ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ସଂସ୍କାର ଆସୁ
ଶରତ କୁମାର ରାଉତ
ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ହୋଇ ନପାରିବାର ମୂଳ କାରଣ ହେଲା, ଭିତିଭୂମିର ଘୋର ଅଭାବ ଓ ପରିଚାଳନାଗତ ତୃଟି । ଭିତିଭୂମିର ଅର୍ଥ ଆବଶ୍ୟକୀୟ ଚିକିତ୍ସା ଉପକରଣ, ଆଇସିୟୁ ଭଳି ଅତ୍ୟାଧୁନିକ ଯନ୍ତ୍ରପାତି, ରୋଗୀ ସଂଖ୍ୟାନୁଯାୟୀ ଶଯ୍ୟା, ଲାବୋରେଟାରୀ, ଔଷଧପତ୍ର, ଡ଼ାକ୍ତରଖାନା ଗୃହ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଉପଜିଲ୍ଲା ଓ ଜିଲ୍ଲା ହସ୍ପିଟାଲ୍ ମାନଙ୍କରେ ବ୍ଲଡ଼୍ ବ୍ୟାଙ୍କ୍ ପ୍ରତିଷ୍ଠା, ଜୀବନ ରକ୍ଷାକାରୀ ଅକ୍ସିଜେନ୍ର ବ୍ୟବସ୍ଥା, ଆବଶ୍ୟକତା ଅନୁଯାୟୀ ଡ଼ାକ୍ତର, ନର୍ସ ଓ ଅନ୍ୟାନ୍ୟ ପାରାମେଡ଼ିକ୍ କର୍ମଚାରୀ ଆଦିଙ୍କୁ ବୁଝାଏ । ମାତ୍ର ଉପରୋକ୍ତ ଭିତିଭୂମିର ବିକାଶ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସନ ଆଦୌ ଦୃଷ୍ଟି ଦେଉନାହିଁ । ବରଂ ଅବାଟରେ ଚାଲୁଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରଶାସନ । ରାଜ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ରାଜ୍ୟ ସରକାର ମଧ୍ୟ ଏକାଧିକ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଶହଶହ କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି । ହେଲେ ସ୍ୱାସ୍ଥ୍ୟ ସେବାର ସାମାନ୍ୟତମ ଉନ୍ନତି ପରିଲଖିତ ହେଉନାହିଁ । ଯୋଜନା ଗୁଡ଼ିକ ଚାଲିଛି କିପରି, କେଉଁଠି ଓ କାହାପାଇଁ(?), କେହି କିଛି ଜାଣିପାରୁ ନାହାଁନ୍ତି । କେବଳ ଜଳଜଳ ଦେଖାଯାଉଛି, ସାରା ରାଜ୍ୟରେ ଭୁଷୁଡ଼ି ପଡ଼ିଛି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା । ରୋଗୀମାନେ ଚିକିତ୍ସା ସେବା ନପାଇ ହଇରାଣ ହେଉଛନ୍ତି । ଏହା ପ୍ରମାଣିତ କରିଛି ନୀତି ଆୟୋଗଙ୍କ ରିପୋର୍ଟ । ନୀତି ଆୟୋଗଙ୍କ ସ୍ୱାସ୍ଥ୍ୟ ସୂଚକାଙ୍କରେ ୨୧ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ତଳ ଆଡ଼ୁ ତୃତୀୟ ଅର୍ଥାତ ୨୧ ନମ୍ବର ର୍ୟାଙ୍କ୍ । ଏପରିକି ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉପରକୁ ଉଠିବା ବଦଳରେ ଗୋଟିଏ ସ୍ଥାନ ତଳକୁ ଖସିଛି ।
୨୦୦୫ରେ ସ୍ୱାସ୍ଥ୍ୟ ମିସନ୍ କାର୍ଯ୍ୟକାରୀ ହେବା ପରଠାରୁ ରକ୍ତହୀନତା ରୋଗ ଓ ଏଥିଜନିତ ମୃତୁ୍ୟ ସଂଖ୍ୟା ବଢି ଚାଲିଛି । ରାଜ୍ୟରେ ସ୍ୱାସ୍ଥ୍ୟ ମିସନ୍ର ଲକ୍ଷ୍ୟ ଫେଲ୍ ମାରିଛି । ସରକାରୀ ଡ଼ାକ୍ତରଖାନା ବାରଣ୍ଡାରେ ଶୋଇ ରୋଗୀମାନେ ଚିକିତ୍ସିତ ହେଉଛନ୍ତି । ଏଠାରେ ସୁବିଧାରେ ରକ୍ତ, ମଳ, ମୂତ୍ର ଆଦି ବିଭିନ୍ନ ପରିକ୍ଷା ବ୍ୟବସ୍ଥା ଥିôଲେ ହେଁ ରୋଗୀଙ୍କୁ ଘରୋଇ ପରିକ୍ଷାଗାର ଉପରେ ନିର୍ଭର କରିବାକୁ ପଡ଼େ ଓ ସେଠାରେ ସେମାନେ ଶୋଷିତ ହେଉଛନ୍ତି । ଡ଼ାକ୍ତରଖାନା ଗୁଡ଼ିକରେ ବହୁମୂଲ୍ୟ ଔଷଧ ମିଳିବାତ ଦୂରର କଥା, ସାଲାଇନ୍ ବା ସାଧାରଣ ରୋଗର ବଟିକା ମଧ୍ୟ ରୋଗୀଙ୍କୁ ବାହାରୁ କିଣିବାକୁ ପଡୁଛିÿ । ରାଜ୍ୟ ସରକାର କୋଟିକୋଟି ଟଙ୍କାର ଅନେକ ପ୍ରକାର ଔଷଧ କିଣନ୍ତି । ମାତ୍ର ସେସବୁ ରୋଗୀଙ୍କ ଭାଗରେ ପଡ଼େନି । କର୍ମଚରୀଙ୍କ ଦ୍ୱାରା କିଛି ହରିଲୁଟ୍ ହୁଏ, କିଛି ସମୟସୀମା ଶେଷ ପରେ ବଂଟାଯାଏ ଓ ଆଉକିଛି ବର୍ଷ ଶେଷ ବେଳକୁ ନଷ୍ଟ କରି ଦିଆଯାଏ । ମୋଟ ଉପରେ ଆମର ଚିକିତ୍ସା ବ୍ୟବସ୍ଥା ଏଭଳି ଢଙ୍ଗରେ ଚାଲିଛି ଯେ, ସରକାରୀ ଚିକିତ୍ସାଳୟ କେବଳ ଲୋକ ଦେଖାଣିଆ, ହେଲେ ନିର୍ଭର କରିବାକୁ ପଡ଼ୁଛି ଘରୋଇ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ।
