ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା: ଚେତୁ ନାହାନ୍ତି ଲୋକେ

ବାଲେଶ୍ୱର, (ଓଏନ୍ଏସ୍) (ଆଇଏନ୍ଏସ୍): ଦିନକୁ ଦିନ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ ରେ ପହଂଚିଲାଣି । ଏହା ପରେ ମଧ୍ୟ ଜନସାଧାରଣ ଚେତୁ ନାହାନ୍ତି । ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ସମେତ ଭୁବନେଶ୍ୱର ମହାନଗର ନିଗମ ‘ରେଡ଼୍ ଜୋନ୍’ରେ ଅନ୍ତର୍ଭୁକ୍ତ ହୋଇଛି । ସଂପୃକ୍ତ ଅଂଚଳରେ ସରକାରୀ ନିୟମକୁ ଲୋକମାନେ ଖୋଲିଖୋଲି ଉଲଂଘନ କରି ଚାଲିଛନ୍ତି । ବାଲେଶ୍ୱର ଜିଲ୍ଲାର ସୋର ଅଂଚଳରେ ଦେଖିବାକୁ ମିଳିଛି ତାହାର ଜ୍ୱଳନ୍ତ ନମୂନା । ଖୋଲା ଥିବା କେତେକ ଦୋକାନରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ସେହିସବୁ ଦୋକାନରେ ସାମାଜିକ ଦୂରତା ରକ୍ଷା କରାଯାଉନଥିବା ଦେଖାଯାଇଥିଲା । ତେବେ ଯେଉଁ ସବୁ ଦୋକାନ ଖୋଲାଯିବାର ନିୟମ ନାହିଁ, ସେସବୁ ମଧ୍ୟ ନିର୍ଭୟରେ ଖୋଲିଥିଲା । କେତେକ ଦୋକାନୀ ନିଜ ଦୋକାନର ସଟର୍ ଅଧା ଖୋଲି ବିକ୍ରି କରୁଥିଲେ ।
ପରିବା ବଜାର କଥା ନକହିବା ଭଲ । ପରିବା ବଜାରକୁ ଦେଖିଲେ, କେହି କହିବେ ନାହିଁ ଯେ ସମଗ୍ର ବିଶ୍ୱକୁ କରୋନା ମହାମାରୀ ଗ୍ରାସ କରିଛି ବୋଲି । ସରକାରଙ୍କ ଅନେକ ପ୍ରଚାର ପ୍ରସାର, ନିୟମ-କାନୁନ୍ ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଉ ନଥିବା ଦେଖାଯାଉଛି । ଯେଉଁ ମାନଙ୍କ ଜୀବନ ରକ୍ଷା କରିବା ପାଇଁ ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ପୋଲିସ୍ ଭଳି ଅନ୍ୟାନ୍ୟ କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗେଇ ଦେଇଛନ୍ତି, ସେହିମାନେ ନିଜ ଜୀବନକୁ ଭୃକ୍ଷେପ ନକରି କରୋନାକୁ ନିଜ ପାଖକୁ ଡ଼ାକିବାରେ ଲାଗିଛନ୍ତି । ଏଭଳି କିଛି ଦାୟୀତ୍ୱ ହୀନ ଲୋକଙ୍କ ପାଇଁ ସମଗ୍ର ମାନବ ସମାଜ ବିପଦ ଭିତରକୁ ଠେଲି ହୋଇ ଯାଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି ।

Leave a Reply

Your email address will not be published.