ବନ୍ତ ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ପାଇଁ ଆସିଥିବା ଟଙ୍କା ହଡ଼ପ ଅଭିଯୋଗ
ଭଦ୍ରକ, (ଆଇଏନ୍ଏସ୍): ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ଦେଢ଼ଲକ୍ଷ ଟଙ୍କା ଲେଖାଏଁ ଭୀମଭୋଇ ସାମର୍ଥ୍ୟ ଶିବିରି ପାଇଁ ମଞ୍ଜୁର କରିଛନ୍ତି । ଏକ ମହତ୍ ଉଦେ୍ଦଶ୍ୟ ରଖି ସରକାର ବିକଳାଙ୍ଗ ମାନଙ୍କର ସାମୁହିକ ଉନ୍ନତିର ସ୍ୱାର୍ଥ ସାଧନ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଦେଉଛନ୍ତି । ମାତ୍ର ନାମକୁ ମାତ୍ର ଲୋକ ଦେଖାଣିଆ ଏହିଭଳି ଶିବିର କରାଯାଇ କିଭଳି ଭାବରେ ଭିନ୍ନକ୍ଷମ ମାନଙ୍କ ଟଙ୍କାକୁ ହଡ଼ପ କରାଯାଉଛି, ତାହା ଭଦ୍ରକ ଜିଲ୍ଲାରେ ବନ୍ତ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଉପସ୍ଥିତ କର୍ମକର୍ତାମାନେ ଅଭିଯୋଗ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ବନ୍ତ ବ୍ଲକରେ ଥିବା ବିକଳାଙ୍ଗ ମଂଚର କୌଣସି ନେତୃବୃନ୍ଦଙ୍କୁ ଡକାନଯାଇ ଧର୍ମକୁ ଆଖିଠାର ଭଳି ଭିନ୍ନକ୍ଷମ ମାନଙ୍କ ପାଇଁ ଶୃଙ୍ଖଳିତ ଭାବରେ ଏବଂ ଶସକ୍ତିକରଣ ନାମରେ ଯେଉଁଭଳି ଭାବରେ ବ୍ୟବସ୍ଥା କରାଯିବା କଥା ତାହା କରାନଯାଇ ଏପରିକି ସେମାନଙ୍କୁ ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥାକୁ ମଧ୍ୟ ଜିଲ୍ଲା ପ୍ରଶାସନ ଅଣଦେଖା କରିଥିବାର ଗୁରୁତର ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାର ଡି.ଏସ୍.ଏସ୍,ଓ.ଙ୍କ ଉପସ୍ଥିତିରେ ଭିନ୍ନକ୍ଷମ ମାନଙ୍କ ପଞ୍ଜିକରଣରେ ମଧ୍ୟ ଘୋର ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ସେମାନଙ୍କ ପାଇଁ ଦିଆଯାଇଥିବା ରେସନକାର୍ଡ଼, ଟ୍ରାଇ ସାଇକେଲ ପାଇବାକୁ ଥିବା ଅନୁଦାନରୁ ସେମାନେ ବଂଚିତ ହୋଇଥିବାରୁ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ବନ୍ତ ବ୍ଲକ୍ର ବିକଳାଙ୍ଗ ମଂଚରେ ମଦନ ମୋହନ ଚୌଧୁରୀ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କୃତ ହୋଇ ଥିବାବେଳେ ନିଜ ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ତାଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ଅଣଦେଖା କରି ଡାକି ନାହାଁନ୍ତି । ତେଣୁ, ଏଭଳି ଅବ୍ୟବସ୍ଥାକୁ ଭିନ୍ନକ୍ଷମ ମଂଚ ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କୁ ଗଣ୍ଡେ ଖାଇବାକୁ ଦିଆନଯାଇ ପେଣ୍ଡାଲ ସଜାଇବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ତେବେ ଉକ୍ତ ଶିବିର ପାଇଁ ଆସିଥିବା ଅର୍ଥ ବ୍ୟୟରେ ବ୍ୟାପକ ଅନିୟମିତା ହୋଇଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତର ହେବା ଜରୁରୀ ବୋଲି ମଂଚ ପକ୍ଷରୁ ଦୃଢ଼ ଦାବି ହୋଇଛି ।