର୍ଥ ମଲା ଧାନ । କିନ୍ତୁ ଅଘାଡି ମରାଡି ଭାଷାରେ ହେଉଛି ମେଂଟ । ମହାରାଷ୍ଟ୍ରରେ ତିନିଦଳ ମିଶି ଅଘାଡି କରିଛନ୍ତି ଯାହା ଜାତୀୟ ରାଜନୀତିରେରେ ବେଶ ଚର୍ଚ୍ଚା ହେଉଛି । ତାର କାରଣ ପୁଣି ଥରେ ବିଜେପି ବିରୋଧୀ ମେଂଟ ତିଆରି ପାଇଁ ପଥ ପରିଷ୍କାର ହୋଇଛି । ଭାରତୀୟ ରାଜନୀତି ସମ୍ପର୍କରେ ଯେଉଁମାନେ ଖବର ରଖନ୍ତି. ସେମାନେ ଜାଣନ୍ତି, ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସ ପ୍ରଥମେ ପ୍ରମୁଖ ଭୂମିକା ଗ୍ରହଣ କରିବା ପରେ ନିର୍ବାଚନରେ ଅଂଶଗ୍ରହଣ କଲା ୧୯୫୨ ନିର୍ବାଚନରେ । ଏହା ହେଲା ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନ । ୧୯୫୨ ମସିହାର ପ୍ରଥମ ନିର୍ବାଚନରୁ ଆରମ୍ଭ କରି ୧୯୮ ମସିହା ନିର୍ବାଚନ ପର୍ଯ୍ୟନ୍ତ ପ୍ରାୟ ଚାରି ଦଶନ୍ଧି ଧରି କେନ୍ଦ୍ର ଓ ଅଧିକାଂଶ ରାଜ୍ୟରେ କଂଗ୍ରେସ ଦଳ ଶାସନ କ୍ଷମତାରେ ରହିଆସିଛି । ଏହା ଭିତରେ ୧୯୬୭ ମସିହାରେ କେରଳରେ ଅଳ୍ପ ସମୟ ପାଇଁ କମ୍ୟୁନିଷ୍ଟ ଶାସନ ହୋଇଥିଲା । ବାକି ସବୁ ଅନ୍ୟ ରାଜ୍ୟମାନଙ୍କରେ କଂଗ୍ରେସ କ୍ଷମତାରେ ଥିଲା । ଚତୁର୍ଥ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ପରାଜୟର ସାମନା କଲା । ଏହାପରେ ୧୯୭୦ରୁ ୧୯୮୦ ଭିତରେ କିଛିଟା ଓଲଟପାଲଟ ଦେଖାଦେଲା । ଜରୁରି ଅବସ୍ଥା ଏବଂ ଏହାର ପରବର୍ତୀ ଏଫେକ୍ଟର ପରିଣାମ କଂଗ୍ରେସକୁ ଭୋଗ କରିବାକୁ ପଡିଲା ।
ନବେ ଦଶକରୁ କଂଗ୍ରେସର ଆଧିପତ୍ୟ କମିବାକୁ ଆରମ୍ଭ କଲା । କେନ୍ଦ୍ରରେ ଆରମ୍ଭ ହେଲା ମେଂଟ ରାଜନୀତିର ଯୁଗ । ମେଂଟ ରାଜନୀତିର ଅନେକ ପରୀକ୍ଷା ନୀରିକ୍ଷା ବିଫଳହେବା ପରେ ଦୁଇଥର ମନମୋହନ ସିଂଙ୍କ ନେତୃତ୍ୱରେ ୟୁପିଏ ମେଂଟ କେନ୍ଦ୍ରରେ କ୍ଷମତାରେ ରହିଲା ।
