କରୋନା ଔଷଧ ମାଗଣାରେ! ସୁବାଶ ଷଡ଼ଙ୍ଗୀ
କରୋନା ଭାଇରସକୁ ନେଇ ସାରା ପୃଥିବୀରେ ହଇଚଇ ସୃଷ୍ଟି ହୋଇଛି । ଏମିତି ଏକ ସମୟରେ ଭୁବନେଶ୍ୱରରେ ଥିବା ହୋମିଓପ୍ୟାଥିକ ମେଡିକାଲ କଲେଜ ପକ୍ଷରୁ କୁଆଡେ କୁହାଗଲା, ହୋମିଓପ୍ୟାଥିକ ଚିକିତ୍ସା ରେ କରୋନା ପ୍ରତିଷେଧକ ଔଷଧ ରହିଛି । ଆୟୁଷ ମନ୍ତ୍ରାଳୟ କୁଆଡେ ଏହାକୁ ଦେବାକୁ ପରାମର୍ଶ ଦେଇଛି । ଏକଥା ଶୁଣିବା ପରେ ଲୋକଙ୍କର ହୋମିଓପ୍ୟାଥିକ ମେଡିକାଲ କଲେଜକୁ ସୁଅ ଛୁଟିଲା । ଲୋକମାନେ ପ୍ରତିଷେଧକ ଔଷଧ ଖାଇଲେ । ଏନେଇ କୁଆଡେ ସ୍ୱତନ୍ତ୍ର ଦ୍ୱାର ଖୋଲାଯାଇ ଔଷଧ ଦିଆଯିବା କଥା କୁହାଗଲା । ମାତ୍ର ପ୍ରକୃତରେ ଏହା କାମ କରୁଛି କି ନାହିଁ କେହିଦେଖିଲେ ନାହିଁ ।
ଅନେକ ପରେ ସ୍ୱାସ୍ଥ୍ୟ ବିଭାଗର ଚେତା ପଶିଲା । ଖୋଲତାଡ କରାଯିବା ପରେ ଘଟଣା ବନ୍ଦ ହେଲା । କିନ୍ତିୁ ପ୍ରଶ୍ନ ଉଠୁଛି ଯେଉଁମାନେ ଏହି ପ୍ରତିଷେଧକ ଔଷଧ ଖାଇଲେ ସେମାନଙ୍କର କଣ ହେବ? କଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ଏପରି ବାଚାଳାମି?
ଏବେ କେନ୍ଦ୍ର ସରକାର ଆୟୁଷ ମନ୍ତ୍ରାଳୟ ଖୋଲିଛନ୍ତି । ଭଲ କଥା ଆମର ପାରମ୍ପରିକ ଚିକିତ୍ସାକୁ ପ୍ରୋତ୍ସାହନ ମିଳୁଛି । କିନ୍ତୁ ଦେଖାଯାଉଛି ଓଡିଶାରେ ଏବେ ଅଧିକାଂଶ ଡାକ୍ତରଖାନା କେବଳ ହୋମିଓପ୍ୟାଥିକ/ ଆୟୁର୍ବେଦିକ ଡାକ୍ତରମାନଙ୍କ ଦ୍ୱାର ପରିଚାଳିତ ହେଉଛି । ସେମାନେ ରୋଗୀ ଦେଖୁଛନ୍ତି । ଦୁଃଖର କଥା ହେଉଛି ସେମାନେ ଆଲୋପ୍ୟାଥିକ ଔଷଧ ଲେଖୁଛନ୍ତି । ଯାହାକୁ ସାଧାରଣ ଲୋକେ ବିଶ୍ୱାସରେ ଖାଉଛନ୍ତି । ଅନେକ ହଇରାଣ ମଧ୍ୟ ହେଉଛନ୍ତି । କାରଣ ଆୟୁଷ ଡାକ୍ତରମାନଙ୍କର ଆଲୋପ୍ୟାଥିକ ଔଷଧ ସମ୍ପର୍କରେ କିଛି ଞାନ ନାହିଁ । ଅନେକ ହୁଏତ ମୋ ସହିତ ଯୁକ୍ତି କରି ପାରନ୍ତି, ଏନଏଚଏମ ପକ୍ଷରୁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଯଦି ସାମାନ୍ୟ ଦୁଇ ଚାରି ସପ୍ତାହରେ ସେମାନେ ସବୁ ଜାଣି ପାରୁଛନ୍ତି ତେବେ ସେମାନଙ୍କୁ ମେଡିକାଲ କାଉନସିଲ ପଂଜୀକୃତ କରୁ ନାହିଁ କାହିଁକି?
