୨୦୧୯ରେ ମେଂଟ ରାଜନୀତି କେତେ ସଫଳ ହେବ?
ସୁବାସ ଷଡଙ୍ଗୀ
ଅମୂଲ କମ୍ପାନୀର ଏକ ବିଜ୍ଞାପନ ଦେଖିବାର କଥା । ବିଜ୍ଞାପନରେ କୁହାଯାଇଛି, ପୃଥିବୀର ଶ୍ରେଷ୍ଠ କୋଆଲିସନ ହେଲା, ପାଉଁରୁଟି ଆଉ ଲହୁଣି । ଅମିତ ଶାହ ସେଦିନ ବଡ ଜୋରରେ କହିଥେôଲ, ପଶ୍ଚିମବଙ୍ଗରେ ରାହୁଲ ଗାନ୍ଧୀ କେଉଁଠି? ପୁନଶ୍ଚ ରାଜସ୍ଥାନରେ ମମତାଙ୍କର କୌଣସି ଜାଗା ନାହିଁ । ଏମିତି କଣ କୋଆଲିସନ ହୁଏ? କଥାଟି ଶୁଣିବାକୁ ଭାରି ଭଲ ହୋଇପାରେ । କିନ୍ତୁ ଯେତେବେଳେ ଦରକାର ହୁଏ, ସେତେବେଳେ ଆପଣାଛାଏଁ ସମସ୍ତେ ଏକାଠି ହୋଇ ଯାଆନ୍ତି । ଆବଶ୍ୟକତା ଅନେକ ଜିନିଷ ଊଦ୍ଭାବନ କରିଛି । ପାଉଁରୁଟି ଓ ଲହୁଣି ଭିତରେ କିଏ ନେତା ସେ ନେଇ ମୁଣ୍ଡ ଖେଳାଇବା ଦରକାର ନାହିଁ । ସମୟ ନେତା ତିଆରି କରିବ । ଆଉ ତାହାହିଁ ହେବ ଶ୍ରେଷ୍ଠ ମେଂଟ । ଯାହାକୁ କୁହାଯାଏ, ବୈପରିତ୍ୟର ଐକ୍ୟ ।
ନିକଟରେ ଶେଷ ହୋଇଥିବା ଉପନିର୍ବାଚନ ଗୁଡିକରେ ବଜେପିର ପରାଜୟ, ବିଶେଷକରି ଉତରପ୍ରଦେଶ ଭଳି ରାଜ୍ୟରେ ଗୋରକ୍ଷପୁର ଠାରୁ ଆରମ୍ଭ କରି କୈରାନା ପର୍ଯ୍ୟନ୍ତ, ସବୁଠି ବିଜେପିର ପରାଜୟ ଦଳର ଲୋକପ୍ରିୟତା ହ୍ରାସର ପ୍ରମାଣ । ଯିଏ ଯାହା କହୁନା କାହିଁକି, ବିଜେପିର ବଡ ବଡ ନେତାମାନେ ସ୍ୱୀକାର କରୁଛନ୍ତି ଯେ ବିଜେପି ଧୀରେ ଧୀରେ ତାର ସ୍ଥିତି ହରାଇବାରେ ଲାଗିଛି । ୨୦୧୯ ପୁର୍ବରୁ ଯଦି କିଛି ବ୍ୟବସ୍ଥା କରା ନ ଯାଏ, ତେବେ ନିର୍ବାଚନ ବୈତରଣୀ ପାର ହେବା ବିଜେପି ପକ୍ଷରେ ଅସମ୍ଭବ ହୋଇପଡିବ ।
ନରେନ୍ଦ୍ର ମୋଦିଙ୍କ ଶାସନର ଚାରିବର୍ଷ ପୂରଣ ହେବାପରେ ବିଜେପିର ଅସଲ ପରିଚୟ ଲୋକମାନେ ଜାଣିବାକୁ ପାଇଛନ୍ତି । ଅଛେଦିନର ସ୍ଲୋଗାନ ପୁରାପୁରି ଉଭାନ । ୨୦୧୪ ମସିହା ନିର୍ବାଚନରେ ବିେିଜପି ପାଇଥିଲା ଶତକଡା ୩୧ ଭାଗ ଭୋଟ । ଅର୍ଥାତ ଭୋଟଦାତାଙ୍କ ମଧ୍ୟରୁ ଶତକଡା ୭୦ ଭାଗ ଭୋଟର ବିଜେପିକୁ ଭୋଟ ଦେଇନଥିଲେ । ଯେହେତୁ ବିଜେପି ବିରୋଧୀ ଭୋଟ ବହୁ ଭାଗରେ ବିଭକ୍ତ ହୋଇଯାଇଥିଲା, ତେଣୁ ବିଜେପିକୁ ଜିତିବା ସହଜ ହୋଇଥିଲା । ଚାରିବର୍ଷରେ ମୋଦି ସରକାର କିଛି ଏମିତି କରି ନାହାନ୍ତି, ଯାହାକୁ ଧରି ନିର୍ବାଚନରେ ଭାଗ ନେଇ ହେବ । ବରଂ ମୋଦି ସରକାର ବିଭିନ୍ନ ସାମ୍ବିଧାନିକ ଢାଂଚାରେ ହାତ ମାରିଛି । ଏମିତିକି ବିଚାର ବ୍ୟବସ୍ଥା ମଧ୍ୟ ସେମାନଙ୍କ କବଳରୁ ରକ୍ଷା ପାଇ ନାହିଁ ।