ଏମିତିଭାବେ ୨୦୧୪ ମସିହା ସାଧାରଣ ନିର୍ବାଚନରେ ବିଜେପିର ନରେନ୍ଦ୍ର ମୋଦି କ୍ଷମତାକୁ ଆସିଲେ । ଏହା ମଧ୍ୟ ମେଂଟ ରାଜନୀତିର ଅଂଶବିଶେଷ ଥିଲା । ଯାହାକୁ କୁହଯାଉଥିଲା, ଏନଡିଏ ମେଂଟ । କିନ୍ତୁ ଏନଡିଏ ମେଂଟ ରହିଥିଲେ ମଧ୍ୟ ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ନିଜର ସ୍ଥିତିକୁ ମଜବୁତ କଲା । କଂଗ୍ରେସ ପୁରାପୁରି ସଂକୁଚିତ ହେଲା । ଯେମିତିଭାବେ ଭାରତରେ ମୋଗଲ ସାମ୍ରାଜ୍ୟ ସଂକୁଚିତ ହୋଇଥିଲା ।
ଆମେ ଦେଖିପାରୁଛେ, କଂଗ୍ରେସ ଦଳ ଯେତେ ସଂକୁଚି ହେଉଛି, ବିଜେପିର ସ୍ଥିତ ସେତେ ଅଧିକ ମଜବୁତ ହେଉଛି । ପଚାଶ ଦଶକରେ ଗଠିତ ଜନସଂଘ ଦଳ ୧୯୭୭ରୁ ୧୯୮୦ ମସିହା ମଧ୍ୟରେ ଜନତା ଦଳରେ ବିଲୟ ହୋଇ କ୍ଷମତା ହାସଲ କରିଥିଲା । ମାତ୍ର ଏଇ ମେଂଟ ସଫଳ ନହେବାରୁ ୧୯୮୦ ମସିହାରେ ଗଠିତ ହେଲା ଭାରତୀୟ ଜନତା ପାର୍ଟି । ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁଜନିତ ସହାନୁଭୂତି ଭୋଟ ପାଇ କଂଗ୍ରେସ ଦଳ ୪୦୩ ସାଂସଦରେ କ୍ଷମତା ଏାଭ କଲା । ନବଗଠିତ ବିଜେପି ଦଳ ମାତ୍ର ଦୁଇଟି ଆସନ ପାଇ କୌଣସି ପ୍ରକାରେ ନିଜର ଅସ୍ତିତ୍ୱ ଜାହିର କଲା । ଏହା ପରେ ହିନ୍ଦୁତ୍ୱର ଏଜେଣ୍ଡାକୁ ପାଥେୟ କରି ରଥଯାତ୍ରା, ବାବରି ମସଜିଦ ଭଙ୍ଗ ଭଳି କୌଶଳ ଅବଲମ୍ବନ କରି ବିଜେପି ନିଜର ଶକ୍ତିବୃଦ୍ଧି କରିବାକୁ ସମର୍ଥ ହେଲା ।
ସବୁଠାରୁ ବଡ କଥା ହେଲା, ଏହି ସମୟ ଭିତରେ ବିଜେପି ସାରାଭାରତରେ ନିଜର ଅବସ୍ଥିତିକୁ ଜାହିର କରିବା ପାଇଁ ବିଭିନ୍ନ ଆଂଚଳିକ ଦଳଗୁଡିକ ସହିତ ବୁଝାମଣା କରିବା । ଯାହାଫଳରେ କେନ୍ଦ୍ରରେ କ୍ଷମତା ହାସଲ କରିପାରି ନଥିଲେ ମଧ୍ୟ ବିଭିନ୍ନ ରାଜ୍ୟରେ ବିଭିନ୍ନ ରାଜ୍ୟର ଆଂଚଳିକ ଦଳଗୁଡିକ ସହିତ ମିଶି ସରକାର ଗଠନ କରିବାକୁ ସମର୍ଥ ହେଲା ।
