ଆଦିବାସୀ ଅଂଚଳରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଏ!

ନବରଙ୍ଗପୁର/ଉମରକୋଟ, (ଆଇଏନ୍ଏସ୍): ଆଦିବାସୀ ବାସିନ୍ଦା ବହୁଳ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲେ ହେଁ କ୍ରମେ ଏଠରେ ସ୍ୱାସ୍ଥ୍ୟ ସେବାର ଅବନତି ହୋଇଚାଲିଛି । ଓଏନ୍ଏସ୍ ଅନୁସନ୍ଧାନରୁ ଜଣାପଡିଛି ଯେ, ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ଅବହେଳା ଓ ମନମୁଖୀ କାର୍ଯ୍ୟ ଯୋଗୁଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବିଫଳ ହେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ), ମେଡିକାଲ ଅଫିସର୍ ଇନଚାର୍ଜ ଓ ପିଏଚ୍ଇଓ ମିଳିତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଖାତା ପତ୍ରରେ ସୀମିତ ରଖି ପର୍ଯ୍ୟାପ୍ତ ଅର୍ଥ ବାଟମାରଣା କରି ଚାଲିଛନ୍ତି । ଏଥିଯୋଗୁଁ ଏହି ଅଦିବାସୀ ଅଂଚଳରେ ସର୍ବଦା ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ରହୁଛି । ଗତ ୨୦୦୦ରୁ ଆଜି ମଧ୍ୟରେ ପୁଜାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ଉମରକୋଟ ବ୍ଲକ୍) କର୍ତୁପକ୍ଷଙ୍କ ଦ୍ୱାରା ସ୍ୱାସ୍ଥ୍ୟସେବା ନାଁରେ ବିଭିନ୍ନ ବେଆଇନ୍ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇ ଆସୁଛି । ଯୋଜନା କାର୍ଯ୍ୟକାରୀ ନାଁରେ ଫର୍ଜରୀ ବିଲ୍ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରାଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆର୍ଥିକ ହେରଫେର ଚରମ ସୀମା ପାର କରିଛି । ଏଠାରେ ନିୟମିତ ଅଡିଟ୍ ହେଉ ନଥିବାରୁ ବହୁ ଗୁପ୍ତ ତଥ୍ୟ ସାମ୍ନାକୁ ଆସିପାରୁନାହିଁ । ୨୦୦୩-୦୪ ବର୍ଷରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ିଡ଼ିଓ ଡ଼ାକ୍ତର ଏସସି ଶତପଥୀଙ୍କ ଦ୍ୱାରା କେତେକ ସ୍ୱାସ୍ଥ୍ୟ କର୍ମୀଙ୍କୁ ତୀବ୍ର ମାନସିକ ଯନ୍ତ୍ରଣା ଦିଆଯାଇଥିବା ବେଳେ ଜନୈକା ସ୍ୱାସ୍ଥ୍ୟ କର୍ମୀଙ୍କର ବେଆଇନ୍ ଭାବେ ୨ ଦିନର ଦରମା ବନ୍ଦ କରା ଯାଇଥିଲା । ତକ୍ରାଳୀନ ସିଡ଼ିଏମ୍ଓ ମଧ୍ୟ ଡ଼ିଡ଼ିଓଙ୍କର ଏଭଳି ଉଦେ୍ଦଶ୍ୟ ମୂଳକ ନୀତିକୁ ଜୋରଦାର ସମର୍ଥନ କରିଥିଲେ, ଯାହାକୁ ନବରଙ୍ଗପୁର ଜିଲ୍ଲା ସମେତ ଓଡ଼ିଶାର କେତେକ ବରିଷ୍ଠ ଡ଼ାକ୍ତର ଓ ବୁଦ୍ଧିଜୀବୀ ତୀବ୍ର ନିନ୍ଦା କରିଥିଲେ । ପ୍ରକାଶ ଯୋଗ୍ୟ ଯେ, ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ଦାୟୀତ୍ୱରେ ଥିଲେ ଜନୈକ ବରିଷ୍ଠ ଡ଼ାକ୍ତର ଉମେଶ ଚନ୍ଦ୍ର ସାହୁ । ଡ଼ାକ୍ତର ଶତପଥୀ ଅନ୍ୟ ଏକ ଡ଼ାକ୍ତରଖାନାରେ କାମ କରୁଥିବା ସହିତ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ିଡ଼ିଓ ଦାୟିତ୍ୱରେ ରହିଥିଲେ । ସରକାରୀ କାର୍ଯ୍ୟ ତଦାରଖ ବ୍ୟବସ୍ଥା ଅନୁଯାୟୀ ସ୍ୱାସ୍ଥ୍ୟକର୍ମୀଙ୍କର କାର୍ଯ୍ୟ ତଦାରଖ ଦାୟିତ୍ୱ ସ୍ୱାସ୍ଥ୍ୟ ପରିଦର୍ଶିକାଙ୍କର, ତାଙ୍କ ପରେ ସେକ୍ଟର ମେଡ଼ିକାଲ୍ ଅଫିସରଙ୍କର ଓ ସର୍ବାଗ୍ରେ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ମେଡ଼ିକାଲ୍ ଅଫିସରଙ୍କର । ଏପରିକି ଉକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କର ଯେଉଁ ୨ ଦିନର ଦରମା ଯେଉଁ ତାରିଖରେ ଉଦେ୍ଶ୍ୟମୂଳକ ଭାବରେ ବନ୍ଦ କରା ଯାଇଥିଲା, ସେହି ତାରିଖର ବହୁ ପୂର୍ବରୁ ସରକାରଙ୍କ ପାଖରେ ସେହି ଦୁଇଦିନର କାର୍ଯ୍ୟ ସଂପାଦନ ହୋଇଥିବା ପ୍ରମାଣପତ୍ର ପହଂଚି ସାରିଥିଲା । ଉମରକୋଟ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରୁ ଜନୈକା ସ୍ୱାସ୍ଥ୍ୟକର୍ମୀ ୨୦୦୩-୦୪ ବର୍ଷରେ ପଚାଷ ହଜାର ଟଙ୍କାର ଏକ ଫ୍ଲଡ଼୍ ଲୋନ୍ ନେଇଥିଲେ । ମାତ୍ର ଡ଼ିଡ଼ିଓ ଏ ସଂପର୍କରେ ସଂପୃକ୍ତ କର୍ମୀଙ୍କର ସର୍ଭିସ୍ ବୁକ୍ରେ ଉଲ୍ଲେଖ କରିଛନ୍ତି, ଯାହା ସରକାରୀ ବିଧି ବିରୋଧୀ ବୋଲି ଅଭିଯୋଗ ହୋଇଛି । ଏହାର ଦୁଇଟି କାରଣ ରହିଛି । ପ୍ରଥମତଃ ସର୍ଭିସ୍ ବୁକ୍ରେ ଋଣ ସଂପର୍କୀୟ ତଥ୍ୟ ଲିପିବଦ୍ଧ ହୁଏ ନାହିଁ । ଦ୍ୱିତୀୟତଃ ନବରଙ୍ଗପୁରର ତକ୍ରାଳୀନ ଏଡ଼ିଏମ୍ଓ ତଥା ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶଙ୍କର ବ୍ୟକ୍ତିଗତ ଗ୍ୟାରେଂଟିରେ ସଂପୃକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଉମରକୋଟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ଋଣ ଯୋଗାଇ ଦେଇଥିଲା । ତେବେ ଜଣେ ପ୍ରଶାସନିକ ଅନଭିଜ୍ଞ ଡ଼ାକ୍ତରଙ୍କର କାର୍ଯ୍ୟ ଏଭଳି ସମ୍ବେଦନଶୀଳ ହେବା ସ୍ୱାଭାବିକ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏ ସଂପର୍କରେ ଏକ ପ୍ରଶ୍ନର ଉତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଓଏନ୍ଏସ୍ କୁ କହିଥିଲେ ଯେ, ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଇନଚାର୍ଜ କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ଥିବାବେଳେ ଡ଼ିଡ଼ିଓ ଙ୍କର ପରିଚାଳନା ବାବଦରେ କୌଣସି ଭୂମିକା ରହିବା ଉଚିତ ନୁହେଁ । କର୍ମଚାରୀଙ୍କର କାର୍ଯ୍ୟ ବିବରଣୀ ଚିଠା ପାଇବା ପରେ ଡ଼ିଡ଼ିଓ କେବଳ ରାଜକୋଷରୁ ବେତନ ବା ଅନ୍ୟାନ୍ୟ ଖର୍ଚ୍ଚ ବାବଦ ଅର୍ଥ ଉଠାଣ କରି ପଇଠ କରିବେ । ସଚିବାଳୟ ସମେତ ବିଭିନ୍ନ ସରକାରୀ ଅଫିସ୍ରେ ଡ଼ିଡ଼ିଓ ଦାୟୀତ୍ୱରେ ରହନ୍ତି ଜଣେ ଅଧଃସ୍ତନ ଅଧିକାରୀ । ଏଣୁ ସଂପୃକ୍ତ ଡ଼ାକ୍ତର ନିଜର ସୀମିତ କ୍ଷମତାକୁ ଅପ ପ୍ରୟୋଗ କରିଥିବା ମନେ ହେଉଛି । ଡ଼ାକ୍ତର ମାନଙ୍କ ପ୍ରଶାସନିକ ଦକ୍ଷତା ପରିକ୍ଷା କରି ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଅବସ୍ଥାପିତ କରାଯିବା ଉଚିତ ବୋଲି ବିଭିନ୍ନ ମହଲରେ ଦାବି ହୋଇ ଆସୁଛି । ଉଲ୍ଲେଖନୀୟ ଯେ, ଡ଼ା.