ମାସ୍କକୁ ନେଇ କିଛି କଥା
ସୁବାସ ଷଡଙ୍ଗୀ
ମାସ୍କ ଏବେ ସମସ୍ତେ ପିନ୍ଧିବାକୁ ବାଧ୍ୟ । ନହେଲେ ଜରିମାନା ଦେବାକୁ ପଡିବ । ଏହା ହେଉଛି ସରକାରି ଆଇନ । ସେଥିପାଇଁ ପୋଲିସ ପକ୍ଷରୁ ବିଭିନ୍ନ ଜାଗାରେ ତନଖି କରାଯାଉଛି ।ଏକ ମୋଟା ପରିମାଣର ଜରିମାନା ମଧ୍ୟ ଇତି ମଧ୍ୟରେ ପୋଲିସବାବୁମାନେ ଆଦାୟ କରିସାରିଲେଣି । ଏବେ କିନ୍ତୁ ସାଧାରଣ ଲୋକ ଆଉ ଜରିମାନା ଦେବାକୁ ରାଜି ନୁହଁନ୍ତି । ସେଥିପାଇଁ ଅନେକ ଜାଗାରେ ପୋଲିସ ସହିତ ଲୋକମାନଙ୍କର ଗଣ୍ଡଗୋଳ ହେଉଚି ।
ମାସ୍କ ପିନ୍ଧିବା ନେଇ ଏକ ବିତର୍କ ଦେଖା ଦେଇଛି । ଲୋକଙ୍କ ମନରେ ଅସନ୍ତୋଷ । ଅଥଚ ସରକାର ନିୟମ କରିଛନ୍ତି ବାହାରକୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ନିହାତି ଦରକାର । ନଚେତ ଜରିମାନା ଦେବାକୁ ହେବ । ସାଧାରଣ ଲୋକ ଓ ପୋଲିସ ଅନେକ ଜାଗାରେ ମୁହାଁମୁହିଁ ହେବାର ଖବର ମିଳିଲାଣି । ଲୋକମାନଙ୍କା ଦାବି କରୋନା ନାମରେ ଆମକୁ ଆଉ ଘରେ ବନ୍ଦ କରି ରଖିପାରିବ ନାହିଁ । ସ୍ୱାଭାବିକ ଜୀବନଯାତ୍ରା ଜାରି ରଖବବାକୁ ହେବ । ଦଶହରା ଆସିଲାଣି । ଘରେ ସବୁବର୍ଗର ଲୋକେ ରହି ରହି ବୋର ହୋଇଗଲେଣି ।
ଏହା କେବଳ ଆମ ଦେଶରେ ନୁହେଁ, ଇଂଲଣ୍ଡରେ ମଧ୍ୟ ଲୋକେ ଆନେ୍ଦାଳନ କଲେଣି । ସରକାର ଆମକୁ ମାସ୍କ ପିନ୍ଧିବାକୁ ବାଧ୍ୟ କରିପାରିବେ ନାହିଁ । ସୋନଙ୍କର ଯୁକ୍ତି ହେଉଛି ମାସ୍କ ହେଉଛି ନିୟନ୍ତ୍ରଣର ପ୍ରତୀକ । ଏଣୁ ଲୋକମାନେ କରୋନା ନାମରେ ନିୟନ୍ତ୍ରଣରେ ରହିବାକୁ ଚାହାନ୍ତି ନାହିଁ । ସେମାନଙ୍କର ସ୍ୱାଧୀନତା ଦରକାର ।
ମାସ୍କ ପିନ୍ଧିବାକୁ ନେଇ ଆମ ଦେଶରେ ଦୁଇପ୍ରକାରର ଯୁକ୍ତି ଦେଖାଦେଇଛି । ପ୍ରଥମଟି ହେଲା, ଲୋକମାନେ ମାସ୍କ ପିନ୍ଧିବା ଦ୍ୱାରା ଠିକଭାବେ କାମ କରିପାରୁ ନାହାନ୍ତି । ଯିବାଆସିବା କରିବାରେ ଅସୁବିଧା ହେଉଛି । ପ୍ରସଙ୍ଗଟି ଅର୍ଥନୀତି ସହିତ ଜଡିତ । କେତେଦିନ ଲୋକମାନେ ଏମିତି ପାଟି ବନ୍ଦ କରି ରହିବେ? ସେମାନଙ୍କୁ ବାହାରିବାକୁ ପଡିବ । ପାର୍ବଣ ସମୟରେ ମାସ୍କ ବା ସାମାଜିକ ଦୂରତ୍ୱ କଥା ସେମାନେ ଗ୍ରହଣ କରିବାକୁ ରାଜି ନୁହଁନ୍ତି ।
ଆଉ ଗୋଟାଏ କଥା ହେଲା, ମାସ୍କ ପିନ୍ଧିଲେ କୁଆଡେ କାର୍ବନ ଡାଇଅକସାଇଡ ପାଟି ଭିତରକୁ ଚାଲିଯାଉଛି । ଯାହାଫଳରେ ଦେହରେ ଅମ୍ଳଜାନର ଅଭାବ ଦେଖାଦେଉଛି । କଥାଟି ସୋସିଆଲ ମିଡିଆରେ ଘୁରିବୁଲୁଛି । କିନ୍ତୁ ଇତିମଧ୍ୟରେ ଡାକ୍ତରମାନେ କହିଲେଣି ଏହି କଥା ଭୁଲ । ବରଂ ମାସ୍କ ପିନ୍ଧିଲେ ଅନେକ ପ୍ରକାରର ଜୀବାଣୁ ଓ ଭୁତାଣୁ ଆମଦେହକୁ ପ୍ରବେଶ କରିପାରେ ନାହିଁ ।
