ବିଭାଷ ଶକ୍ତିପୀଠ, ମେଦିନିପୁର
ପଶ୍ଚିମବଙ୍ଗ ରାଜ୍ୟର ପୂର୍ବ ମେଦିନିପୁର ଜିଲ୍ଲା ନିକଟସ୍ଥ ତାମଲୁକରେ ବିଭାଷ ଶକ୍ତିପୀଠ ଅବସ୍ଥିତ । ବିଭାଷ ଶକ୍ତିପୀଠ କୋଲକାତାରୁ ପ୍ରାୟ ୯୦ କିଲୋମିଟର ଦୂର ‘ତମଲୁକ୍’ରେଳ ଷ୍ଟେଷନ ନିକଟରେ ରହିଛି । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଦେବୀ ସତୀଙ୍କ ଶରୀରର ଅଙ୍ଗ ବା ଆଭୂଷଣ ଯେଉଁ ସ୍ଥାନ ମାନଙ୍କରେ ପଡ଼ିଥିଲା, ସେଠାରେ ମାତାଙ୍କର ଶକ୍ତିପୀଠ ଗୁଡ଼ିକ ସ୍ଥାପିତ ହୋଇଛି ।
ଭାରତ ଏକ ପୂଣ୍ୟଭୂମି, ଖାସ ଏହାର ଦେବୀ ଦେବତାଙ୍କୁ ନେଇ । ସୃଷ୍ଟି ଆରମ୍ଭରୁ ପ୍ରତ୍ୟେକ ସ୍ଥାନର ନିଜସ୍ୱ ସ୍ୱତନ୍ତ୍ରତା ଅଛି, ଯାହା ଅଜଣା, କେବଳ ଇତିହାସର ରୂପାନ୍ତର । ଶକ୍ତିପୀଠ, ଯାହା ଏକ ରହସ୍ୟପୂର୍ଣ୍ଣ ଗାଥା, ପ୍ରାୟତଃ ଜନମାନସରେ ଅଗୋଚର ହୋଇ ରହିଛି । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଣ୍ଡ ସରଂଚନା ପାଇଁ ଭଗବାନ ବ୍ରହ୍ମା, ଭଗବାନ ମହାଦେବ ଓ ଭଗବାନ ବିଷ୍ଣୁ ତାଙ୍କର ତଥାକଥିତ ମାତା ଆଦିଶକ୍ତିଙ୍କୁ ସନ୍ତୁଷ୍ଟି ପାଇଁ ଏକ ଯଜ୍ଞର ଆୟୋଜନ କଲେ । ମା’ଶକ୍ତି ମଧ୍ୟ ଏଥିରେ ବ୍ରହ୍ମାଙ୍କୁ ସହଯୋଗ ଦେଲେ । ତେବେ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ପିତାଙ୍କ ନିଦେ୍ର୍ଦଶରେ ମା’ ଶକ୍ତିଙ୍କୁ ନିଜର ଝିଅ ରୂପରେ ପାଇବାକୁ ବିଭିନ୍ନ ଯଜ୍ଞ ଆଦି ଉପାସନା କଲେ । ଶେଷରେ ମା’ଶକ୍ତି ମାନବ ରୂପରେ ଜନ୍ମ ନେଲେ । ଏହା ପଛରେ ବ୍ରହ୍ମାଙ୍କର ଉଦେ୍ଦଶ୍ୟ ଥିଲା ଯେ, ଭଗବାନ ଶିବଙ୍କ ସହ ଶକ୍ତିଙ୍କର ମିଶ୍ରଣ କରାଇ ସୃଷ୍ଟି ସଂରଚନା କରିବା ପାଇଁ । ସେଥିପାଇଁ ସେ ତାଙ୍କର ନାମକରଣ କରିଥିଲେ ସତୀ । ମାତ୍ର କୌଣସି ପ୍ରକାର ମାତା ସତୀଙ୍କୁ ଶିବ ବିବାହ କରି କୈଳାଶ ପର୍ବତ ନେଇଗଲେ । ଏହା ଜାଣିପାରି ଦକ୍ଷଙ୍କ ରାଗ ଚରମ ସୀମାରେ ପହଂଚିଗଲା । ଶିବଙ୍କୁ ସବୁ ଦେବୀ ଦେବତାଙ୍କ ସାମ୍ନାରେ ଅପମାନିତ କରିବା ପାଇଁ ଦକ୍ଷ ମୁନିମଣ୍ଡଳ (ଆନ୍ଧ୍ର ପ୍ରଦେଶର ମୁରାମଲ୍ଲା) ଠାରେ ଏକ ଯଜ୍ଞର ଆୟୋଜନ କଲେ । ଝିଅ ସତୀ ଓ ଜ୍ୱାଇଁ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ଏଥିରେ ନିଜକୁ ଅପମାନିତ ବୋଧ କରି ସତୀ ସ୍ୱଂୟ ବାପାଙ୍କ ଯଜ୍ଞ ସ୍ଥଳରେ ପହଂଚି ଯାହା ଦେଖିଲେ ଆଖିକୁ ବିଶ୍ୱାସ କଲେ ନାହିଁ । ବାପା ଦକ୍ଷ କିଛି ଆଦର ଗଉର ନକରି ଝିଅ ଜ୍ୱାଇଁଙ୍କୁ ଅପମାନ ସୂଚକ ଶବ୍ଦ ସବୁ ଶୁଣାଇଲେ । ସେହିକ୍ଷଣି ବାପାଙ୍କ ଅପମାନକୁ ସହ୍ୟ କରି ନପାରି ମାତା ସତୀ ଅଗ୍ନି କୁଣ୍ଡରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସେଠାରେ ପହଞ୍ଚିଲେ ଓ ଗଭୀର ଦୁଃଖରେ ସତୀଙ୍କ ମର ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ଏହାଦ୍ୱାରା ସାରା ବ୍ରହ୍ମାଣ୍ଡ ପ୍ରକମ୍ପିତ ହୋଇ ଉଠିଲା । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଦେବ ଦେବୀ ମାନେ ଏହାର ସମାଧାନ ବା ଭଗବାନ ଶିବଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ କିଛି ଉପାୟ ବାହାର କରିବାକୁ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଧ୍ୱଂସଲୀଳା ବନ୍ଦ କରି ବ୍ରହ୍ମାଣ୍ଡରେ ଶାନ୍ତି ସ୍ଥାପନ ପାଇଁ ଭଗବାନ ବ୍ରହ୍ମା ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ବିଷ୍ଣୁ ଅନୁଭବ କଲେ ଯେ, ଯେପର୍ଯ୍ୟନ୍ତ ଭଗବାନ ଶିବଙ୍କ ହସ୍ତରୁ ମାତା ସତୀଙ୍କ ମର ଶରୀର ଅଲଗା ହୋଇନାହିଁ, ସେପର୍ଯ୍ୟନ୍ତ ଭଗବାନ ଶିବ ଶାନ୍ତ ହେବେ ନାହିଁ କି ବ୍ରହ୍ମାଣ୍ଡ ଧ୍ୱଂସାଭିମୁଖିରୁ ବର୍ତ୍ତିବ ନାହିଁ । ଏଣୁ ବ୍ରହ୍ମାଣ୍ଡ ରକ୍ଷା ପାଇଁ ସଙ୍ଗେସଙ୍ଗେ ଭଗବାନ ଶିବ ଧରିଥିବା ମାତା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ ।
କିଛିକ୍ଷଣ ମଧ୍ୟରେ ସୁଦର୍ଶନ ଚକ୍ର ମା’ସତୀଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଞ୍ଚିହୋଇ ପଡ଼ିଲା । ଦୁଃଖରେ ମି୍ରୟମାଣ ଭଗବାନ ଶିବ ସତୀଙ୍କ ବିଖଣ୍ଡିତ ଅଙ୍ଗ ଖୋଜିବା ଆରମ୍ଭ କଲେ । ଏଥିରେ ସହାୟତା କଲେ ଭଗବାନ ଭୈରବ । ସର୍ବ ଶେଷରେ ମାତା ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସମେତ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ସେଗୁଡ଼ିକ ମଧ୍ୟରେ ୪ଟି ଆଦିଶକ୍ତି ପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି । ତେବେ ମା’ଶକ୍ତିଙ୍କର ଯେଉଁ ଅଂଶଗୁଡ଼ିକ ପ୍ରଥମ ୪ଟି ସ୍ଥାନରେ ପଡ଼ିଲା, ସେଗୁଡ଼ିକ ଆଦିପୀଠ ନାମରେ ପରିଚିତ ବୋଲି କୁହାଯାଏ । ସେହି ଆଦିପୀଠ ହେଲେ, (୧)ପୁରୀ ମନ୍ଦିରରେ ପୂଜିତା ମା’ବିମଳା(ପାଦଖଣ୍ଡ), (୨) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ନିକଟସ୍ଥ ଋଷିକୂଲ୍ୟା ନଦୀ ଉପକଣ୍ଠରେ କୁମାରୀ ପାହାଡ଼ ଉପରେ ବିରାଜିତ ମା’ତାରା ତାରିଣୀ(ସ୍ତନଖଣ୍ଡ), ୩) ଆସାମର ଗୌହାଟୀ ସ୍ଥିତ କାମାକ୍ଷା ଦେବୀ(ଜୋନିଖଣ୍ଡ), ୪) କୋଲକତାର ଦକ୍ଷିଣ କାଳୀ(ମୁଖଖଣ୍ଡ) ।
ତେବେ ଓଡ଼ିଶାରେ ଉପରୋକ୍ତ ୨ଟି ଆଦି ଶକ୍ତିପୀଠ ରହିଥିବା ବେଳେ ଗୋଟିଏ ମହା ଶକ୍ତିପୀଠ ମା’ ବିରଜା ରହିଛନ୍ତି । ଏହି ଶକ୍ତିପୀଠ ଗୁଡ଼ିକ ପବିତ୍ର ତୀର୍ଥ ସ୍ଥାନ ଭାବେ ଜଣାଶୁଣା । ଏହି ଶକ୍ତିପୀଠ ଗୁଡ଼ିକ ସମଗ୍ର ଭାରତୀୟ ଉପମହାଦେଶର ବିଭିନ୍ନ ସ୍ଥାନରେ ଅବସ୍ଥିତ । ଦେବୀ ପୁରାଣରେ ଶକ୍ତିପୀଠ ମାନଙ୍କ ସଂପର୍କରେ ବର୍ଣ୍ଣନା କରାଯାଇଛି ।
ବିଭାଷ ଶକ୍ତିପୀଠରେ ମାତା ସତୀଙ୍କର ବାମ ଗୋଇଠି ପଡ଼ିଥିଲା । ଏଠାରେ ମାତା ସତୀଙ୍କୁ ‘କପାଳିନୀ’ (ଭୀମରୂପ) ଏବଂ ଭଗବାନ ଶିବଙ୍କୁ ‘ଶର୍ବାନନ୍ଦ’ ଭାବରେ ପୂଜା କରାଯାଏ । ବର୍ଷର ସବୁ ସମୟରେ ମାତା ‘କପାଳିନୀ’ଙ୍କର ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ । ମାତା ‘କପାଳିନୀ’ ଦେବୀଙ୍କରଙ୍କ ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମା’‘କପାଳିନୀ’ ଦେବୀଙ୍କୁ ପୂଜା କରିବାକୁ ଆସିଥାନ୍ତି । ଏଠାକାର ପୂଜାବିଧିର ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ଓ ମନୋରମ ।
        ଶରତ କୁମାର ରାଉତ, ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮/୯୪୩୭୪୪୧୦୭୨

6 thoughts on “

Leave a Reply

Your email address will not be published.