ତିତଲି ବାତ୍ୟା ଓ ନବୀନଙ୍କ ରାଜନୈତିକ ବିଜୟ!
ସୁବାସ ଷଡଙ୍ଗୀ
ତିତଲି ମହାବାତ୍ୟା ଓ ତା ପରବର୍ତୀ ବାଦଲ ଫଟା ବର୍ଷା ଓଡିଶାର ଗଞ୍ଜାମ, ଗଜପତି ଜିଳ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ତିତିଳି ବାତ୍ର ଯେତେବେଳେ ଆସିଲା ସେତେବଳେ ସରକାରଙ୍କ ପକ୍ଷରୁ ବହୁ ପ୍ରଚାରଧର୍ମି ଉଦ୍ଧାର କାର୍ଯ୍ୟର ଯୋଜନା ସମ୍ପର୍କରେ ବାରମ୍ବାର ପ୍ରଚାର କରାଗଲା । ଏପରି କରିବା ସ୍ୱାଭାବିକ । କାରଣ ପୂର୍ବରୁ ହୋଇଥିବା ବାତ୍ୟା ଗୁଡିକରେ ଉଦ୍ଧାର କାମରେ ଆମେ ବେଶ ପ୍ରଶଂସିତ ହୋଇ ସାରିଥିଲୁ । ଏଣୁ ବାତ୍ୟା ମୁକାବିଲା କରିବାରେ ଆମର ଏକ୍ସପର୍ଟାଇଜ ରହିଛି ବୋଲି ବିରୋଧୀ ମାନେ ମଧ୍ୟ ଜାଣିଥିଲେ । ସେଇ ଅଭିଜ୍ଞତାକୁ ପାଥେୟ କରି ଏଥରକ ମଧ୍ୟ ମୁଖ୍ୟମନ୍ତ୍ରୀ ଜିରୋ କାଜୁଆଲିଟି କଥା ଦୋହରାଇଲେ ।
ବାତ୍ୟା ସେପରି କିଛି କ୍ଷୟକ୍ଷତି କଲା ନାହିଁ । ମାତ୍ର ତା ପରବର୍ତୀ ବର୍ଷା ଗଜପତି ଓ ଗଂଜାମ ଜିଲ୍ଲାର ସ୍ତିତିକୁ ଦୋହଲାଇ ଦେଲା । ରାୟଗଡ ବ୍ଲକର କିଛି ଲୋକ ଏକ ପାହାଡ ଗୁଂଫାରେ ବାତ୍ୟା କବଳରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇଥିଲେ । ଦୁର୍ଭାଗ୍ୟର କଥା ହେଉଛି, ପାହାଡ ଧସିଯିବା ଫଳରେ ପ୍ରାୟ ୧୬ ଜଣ ଲୋକଙ୍କର ମୃତୁ୍ୟ ହେଲା । ଏହି ଘଟଣା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ।
ଗୋଟାଏ ଘଟଣା ସ୍ପଷ୍ଟ । ତାହା ହେଲା, ଗଜପତି ଜିଳ୍ଲାରେ ବାତ୍ୟା ଓ ତା ପରବର୍ତୀ ବର୍ଷା ବା ବନ୍ୟାରୁ ରକ୍ଷା ପାଇବା ପାଇଁ ସେଭଳି କିଛି ବ୍ୟବସ୍ଥା କରା ଯାଇନଥିଲା । ବୋଧହୁଏ ବାତ୍ୟା ଗୋପାଳପୁରରେ ମାଡ ହେଲେ, ଗଂଜାମ ସମେତ ଉପକୂଳବର୍ତୀ ଜିଲ୍ଲାରେ ଅଧିକ କ୍ଷତି କରିବ ବା ଗଜପତି ଜିଳ୍ଲାରେ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ଅଫିସର ମାନେ ଧରି ନେଇଥିଲେ । ବାତ୍ୟା ହେବା ଗଜପତି ଜିଳ୍ଲା ପାଇଁ କିଛି ବଡ କଥା ନୁହେଁ । କିନ୍ତୁ ସେ ସବୁ ଅଂଚଳରେ ବାତ୍ୟା ଆଶ୍ରୟସ୍ଥଳି ନରହିବା କ୍ଷୋଭର ବିଷୟ । ଆଦିବାସୀ ବହୁଳ ଇଲାକା ଗୁଡିକରେ କୋଟି କୋଟି ଟଙ୍କା ଖର୍ଚ କରାଯାଉଛି । ମାତ୍ର ଲୋକଙ୍କ ଦୁର୍ଦ୍ଦିନ ସମୟରେ କିପରି ସେମାନଙ୍କୁ ରକ୍ଷା କରାଯାଇପାରିବ, ତାର ବ୍ୟବସ୍ଥା ନାହିଁ । ସରକାର କେବିକେ ଯୋଜନା କାର୍ଯ୍ୟକାରି କରି ସେଇସବୁ ପଛୁଆ ଜିଲ୍ଲାଗୁଡିକର ଉନ୍ନତି ପାଇଁ କୋଟିକୋଟି ଟଙ୍କା ଖର୍ଚ କରୁଥିଲେ । ଗଜପିତି କେବିକେ ଜିଲ୍ଲାର ଏକ ଅଂଶବିଶେଷ । କଣ ପାଇଁ ଉନ୍ନୟନର ଛିଟା ସେଠାରେ ପରିଲକ୍ଷିତ ହେଉନାହିଁ, ସେ ବିଷୟରେ ଦନ୍ତ ହେବା ଦରକାର ।
ଜିରୋ କାଜୁଆଲିଟିର ନାରା ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଚାଲେଂଜ । ବିରୋଧୀ ଦଳ ବିଶେଷକରି ବିଜେପି ଏଥିରୁ ବେଶ ଫାଇଦା ଉଠାଇବାକୁ ଉଦ୍ୟମ କରିଥିଲା । ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଆଦିବାସୀ ଭୋଟବ୍ୟାଙ୍କକୁ ନିଜ ପଟକୁ ଆଣିବା ପାଇଁ ବିରୋଧୀ ଦଳ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଥିଲେ । ମୃତୁ୍ୟସଂଖ୍ୟା ଜାରି କରି ବିଜେପି ଶାସକ ଦଳକୁ କାଠଗଡା ଭିତରକୁ ଟାଣି ଆଣିଥିଲା । ମୃତ ପରିବାରକୁ ସାହାଯ୍ୟ ରାଶି ବଢାଇବାକୁ ମଧ୍ୟ ଦାବି କରିଥିଲା ।
ସରକାରି ଅବହେଳା କଥା ସ୍ପଷ୍ଟ ବାରି ହୋଇ ପଡିବା ପରେ ମୁଖ୍ୟମନ୍ତ୍ରୀ ମୃତ ଲୋକଙ୍କୁ କ୍ଷତିପୂରଣ ବାବଦରେ ପ୍ରତ୍ୟେକ ଦଶଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି । ଯାହା ନିଶ୍ଚିତଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଅନ୍ୟାନ୍ୟ କଥା ଯଥାଃ- ବିଜୁ ପକା ଘର, ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଦେବା କଥା ଲୋକଙ୍କୁ ନିଶ୍ଚିତ ଭାବେ ସାହାଯ୍ୟ କରିବ ।
ତେବେ ଆଦିବାସୀ ଭୋଟବ୍ୟାଙ୍କକୁ କରାୟତ କରିବା ପାଇଁ ହେଲେ ସରକାରଙ୍କୁ କାହା ଅବହେଳା ପାଇଁ ଏତେ ଲୋକଙ୍କ ଜୀବନ ଗଲା ତାହା ପଦାକୁ ଆସିବା ଦରକାର । ଏହା ଅଫିସରମାନଙ୍କ ଅବହେଳାକି? ଯଦି ଏହା ହୋଇଥାଏ, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର । କାରଣ ଯାହା ଏବେ ଗଜପିତି ଜିଳ୍ଲାରେ ହେଲା, ତାହାର ପୁନରାବୃତି ଯେ ଅନ୍ୟ ଜିଲ୍ଲାରେ ନ ହେବ ତାହା କିଏ କହିବ?
