ରାବଣପୋଡ଼ି ଉତ୍ସବ ଚାଲିଥିବା ବେଳେ ଲୋକଙ୍କ ଉପରେ ଚଢିଗଲା ଟ୍ରେନ୍: ୬୦ ରୁ ଉର୍ଧ ମୃତ !
ନୂଆଦିଲ୍ଲି, (ଆଇଏନ୍ଏସ୍): ପବିତ୍ର ବିଜୟା ଦଶମୀ ସନ୍ଧ୍ୟାରେ ପଞ୍ଜାବର ଅମୃତସର ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାବଣ ପୋଡ଼ି ଦୃଶ୍ୟ ଦେଖୁଥିବା ବେଳେ ଘଟିଛି ଏହି ଲୋମଟାଙ୍କୁରା ଘଟଣା । ଖୁବ ଆନନ୍ଦ-ଉଲ୍ଲାସର ସହ ରାବଣ ପୋଡ଼ି ଉତ୍ସବ ଚାଲିଥିବା ବେଳେ ଏହି ଦୃଶ୍ୟ ଦେଖୁଥିବା ଲୋକଙ୍କ ଉପରେ ଚଢି ଯାଇଥିଲା ପଠାନକୋଟ-ଅମୃତସର ଡ଼ିଏମୟୁ ଟ୍ରେନ୍ । ଏଥିରେ ୬୦ ରୁ ଉର୍ଧ ଲୋକଙ୍କର ମୃତୁ୍ୟ ହୋଇଥିଲା ବେଳେ ଅନେକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ସୂଚନାଯୋଗ୍ୟ ଯେ, ଅମୃତସରର ଚୌରା ବଜାର ନିକଟରେ ଏହି ଉତ୍ସବ ଚାଲିଥିଲା । ରାବଣ ପ୍ରତିମୂର୍ତିରେ ନିଅାଁ ଲାଗିବା ସଙ୍ଗେସଙ୍ଗେ ଦର୍ଶକ ମାନେ ଦୂରକୁ(ରେଳ ଟ୍ରାକ୍ ପାଖାପାଖି) ହଟି ଯାଇଥିଲେ । ଏତିକିବେଳେ ଦ୍ରୂତ ଗତିରେ ଆସୁଥିବା ଡ଼ିଏମୟୁ ଟ୍ରେନ ମାଡ଼ି ଯାଇଥିଲା ଦର୍ଶକମାନଙ୍କ ଉପରେ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଙ୍କ ସମେତ ଦେଶର ବରିଷ୍ଠ ରାଜନେତା ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ପ୍ରତ୍ୟେକ ମୃତ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଓ ଆହତ ମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଘୋଷଣା କରିଛନ୍ତି । ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଆହତ ମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ କହିଛନ୍ତି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର ଓ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସରକାରୀ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି ।
(Photo from https://indianexpress.com)