ଓଡ଼ିଶାର ଶିଳ୍ପାୟନ କେତେ ସ୍ୱପ୍ନ କେତେ ବାସ୍ତବ!
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଶିଳ୍ପ ପାଇଁ ଶିଳ୍ପପତି ମାନଙ୍କୁ ଆକୃଷ୍ଟ କରିବାରେ ଓଡ଼ିଶାର ସ୍ଥାନ କ୍ରମେ ଖସି ୧୪ ରେ ପହଂଚିବା ଯୋଗୁ ରାଜନୀତିକ ଦଳା ଚକଟା ଆରମ୍ଭ ହୋଇଛି । ୪୦ ବର୍ଷ ତଳେ କଟକର ଇଂଜିନିୟରିଂ ସ୍କୁଲ୍ ହଷ୍ଟେଲ୍ରେ ମୁଁ ରହୁଥାଏ । ରାଜ୍ୟର ଭବିଷ୍ୟତ ଶିଳ୍ପାୟନକୁ ଆଖି ଆଗରେ ରଖି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏକ ବିରାଟ ଶିଳ୍ପ ହଷ୍ଟେଲ୍ ତିଆରି କରି ଥାଆନ୍ତି । ମହାନଦୀ କୂଳକୁ ହଷ୍ଟେଲ୍ଟି ଲାଗିଥାଏ । ସକାଳୁ ସକାଳୁ ଝରକା ଖୋଲିଲେ ମହାନଦୀର ବିସ୍ତିର୍ଣ୍ଣ ଜଳରାଶି ଓ ନଦୀ ଆର କଡ଼ରେ ଥିବା ଚୌଦ୍ୱାର ଶିଳ୍ପାଂଚଳ ଦେଖାଯାଏ । ଶିଳ୍ପାଂଚଳର ଚିମିନି ଗୁଡ଼ିକରୁ କଳା ଧୂଅାଁ ବାହାରି ଆକାଶରେ ମେଘ ଖଣ୍ଡ ଭଳି କଟକ ଆଡ଼କୁ ଭାସି ଆସୁଥାଏ । ତାହା ସହ ଭାସି ଆସୁଥାଏ କାଗଜ କଳର ପଚାଳିଆ ଗନ୍ଧ ।
ଚୌଦ୍ୱାର ଥିଲା ଓଡ଼ିଶା ଶିଳ୍ପାୟନର ଏନ୍ତୁଡ଼ି ଶାଳ । ପିଲାଦିନେ ଆମେ ବ୍ୟବହାର କରୁଥିବା ହାତୀ ମାର୍କା କାଗଜ ଏଠାରେ ଥିବା ଟିଟାଗଡ଼ ପେପର ମିଲ୍ରେ ତିଆରି ହେଉଥିଲା । ଚୌଦ୍ୱାର ଓଟିଏମ୍ ଲୁଗା କଳରୁ ଯେଉଁ କପଡ଼ା ଉତ୍ପାଦନ ହେଉଥିଲା, ସାରା ଭାରତରେ ସ୍କୁଲ୍ ୟୁନିଫର୍ମ ପାଇଁ ତାହାର ଆଦର ଥିଲା । କଳିଙ୍ଗ ଇଲେକ୍ଟ୍ରଲକ୍ସ ନାମକ ଏକ କାରଖାନାରୁ ରେଫି୍ରଜେରେଟର ମଧ୍ୟ ତିଆରି ହେଉଥିଲା । ଏଠାରେ ଥିଲା ନାମକରା କଳିଙ୍ଗ ଟୁ୍ୟବ୍ସ କାରଖାନା । ଏଠାରେ ଏକ ଟାଇଲ୍ କାରଖାନା କରି ବିଜୁ ପଟ୍ଟନାୟକ ଡ଼ାକରା ଦେଇଥିଲେ, “ଟାଇଲ୍ ଛପର ଘର, ନିଅାଁକୁ ନଥାଏ ଡ଼ର” ।