ନିର୍ବାଚନ ପାଖେଇ ଆସୁଛି । ଦୀର୍ଘଦିନ ଧରି ଆଦିବାସୀଙ୍କ ରହିବା ପାଇଁ କୌଣସି ଗୃହ ଯୋଜନା କରାଯାଇ ନଥିଲା । କଂଗ୍ରେସ ସରକାର ସବୁବେଳେ ଆଦିବାସୀଙ୍କୁ ଦରଦ ଦେଖାଇ ନିଜର ଭୋଟ ବ୍ୟାଙ୍କ ବ୍ୟବହାର କରି ଆସୁଥିଲା । ଯଦି ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଗାଁ ତିଆରି କରାଯାଇ ବିଜୁ ଘର ଯୋଜନା ହେଉ ବା ଇନ୍ଦିରା ଆବାସ ଯୋଜନା(ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା) ମାଧ୍ୟମରେ ଘର ଯୋଗାଇ ଦିଆଯାଇଥାନ୍ତା, ତେବେ ଆଜି ନୀରିହ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ମୃତୁ୍ୟ ମୁଖରେ ପଡି ନଥାନ୍ତେ ।
ବାତ୍ୟା ପରବର୍ତୀ ଯୋଜନାରେ ନବୀନବାବୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର କଲୋନୀ କରିବାର ଘୋଷଣା ଏବଂ ତତକ୍ଷଣାତ କିଛି ଳୋକଙ୍କୁ ଜମିପଟା ବାଂଟିବା ନିଶ୍ଚିତ ଭାବେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଖାଲି ସେତିକିନୁହେଁ, ମୃତ ଲୋକଙ୍କୁ ଦଶ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଅନାଥ ଶିଶୁଙ୍କ ସବୁ ଖର୍ଚ ସରକାର ବହନ କରିବା ନିଷ୍ପତିକୁ ହୁଏତ ବିରୋଧୀ ଦଳ ରାଜନୈତିକ ଚାଲ ବୋଲି କହି ସମାଲୋଚନା କରିପାରନ୍ତି, କିନ୍ତୁ ମାନବିକତା ଦୃଷ୍ଟିକୋଣରୁ ଦେଖିବାକୁ ଗଲେ, ନବୀନବାବୁ ଏକ ବିରାଟ ପଦକ୍ଷେପ ନେଇଛନ୍ତି । ଏହା ସହ ସେଠାରେ ବାତ୍ୟା ଆଶ୍ରୟସ୍ଥଳି ମଧ୍ୟ ତିଆରି କରାଯିବା ଦରକାର । ଯେ କୌଣସି ପ୍ରାକୃିତିକ ବିପଦ ସମୟରେ ସେମାନେ ସେଠାରେ ଆଶ୍ରୟ ନେଇ ପାରିବେ ।
ନବୀନବାବୁଙ୍କ ସରକାର ପୂର୍ବରୁ ବହୁ ପ୍ରାକୃତିକ ଦୁର୍ବିପାକର ସଫଳତାର ସହକାରେ ମୁକାବିଲା କରିଆସିଛନ୍ତି । ତେଣୁ ଏଥରକ ମଧ୍ୟ ତାହା ଆଶା କରାଯିବା ସ୍ୱାଭାବିକ ଥିଲା । କିନ୍ତୁ ମନେ ହେଲା, କେଉଁଠି କେମିତି କିଛି ତୃଟି ରହିଯାଇଛି । ଯାହାର ଉଦାହରଣ ହେଉଛି, ଗଜପତି ଓ ଗଂଜାମ ଜିଲ୍ଲାର ବିଭିଷିକା । କଣ ପାଇଁ ଏବଂ କାହାର ତୃଟି ଯୋଗୁ ଏପରି ହେଲା, ତାହାର ତଦନ୍ତ ହେବା ଦରକାର । ଯଦି ପ୍ରଶାସନ ପୁରାଦମରେ ତତ୍ପରଥିଲା, ତେବେ ଉଦ୍ଧାର କାମ ଶୀଘ୍ର ଆରମ୍ଭ ହୋଇ ପାରିଲା ନାହିଁ କାହିଁକି? ଗଂଜାମ ଜିଲ୍ଲା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା । ଏଣୁ ପ୍ରଶାସନ ଅଧିକ ତତ୍ପର ହେବା ଆବଶ୍ୟକ ଥିଲା ।
ଯାହାହେଉ ଠିକ ସମୟରେ ସଠିକ ନିଷ୍ପତି ନବୀନବାବୁଙ୍କ ଭାବମୂର୍ତିରେ ସୁଧାର ଆଣି ପାରିଛି । ବିରୋଧୀ ଦଳର ସମାଲୋଚନା କରିବାର ରାସ୍ତା ବନ୍ଦ କରିଦେଇଛି । ଏହାକୁ ହିଁ କୁହାଯାଏ ରାଜନୈତିକ କୌଶଳ । ସେ କୌଶଳରେ ପୁଣିଥରେ ନବୀନବାବୁ ବିଜୟ ଲାଭ କରିଛନ୍ତି, ଏଥିରେ ଦ୍ୱିମତ ହେବାର କିଛି ନାହିଁ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ: ୯୪୩୯୬୫୨୩୨୨