ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ଷୋଳପୂଜା ଆରମ୍ଭ
ଭୁବନେଶ୍ୱର, (ଆଇଏନ୍ଏସ୍): ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ମା’ଶା୍ୟାମାକାଳୀଙ୍କ ଷୋଳପୂଜା ଚଳିତ ମାସ ୨ ତାରିଖରୁ ଆରମ୍ଭ ହୋଇଛି । ଏହି ଷୋଡଶ ଦିନାତ୍ମକ ପାର୍ବଣ ପୂଜା ୧୬ ତାରିଖ ମଙ୍ଗଳବାର ଦିନ ଉଦଯାପିତ ହେବ ବୋଲି ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସ ସୂଚନା ଦେଇଛନ୍ତି । ଏହି ଉପଲକ୍ଷେ ପ୍ରଥମ ଦିନ ମା’ଙ୍କ ମହା ସ୍ନାନ ପର୍ବ ଅନୁଷ୍ଠିତ ହୋଇଥିଲା । ପରେ ପରେ ସୂର୍ଯ୍ୟପୂଜା, କଳସ ପୂଜା ଓ ଦ୍ୱାରପାଳ ପୂଜା ହୋଇଥିଲା । ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ମାତୃ ଉପାସକ ଥିବାରୁ ୧୯୪୧ ମସିହାରେ ଏଠାରେ ମା’ଙ୍କ ଶକ୍ତିପୀଠ ସ୍ଥାପନ କରାଯାଇଥିଲା । ଏହି କ୍ଷେତ୍ରରେ ଗୋଟିଏ ଛାତ ତଳେ ମା’ ଶ୍ୟାମାକାଳୀ ଓ ଦକ୍ଷିଣ କାଳୀ ପୂଜା ପାଉଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସି ଦର୍ଶନ ଆଶୀର୍ବାଦ ଲାଭ କରିଥାନ୍ତି । କେହି କେହି ମା’ଙ୍କ ପାଖରେ ମାନସିକ ହିସାବରେ ନଡିଆ, ଗୁଆ ବସାଇଥାନ୍ତି । ୧୬ ଦିନ ବ୍ୟାପି ଏହି ପୂଜାରେ ପହିଲି ଭୋଗ ରାଜଭୋଗ ଓ ପଣା ଭୋଗ ଲାଗି ହୁଏ । ଭକ୍ତ ଏବଂ ଶ୍ରଦ୍ଧାଳୁ ତଥା ସ୍ଥାନୀୟ ଜନସାଧାରଣଙ୍କ ସହ ଯୋଗରେ ପ୍ରତ୍ୟେକ ଦିନ ପ୍ରସାଦ ବ୍ୟବସ୍ଥା ହୋଇଥାଏ । ଏହି ପ୍ରସାଦ ପାଇବା ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ । ଚଳିତ ମାସ ୧୬ ତାରିଖ ମଙ୍ଗଳବାର ଦିନ ଅଖଣ୍ଡ ନାମ କୀର୍ତନ ସହିତ ମା’ଙ୍କ ନିକଟରେ ପାଣି କଖାରୁ ବଳି ଦିଆଯିବାର ପ୍ରଥା ରହିଛି । ଭକ୍ତମାନେ ବହୁ ସଂଖ୍ୟାରେ ଏହି ଉସôବରେ ଉପସ୍ଥିତ ରହି ମା’ଙ୍କ କୃପା ଲାଭ କରିବା ପାଇଁ ସେବକ ପ୍ରୀତି ରଂଜନ ଦାସ ନିବେଦନ କରିଛନ୍ତି ।