ଆସ, ସବୁ ଧର୍ମକୁ ସମ୍ମାନ ଦେବା!

ପ୍ରୀତିରଂଜନ ଦାସ
ସବୁ ଧର୍ମକୁ ସମ୍ମାନ ଦେବା, ଗୋଟିଏ ଧର୍ମର ଲୋକେ ଅନ୍ୟ ଧର୍ମ ପ୍ରତି ହସ୍ତକ୍ଷେପ ନ କରିବା, କାହା ପ୍ରତି ହିଂସା ମନୋଭାବ ପୋଷଣ ନ କରି ଅନ୍ୟର ଉପକାର ସାଧନ କରିବା ଯେଉଁ ମହାପୁରୁଷଙ୍କ ମୂଳମନ୍ତ୍ର, ସେ ହିଁ ହେଉଛନ୍ତି ପୂଣ୍ୟ ଉକ୍ରଳ ମାଟିର ସନ୍ଥ ପ୍ରୋମାଚାର୍ଯ୍ୟ ବାବା ମଧୁସୂଦନ । ବାବା ମଧୁସୂଦନଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅନ୍ତର୍ଗତ ସ୍ୱର୍ଗ ବ୍ରହ୍ମପୁର ଗାଁ । ଉକ୍ତ ଗାଁର ନାମ ଉଚ୍ଚାରଣ କଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଏ । ମହାପୁରୁଷ ଅଚୁ୍ୟତାନନ୍ଦ ଦାସ ଶୂନ୍ୟ ବାଣୀ ଶୁଣାଇଥିଲେ ଏପରି ଜଣେ ସିଦ୍ଧ ମହାପୁରୁଷଙ୍କ ଆଗମନ ସଂପର୍କରେ । ୧୯୧୯ ମସିହା ପବିତ୍ର ଚମ୍ପକ ଦ୍ୱାଦଶ ତିଥିରେ ଧରାପୃଷ୍ଠକୁ ଆଗମନ କରିଥିଲେ ଏହି ମହାପୁରୁଷ । ଯାହାଙ୍କ କାର୍ଯ୍ୟ, ଆଚରଣ, ସତ୍ୟ, ଅହିଂସା, ଅକ୍ରୋଧ, ଇନ୍ଦ୍ରୀୟ ସଂଯମ, ଦୟା, କ୍ଷମା, ଧୈର୍ଯ୍ୟ, ଜ୍ଞାନ, ନିଷ୍କାମ ପ୍ରେମ, ସହନଶୀଳତା ଓ ସେବା ପ୍ରଭୃତି ଦ୍ୱାଦଶ ସଦ୍ଗୁଣାବଳୀର ବିକାଶ ସାଧନ ହିଁ ପ୍ରକୃତ ସର୍ବଧର୍ମ ସମନ୍ୱୟ ସତ୍ୟଧର୍ମ ବୋଲି ସେ ମତ ଦେଇଥିଲେ । ସମସ୍ତଙ୍କର ଗୋଟିଏ ଧର୍ମ, ଗୋଟିଏ ଗୁରୁ ବୋଲି ଚିନ୍ତା କରି ଭେଦ ଜ୍ଞାନ ପରିତ୍ୟାଗ କରିବାକୁ ପଦ୍ମପୁର, ପାଇକମାଳ, ସମ୍ବଲପୁର, ବଲାଙ୍ଗିରର ରୁଗୁଡ଼ିପଡ଼ା ଆଦି ପଶ୍ଚିମାଂଚଳ ସମେତ ଓଡ଼ିଶାର ବିଭିନ୍ନ ଅଂଚଳରେ ପଦଯାତ୍ରା ସହିତ କାନ୍ଥ ଓ ପ୍ରାଚୀରରେ ପ୍ରଚାର ପତ୍ର ମାଧ୍ୟମରେ ସେ ଜନସାଧାରଣଙ୍କୁ ସୁଚାଉଥିଲେ । କିମ୍ବଦନ୍ତୀ କହେ, ଠିକ୍ ୮ ମାସ ବେଳକୁ ବାବା ମଧୁସୂଦନଙ୍କୁ ଘର ଅଗଣାରେ ମାତା ରାଧାମଣି ଶୁଆଇ ଦେଇ ଘର କାମରେ ବ୍ୟସ୍ତ ଥାନ୍ତି । ହଠାତ୍ ମାଆ ଆସି ଦେଖିଲା ବେଳକୁ ବିଷଧର ନାଗ ମଧୁସୂଦନଙ୍କ ଦେହରେ ଗୁଡେଇ ହୋଇ ମସ୍ତକ ଉପରେ ଫଣା ଟେକି ରହିଛି । ଏହା ଦେଖି ମା’ ରାଧାରାଣୀ ନିଜର ଆରାଧ୍ୟ ଲକ୍ଷ୍ମୀନାରାୟଣଙ୍କୁ ଚିନ୍ତା କରି ଏ ପୁତ୍ର ତୁମର, ଏହାକୁ ରକ୍ଷା କର ପ୍ରଭୁ, ଏହି ପୁଅ ବଂଚି ରହିଲେ ବାବାଜୀ କରିଦେବି ବୋଲି କହିଥିଲେ । ହଠାତ୍ ବିଷଧର ସର୍ପଟି ସମସ୍ତଙ୍କୁ ବିସ୍ମିତ କରି ଅଦୃଶ୍ୟ ହୋଇ ଯାଇଥିଲା । ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ପିଲାଦିନେ ସର୍ବଦା ଭଗବାନ କୃଷ୍ଣଙ୍କୁ ‘କୁଟ କୁଟ’ ବୋଲି ଉଚ୍ଚାରଣ କରି ଦୁଇ ଗୋଡ ଛନ୍ଦି ଛିଡା ହୁଅନ୍ତି । ମଧୁସୂଦନ ରାଧାକୃଷ୍ଣ ପ୍ରେମ ବିଷୟରେ ଭକ୍ତମାନଙ୍କୁ କୁହନ୍ତି- ‘ବାବାଜୀକୁ ପଛେ ଭୁଲିଯାଅ, କୃଷ୍ଣଙ୍କୁ କେହି ନ ଭୁଲ ।’ ସିଦ୍ଧ ପୁରୁଷ ଅଚୁ୍ୟତାନନ୍ଦ ଗୋସ୍ୱାମୀ ପ୍ରାୟ ୬ଶହ ବର୍ଷ ପୂର୍ବରୁ ଭବିଷ୍ୟତବାଣୀ ଶୁଣାଇଥିଲେ “ମଧୁର କୂଳରେ ଜନମ ଲଭିବ, ମଧୁ ଦାସ ନାମେ ଖ୍ୟାତ, ପ୍ରାଚୀ କୂଳରେ ତା’ ଆଶ୍ରମ ହୋଇବ ଯାଗ ଯଜ୍ଞରେ ତା’ ମତ” । ୧୯୩୧ ମସିହା ମା’ ଚର୍ଚ୍ଚିକାଙ୍କ ପୀଠରେ କୃପାଭିକ୍ଷା କରିବା ପାଇଁ ୨୧ ଦିନ ଏକଗୋଡ଼ିଆ ଛିଡ଼ା ହୋଇଥିଲେ । ଶେଷରେ ତାଙ୍କ ଉପରେ ମା’ଙ୍କ କୃପା ହୋଇଥିଲା ଓ ସେ ସବୁ ଧର୍ମର ବିକାଶ ପାଇଁ ପ୍ରୟାଶ କରିଥିଲେ । ୧୯୪୦ ମସିହା ପୁରୀ ଜିଲ୍ଲା ନୟାହାଟ ଠାରେ ସେ ପ୍ରତିଷ୍ଠା କରିଥିଲେ ସର୍ବଧର୍ମ ସମନ୍ୱୟ ପୀଠ । ଯାହାକି ପା୍ରଚୀ ଗୁରୁଧର୍ମ କ୍ଷେତ୍ର ଭାବେ ପରିଚିତ । ପ୍ରତ୍ୟେକ ଧର୍ମର, ପ୍ରତ୍ୟେକ ସଂପ୍ରଦାୟର ଓ ପ୍ରତ୍ୟେକ ଗୁରୁଙ୍କର ଲକ୍ଷ୍ୟ ଏକ । ଏହି ମହାନ ଉକ୍ତିକୁ ସତ୍ୟରେ ପ୍ରତିଷ୍ଠା