ଓଡ଼ିଶାରେ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ପ୍ରକି୍ରୟା କୋମାରେ?
ସୁବାସ ଷଡଙ୍ଗୀ
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ନିମନ୍ତେ ଯୋଗ୍ୟ ପ୍ରାର୍ଥୀ ଚୟନ କରିବା ପାଇଁ ତିନୋଟି ସଂସ୍ଥା କାର୍ଯ୍ୟ କରୁଛି । ସେଗୁଡିକ ହେଲା, ଓଡିଶା ଲୋକ ସେବା ଆୟୋଗ, ଓଡିଶା ଷ୍ଟାଫ ସିଲେକସନ କମିଶନ ଓ ଓଡିଶା ଅଧସ୍ତନ କର୍ମଚାରି ଚୟନ ଆୟୋଗ । ଗତ ଚାରି ବର୍ଷ ଭିତରେ ପ୍ରାୟ ୬୨ ହଜାରରୁ ଅଧିକ ପଦବୀ ପୂରଣ କରାଯାଇଥିବା ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଥିଲେ ମଧ୍ୟ ଚୟନକାରୀ ସଂସ୍ଥାରେ ଦେଖା ଦେଇଥିବା ସଂକଟ ସମ୍ପର୍କରେ କିଛି ତଥ୍ୟ ଉପସ୍ଥାପନ କରାଯାଇପାରେ ।
ପ୍ରଥମତଃ ଓଡିଶା ଲୋକସେବା ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା । ସମ୍ବିଧାନର ଧାରା-୩୧୫ ଅନୁସାରେ ପ୍ରତ୍ୟେକ ରାଜ୍ୟରେ ଲୋକ ସେବା ଆୟୋଗ ଗଠିତ । ଓଡିଶାରେ ଲୋକ ସେବା ଆୟୋଗ ସରକାରଙ୍କ ଅଧୀନରେ ଖାଲିଥିବା ଦ୍ୱିତୀୟ ଶ୍ରେଣୀ ବା ତଦୁର୍ଦ୍ଦô ପଦବୀ ପୂରଣ ନିମନ୍ତେ ପ୍ରାର୍ଥୀ ଚୟନ କରି ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ସମ୍ପୃକ୍ତ ବିଭାଗକୁ ପଠାଇଥାନ୍ତି । ରାଜ୍ୟ ସରକାର ମଧ୍ୟ ଆୟୋଗର ସୁପାରିଶ ଅନୁସାରେ ପ୍ରାର୍ଥୀମାନଙ୍କୁ ଖାଲିଥିବା ପଦବୀରେ ନିଯୁକ୍ତି ଦେଇଥାନ୍ତି । ଏତଦବ୍ୟତୀତ ଏହି ଅଧିକାରୀମାନଙ୍କର ପଦୋନ୍ନତି ଓ ଶୃଂଖଳାଗତ କାର୍ଯା୍ୟନୁଷ୍ଠାନରେ ଦୋଷି ଅଧିକାରୀମାନଙ୍କୁ ଦଣ୍ଡ ଦେବା ପାଇଁ ମଧ୍ୟ ସୁପାରିଶ କରିଥାନ୍ତି । ଓଡିଶା ଲୋକସେବା ଆୟୋଗ ରେଗୁଲେସନ, ୧୯୫୨ ଅନୁସାରେ ଆୟୋଗରେ ଅଧ୍ୟକ୍ଷଙ୍କ ସମେତ ୬ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଅଛି । ଏମାନେ ସମସ୍ତେ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟି ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତି ପାଇଥାନ୍ତି । କିନ୍ତୁ ଆୟୋଗରେ ୬ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଥିବାବେଳେ ବର୍ତମାନ ଅଧ୍ୟକ୍ଷଙ୍କ ସମେତ ୩ ଜଣ ସଦସ୍ୟ ରହିଛନ୍ତି । ବାକି ତିନୋଟି ସଦସ୍ୟ ପଦବୀ ଦୀର୍ଘ ଦଶ ବର୍ଷରୁ ଅଧିକ ଦିନ ଧରି ଖାଲି ପଡିଛି । ଏହାର କାରଣ ରାଜ୍ୟ ସରକାରଙ୍କୁ ଜଣା । ଯଦି ଲୋକସେବା ଆୟୋଗ ଭଳି ସଂସ୍ଥାରେ ତିନୋଟି ପଦବୀ ଖାଲି ପଡିଛି, ତେବେ ଆୟୋଗ କିପରି ନିଯୁକ୍ତି, ପଦୋନ୍ନତି ଓ ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରୁଛନ୍ତି? ସଦସ୍ୟ ଓ କର୍ମଚାରୀ ଅଭାବରୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପରିଚାଳନାରେ ବିଭ୍ରାଟ ଦେଖା ଦେଉଚି । ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିବା ପରୀକ୍ଷା କେନ୍ଦ୍ରରେ ବ୍ୟାପକ କପି ଓ ଜାଲିଆତି ହେଉଥିବା ସ୍ୱାଭାବିକ । ସରକାରଙ୍କୁ ତାଙ୍କ ମନୋନୀତ ବ୍ୟକ୍ତି ସଦସ୍ୟ ନିଯୁକ୍ତି ନିମନ୍ତେ ମିଳୁ ନାହାନ୍ତି ବା କମିଶନର କାର୍ଯ୍ୟଭାର କମ ଥିବାରୁ ସଦସ୍ୟ ନିଯୁକ୍ତି କରାଯାଉନାହିଁ, ସେ ସମ୍ପର୍କରେ ସରକାର ସ୍ପଷ୍ଟିକରଣ ଦେବା ଆବଶ୍ୟକ । ଏ ସମ୍ପର୍କରେ ଓଡିଶା ଉଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ବିଚାରାଧୀନ ଅଛି ।