କରୋନା ବଢୁଚି କି କମୁଛି ଆମେ ତା ଭିତରକୁ ଯିବାକୁ ଚାହୁଁନା । ସେ ବିଷୟରେ ବିଶେଷଞମାନେ ସେମାନଙ୍କର ଯୁକ୍ତି ଉପସ୍ଥାପିତ କରିବେ । କିନ୍ତୁ ମାସ୍କ ପିନ୍ଧିବା ନିହାତି ଦରକାର । ଏଇ ସରଳ ସତ୍ୟଟିକୁ ସଭିଏଁ ବୁଝିବା ଦରକାର । ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ରକ୍ଷା କରି ଆମେ ଅଫିସ କରିପାରିବା ବଜାରଘାଟରୁ ଜିନିେ କିଣାକିଣି କରି ପାରିବା । ଆଜିକାଲି ମାଛ ମାର୍କେଟକୁ ଗଲେ କିପରି ଲୋକମାନେ ମାସ୍କ ନ ପିନ୍ଧି ବଜାରକୁ ଆସୁଛନ୍ତି, ତାର ଦୃଶ୍ୟ ଦେଖିବାକୁ ମିଳୁଛି ।
ଏହାପୂର୍ବରୁ ହେଲମେଟ ନପିନ୍ଧିବାର ପ୍ରବଣତା କିପରି ଆମ ଜୀବନକୁ ନଷ୍ଟ କରିଦେଉଛି, ତାର ପରିଣାମ ଦେଖିଛେ । ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକ କିଭଳି ହେଲମେଟ ନ ପିନ୍ଧିବା ଯୋଗୁ ମୃତ୍ୟୁମୁଖରେ ପଡୁଛନ୍ତି, ତାହାର ପରିସଂଖ୍ୟାନ ଖବରକାଗଜରୁ ପଢିବାକୁ ମିଳୁଛି । ପୋଲିସ ହେଲମେଟ ପିନ୍ଧୁନଥବା ଲୋକମାନଙ୍କଠାରୁ ଜରିମାନା ଆଦାୟ କଲାବେଳେ ଲୋକମାନେ ବିରୋଧ କରୁଥିଲେ । କିଛିଦିନ ତଳେ ଏହାର ତାଜାଚିତ୍ର ଆମ କମିଶନରେଟ ପୋଲିସ ଅଂଚଳରେ ଦେଖିବାକୁ ମିଳିଛି ।
ଲୋକମାନଙ୍କର ଆଇନ ଭାଙ୍ଗିବା ଏକ ଚିରାଚରିତ ଅଭ୍ୟାସ । ଏଭଳି ପ୍ରବଣତା ସେମାନଙ୍କ ଅସ୍ଥିମଜାଗତ । ଯେତେ କହିଲେ ଭାଗବତ, ତୋଷ ନୋହିଲା ମୋର ଚିତ’ ଭଳି କଥା । ହେଲମେଟ ନ ପିନ୍ଧି ଗାଡି ଚଲେଇବା ହେଉ ବା ମାସ୍କ ନ ପିନ୍ଧି ଘରୁ ବାହାରିବା, ସବୁଥରେ ଆଇନକୁ ଭାଙ୍ଗିବା ହେଉଛି ଆମର ଅଧିକାର । ଆଉ ତାରି ପାଇଁ ତିଆରି ହୋଇଯାଉଛି ଅନେକ ଯୁକ୍ତି । କିଏ କହୁଛି, ରୋଜଗାର ପାଇଁ ମାସ୍କ ପିନ୍ଧିବା ଅସମ୍ଭବ । ବହୁତ ବସିଲୁଣି, ଆଉ ହେବ ନାହିଁ । ଆମକୁ ନିୟନ୍ତ୍ରଣ କରି ରଖିଲେ ଚଳିବ ନାହିଁ । ଆଉ କିଏ କହୁଛି ମୋର ଦେହ ଖରାପ, ତାଜା ହାୱା ପାଇବାକୁ ହେଲେ ମାସ୍କ ତାର ପ୍ରତିବନ୍ଧକ ସାଜୁଛି । ଏଣୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାନଯାଉ ।
ସାଧାରଣ ଲୋକମାନଙ୍କର ଏପରି ଆଇନ ଭାଙ୍ଗିବାର ପ୍ରବଣତା ଅଧିକ କାହିଁକି?