ବିଶେଷକରି ଓଡିଶାରେ ବିଜେଡି ସହିତ ମିଶି ଦୁଇ ହଜାର ମସିହାରେ କ୍ଷମତା ଦଖଲ କଲା । ମହାରାଷ୍ଟ୍ରରେ ଶିବସେନା ସହିତ ବଝାମଣା ହେଲା । ଯାହାଫଳରେ ସେଠାରେ କ୍ଷମତାକୁ ଫେରିଲା । ପଂଜାବରେ ଅକାଳି ଦଳ ସହିତ ବୁଝାମଣା କରି ସରକାର ଗଠନ କଲା । ବିହାରରେ ନୀତିଶକୁମାର – ଫଣ୍ଣାଡିଜଙ୍କ ଦଳ ସହିତ ବୁଝାମଣା କରି କ୍ଷମତା ଦଖଲ କଲା । ପଶ୍ଚିମବଙ୍ଗରେ ମଧ୍ୟ ମମତାଙ୍କ ତୃଣମୂଳ କଂଗ୍ରେସ ସହିତ ବୁଝାମଣା କରିଥିଲା । ଆନ୍ଧ୍ରରେ ଚନ୍ଦ୍ରବାବୁ ନାଇଡୁଙ୍କ ସହିତ ବୁଝାମଣା ହେଲା । ତାମିଲନାଡୁରେ କେତେବେଳେ ଜୟଲଳିତାଙ୍କ ସହିତ ତ ଆଉ କେତେବେଳେ ଡିଏମକେର ସହଯୋଗ ଲୋଡି ନିଜର ସ୍ଥି୍ିତିକୁ ମଜବୁତ କଲା ।
ସବୁଠାରୁ ବଡ କଥା ହେଲା, ବିଭିନ୍ନ ରାଜ୍ୟରେଆଂଚଳିକ ଦଳ ସହିତ ନିର୍ବାଚନୀ ବୁଝାମଣା ହେଲେ ମଧ୍ୟ ଅନେକ ଦଳ ସହିତ ସୋମନଙ୍କର ମତାଦର୍ଶଗତ ମିଳନ ହୋଇ ପାରି ନଥିଲା । କେବଳ ଶିବସେନାକୁ ଛାଡିଦେଲେ ଅନ୍ୟ ଆଂଚଳିକ ଦଳଗୁଡିକ ସହିତ କେବଳ କ୍ଷମତା ଦଖଲ ହିଁ ଏକମାତ୍ର ବିଶେଷତ୍ୱ ହୋଇଥିଲା । ଯେମତି ବିହାରରେ ଲାଲୁ ପ୍ରସାଦ ଯାଦବ, ଓଡିଶାରେ କଂଗ୍ରେସ ଦଳ, ପଶ୍ଚିମବଙ୍ଗରେ ବାମପନ୍ଥୀମାନଙ୍କୁ କ୍ଷମତା ରାଜନୀତିରୁ ଦୂରେଇବା ଥିଲା ଏକମାତ୍ର ଉଦେ୍ଦଶ୍ୟ । ଏଇଥି ପାଇଁ ବିଜେପି ଏକ ଜାତୀୟ ଦଳ ହୋଇଥିଲେ ମଧ୍ୟ ବିଭିନ୍ନ ଆଂଚଳିକ ଦଳ ସହିତ ସାଲିସ କରିବାକୁ ଚାହିଁଥିଲା । ,ପରିକି କେବଳ ଆଂଚଳିକ ଦଳର ସହଯୋଗୀ ହେବାକୁ ପସନ୍ଦ କରିଥିଲା ।
ଏମିତିଭାବରେ ଭାରତରେ ଆଂଚଳିକ ଦଳଗୁଡିକର ପା୍ରଧାନ୍ୟ ବଢିବା ପରେ କଂଗ୍ରେସ ମଧ୍ୟ ମେଂଟ ଗଠନ କରିବାକୁ ବାଧ୍ୟ ହୋଇଥିଲା । ଗଠିତ ହେଲା ୟୁପିଏ ମେଂଟ । କେନ୍ଦ୍ରରେ କ୍ଷମତାକୁ ଫେରିଲା ମେଂଟ । କିନ୍ତୁ ୨୦୧୪ ମସିହା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନୂଆ ରୂପରେ ଉଭା ହେଲା । ବିାଜପିରେ ଅଟଳ-ଆଡଭାନୀଙ୍କ ନୀତିକୁ ବାଦ ଦେଇ ମୋଦି-ଶାହ ମେଂଟ ଆରମ୍ଭ ହେଲା ।