ଅପରପକ୍ଷେ ରାହୁଲ ଗାନ୍ଧୀ ଏବେ ବେଶ୍ ତତ୍ପର । କର୍ଣ୍ଣାଟକର ରଣକୌଶଳ ଏହାର ନିଦର୍ଶନ । ବିଜେପିର ଅଭିଯୋଗ ହେଉଛି କଂଗ୍ରେସ ଦଳ ଏକ ସାମନ୍ତତାନ୍ତ୍ରିକ ଦଳ । ଏହି ଦଳ କ୍ଷମତାର କେନ୍ଦ୍ରିକରଣ ଚାହେଁ । ଏମିତିକି କୁହାଯାଉଛି, କଂଗ୍ରେସ ଦଳ ବିଭିନ୍ନ ଆଂଚଳିକ ଦଳ ସହିତ ବୁଝାମଣା କରିବାକୁ ଚାହେଁ ନାହିଁ । ଗୋଟାଏ କଥା ଲକ୍ଷ୍ୟ କରାଯାଇପାରେ, ତାହା ହେଲା ପଶ୍ଚିମ ଏବଂ ମଧ୍ୟ ଭାରତର ଅଧିକାଂଶ ରାଜ୍ୟ ଏବେ ବିଜେପି ଅକ୍ତିଆରରେ । ସେଠାରେ ପ୍ରଧାନ ପ୍ରତିପକ୍ଷ ହେଲା କଂଗ୍ରେସ । ଡିସେମ୍ବର ମାସରେ ଯେଉଁ ତିନୋଟି ରାଜ୍ୟରେ ନିର୍ବାଚନ ହେବ, ସେଇ ତିନୋଟି ରାଜ୍ୟ ହେଲା, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ତାନ । ଏଠାରେ ବିଜେପି ମୁଖ୍ୟ ପ୍ରତିଦ୍ୱନ୍ଦିତା କରିବ କଂଗ୍ରେସ ସହିତ । ଦେଶର ବହୁ ରାଜ୍ୟରେ ଏବେ ଆଂଚଳିକ ଦଳର ଆଧିପତ୍ୟ । ଏହିସବୁ ରାଜ୍ୟରେ ଦ୍ୱିଦଳୀୟ ବ୍ୟବସ୍ଥା । ତାମିଲନାଡୁରେ ଡିଏମକେ ସହିତ ଏଆଇଡିଏମକେ । ଓଡିଶାରେ ନବୀନ ପଟ୍ଟନାୟକ, ବିହାରରେ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ, ଦିଲ୍ଲିରେ କେଜିରଓ୍ôାଲ, ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ. ଉତରପ୍ରଦେଶରେ ଅଖିଳେଶ ଓ ମାୟାବତି ଯୋଡି, ପଶ୍ଚିମବଙ୍ଗରେ ମମତା । ଏମାନେ ସମସ୍ତେ ଗୋଟିଏ ଗୋଟିଏ ଶକ୍ତି । ସେଇପରି ମହାରାଷ୍ଟ୍ରରେ ଶରଦ ପାୱାର, କାଶ୍ମୀରରେ ନେସନାଲ କନଫରେନ୍ସ, ଜେଏମଏମ, ଜେଡିଏସ ଭଳି ଦଳ । ବିରୋଧୀ ଦଳଗୁଡିକ ଯେତେ ଅଧିକ ଏକତ୍ର ହେବେ, ମୋଦିଙ୍କର ସଂକଟ ସେତେ ବଢିବ । ବିଭିନ୍ନ ଉପନିର୍ବାଚନରେ ବିଜେପିର ପରାଜୟ ପରେ କଂଗ୍ରେସ ଦଳ ଭିତରେ ଶକ୍ତି ଦେଖା ଦେଇଛି । ୟୁପିଏ ଏବଂ ଏନଡିଏ ଭିତରେ ଯଦି ଏଇପରି ଭାବେ ଲୈଢଇ ହୁଏ ତେବେ ବିଜେପିର କ୍ଷତି । ଏକଥା ଏବେ ମୋଦି- ଅମିତ ଶାହ ଯୋଡି ବୁଝିପାରିଛନ୍ତି । ତେଣୁ କଳେବଳେ କୌଶଳେ ଏହି ମେଂଟକୁ ସେମାନଙ୍କୁ ଭାଙ୍ଗିବାକୁ ହେବ । ଯଦି ସେମାନେ ଏକତ୍ର ରୁହନ୍ତି, ତେବେ ନିର୍ବାଚନରେ ବିଜୟ ସୁନିଶ୍ଚିତ ।