ଆଜି ସେହି ଶିଳ୍ପ କ୍ଷେତ୍ର ଚୌଦ୍ୱାର ମହା ଶ୍ମଶାନରେ ପରିଣତ ହେଉଛି । ସକାଳୁ ସକାଳୁ ଆଉ କାରଖାନାର ପୁଙ୍ଗା ବାଜୁନାହିଁ । ଆକାଶରେ କଳାÿଧୂଅାଁ ଆଉ ଘୁରି ବୁଲୁନି । ଖୋଦ କଟକ ସହରରେ ସେକାଳକୁ ଚାହିଁ ଜଗତପୁର ସୂତାକଳ, ହାଇଦର ଅଲ୍ଲି ବିଡ଼ି କାରଖାନା, ଷ୍ପାର୍କ ବେଟେରୀ, ମଣିରାଜ ବିସ୍କୁଟ ଓ ପାଉଁରୁଟି କାରଖାନା ବେଶ୍ ନାଁ କରିଥିଲା । କିଛିଦିନ ପାଇଁ ଷ୍ଟ୍ରଙ୍ଗ ନାମରେ ଏକ ସାଇକେଲ୍ ମଧ୍ୟ ତିଆରି ହେଉଥିଲା । ଛତ୍ର ବଜାରରେ ଏକ ଔଷଧ କାରଖାନାରୁ ପ୍ରସିଦ୍ଧ ହେଟ୍ରାଜନ୍ ବଟିକା ତିଆରି ହେଉଥିଲା, ଯାହା ଫାଇଲେରିଆ ପାଇଁ ବ୍ୟବହାର ହେଉଥିଲା । କାଠଯୋଡ଼ି ଆର କଡ଼ରେ ଗୋପାଳପୁର ଠାରେ ଡ଼ନ୍ ବିସ୍କୁଟ କାରଖାନା ଓ ତେଲେଙ୍ଗା ବଜାର ଠାରେ ପ୍ରସିଦ୍ଧ ଆକବର ଖାଁ ଗୁଡ଼ାଖୁ ତିଆରି ହେଉଥିଲା । ବାରଙ୍ଗ ଠାରେ ଥିଲା ପ୍ରସିଦ୍ଧ ଶ୍ରୀ ଦୁର୍ଗା ଗ୍ଲାସ୍ ଫ୍ୟାକ୍ଟ୍ରି. ଚିନାମାଟି ଓ ରିଫ୍ରାକ୍ଟରୀ ଇଟା କାରଖାନା । ଏହି କାରଖାନା ଗୁଡ଼ିକ ବର୍ତମାନ ପ୍ରାୟ ଲୁପ୍ତ । ସେହିପରି ଭୁବନେଶ୍ୱର ଠାରେ କୋଣାର୍କ ଟିଭି ଓ ଖୋର୍ଦ୍ଧାରେ ଏଚଏମଟି ଘଂଟା ତଥା ଅଏଲ୍ ମିଲ୍ ବେଶ୍ ନାଁ କରିଥିଲେ ମଧ୍ୟ ଏବେ ସେଥିରେ ସବୁ ତାଲା ଝୁଲୁଛି । ଖୋର୍ଦ୍ଧାର ଶ୍ରୀକୃଷ୍ଣ ହ୍ୟାଣ୍ଡଲୁମ୍ରେ ତିଆରି ହେଉଥିବା ଲୁଂଘି, ଗାମୁଛା ଓ ଶାଢୀ ସାରା ଓଡ଼ିଶା ସମେତ ବାହାରେ ମଧ୍ୟ ଆଦୃତ ହେଉଥିଲା । ସେହିଭଳି କେନ୍ଦ୍ରାପଡ଼ାର ବଳଦେବଜିଉ ପାୱାରଲୁମ୍, ତିର୍ତୋଲ୍ର ଶାରଳା ପାୱାରଲୁମ୍ ଓ ଧାନ ମଣ୍ଡଳରେ ଥିବା ଏକମାତ୍ର ଝୋଟ କଳକୁ ଆମେ ରକ୍ଷା କରି ପାରିଲୁ ନାହିଁ । କହିବାକୁ ଗଲେ ସାରା ଓଡ଼ିଶାରେ ସମାନ ଅବସ୍ଥା । ଯୁଆଡ଼େ ଦେଖିଲେ କାରଖାନାରେ ତାଲା ଝୁଲୁଛି । ରାଜ୍ୟରେ ଥିବା ସବୁ ଚିନି କଳ ବନ୍ଦ ହୋଇ ଗଲାଣି । ସମବାୟ ନାଁରେ ଏଗୁଡ଼ିକୁ ସ୍ଥାପନ କରି ନେତାମାନେ ଏହାକୁ ହରିଲୁଟ୍ କରିଦେଲେ । ବର୍ତମାନେ ଶିଳ୍ପ କହିଲେ, ଯୁଆଡ଼େ ଦେଖିବ ଖାଲି ଗୁଡ଼ିଏ ୱେଲଡ଼ିଂ ଦୋକାନ । ଅନେକ କାରଖାନା କେବଳ ସାଇନବୋର୍ଡ଼ରେ ସୀମିତ । ବାହାରୁ ଜିନିଷ କିଣି ନିଜ ଷ୍ଟାମ୍ପ ମାରି ବିକି୍ର କରିବା ହିଁ ସାର । ଓଡ଼ିଶାରେ ଲକ୍ଷ ଲକ୍ଷ ସାଇକେଲ୍ ବିକି୍ର ହେଉଥିଲେ ମଧ୍ୟ ସାଇକେଲ କାରଖାନା ଟିଏ ନାହିଁ । ପିଲା ମାନଙ୍କ ପାଇଁ କୋଟି କୋଟି ଟଙ୍କାର ସ୍କୁଲ୍ ପୋଷାକ ପାଇଁ ସରକାର କପଡ଼ା କିଣୁଛନ୍ତି । ମାତ୍ର ଓଡ଼ିଶାରେ ଗୋଟିଏ ଲୁଗାକଳ ନାହିଁ ।
ସେତେବେଳେ ଶିଳ୍ପପତି ମାନେ ନିଜେ କଷ୍ଟ କରି ଶ୍ରମିକ ମାନଙ୍କ ସାଙ୍ଗରେ ମିଶି କାରଖାନା ଚଳାଉଥିଲେ । ବର୍ତମାନ ଭଳି ବ୍ୟାଙ୍କ ଋଣ ସୁବିଧା ନଥିଲା । କେବଳ କମର୍ସିଆଲ୍ ବ୍ୟାଙ୍କ ଋଣ ଦେଉଥିଲା ଓ ତିଆରି ଜିନିଷର ଗୋଦାମକୁ ନିଜ ଅଧୀନରେ ରଖୁଥିଲା । ନିଜେ ବିଜୁ ବାବୁ ଓଟିଏମ୍ କଲାବେଳେ ସାଇକେଲ୍ରେ କଟକରୁ ଚୌଦ୍ୱାର ଯାଉଥିଲେ । ସେ ସମୟ ବଦଳିଗଲା । ଜାତୀୟକରଣ ପରେ ବ୍ୟାଙ୍କ ଋଣ ସହଜରେ ମିଳିଲା । ଲୋକମାନେ ଶିଳ୍ପ ନାଁରେ ଋଣ କରି ନିଜେ ଅୟସରେ ଚଳିଲେ । ଗୋଟିଏ ଲମ୍ବା ଟିଣ ଘର କରି ସାଇନ୍ ÿବୋର୍ଡ଼ଟିଏ ଲଗାଇ ଦେଲେ । କିଛ ଦିନ ପରେ ତାହା ଗୋଦାମରେ ପରିଣତ ହୋଇଗଲା । ଲୋକମାନେ ଋଣ ସୁଝିବାର ନାଁ ଧରିଲେ ନାହିଁ । ଏମିତି କରି କରି ଶିଳ୍ପ ପ୍ରୋତ୍ସାହନ ପାଇଁ ଗଣା ଯାଇଥିବା ରାଜ୍ୟ ଆର୍ଥିକ ନିଗମକୁ ଡ଼ୁବାଇ ଦେଲେ ।