ବିଜେପିର ଏଇ ନବକଳେବରର ଏକମାତ୍ର ଉଦେ୍ଦଶ୍ୟ ହେଲା ଯେକୌଣସି ଉପାୟରେ କ୍ଷମତା ଦଖଲ । ସେଥିପାଇଁ ଭଙ୍ଗାଭଙ୍ଗି ରାଜନୀତିକୁ ଉପଯୋଗ କରାଯାଇପାରେ । ୨୦୧୪ ମସିହାରେ ନିଜର ସଫଳତାକୁ ପାଥେୟ କରି ମୋଦି-ଶାହ ଯୋଡି ଏବେ ଭାରତ ଅଧିକାରରେ ବ୍ୟସ୍ତ । କଂଗ୍ରେସର ଅବସ୍ଥା ଏବେ ମୋଗଲ ସାମ୍ରାଜ୍ୟ ଭଳି । ରାହୁଲ ଗାନ୍ଧୀଙ୍କ ଅବସ୍ଥା ବାହାଦୂର ଶାହ ଜାପରଙ୍କ ଭଳି । ଯେଉଁଥିପାଇଁ କର୍ଣ୍ଣାଟକରେ କଂଗ୍ରେସର ମେଂଟ ରାଜନୀତି ସଫଳ ହୋଇ ପାରି ନାହିଁ ବିଜେପି କଂଗ୍ରେସକୁ ଭାଙ୍ଗିଦେଇ ପାରିଛି ।
ମହାରାଷ୍ଟ୍ର ଏହାର ବ୍ୟତିକ୍ରମ । ବହୁଚେଷ୍ଟୋକରି ମହାରାଷ୍ଟ୍ରରେ ଏନସିପିକୁ ଭାଙ୍ଗିବାକୁ ବିଜେପି ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନାହିଁ । ତାର କାରଣ ହୁଏତ ଶିବସେନା ହୋଇପାରେ । ଏହିଦଳର ପା୍ରଧାନ୍ୟ ବମ୍ବେ ସହରରେ ମଜବୁତ ଥବବାରୁ ଏବଂ ଏନସିପି ନେତା ଶରଦ ପାୱାର ଜଣେ ପକା ଖେଳୱାଡ ହୋଇଥିବାରୁ ବିଜେପି ଚେଷ୍ଟା କରି ବିଫଳ ହୋଇଛି । ମାତ୍ର ବିରତ ହୋଇ ନାହିଁ ।
ମହାରାଷ୍ଟ୍ରର ମେଂଟ ଏକ ନୂତନ ରାଜନୀତିର ସୂତ୍ରପାତ କରିବ ବୋଲି ଅନେକ କହୁଛନ୍ତି । ହୋଇପାରେ । କାରଣ ବିଜେପି ପ୍ରତି ଲୋକଙ୍କର ମୋହଭଙ୍ଗ ଆରମ୍ଭ ହୋଇଛି । ଦେଶରେ ଅର୍ଥନୀତି ବିପର୍ଯ୍ୟସ୍ତ । କେବଳ ପାକିସ୍ଥାନ ବିରୋଧୀ ହୋଇ ସବୁଥରକ ଭୋଟ ବୈତରଣୀ ପାର ହେବା ସହଜ ନୁହେଁ । କଂଗ୍ରେସ ବିଜେପି ଭଳି ବିଭିନ୍ନ ରାଜ୍ୟରେ କେବଳ ସହଯୋଗ ଦେଇ ବିଜେପିକୁ କ୍ଷମତାରୁ ଦୂରେଇ ରଖିପାରିଲେ, ଜାତୀୟ ରାଜନୀତିକୁ ଏହା ପ୍ରଭାବିତ କରିବ । କିନ୍ତୁ କଂଗ୍ରେସ ଏଥିପାଇଁ ସମର୍ଥ କି? ଏ ନେଇ କଂଗ୍ରେସ ନେତାମାନେ ଚିନ୍ତା କରିବାର ସମୟ ଆସିଛି ।
ଓଡ଼ିଶା ନୂ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ- ୯୪୩୯୬୫୨୩୨୨

Leave a Reply

Your email address will not be published.