ମା’ କାତ୍ୟାୟିନୀ ଶକ୍ତିପୀଠ, ମଥୁରା
ଶରତ କୁମାର ରାଉତ
ମା’ କାତ୍ୟାୟନୀ ଦେବୀଙ୍କ ମନ୍ଦିର ଉତ୍ତର ପ୍ରଦେଶ ଅନ୍ତର୍ଗତ ମଥୁରା ଜିଲ୍ଲାର ବୃନ୍ଦାବନରେ ଅବସ୍ଥିତ । ଏହି ମନ୍ଦିର ମା’କାତ୍ୟାୟନୀ ଦେବୀଙ୍କୁ ସମର୍ପିତ ହୋଇଛି । ଏହି ମନ୍ଦିରର ନାମ ପ୍ରାଚୀନ ଭାରତର ସିଦ୍ଧପୀଠ ଗୁଡ଼ିକ ମଧ୍ୟରେ ଅନ୍ୟତମ । ଏହି ମନ୍ଦିର ମଧ୍ୟ ମା’ସତୀଙ୍କ ଶକ୍ତିପୀଠ ଗୁଡ଼ିକ ମଧ୍ୟରେ ଗୋଟିଏ । ଏହି ମନ୍ଦିରରେ ଶକ୍ତିଙ୍କୁ ଦେବୀ କାତ୍ୟାୟନୀ ରୂପରେ ପୂଜା କରାଯାଏ ଓ ଭଗବାନ ଭୈରବଙ୍କୁ ଭୂତେଶ ରୂପରେ ପୂଜା କରାଯାଏ । ମା’କାତ୍ୟାୟନୀ ଦେବୀଙ୍କ ଶକ୍ତିପୀଠ ବୃନ୍ଦାବନର ରାଧାବାଗ୍ ପାଖରେ ରହିଛି ।
ବର୍ଷର ସବୁ ସମୟରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏଠାକୁ ପୂଜା ଓ ଦର୍ଶନ କରିବାକୁ ଆସନ୍ତି । ନବରାତ୍ର ଉତ୍ସବ ପାଳନ ବେଳେ ମା’କାତ୍ୟାୟନୀ ଶକ୍ତିପୀଠରେ ଭକ୍ତ ମାନଙ୍କର ପ୍ରବଳ ଭିଡ଼ ଜମେ । କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜର ପତି ରୂପେ ପାଇବା ଲାଗି ରାଧାରାଣୀ କାତ୍ୟାୟନୀ ମାତାଙ୍କର ପୂଜାର୍ଚ୍ଚନା କରିଥିଲେ । ଗୁରୁ ମନ୍ଦିର, ଶଙ୍କରାଚାର୍ଯ୍ୟ ମନ୍ଦିର, ଶିବ ମନ୍ଦିର ତଥା ସରସ୍ୱତୀ ମନ୍ଦିର ମଧ୍ୟ କାତ୍ୟାୟନୀ ମନ୍ଦିର ପାଖରେ ଅବସ୍ଥିତ । ଏହି ମନ୍ଦିର ଗୁଡ଼ିକ ସାରା ଦେଶରେ ଖୁବ୍ ପ୍ରସିଦ୍ଧ ହୋଇଥିବାରୁ ସବୁ ସମୟରେ ଏଠାକୁ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସିଥାନ୍ତି ।
ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କରି ନଥିଲେ । ମା’ସତୀ ଏହା ଜାଣି ସଙ୍ଗେ ସଙ୍ଗେ ନିଜ ପିତାଙ୍କ ଯଜ୍ଞ ସ୍ଥଳରେ ପହଂଚିଲେ । ନିଜ ଝିଅ ଓ ଜ୍ୱାଇଁଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ କାହିଁକି ନିମନ୍ତ୍ରଣ କରା ଯାଇନାହିଁ ବୋଲି ମା’ସତୀ ଦୃଢତାର ସହ ନିଜ ପିତା ଦକ୍ଷରାଜଙ୍କୁ ପଚାରିଲେ । ମାତ୍ର ଦକ୍ଷରାଜ ନିଜ ଝିଅ ମା’ସତୀଙ୍କୁ ସାନ୍ତ୍ୱନା ଦେବା ବଦଳରେ ଭଗବାନ ଶିବ ଓ ମା’ସତୀଙ୍କୁ ଗାଳିଗୁଲଜ କଲେ । ଏଥିରେ ମା’ସତୀ ଦୁଃଖରେ ଭାଙ୍ଗି ପଡ଼ିଲେ । ନିଜର କୋହ ନିୟନ୍ତ୍ରଣ କରି ପାରିଲେ ନାହିଁ । ଶେଷକୁ ଅତି ଦୁଃଖରେ ମା’ସତୀ ପିତାଙ୍କ ଦ୍ୱାରା ଆୟୋଜିତ ଯଜ୍ଞକୁଣ୍ଣରେ ଆତ୍ମଦାହ କରିଦେଲେ ।
ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସଙ୍ଗେ ସଙ୍ଗେ ଯଜ୍ଞ ସ୍ଥଳରେ ପହଂଚିଲେ । କାଳ ବିଳମ୍ବ ନକରି ଭଗବାନ ଶିବ ଦୁଃଖରେ ମି୍ରୟମାଣ ହୋଇ ମା’ସତୀଙ୍କ ମର ଶରୀର ହାତରେ ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ସମସ୍ୟା ଜଟିଳ ହେବାରୁ ଏହାର ସମାଧାନ ପାଇଁ ଦେବ ଦେବୀ ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ସୁଦର୍ଶନ ଚକ୍ର ଦ୍ୱାରା ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପ ମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସର୍ବ ଶେଷରେ ମା’ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ସେଗୁଡ଼ିକ ମଧ୍ୟରେ ୪ଟି ଆଦିଶକ୍ତି ପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି । ଆଦିଶକ୍ତି ପୀଠ ହେଲେ, (୧)ପୁରୀ ଶ୍ରୀମନ୍ଦିରରେ ପୂଜିତା ମା’ବିମଳା(ପାଦଖଣ୍ଡ), (୨) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ନିକଟସ୍ଥ ଋଷିକୂଲ୍ୟା ନଦୀ ଉପକଣ୍ଠରେ କୁମାରୀ ପାହାଡ଼ ଉପରେ ବିରାଜିତ ମା’ତାରା ତାରିଣୀ(ସ୍ତନଖଣ୍ଡ), ୩) ଆସାମର ଗୌହାଟୀ ସ୍ଥିତ କାମାକ୍ଷା ଦେବୀ(ଜୋନିଖଣ୍ଡ) ଓ ୪) କୋଲକତାର ଦକ୍ଷିଣ କାଳୀ(ମୁଖଖଣ୍ଡ) ।
ତେବେ ଭାରତୀୟ ଉପମହାଦେଶରେ ଥିବା ଶକ୍ତିପୀଠ ମାନଙ୍କ ମଧ୍ୟରେ ବୃନ୍ଦାବନରର ମା’କାତ୍ୟାୟନି ଶକ୍ତି ପୀଠ ଅନ୍ୟତମ । ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ସ୍ଥାନରେ ମା’କାତ୍ୟାୟନୀଙ୍କ ଶକ୍ତିପୀଠ ରହିଛି, ସେଠାରେ ମାତା ସତୀଙ୍କର କେଶ ପଡ଼ିଥିଲା ।
ମହର୍ଷି ବେଦବ୍ୟାସ ଶ୍ରୀ କାତ୍ୟାୟନୀ ଶକ୍ତିପୀଠ ସଂପର୍କରେ ଶ୍ରୀମଦ୍ ଭାଗବତରେ ବିସ୍ତୃତ ବର୍ଣ୍ଣନା କରିଛନ୍ତି ।
ଯେଉଁ ଭକ୍ତ ମା’କାତ୍ୟାୟନୀଙ୍କୁ ଦର୍ଶନ ପାଇଁ ଏଠାକୁ ଆସନ୍ତି, ସେମାନଙ୍କର ସବୁ ପ୍ରାର୍ଥନା ଓ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ । ଏଥିଯୋଗୁ ମା’କାତ୍ୟାୟନୀ ପ୍ରତ୍ୟକ୍ଷ ଦେବୀ ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାସ ରହିଛି ।
ବର୍ଷର ସବୁ ସମୟରେ ମା’କାତ୍ୟାୟନୀଙ୍କ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ । ମା’କାତ୍ୟାୟନୀଙ୍କ ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମା’ମା’କାତ୍ୟାୟନୀଙ୍କୁ ପୂଜା କରିବାକୁ ଆସିଥାନ୍ତି । ଏଠାକାର ପୂଜାବିଧିର ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ଓ ମନୋରମ ।
ବୃନ୍ଦାବନ ମଥୁରାରୁ ଅଳ୍ପ ଦୂରରେ ଅବସ୍ଥିତ । ରେଳ ପଥରେ ଯାତ୍ରା କରୁଥିବା ଯାତ୍ରୀ ମାନେ ମଥୁରାରେ ଓହ୍ଲାଇ ବୃନ୍ଦାବନରେ ପହଂଚି ପାରବେ । ଗାଡ଼ିରେ ଯାତ୍ରା କରୁଥିବା ଯାତ୍ରୀ ମାନେ ସିଧା ବୃନ୍ଦାବନରେ ପହଂଚି ପାରିବେ । ଭକ୍ତ ମାନଙ୍କ ପାଇଁ ମନ୍ଦିର ପାଖରୁ ମାତ୍ର ଦୁଇଶହ ମିଟର ପୂର୍ବରୁ ଗାଡ଼ି ଅଟକିଥାଏ ।
ଉଡ଼ାଜାହାଜରେ ଆସୁଥିବା ଯାତ୍ରୀ ମାନଙ୍କୁ ପ୍ରଥମେ ଦିଲ୍ଲୀରେ ପହଂଚିବାକୁ ପଡ଼ିବ । ଦିଲ୍ଲିରୁ ରେଳ ଯୋଗେ ମଥୁରାରେ ପହଂଚି ପାରିବେ । ଆଗ୍ରାରେ ମଧ୍ୟ ଏୟାରପୋର୍ଟ ରହିଛି । ଏଠାରେ ପହଂଚି ମଥୁରା ଯାଉଥିବା ଟ୍ରେନ୍ରେ ଭକ୍ତମାନେ ମା’କାତ୍ୟାୟନୀଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇ ପାରିବେ ।
ମୋ: ୯୪୩୭୪୪୧୦୭୨/୯୩୩୭୩୬୯୪୪୮
I don’t think the title of your article matches the content lol. Just kidding, mainly because I had some doubts after reading the article.