ଆର.ସି.ଏଲ.ର ଦୁଇ ନମ୍ବରୀ କାମ : କଙ୍କ୍ରିଟ୍ ରାସ୍ତା ତଳେ ରହିଛି ଗଛର ମୂଳ!

ବାଲେଶ୍ୱର, (ଆଇଏନ୍ଏସ୍) : ସୋର ଫ୍ଲାଏ ଓଭରବ୍ରିଜ୍ର ନିର୍ମାଣ କାମ ରାଜଲକ୍ଷ୍ମୀ କନ୍ଷ୍ଟ୍ରକ୍ସନ ଲି. (ଆରସିଏଲ) କମ୍ପାନୀ କରୁଥିବା ବେଳେ ଏହି କମ୍ପାନୀର କାର୍ଯ୍ୟ ପ୍ରତି ବାରମ୍ବାର ଅଙ୍ଗୁଳି ଉଠୁଛି । ବୋରିଂର ଗଭୀରତା କମ୍ କରିବା, କେପ୍ ବାହାରେ ପିଲାର ରହିବା, କେବଳ ବାଲିରେ ଟାଇଲ୍ସ ବସାଇବା ଭଳି ବହୁ ଅଭିଯୋଗ ରହିଛି ଆରସିଏଲ କାମ ପୂର୍ବରୁ ଥିବା ବେଳେ ଏବେ ପୁଣି ଯୋଡ଼ି ହୋଇଯାଇଛି ସର୍ଭିସ୍ ରୋଡ଼ର କଙ୍କ୍ରିଟ୍ ରାସ୍ତା ତଳେ ଗଛର ମୂଳ ରହିବାକୁ ନେଇ ହେଉଥିବା ଅଭିଯୋଗ ।
କାମ ଆରମ୍ଭରୁ ମୁଖ୍ୟ ସମସ୍ୟା ଥିଲା ସର୍ଭିସ୍ ରୋଡ଼ । ବର୍ଷବର୍ଷ ଧରି ବ୍ରିଜ୍ କାମ ଚାଲିଥିବା ବେଳେ କମ୍ପାନୀ ଲୋକମାନଙ୍କ ସମସ୍ୟାକୁ ଦୃଷ୍ଟି ଦେଇନାହିଁ । ବ୍ରିଜ୍ କାମ ତିଆରୀ ସମୟରେ ଲୋକମାନଙ୍କ ଯାତାୟତ ପାଇଁ ପ୍ରଥମେ ସର୍ଭିସ୍ ରୋଡ଼ ତିଆରୀ ନକରି କମ୍ପାନୀ ମନଇଛା ବ୍ରିଜ୍କାମ ଆରମ୍ଭ କରିବା ଫଳରେ ଲୋକମାନେ ବହୁ ହୀନସ୍ତା ହୋଇଥିବା ବେଳେ ଏବେ ବ୍ରିଜ୍ର ଗୋଟିଏ ପାଖ ରାସ୍ତା ବନ୍ଦ କରି କାମ କରିବାରେ ଲାଗିଛି । ଫଳରେ ଗୋଟିଏ ପାଖରେ ସଂକୀର୍ଣ୍ଣ ରାସ୍ତାରେ ଗାଡ଼ ମୋଟର ଯିବାପାଇଁ ବହୁସମସ୍ୟା ସଷ୍ଟି ହେଉଛି । ଏପରିକି ଆମ୍ବୁଲାନ୍ସ ଯିବା ପାଇଁ ମଧ୍ୟ ବାଧା ସୃଷ୍ଟି ହେଉଛି । ଏଥିରୁ କମ୍ପାନୀର କାର୍ଯ୍ୟାଧାର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ଏହା ବ୍ୟତୀତ ଯେଉଁ ରାସ୍ତାଟି (ବ୍ରିଜ୍ର ଦକ୍ଷିଣ ପାଖ) ଏବେ କଙ୍କ୍ରିଟ୍ କରାଗଲା, ସେହି ରାସ୍ତା ତଳେ ରହିଛି ଏକ ବିରାଟ ଜାମ ଗଛର ମୂଳ । ବହୁ ବର୍ଷତଳର ଏହି ଜାମ ଗଛକୁ ବ୍ରିଜ୍କାମ ଆରମ୍ଭ ସସମୟରେ କଟାଯାଇଥିଲା, କିନ୍ତୁ ସେତେବେଳେ ତାହାର ମୂଳକୁ ନଓପାଡ଼ି କମ୍ପାନୀ ବ୍ରିଜ୍ କାମ ଆରମ୍ଭ କରିଥିଲା । ଏବେ ବ୍ରିଜ୍କାମ ଶେଷ ହେବା ଉପରେ । ତେଣୁ ତା.୯.୧୦.