କରିବା ପାଇଁ ସେ ଆଶ୍ରମ ପରିସରରେ ଗଢି ତୋଳିଥିଲେ ମହାମାନବ ମନ୍ଦିିର । ଯେଉଁଠାରେ କି ପୃଥିବୀର ପ୍ରତ୍ୟେକ ଧର୍ମର ଗୁରୁ ଓ ମହାପୁରୁଷଙ୍କ ଫଟୋ ପୂଜା ପାଉଛନ୍ତି । ସର୍ବସାଧାରଣଙ୍କ ଶିକ୍ଷଣାର୍ଥେ ସ୍ଥାପନ କରା ଯାଇଛି ଏହି ମନ୍ଦିିର । ଏଥିରେ ଶ୍ରୀରାମ, ଶ୍ରୀକୃଷ୍ଣଙ୍କ ଠାରୁ ଆରମ୍ଭ କରି ଅରବିନ୍ଦ, ଅନୁକୂଳଚନ୍ଦ୍ର, ନିଗମାନନ୍ଦ, ନାନକ, କବୀର ଆଦି ମହାପୁରୁଷଙ୍କ ଫଟୋଚିତ୍ର ପୂଜା ପାଉଛନ୍ତି ଓ ସେମାନଙ୍କ ମହାନ ବାଣୀ ଲିପିବଦ୍ଧ କରାଯାଇଛି । ସର୍ବଧର୍ମ ମତବାଦକୁ ସ୍ୱୀକୃତି ଦେଉଥିବା ଏହା ସ୍ୱତନ୍ତ୍ର ପୀଠ । ବିଶ୍ୱର ମଙ୍ଗଳ ପାଇଁ ମହା ବିପତି ନାଶନ ନାମ “ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ”୧୯୮୦ରୁ ଚାଲୁ ରହିଛି । ଏଠାରେ ମଧ୍ୟ ଅଖଣ୍ଡ ନାମ ଓ ଅଖଣ୍ଡ ଦୀପ ଅହୋରାତ୍ର ଜଳୁଛି । ଆଶ୍ରମରେ କୃଷ୍ଣ ମନ୍ଦିର, ମା’ଶ୍ୟାମାକାଳୀ ଓ ଦୁର୍ଗାମଧବ ମନ୍ଦିର ସହ ପ୍ରାୟ ୧୫ ଟି ମନ୍ଦିର ଶୋଭା ପାଉଛି । ପ୍ରତ୍ୟେକ ଦିନ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଦୈନିକ ଭିକ୍ଷା କରାଯାଇ ପ୍ରସାଦ ବ୍ୟବସ୍ଥା କରାଯାଇଥାଏ । ଦେଶର ସ୍ୱାଧୀନତା ପରେ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ଭାବ ଦେଖା ଦେଇ ଯେଉଁ ବିଭେଦ ଓ ଅସ୍ଥିରତା ଦେଖା ଦେଇଥିଲା, ସେ ସମୟରେ ବାବା ମଧୁସୂଦନ ଅତ୍ୟନ୍ତ ମର୍ମାହତ ହୋଇ ସବୁ ଧର୍ମ ମଧ୍ୟରେ ଏକ ଉଦାର ଯୋଗସୂତ୍ର ରୂପେ ସ୍ୱଲିଖନରୁ ଆବୃତି କରିଥିଲେ “ସମସ୍ତଙ୍କର ଗୋଟିଏ ଧର୍ମ, ସତ୍ୟ, ଶ୍ୱାଶ୍ୱତ, ସାମ୍ୟ ଓ ପ୍ରେମ । ସମସ୍ତଙ୍କର ଗୁରୁ ଗୋଟିଏ । “ଆତ୍ମା ଅଟଇ ତାଙ୍କରି ନାମ” ଏହିପରି ଅନେକ…… ।
ଗୁରୁଦେବ ଭକ୍ତମାନଙ୍କୁ ସମ୍ବୋଧନ କରି କହିଥିଲେ,