ଶତପଥୀ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ବହୁ ଉଦ୍ଧ୍ୱର୍କୁ ଉଠି ନିଜ ଅଂହକାରର ଭାଉ ପ୍ରଦର୍ଶିତ ପାଇଁ ସରକାରୀ ନୀତି ନିୟମକୁ କବର ଦେଇ ଦେଇଥିଲେ । ଆଉ ନବରଙ୍ଗପୁରର ତକ୍ରାଳୀନ ଅନଭିଜ୍ଞ ସିଡ଼ିଏମ୍ଓ ମଧ୍ୟ ଡ଼ା.ଶତପଥୀଙ୍କ ଅଂହକାରର ସାମ୍ରାଜ୍ୟ ବୃଦ୍ଧି ପାଇଁ ସେଥିରେ ମୋହର ମାରିଥିଲେ ।
ତେବେ ଏହି ସମ୍ବେଦନଶୀଳ ଅଭିଯୋଗର ବିଚାର କରି ମାନ୍ୟବର ଲୋକପାଳ ଜଷ୍ଟିସ୍ ଶରତ ଚନ୍ଦ୍ର ମହାପାତ୍ର ଯେଉଁ ଐତିହାସିକ ରାୟ ଶୁଣାଇଲେ, ତାହା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପରିବାର କଲ୍ୟାଣ ନିଦେ୍ର୍ଦଶକ ଙ୍କୁ ସ୍ତବ୍ଧ କରି ଦେଇଥିଲା । ସଂପୃକ୍ତ ଡ଼ିଡ଼ିଓ ଡ଼ାକ୍ତର ଏସସି ଶତପଥୀ ମନମୁଖୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ମାନ୍ୟବର ଲୋକପାଳ ନିଜ ରାୟରେ ପ୍ରକାଶ କରିଥିଲେ । ଏଥିସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବଙ୍କୁ ମଧ୍ୟ ତାଗିଦ୍ କରିଥିଲେ । ଏଭଳି ଛୋଟ ଛୋଟ ଅଭିଯୋଗକୁ ନେଇ କର୍ମଚାରୀ ମାନେ ଅଦାଲତକୁ କାହିଁକି ଆସୁଛନ୍ତି? ଅତି ବେଶୀରେ ଶାସନ ସଚିବଙ୍କ ଦ୍ୱାରା ଏସବୁ ସମାଧାନ ହେବା ଉଚିତ । ତେବେ ସଂପୃକ୍ତ ଡ଼ାକ୍ତରଙ୍କ ବିରୋଧରେ ବିଭାଗୀୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ ସୁପାରିଶ (କେଶ୍ ନଂ.୪୨୭-ଏଲୱାଇ(ଏ) /୨୦୦୭) କରିଥିଲେ ଏବଂ ସଂପୃକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ରାୟର ସପ୍ତାହକ ମଧ୍ୟରେ ନ୍ୟାୟ ପ୍ରଦାନ କରିଥିଲେ । ଏଭଳି ଘଟଣା କେବିକେ ଅଂଚଳର ଅଧିକାଂଶ ଡ଼ାକ୍ତରଖାନାରେ ଦେଖା ଯାଇପାରେ । କେବିକେ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ସର୍ବଦା ସ୍ୱାସ୍ଥ୍ୟସେବାର ଅବନତି ପାଇଁ ଏଭଳି କାରଣକୁ ମଧ୍ୟ ଦାୟୀ କରାଯାଉଛି । ଏଠାରେ ବହୁ ଅସାମ୍ବିଧାନିକ କାର୍ଯ୍ୟ ସଂପର୍କରେ ସାଧାରଣ ଅଭିଯୋଗ ସତ୍ୱେ ବିଭାଗୀୟ ନିରବତାର କାରଣ ସନେ୍ଦହ ଘେରକୁ ଆସିଛି । ଏଥିପ୍ରତି ରାଜ୍ୟ ଭିଜିଲାନ୍ସ ବିଭାଗ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଦୃଷ୍ଟି ଦେଇ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ମଚାରୀ ଓ ବୁଦ୍ଧିଜିବୀ ମହଲରେ ଦାବି କରାଯାଉଛି ।

Leave a Reply

Your email address will not be published.