ଦିନ ଥିଲା ଯେତେବେଳେ ଆମ ଚିକିତ୍ସାଳୟ ମାନଙ୍କରେ ଔଷଧ ଚିଠା ଲେଖିବା ପାଇଁ କାଗଜର ମଧ୍ୟ ଅଭାବ ଥିଲା । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ୍ (ଏନ୍ଏଚ୍ଏମ୍)କାର୍ଯ୍ୟକାରୀ ହେବା ପରେ ସମୁଦ୍ର ଲହଡ଼ି ଭଳି ଅନୁଦାନ ସ୍ରୋତ ମାଡ଼ି ଆସିଲା । ପାଣି ଭଳି ଟଙ୍କା ଖର୍ଚ୍ଚ ହେଲା । ମାତ୍ର ବାସ୍ତବ ଭିତିଭୂମିର ବିକାଶ ହୋଇ ପାରି ନାହିଁ । ଅନେକ ସ୍ଥାନରେ ଆୟୁଷ ଡ଼ାକ୍ତରଙ୍କୁ ନେଇ ହସ୍ପିଟାଲ୍ ଚାଲୁଛି । କୌଣସି ସମୟରେ ଏନ୍ଏଚ୍ଏମ୍ ଯୋଜନା ବନ୍ଦ୍ ହୋଇଗଲେ ଓ ଅନୁଦାନର ମହାନଦୀ ଶୁଖି ଗଲେ, ତା’ପରେ ରାଜ୍ୟରେ କି ଅବସ୍ଥା ହେବ ବିଭାଗୀୟ ମନ୍ତ୍ରୀ କି ସଚିବ ଥରେ ଚିନ୍ତା କଲେଣି କି? ଆଜି ଯେତିକି ଭିତିଭୂମିର ବିକାଶ ହୋଇଛି, ତାହା ସ୍ୱାସ୍ଥ୍ୟ ମିସନ୍ର ଦାନ । ଏହାଛଡ଼ା ଯେତିକି ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି, ତାହାର ଖର୍ଚ୍ଚ ମଧ୍ୟ ବହନ କରୁଛି ମିସନ୍ । ତେବେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟସେବା ପାଇଁ କିଭଳି ଦାନ ରହିଛି, ଜାଣି ହେଉନାହିଁ । ଶହଶହ କୋଟି ଟଙ୍କାର ଔଷଧ ଓ ଚିକିତ୍ସା ଉପକରଣ କିଣା ଯାଉଛି ସିନା, ସେସବୁ ରୋଗୀ ମାନଙ୍କ ସେବାରେ ଲାଗୁନି । ସେଥିମଧ୍ୟରେ ଅଧିକାଂଶ ଔଷଧ ଓ ଉପକରଣ ଅତି ନିମ୍ନ ମାନର । ବରଂ ଏହି କିଣାବିକା ମଧ୍ୟରେ ବଡ଼ବଡ଼ିଆ ମାନଙ୍କୁ କିଛିକିଛି ହାତଗୁଞ୍ଜା ମିଳୁଛି । ଯଦିଓ ବିଭାଗୀୟ ମନ୍ତ୍ରୀ ଓ ସଚିବ ଆନ୍ତରିକତାର ସହ ନିଜ ଦାୟିତ୍ୱ ପ୍ରତି ସଚେତନ ଥାଆନ୍ତେ, ଏହି ମିସନ୍ ଅର୍ଥରେ ବି ସ୍ୱାସ୍ଥ୍ୟସେବାର ଉନ୍ନତି ହୋଇ ସାରନ୍ତାଣି । ଆଜି ପର୍ଯ୍ୟନ୍ତ କୌଣସି ପ୍ରକଳ୍ପ, ଆଇନ୍ ଓ ପଦକ୍ଷେପ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଦର୍ଶ କରିପାରି ନାହିଁ । ଅଯଥା ରାଜନୈତିକ ହସ୍ତକ୍ଷେପ, ପ୍ରଶାସନିକ ଅପାରଗତା ଓ ସରକାରୀ ନିୟମ ଉଲଘଂନ ଯୋଗୁଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସ୍ୱୟଂ ରୋଗଗ୍ରସ୍ତ ହୋଇ ଯାଇଛି । କାହିଁକି ଚିକିତ୍ସା ସେବାରେ ଉନ୍ନତି ହେଇ ପାରୁନି, କାହିଁକି ସରକାରୀ ସ୍ୱାସ୍ଥ୍ୟସେବା ସୁବିଧା ଠିକ୍ ସମୟରେ ଓ ଠିକ୍ ଭାବେ ରୋଗୀ ପାଇ ପାରୁ ନାହାନ୍ତି, ରୋଗୀ ସଂଖ୍ୟାନୁପାତରେ କାହିଁକି ଡ଼ାକ୍ତର, କର୍ମଚାରୀ, ରୋଗୀ ଶଯ୍ୟା, ଚିକିତ୍ସା ଉପକରଣ ସର୍ବୋପରି ଆବଶ୍ୟକୀୟ ଭିତିଭୂମିର ଅଭାବ ଦେଖା ଦେଉଛି, ସେ ସଂପର୍କରେ କେହି ଭାବୁଛନ୍ତି କି? “ଇଣ୍ଡିଆନ୍ ପବ୍ଲିକ୍ ହେଲ୍ଥ ଷ୍ଟାଣ୍ଡାର୍ଡ଼”(ଆଇପିଏଚ୍ଏସ୍)ର ମାନଦଣ୍ଡ ଅନୁଯାୟୀ ଓଡ଼ିଶାରେ କିଛି ଭିତିଭୂମିର ବିକାଶ ହୋଇଥିଲେ ହେଁ ଡ଼ାକ୍ତର, ନର୍ସ ଓ ଅନ୍ୟାନ୍ୟ ପାରାମେଡ଼ିକ୍ କର୍ମଚାରୀଙ୍କର ଘୋର ଅଭାବ ରହିଛି । ତେବେ ଡ଼ାକ୍ତର, ନର୍ସ ଓ ଅନ୍ୟାନ୍ୟ ପାରାମେଡ଼ିକ୍ କର୍ମଚାରୀ ଯେ ବାସ୍ତବ ଭିତିଭୂମିର ପ୍ରମୁଖ ଅଙ୍ଗ, ଏହା ହୁଏତ ସ୍ୱାସ୍ଥ୍ୟ ପ୍ରଶାସନ ଜାଣି ପାରୁନାହିଁ । ଆଇପିଏଚ୍ଏସ୍ ଅନୁଯାୟୀ ଓଡ଼ିଶାର ଉପସ୍ୱାସ୍ଥ୍ୟକେନ୍ଦ୍ର ସମେତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟାକନ୍ଦ୍ର ଓ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନା ରେ୧୫୦୧୪ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ ଙ୍କର ନିଯୁକ୍ତି ଆବଶ୍ୟକତା ଥିବାବେଳେ ଏବେ କାର୍ଯ୍ୟରତ ଅଛନ୍ତି ୭୨୧୫ । ସେହିପରି ରାଜ୍ୟର ୧୨୭୯ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୨୩୧ ଗୋଷ୍ଠୀ ସ୍ୱାସ୍ଥ୍ୟାକନ୍ଦ୍ର, ୫୮ ଉପଜିଲ୍ଲା ସ୍ୱାସ୍ଥ୍ୟାକନ୍ଦ୍ର, ୨୮ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନା(୨୦୧-୩୦୦ ଶଯ୍ୟା) ଓ ୪ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନା(୩୦୧-୫୦୦ ଶଯ୍ୟା), ବ୍ରହ୍ମପୁର, ବୁର୍ଲା ଓ କଟକ ବଡ଼ ମେଡ଼ିକାଲ୍ରେ ୧୪୧୯୨ ଷ୍ଟାଫ୍ ନର୍ସ ଙ୍କର ନିଯୁକ୍ତି ଆବଶ୍ୟକତା ଥିବାବେଳେ ଏବେ କାର୍ଯ୍ୟରତ ଅଛନ୍ତି ମାତ୍ର ୩୫୨୩ । ସେହିପରି ଆଇପିଏଚ୍ଏସ୍ ନିୟମ ଅନୁଯାୟୀ କର୍ମୀ ନିଯୁକ୍ତି ତ ଭିନ୍ନ କଥା, ହେଲେ ବର୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କର ଯେତିକି ପଦବୀ ରହିଛି, ସେଗୁଡ଼ିକରୁ ଅଧିକାଂଶ ମଧ୍ୟ ଖାଲି ପଡ଼ିଛି । ହେଡ଼୍ ନର୍ସ, ମ୍ୟାଟ୍ରନ୍, ସହକାରୀ ମ୍ୟାଟ୍ରନ୍, ପିଏଚ୍ଏନ୍, ଡ଼ିପିଏଚ୍ଏନ, ମହିଳା ପରିଦର୍ଶିକା, ଫାର୍ମାସିଷ୍ଟ, ଏଲ୍ଟି, ଭଳି ବହୁ ପାରାମେଡ଼ିକ୍ କର୍ମୀଙ୍କର ନିଯୁକ୍ତିର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ଓଡ଼ିଶାରେ ଡ଼ାକ୍ତର ଅଭାବ ଏକ ଜଟିଳ ରୂପ ନେଇଛି । ଏବେ ଓଡ଼ିଶାରେ ଡ଼ାକ୍ତର ଓ ରୋଗୀ ଅନୁପାତ ୧:୨୫୪୯ ରହିଛି । ଜାତୀୟ ସ୍ତରରେ ସମାନ ହେବାକୁ ଏଠାରେ ୧୦ ହଜାର ଡ଼ାକ୍ତରଙ୍କ ଆବଶ୍ୟକତା ରହିଛି । ଜାତୀୟ ସ୍ତରରେ ଡ଼ାକ୍ତର ଓ ରୋଗୀ ଅନୁପାତ ୧:୧୪୫୭ ରହିଛି । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଓଡ଼ିଶାରେ ୧ ହଜାର ଲୋକଙ୍କ ପାଇଁ ଜଣେ ଡ଼ାକ୍ତରଙ୍କର ଆବଶ୍ୟକତା ରହିଛି । କିନ୍ତୁ କର୍ଣ୍ଣାଟକ, ତାମିଲନାଡ଼ୁ, ପଞ୍ଜାବ ଓ ମହାରାଷ୍ଟ୍ରରେ ଡ଼ାକ୍ତର ଓ ରୋଗୀ ଅନୁପାତ ୧:୧୦୦୦ ରହିଛି । ଦେଶର ସର୍ବୋତମ ସ୍ୱାସ୍ଥ୍ୟସେବା ତାଲିକାରେ ଗୋଆ ରେକର୍ଡ଼ ସୃଷ୍ଟି କରିଛି । ଏଠାରେ ଡ଼ାକ୍ତର ଓ ରୋଗୀ ଅନୁପାତ ୧:୪୯୩ ରହିଛି । ଆମ ପଡ଼ୋଷୀ ଆନ୍ଧ୍ରରେ ଏହି ଅନୁପାତ ୧:୧୧୩୦ ରହିଛି । ଏହାର ମୁଖ୍ୟ କାରଣ ହେଲା, ଆନ୍ଧ୍ରରେ ୩୧ ଟି ମେଡ଼ିକାଲ୍ କଲେଜ ରହିଛି । ପ୍ରତିବର୍ଷ ଏଠାରୁ ୪୭୫୦ ଡ଼ାକ୍ତର ଉତୀର୍ଣ୍ଣ ହେଉଛନ୍ତି । ମାତ୍ର ଓଡ଼ିଶାରେ ୯ଟି ମେଡ଼ିକାଲ୍ କଲେଜରୁ ପ୍ରତିବର୍ଷ ୯୦୦ ଡ଼ାକ୍ତର ଉତୀର୍ଣ୍ଣ ହେବାର ବ୍ୟବସ୍ଥା ରହିଛି । ଏଦିଗରେ ଆମେ କାହିଁକି ପଛରେ ପଡ଼ିଛୁ, ବ୍ୟାପକ ସମୀକ୍ଷା ହେବା ଉଚିତ । ଆମ ରାଜ୍ୟରେ ଅଧିକ ଡ଼ାକ୍ତର ସୃଷ୍ଟି ହେବା ସହ ଆବଶ୍ୟକୀୟ ପାରାମେଡ଼ିକ୍ କର୍ମୀ ନିଯୁକ୍ତି ପାଇଲେ ହିଁ ବାସ୍ତବ ଭିତିଭୂମିର ବିକାଶ ହୋଇପାରିବ । ଏଥିପ୍ରତି ସରକାର ଯତ୍ନବାନ ହେବା ଉଚିତ ।
୍