ଧୂଆଁ ଉଠୁଛି ମାନେ ନିଆଁ ଅଛି !
ସୁବାସ ଷଡଙ୍ଗୀ
ଅନେକ ବର୍ଷ ଧରି କ୍ଷମତାରେ ରହିଲେ ମେଦ ଏବଂ କାଦୁଅ ଦୁଇଟାଯାକ ଶାସକଗୋଷ୍ଠୀଙ୍କ ଦେହରେ ଲାଗେ । କେହି ଚାହାନ୍ତୁ ବା ନ ଚାହାନ୍ତୁ, ମାନନ୍ତୁ ବା ନ ମାନନ୍ତୁ, ଦଳମତ ନିର୍ବିଶେଷରେ ଏହା ହେଉଛି ନିର୍ମମ ସତ୍ୟ । ଏକତା ଅତୀତରେ ହୋଇଛି, ଏବେ ହେଉଛି ଏବଂ ଭବିଷ୍ୟତରେ ଯେ ନହେବ, ତାହାର ଗ୍ୟାରେଂଟି କେହି ଦେଇ ପାରିବେ ନାହିଁ । ସମୟର ଦାବିରେ ଅପରାଧର ଚରିତ୍ର, ସଂଞା, ଅଭିଘାତ ବଦଳି ଯାଇପାରେ । ସେମିତି ପରିବର୍ତନ ହୋଇପାରେ ଅଭିଯୋଗର ମାତ୍ରା । ତେବେ ମୂଳ ଚରିତ୍ରରେ ବିଶେଷ କିଛି ପରିବର୍ତନ ହୋଇପାରେନା । ତାହା ନବୀନବାବୁଙ୍କ ଓଡିଶା ଶାସନରେ ହେଉ, ପଶ୍ଚିମବଙ୍ଗର ମମତା ବାନାର୍ଜି ହୁଅନ୍ତୁ ବା ଗୁଜୁରାଟ, ମଧ୍ୟପ୍ରଦେଶର କ୍ଷମତାସୀନ ଦଳ ହୁଅନ୍ତୁ, ସବୁଠି ଅପଶାସନ ଓ ଦୁର୍ନିତିର ଅଭିଯୋଗ ।
ଦୁର୍ନିତି ଏମିତି ଏକ ଅସ୍ତ୍ର ଯାହାକୁ କ୍ଷମତାସୀନ ଦଳ ବିରୋଧରେ କେବଳ ବିରୋଧୀ ଦଳ କାହିଁକି ସାମାଜିକ ସଂଗଠନ ମଧ୍ୟ କାର୍ଯ୍ୟରେ ଲଗାଇ ସରକାରଙ୍କୁ ସମାଲୋଚନା କରନ୍ତି । ସେଥିମଧ୍ୟରୁ କିନ୍ତୁ ଅଧିକାଂଶ ଦୁର୍ନିତି ଅଭିଯୋଗର କୌଣସି ସାରବତା ନଥାଏ । ଆଉ ଯେତିକିରେ ଥାଏ, ଲୋକମାନଙ୍କୁ ବୁଝାଇବା ପାଇଁ ବିରୋଧୀ ଯେମିତି ଉଦ୍ୟମ କରନ୍ତି,ଶାସକ ଦଳ ମଧ୍ୟ ଉଦ୍ୟମ କରନ୍ତି, ଏହାର ଦମଦାର ମୁକାବିଲା ପାଇଁ ।
ତେଳଦର ବୃଦ୍ଦିଠାରୁ ଆରମ୍ଭ କରି କୁଟିଆରେ ଆନ୍ଧ୍ର ପ୍ରଦେଶର ମନମାନି ନେଇ ଓଡିଶାରେ କ୍ଷମତାସୀନ ଦଳକୁ, ଏବେ ଟାର୍ଗେଟ କରାଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ପିଲା ନିଖୋଜ ନେଇ ଭାରତ୍ରୀ ଜନତା ପାର୍ଟିର ଟାର୍ଗେଟ ମଧ୍ୟ ଦେଖିଛୁ । ଏସବୁ ତୁମ୍ବି ତୋଫାନ ଶେଷରେ ପରିଣତି କଣ ହେଲା ତାହା ମଧ୍ୟ କାହକୁ ଅଜଣା ନୁହେଁ ।
ଏସବୁର ରାଜନୈତିକ ଉଦ୍ଦେଶ୍ୟ ଏବଂ ବାଧ୍ୟବାଧକତା ସମ୍ପର୍କରେ ବିତର୍କ ବା ସମାଲୋଚନା ଚାଲିପାରେ । କେତେକ କ୍ଷେତ୍ରରେ ପ୍ରଶାସନିକ ତୃଟି ନିଶ୍ଚିତ ଭାବେ ରହିଛି । ପୋଲିସ ବା ପ୍ରଶାସନିକ ଅଧିକାରିଙ୍କ ଅବହେଳା ଜଳ ଜଳ ହୋଇ ଦେଖାଯାଉଛି ।
ସତରେ ପ୍ରଶାସନିକ ତୃଟି ବା ପୋଲିସର ଅବହେଳା ସବୁବେଳେ ଏକ ବିତର୍କର ବିଷୟ । ଯେତେଚେଷ୍ଟା କଲେ ମଧ୍ୟ ଅନେକ ସମୟରେ ସାମାଜିକ କର୍ମସୂଚୀ ବା ତଦନ୍ତ ପୁରାପୁରି ତୃଟିମୁକ୍ତ ହୋଇପାରେନା । ତେବେ ଏଠି ଦେଖିବାର କଥା ହେଲା, ଯେଉଁମାନଙ୍କ ପାଇଁ ଏହିସବୁ ଯୋଜନା କାର୍ଯ୍ୟକାରି କରାଯାଉଛି, ସେମାନଙ୍କ ଭିତରୁ ପ୍ରକୃତ ହିତାଧିକାରି ଅଧିକ ନା ରାଜନୈତିକକାରଣରୁ ହିତାଧିକାରୀ ଚୟନ ଅଧିକ? ଯଦି ପ୍ରକୃତ ହିତାଧିକାରୀ ଅଧିକ, ତେବେ କିଛି ନା କିଛି ରାଜନୈତିକ ଉଦ୍ଦେଶ୍ୟ ରହିବ ହିଁ ରହିବ ।
ଜଣେ ଗରିବ ଲୋକ ଯେଉଁସବୁ ସାମାଜିକ ସୁରକ୍ଷା ଚାହେଁ, ତାହା ପ୍ରକୃତରେ କଣ? ଯଦିଓ ଗରିବ ନେଇ ଅର୍ଥାତ ପ୍ରକୃତ ଗରିବ କିଏ, ସେ ନେଇ ବିତର୍କ ପ୍ରୟୋଜନ । ତେବେ ଜଣେ ଗରିବ ଯାହା ଚାହେଁ, ତାହା ହେଲା, ସବୁ ଦିନ ଖାଇପାରିବ(ଖାଦ୍ୟ ସୁରକ୍ଷା), ଭଲରେ ରହିପାରିବ( ଆବାସ ଯୋଜନା) ସୁସ୍ଥରେ ରହିପାରିବ(ପ୍ରାଥମିକ ସ୍ୱାସ୍ଥ୍ୟସେବା) ପିଲାମାନଙ୍କର ସୁରକ୍ଷା, ଝିଅ ବାହାଘର ଏମିତି କିଛି ସମସ୍ୟାର ନିରାକରଣ ।
ଏତେଗୁଡିଏ ଆବଶ୍ୟକତା ଯେଉଁଦଳ ପୂରଣ କଲା, ଲୋକଟି ତା ପ୍ରତି କୃତଞ ରହିବ । ଯେ ପର୍ଯ୍ୟନ୍ତ ତାକୁ ଏକ ଉନ୍ନତତର ଓ ବିଶ୍ୱାସଯୋଗ୍ୟ ବିକଳ୍ପ ନ ମିଳିଛି ।
ଏଇସବୁ କାରଣରୁ ନବୀନବାବୁ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଯଦିଓ ବିଜେପି କେନ୍ଦ୍ରରେ କ୍ଷମତାରେ ରହିଛି, କିନ୍ତୁ ରାଜ୍ୟରେ ଲୋକମାନଙ୍କର ପ୍ରିୟ ହୋଇ ପାରି ନାହାନ୍ତି ସେମାନେ । ବିଜେପି ଯେଉଁ ସବୁ ଘଟଣା ନେଇ ସମାଲୋଚନା କରୁଛି, ତାହାକୁ ଲୋକମାନେ ଗ୍ରହଣ କରିପାରୁ ନାହାନ୍ତି । ବହୁ ଆଡମ୍ବରରେ ସମାଲୋଚନା କଲେ କଣ ହେବ, ତାହା କେବଳ ଧୂଆଁରେ ପରିଣତ ହେଉଛି । ରାଜନୈତିକ ବୋମା ଫୁରସି ଯାଉଛି ।