କଥା ହେଉଛି ସାଧାରଣଲୋକମାନଙ୍କୁ ସତର୍କ ଓ ସଚେତନ କରିବାର ଦାଇତ୍ୱ ଯେଉଁମାନଙ୍କର, ସେଇ ରାଷ୍ଟ୍ର ତଥା ରାଜନୀତିର ନେତାମାନେ ଏବେ ମାସ୍କ ପିନ୍ଧିବାକୁ ରାଜିନୁହଁନ୍ତି । ଖୋଦ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଯଦି ମାସ୍କ ନ ପିନ୍ଧି ରାସ୍ତାରେ ବୁଲିବେ ସଭାସମିତି କରିବେ, ଶବଦାହ, ଜନ୍ମଦିନ ପାଳନ କରିବେ, ତେବେ ସାଧାରଣ ଲୋକମାନେ ଏ ନିୟମକୁ କଣ ପାଇଁ ମାନିବେ? ବିଭିନ୍ନ ଆଳ ଦେଖାଇ ପ୍ରସଙ୍ଗଟିକୁ ଏଡାଇ ଗଲେ ଚଳିବ ନାହିଁ ।
ଜରେ ଲୋକପ୍ରତିନିଧି ଯିଏ କି ପ୍ରଥମେ ମାସ୍କ ନ ପିନ୍ଧି ଆପଣାଛାଏଁ ଜରିମାନ ଦେଇଥିଲେ, ସେ ଏବେ ବିଭିନ୍ନ ଯୁକ୍ତି ବାଢୁଛନ୍ତି । ଜଣେ ବିଧାୟକ କ୍ଷମା ମାଗିଲେଣି ।
ନେତାମାନଙ୍କର ଏପରି ବେପରୁଆ ଆଚରଣ ସାଧାରଣ ଲୋକଙ୍କୁ ଆଇନ ଭାଙ୍ଗିବାକୁ ପ୍ରରୋଚିତ କରୁ ନାହିଁ ତ?
କିଛିଦିନ ତଳେ ଗୋଟିଏ ରାଜନୈତିକ ଦଳ ପକ୍ଷରୁ ଏକ ମୋଟର ସାଇକେଲ ରାଲି ହୋଇଥିଲା । ଏଇ ରାଲିରେ କିଛି ମୋଟର ସାଇକେଳ ଚାଳକ ହେଲମେଟ ପିନ୍ଧି ନଥିବାରୁ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା । ଠିକ ସେମିତି ନେତାମାନେ ଯେଉଁମାନେ ମାସ୍କ ପିନ୍ଦୁ ନାହାନ୍ତି, ରାଜନୈତିକ ସଭା ସମିତିରେ ସାମାଜିକ ଦୂରତ୍ୱ ରଖୁ ନାହାନ୍ତି, ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବା ନିହାତି ଦରକାର ।
ନେତା ହୁଅନ୍ତୁ ବା ସାଧାରଣଲୋକେ ହୁଅନ୍ତୁ, ଆଇନ ଆଗରେ ସଭିଏଁ ସମାନ । ଯଦି ଜଣେ ମହିଳାଙ୍କୁ ମାସ୍କ ନପିନ୍ଧିଥିବା ଅଭିଯୋଗରେ ଜରିମାନା ଦେବାକୁ ବାଧ୍ୟ କରାଯାଉଛି, ତେବେ ନେତାଙ୍କଠାରୁ କାହିଁକି ନୁହେଁ?
ତେବେ କରୋନା ଯେପରି ଆମକୁ ଗ୍ରାସ କରିଛି, ସେଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଲା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖି ଘରୁ ବାହରିବା । ତତଭିନ୍ନ ଅନ୍ୟ ଉପାୟ ନାହିଁ ।ଅନ୍ୟ କୌଣସି ଯୁକ୍ତି ମଧ୍ୟ ନାହିଁ । ଜୀବନ ଆଗ, ତା ପରେ ଅନ୍ୟ କିଛି ।
ଭୁବନେଶ୍ୱର, ମୋ-୯୪୩୯୬୫୨୩୨୨
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?
Thanks for sharing. I read many of your blog posts, cool, your blog is very good.
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?