ଆଉ ଗୋଟାଏ ସମସ୍ୟା । ଏହି ଡାକ୍ତରମାନେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ହେଉଥିବା ଟୀକାକରଣ କେନ୍ଦ୍ରଗୁଡିକ ତନଖି କରୁଛନ୍ତି । ଏଠାରେ ଗୋଟାଏ ପ୍ରଶ୍ନ ସ୍ୱାସ୍ଥ୍ୟ ବିଭାଗକୁ । ଏମାନଙ୍କର କଣ ବୈଷୟିକ ଞାନ ରହିଛି ଯାହାକୁ ପ୍ରୟୋକ କରି ସେମାନେ ଟୀକାକରଣ ଠିକ ଭାବେ ଚାଲିଛି ତାହାର ତଦାରଖ କରିପାରିବେ? କାରଣ ପ୍ରତ୍ୟେକ ଟୀକା ଏଲୋପ୍ୟାଥିକ ଔଷଧ । ଏମିତି ଅନେକ କଥା ।
ଆୟୁଷ ମନ୍ତ୍ରାଳୟ ବା ଆୟୁଷ ଡାକ୍ତରମାନଙ୍କୁ ଆମେ ବିରୋଧ କରୁ ନାହୁଁ । ସେମାନଙ୍କୁ ଯେଉଁ ବିଷୟରେ ପାଠ ପଢାଯାଇଛି, ସେମାନେ ତାହାକୁ ନେଇ ରୋଗୀ ସେବା କରନ୍ତୁ । କିନ୍ତୁ ଅନ୍ୟ ବିଷୟରେ ନିଜକୁ ପୁରାନ୍ତୁ ନାହିଁ । ସରକାର ବାହାଦୂର ମଧ୍ୟ ସେମାନଙ୍କୁ ସଂଶ୍ଳିଷ୍ଟ କରନ୍ତୁ ନାହିଁ । କାରଣ ପ୍ରକୃତ ଡାକ୍ତରମାନେ ଆଜିକାଲି ଭୁଲ ଚିକିସ୍ôା କରି ରୋଗୀ ମାରିଦେବାର ଅନେକ ଅଭିଯୋଗ ଆସୁଛି । ତଳସ୍ତରରେ ଏଭଳି ଅଭିଯୋଗ ହୁଏତ ଲୋକଲୋଚନକୁ ଆସି ପାରୁ ନାହିଁ । ପ୍ରତ୍ୟେକ ଔଷଧର ଏକ ପ୍ରତିକ୍ରିୟା ରହିଛି । ଭୁଲ୍ ଔଷଧର ପ୍ରତିକ୍ରିୟା ହୁଏତ ଜିବନ ନେଇପାରେ । ଶିଶୁମାନଙ୍କୁ ଯେଉଁ ଟୀକା ଦିଆଯାଉଛି, ତାହାକୁ ତଦାରଖ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ମାତ୍ର ବାହବା ନେବା ପାଇଁ ଏପରି ନ କରିବାକୁ ଅନୁରୋଧ । ଲୋକମାନେ ମଧ୍ୟ ଭେଳିକିରେ ଫଶିଯାଆନ୍ତୁ ନାହିଁ । ସମୟ ଏପରି ହେଲାଣି ଯେ ରୋଗୀମାନେ ଆଉ ଏଣିକି କେବଳ ଏମବିବିଏସ ପାସ କରିଥିବା ଡାକ୍ତରଙ୍କ ପାଖକୁ ଯିବାକୁ ଚାହୁଁ ନାହାନ୍ତି । ବିଶେଷଞ ଡାକ୍ତରଙ୍କ ପାଖକୁ ଯିବାକୁ ଚାହାନ୍ତି । କ୍ୟାପିଟାଲ ହସପିଟାଲର ଆଉଟଡୋର ଦେଖିଲେ ଏକଥା ଜଣାପଡିଯାଏ । ତେଣୁ ସରକାର ଏବେ ଠୁ ସଚେତନ ହେବା ଦରକାର ।