ଆମ ଦେଶରେ ଅନେକ ଆଂଚଳିକ ଦଳ ବିଭିନ୍ନ ପ୍ରସଙ୍ଗକୁ ନେଇ ଆନେ୍ଦାଳନ କରି ସେଇ ରାଜ୍ୟରେ ଏକ ଶକ୍ତି ଭାବେ ଉଭା ହୋଇଛନ୍ତି । ସେମାନଙ୍କୁ ହରାଇବା ଏତେ ସହଜ ନୁହେଁ । ବିଜେପି ଯେଉଁମାନଙ୍କୁ ନିଜ ସହିତ ନେଇଥିଲା ସେମାନଙ୍କ ଭିତରୁ ଅନେକ ବିଜେପି ସହିତ ସମ୍ପର୍କ ଭାଙ୍ଗି ଦେଲେଣି । ଏପରି ଅବସ୍ଥାରେ ସେମାନେ କଂଗ୍ରେସକୁ ସମର୍ଥନ କରିବା ସ୍ୱାଭାବିକ ।
ଅନେକ ପ୍ରଶ୍ନ କରିପାରନ୍ତି, ଆମ ଦେଶରେ ଯେତେବେଳେ ମେଂଟ ସରକାର ଗଠନ ହୋଇଛି, ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି । ବିଭିନ୍ନ କାରଣ ନେଇ ସରକାର ଠିକ ଭାବେ ଚାଲିପାରି ନାହିଁ । ଭାଙ୍ଗି ଯାଇଛି । ଭାରତରେ ମୋରାରଜି-ଚରଣ ସିଂହ, ବିଶ୍ୱନାଥ ପ୍ରତାପ- ଚନ୍ଦ୍ରଶେଖର- ଦେବଗୌଡା- ଗୁଜରାଲ, ସବୁ ମେଂଟ ସରକାର ଅକାଳରେ ମଉଳି ଯାଇଛି । ଏଇସବୁ ପ୍ରଧାନମନ୍ତ୍ରୀ ମାନେ ପାଂଚ ବର୍ଷ ଶାସନ କରିବାକୁ ସୁଯୋଗ ପାଇ ନାହାନ୍ତି । ତେବେ ଏସବୁ ସରକାର ସ୍ଥାୟି ନହେବା ପଛରେ ମୁଖ୍ୟ କାରଣ ହେଲା ଏହିସବୁ ସରକାରରେ ବିଜେପି ବା କଂଗ୍ରେସ କେହି ମିଶି ନଥିଲେ । ଜାତୀୟ ଦଳକୁ ଛାଡି ମେଂଟ ଗଠନ କଲେ ତାହା ସ୍ଥାୟି ହୋଇ ପାରିବ ନାହିଁ । ବାହାରୁ ସମର୍ଥନ ଦେଲେ ଏମିତିହୁଏ । ଜାତୀୟ ଦଳ ସହିତ ଆଂଚଳିକ ଦଳ ଏକ ସଙ୍ଗରେ ମନ୍ତ୍ରୀ ମଣ୍ଡଳରେ କାମ କଲେ ସରକାର ସ୍ଥାୟି ହେବ । ଯେମିତି ବାଜପେୟିଙ୍କ ସରକାର ଓ ମନମୋହନଙ୍କ ସରକାର ।
୨୦୧୯ ନିର୍ବାଚନ ଯଦି ଦୁଇଟି ମେଂଟ ଭିତରେ ହୁଏ ତେବେ ବିଜେପି ମେଂଟକୁ ହରାଇବା ସହଜ ହେବ । କାରଣ ଦଳ ଗତ ଥରକ ମାତ୍ର ୩୧ ଶତାଂଶ ଭୋଟ ପାଇଥିଲା । ୨୦୧୪ ମସିହା ନିର୍ବାଚନରେ ଲୋକମାନଙ୍କ ମଧ୍ୟରେ ସରକାର ବଦଳାଇବା ପାଇଁ ଯୋଶ ଥିଲା, ଯାହା ୨୦୧୯ ନିର୍ବାଚନରେ ରହିବ ନାହିଁ । ଏପରି ଅବସ୍ଥାରେ ୨୦୧୯ ନିର୍ବାଚନ କାହା ପାଇଁ ବାଜିମାତ କରାଇବ, ତହା ମେଂଟ ରାଜନୀତିରୁ ସ୍ପଷ୍ଟ ହୋଇଯିବ । ଅନେକ ସମୟରେ ମେଂଟ ରାଜନୀତି ଅଧାରୁ ଅଟକି ଯାଏ । ଯେମିତି କଂଗ୍ରେସକୁ ଅନେକ ବିଶ୍ୱାସକୁ ନେଇ ପାରନ୍ତି ନାହିଁ, କାରଣ ପୂର୍ବରୁ ଅନେକ ଥର ଏହି ଦଳ ବିଭିନ୍ନ୍ ସରକାରକୁ ଅଧାରେ ଧୋକା ଦେଇଛି । ଏହି ଭାବନାରୁ ବିଜେପି ଯଦି ଫାଇଦା ଉଠାଇ ପାରିବ, ତେବେ ସଫଳ ହୋଇପାରିବ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ: ୯୪୩୯୬୫୨୩୨୨