ଦ୍ୱିତୀୟରେ ଓଡିଶା ଷ୍ଟାଫ ସିଲେକସନ କମିଶନ କଥା ବିଚାର କରାଯାଉ । ସାଧାରଣ ପ୍ରଶାସନ ବିଭାଗ ୧୯୯୩ ମସିହାରେ ଏକ ଆଇନ ପ୍ରଣୟନ କରି ରାଜ୍ୟରେ ଓଡିଶା ଷ୍ଟାଫ ସିଲେକସନ କମିଶନ ଗଠନ କରିଥିଲେ । ଏଥିରେ ଜଣେ ଅଧ୍ୟକ୍ଷ ଓ ଜଣେ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି । ଏହି କମିଶନ ରାଜ୍ୟ ସରକାରଙ୍କ ଅଧୀନରେ ଖାଲିଥିବା ଗୃପ- ସି ରାଜ୍ୟ ସ୍ତରୀୟ ପଦବୀ ପାଇଁ ପ୍ରାର୍ଥୀ ଚୟନ କରି ପଦବୀ ପୂରଣ ନିମନ୍ତେ ବିଭିନ୍ନ ବିଭାଗ ବା ନିଦେ୍ର୍ଦର୍ଶାଳୟକୁ ପ୍ରେରଣ କରିଥାନ୍ତି । ଏହି ସଂସ୍ଥାରେ ଏକମାତ୍ର ସଦସ୍ୟ ପଦବୀଟି ଦୀର୍ଘ ଏକବର୍ଷ ଧରି ଖାଲି ପଡିଛି । ତେଣୁ କମିଶନ ଠିକ ସମୟରେ ବିଜ୍ଞାପନ ପ୍ରକାଶ କରି ପରୀକ୍ଷା ପରିଚାଳନା କରିବାରେ ବହୁ ଅସୁବିଧାର ସମୁଖୀନ ହେଉଚନ୍ତି । ସଦସ୍ୟ ପଦବୀ ଖାଲି ପଡିବାର ଉଦେ୍ଦଶ୍ୟ ସରକାରଙ୍କୁ ଜଣା ।
ତୃତୀୟରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ୨୦୧୨ ମସିହାରେ ଏକ ଆଇନ ପ୍ରଣୟନ କରି ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଗଠନ କରିଛନ୍ତି । ଏହି କମିଶନ ରାଜ୍ୟ ସରକାରଙ୍କ ବିଭିନ୍ନ ଜିଲ୍ଲାରେ ଖାଲିଥିବା ଗୃପ-ସି ଜିଲ୍ଲାସ୍ତରୀୟ ପଦବୀ ପାଇଁ ପ୍ରାର୍ଥୀ ଚୟନ କରି ପ୍ରାର୍ଥୀ ତାଲିକା ଜିଲ୍ଲାପାଳଙ୍କୁ ଦେଇଥାନ୍ତି । କମିଶନରେ ଜଣେ ଅଧ୍ୟକ୍ଷଙ୍କ ସମେତ ୩ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି । କମିସନ୍ ଗଠନ ହେବା ପରେ ଜଣେ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ସେ ପ୍ରାୟ ଏକ ବର୍ଷ କାମ କରିବା ପରେ ଇସ୍ତଫା ଦେଇ ଚାଲିଯାଇଥିଲେ । ତାଙ୍କ ପରେ ଅଧ୍ୟକ୍ଷ ପଦରେ ସ୍ଥାୟି ନିଯୁକ୍ତି କରାଯାଇ ନାହିଁ । ଆଶ୍ଚର୍ଯ୍ୟର ବିଷୟ ହେଉଛି, କମିଶନ ଗଠିତ ହେବା ଦିନଠାରୁ କୌଣସି ସଦସ୍ୟ ନିଯୁ୍କ୍ତି ହୋଇ ନାହାନ୍ତି । ଛଅବର୍ଷ ଧରି ସଦସ୍ୟ ପଦବୀ ଖାଲି ପଡିଛି । ବର୍ଷକୁ ଗୋଟିଏ ଦୁଇଟି ପରୀକ୍ଷା କରି କମିଶନଙ୍କ ଭାରପ୍ରାପ୍ତ ଅଧ୍ୟକ୍ଷ ଓ ସଚିବ ଖୁସ । ଏହି କମମିସନ୍ ଙ୍କ କାର୍ଯ୍ୟଧାରା ସମ୍ପର୍କରେ ବହୁ କଥା ଶୁଣିବାକୁ ମିଳୁଛି । ଜନୈକ ଅବସରପ୍ରାପ୍ତ କର୍ମଚାରୀ ପ୍ରାୟ ୬ ବର୍ଷ ଧରି ଏଠାରେ ପୁନଃ ନିଯୁକ୍ତି ପାଇ ନିଜର ଆଧିପତ୍ୟ ବିସ୍ତାର କରି ଚାଲିଛନ୍ତି । ତେଣୁ କମିଶନଟି କୋମାରେ ରହିଛି ବୋଲି କୁହାଯାଇପାରେ । ଷ୍ଟାଫ ସିଲେକସନ କମିଶନ ଦୁଇଟିକୁ ମିଶାଇ ଗୋଟିଏ କମିସନ୍ ଗଠନ କରାଗଲେ ରାଜ୍ୟ ସରକାରଙ୍କ ବହୁ ଅର୍ଥ ସଂଚୟ ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଆଇଏନ୍ଏସ୍/ ଓଏନ୍ଏସ୍ ।