ଏବେ ଆସିବା କୁଟିଆ ପ୍ରସଙ୍ଗକୁ । ୧୯୩୬ରେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା । ସ୍ୱତନ୍ତ୍ର ଓଡିଶା ଗଠିତ ହେବା ପରେ ଜୟପୁର ରାଜାଙ୍କ ଅଧୀନରେ ଥିବା ଅଂଚଳ ଗୁଡିକ ଓଡିଶାରେ ସାମିଲ ହୋଇଥିଲା । ସେଇସବୁ ଅଂଚଳଗୁଡିକ ସବୁବେଳେ ଅବହେଳାର ଶିକାର ହୋଇଆସିଛି । ଅନାହାର , ଅର୍ଦ୍ଧାହାରର ଗରିବ ସେଠାକାର ଲୋକମାନେ । ସାମାଜିକ ସୁରକ୍ଷାର ଅଭାବ ପରିଲକ୍ଷିତ ହେଲେ, ଜଣେ ସାଧାରଣ ଲୋକ ଅନ୍ୟ ବିକଳ୍ପ ଖୋଜେ । ଆଉ ଆନ୍ଧ୍ର ଏହାର ସୁଯୋଗ ନିଏ ।
ତେଣୁ ଏହା ଯେ ପ୍ରଶାସନିକ ଅବହେଳା, ଏଥିରେ କୌଣସି ଦ୍ୱିରକ୍ତି ନାହିଁ । କୁଟିଆ ଆମର, ଏଣୁ ସେଠାକାର ଅଧିକାରୀମାନଙ୍କୁ ସେଠାକାର ଲୋକମାନଙ୍କୁ ଆମ ମୁଖ୍ୟସ୍ରୋତରେ ସାମିଲ କରିବାର ଦାଇତ୍ୱ ଦିଆଯାଉ । ଏହା ଆମସ୍ରକାରଙ୍କ ଦାଇତ୍ୱ ହେବା ଦରକାର । ଆନ୍ଧ୍ର ଦେଉଥିବା ସୁବିଧା ସୁଯୋଗର ବିକଳ୍ପ ସରକାର ଦିଅନ୍ତୁ ।
ସରକାର ରାଜନୀତି ଭିତରକୁ ନ ପଶି ସମସ୍ୟାର ସମାଧାନ କରନ୍ତୁ । କୁଟିଆ ହେଉ ବା ପିଲା ନିଖୋଜ, ଦୁର୍ନିତି ହେଉ ବା ଅନ୍ୟ ଅବହେଳା ଛୋଟ ଘଟଣା ବଡ ରୂପ ନେବାକୁ କେତେ ବା ସମୟ ନେବ!
ଦୀର୍ଘ ଦିନର କ୍ଷମତା ବିଦୋଧରେ ବିଭିନ୍ନ କାରଣରୁ ନିଆଁ କୁହୁଳେ । ଏହା ହେଉଛି ପ୍ରକୃତିର ନିୟମ । ଆଉ ଏହି କାରଣରୁ ବିଜେପି ଆଜି ଦ୍ୱିତୀୟ ସ୍ଥାନରେ । କେନ୍ଦରେ କ୍ଷମତାରେ ଥିବା ଦଳ ରାଜ୍ୟ ସରକାର ବିରୋଧରେ ଜନମତ ସୃଷ୍ଟି କରିବା ଅଧିକ ସହଜ ।
ଅନୁମାନ କହେ,ଧୂଆଁ ଦେଖାଦେଲେ, କୋଉଠି ନା କୋଉଠି ନିଆଁ ଅଛି ବୋଲି ଧରିନେବାକୁ ହେବ ।
ମୋ- ୯୪୩୯୬୫୨୩୨୨
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?