୧୮ରିଖ ସନ୍ଧ୍ୟାରେ କମ୍ପାନୀ ସର୍ଭିସ୍ ରୋଡ଼ କାମ ଆରମ୍ଭ କରିଥିଲା । କାମ କରିବା ସମୟରେ ସେଠାରେ ଥିବା ଜାମ ଗଛର ମୂଳ ବାହାରିବାରୁ କମ୍ପାନୀ ତାହାକୁ ଓପାଡ଼ିବା ପାଇଁ ଚେଷ୍ଟାକରି ଓପାଡ଼ି ନପାରି ଅଧା କାଟି ବାକି ମୂଳ ଉପରେ କଙ୍କି୍ରଟ୍ ରାସ୍ତା ତିଆରୀ କରି ଦେଇଛି । ପ୍ରକାଶ ଯୋଗ୍ୟଯେ, ବ୍ରିଜ୍କାମ ଆରମ୍ଭ ପୂର୍ବରୁ ଏହି ମୂଳ ଓପାଡ଼ିବାର ଥିଲା । ଓସାର କରି ଖୋଳିଥିଲେ ଏହି ମୂଳ ଓପାଡ଼ି ହୋଇଥାଆନ୍ତା । କିନ୍ତୁ କମ୍ପାନୀ ତାହାନକରି ପ୍ରଥମେ ବ୍ରିଜ କାମ ଆରମ୍ଭ କରିଦେଲା । ବର୍ତମାନ ଓସାର କରି ଖୋଳିବା ପାଇଁ ଆଉ ଜାଗାନଥିବାରୁ ମୂଳ ଓପାଡ଼ିବା ସମ୍ଭବ ହେଲାନାହିଁ । ତେଣୁ କମ୍ପାନୀ ସେହି ମୂଳ ଉପରେ ରାସ୍ତା ତିଆରୀ କରି ତାର କାମ ସାରିଦେଲା ସତ କିନ୍ତୁ ସୋରବାସୀଙ୍କ ପାଇଁ ବହୁ ସମସ୍ୟା ଭବିଷ୍ୟତପାଇର୍ ଛାଡ଼ି ଦେଲା । ମାଟି ତଳେ ଥିବା ମୂଳ ଭବିଷ୍ୟତରେ ନଷ୍ଟ ହେଲେ ସେହି ସ୍ଥାନରେ ରାସ୍ତା ଦବି ରାସ୍ତା ନଷ୍ଟ ହେବାଟା ନିଶ୍ଚିତ । କାମ ସାରି ଆରସିଏଲ ଟଙ୍କା ନେଇ ପଳେଇବ କିନ୍ତୁ ସମସ୍ୟା ଭୋଗ କରିବେ ସୋରବାସୀ । ଏହାକୁ ଯେଉଁ ଅଧିକାରୀମାନେ ଜଗିବା କଥା, ସେମାନେ ବାଡ଼ କ୍ଷେତ ଖାଇଲା ଭଳି କମ୍ପାନୀ ଠାରୁ ମୋଟା ଅଙ୍କର ଭୋଗ ନେଇ ଚୁପ୍ । ବାକି ରହିଲେ ଜନତା । ଗାଡ଼ିଆ ଯାକର ମାଛ ଖାଇବା, କିନ୍ତୁ ଦେହରେ ଟୋପେ କାଦ ପଡ଼ିବାକୁ ଦେବେନାହିଁ । ଜନତାଙ୍କର ପ୍ରତିବାଦ/ବିରୋଧ କରିବାର ସ୍ୱର କ୍ରମଶଃ ହ୍ରାସ ପାଇବାରେ ଲାଗିଛି, ଯାହାର ସୁଯୋଗ ନେଉଛନ୍ତି ଅସାଧୁ କର୍ମଚାରୀ ଓ ଠିକା କମ୍ପାନୀ । ଜନତା ଯେପର୍ଯ୍ୟନ୍ତ ନିଜର ହକ୍କୁ ଛଡ଼ାଇ ଆଣିବା ପାଇଁ ଆଗେଇ ଆସି ନାହାନ୍ତି, ସେ ପର୍ଯ୍ୟନ୍ତ ଏହି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ଯୁଗଳବନ୍ଦୀ ଏମିତି ଚାଲିଥିବ ଏଥିରେ ତିଳେହେଲେ ସନେ୍ଦହ ନାହିଁ । ଆଇଏନ୍ଏସ୍।

Leave a Reply

Your email address will not be published.