ହେ ଭକ୍ତଗଣ, ତୁମ ପାଇଁ ମୋ ଆଖିରୁ ଯେ କେତେ ଲୋତକ ଝରିପଡ଼େ, ତାହା କ’ଣ ତୁମେ ଜାଣନାହିଁ? ନିଜର ସନ୍ତାନ ସନ୍ତତି ଦୂର ସ୍ଥାନ ମାନଙ୍କରୁ ଆସି ଯେତେବେଳେ ଗୃହ ମଧ୍ୟରେ ପ୍ରବେଶ କରନ୍ତି, ଆନନ୍ଦର ଲହରୀ ଖୋଲିଯାଏ, କହିଲ, ସେହିପରି ଭକ୍ତ ସମ୍ମିଳନୀରେ ତୁମ ମାନଙ୍କର ସମାବେଶ ମୋତେ ଯେଉଁ ଆନନ୍ଦ ଦିଏ, ତାହା ଅବ୍ୟକ୍ତ । ସେଥିପାଇଁ ପରା ଆଖିରୁ ଆନନ୍ଦାଶ୍ରୁ ବହିପଡ଼େ । ତୁମରି ଚିନ୍ତାକରି ତୁମେ କିପରି ସତପଥରେ ଯାତ୍ରୀ ହୋଇ ସତ୍ୟ ସନାତନ ଧର୍ମ ରକ୍ଷା କରିବ, ସେଥିପାଇଁ ଅନ୍ତରରେ କୋହ ଉଠେ । ୧୯୬୭ ରେ ପ୍ରଥମ ଗୁରୁଭକ୍ତ ସମ୍ମିଳନୀ ଆରମ୍ଭ ହୋଇଥିଲା । ଏହି ବାର୍ଷିକ ଗୁରୁଭକ୍ତି ସମ୍ମିଳନୀର ଉଦେ୍ଦଶ୍ୟ ପରମାତ୍ମା ଗୁରୁଙ୍କ ସହିତ ଜୀବାତ୍ମା ଶିଷ୍ୟ ସମ୍ୟକ ଭାବରେ ମିଳିତ ହେବାର ଅର୍ଥ “ଗୁରୁଭକ୍ତ ସମ୍ମିଳନୀ” । ପ୍ରେମାଚାର୍ଯ୍ୟ ବାବା ମଧୁସୁଦନଙ୍କ ନିଦେ୍ର୍ଦଶରେ ମୁଖ୍ୟାଶ୍ରମ ପୁରୀ ଜିଲ୍ଲା ସର୍ବଧର୍ମ ସମନ୍ୱୟ ପୀଠ ନୟାହାଟ ସ୍ଥିତ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର ପରିସରରେ ବର୍ଷକରେ ଥରେ ଅନୁଷ୍ଠିତ ହୁଏ । ଏହା ଓଡ଼ିଶାର ବିଭିନ୍ନ ସ୍ଥାନରେ ନହୋଇ କେବଳ ମୁଖ୍ୟାଶ୍ରମରେ ଅନୁଷ୍ଠିତ ହୋଇଥାଏ । ଏହି ସମ୍ମିଳନୀର ତାତ୍ୱିକ ଗୁରୁଙ୍କ ସହିତ ଶିଷ୍ୟ ବା ଭକ୍ତର ଯେଉଁ ମିଳନ ତାହା ଅବିନଶ୍ୱର, ଆନନ୍ଦ ଦାୟକ । ଏହି ମିଳନ ଚିରନ୍ତନ, ବାହାରେ ଏହି ସମ୍ମିଳନୀ କର୍ମଯୋଗର ଅନ୍ତର୍ଗତ । ଏଣୁ ଏହି ବାହ୍ୟ ସମ୍ମିଳନୀ ମାଧ୍ୟମରେ ଅନ୍ତର୍ନିହିତ ମିଳନ ତତ୍ୱର ଉପଲବ୍ଧି ସହଜ ସାଧ୍ୟ ।
କଟକ, ମୋ-୯୪୩୭୨୭୪୪୮୮

Leave a Reply

Your email address will not be published.