ନିକଟରେ ଘଟି ଯାଇଥିବା କେତେକ ଘଟଣା ଓଡ଼ିଶା ଶିଳ୍ପାୟନ ପାଇଁ ଏକ ନକରାତ୍ମକ ମନୋଭାବ ସୃଷ୍ଟି କରିଛି । ଜମି ଅଧିଗ୍ରହଣ କରିବା ଏକ ଅସମ୍ଭବ ବ୍ୟାପାର ହୋଇ ଯାଇଛି । ଏପରିକି ଶାସକ ଓ ବିରୋଧୀ ମାନେ ଲୋକଙ୍କୁ ମତାଇ ଅଧିଗ୍ରହଣରେ ବାଧା ସୃଷ୍ଟି କରୁଛନ୍ତି । ସମସ୍ତେ ଚାହୁଁଛନ୍ତି କମ୍ପାନୀ ସେମାନଙ୍କୁ ଟଙ୍କା ଦେଉ । କଳିଙ୍ଗନଗରରେ ଯେଉଁ ଘଟଣା ଘଟିଲା ସେଥିରେ ବିଭିନ୍ନ ବର୍ଗର ତୋମାନେ ପ୍ରଚୁର ହାତଗୁଞ୍ଜା ପାଇଲା ପରେ ହିଁ କାରଖାନା ବସିବା ସମ୍ଭବ ହେଲା ।
ଦକ୍ଷିଣ କୋରିଆର ପସ୍କୋ ପାରାଦୀପ ଠାରେ ଇଷ୍ପାତ କାରଖାନା କରିବ ବୋଲି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେପରି ଶୂନ୍ୟ ହାତରେ ଫେରିଗଲା, ତାହା ଆମ ପାଇଁ କାଳ କାଳକୁ କଳଙ୍କର ଦାଗ ଟାଣି ଦେଲା । ଆମ ଦେଶରେ ସରକାର ବଦଳିଲେ ନିୟମ ବଦଳେ । କଂଚାମାଲ୍ ପାଇବା ପାଇଁ ପସ୍କୋ ଯେପରି ହିନସ୍ତା ହେଲା ଓ ବାଧ୍ୟ ହୋଇ ଓଡ଼ିଶାରୁ ବିଦାୟ ନେଲା, ଏଭଳି ଘଟଣା ବୋଧେ ପୃଥିବୀରେ ବିରଳ । ସେହିଭଳି ଲାଞ୍ଜିଗଡ଼ ଠାରେ ଥିବା ବେଦାନ୍ତ ଆଲୁମିନିୟମ୍ କାରଖାନାକୁ ଜନ ଶୁଣାଣୀ ନାଁରେ ଯେଉଁ ପ୍ରହସନ କରାଗଲା, ତାହା ମଧ୍ୟ ଅନ୍ୟ ଶିଳ୍ପଦ୍ୟୋଗୀ ମାନଙ୍କୁ ସତର୍କ କରି ଦେଲା । ଯଦି ଆମର ପାହାଡ଼ ଦରକାର, ଜଙ୍ଗଲ ଦରକାର, ତାହେଲେ ଆମେ ଶିଳ୍ପ ପାଇଁ କାହିଁକି ଆତୁର ହେଉଛୁ? କାହିଁକି ଶତାଧିକ ବୈଷୟିକ ଅନୁଷ୍ଠାନ ଗଢି ତୋଳିଛୁ? ନିକଟରେ ଅନ୍ୟ ଏକ ପୁରାତନ ଓ ପ୍ରତିଷ୍ଠିତ ଶିଳ୍ପାନୁଷ୍ଠାନ ଥେରୁବାଲିର ଇମ୍ଫା ଉପରେ ଅସାମାଜିକ ଲୋକମାନଙ୍କର ଯେଭଳି ଆକ୍ରମଣ ହେଲା, ତାହା ସାରା ପୃଥିବୀ ଦେଖିଛି । ଏକ ସଭ୍ୟ ଦେଶରେ ଦିନର ଆଲୁଅରେ ଠେଙ୍ଗା ବାଡ଼ି ଓ ଖଣ୍ଡା ଧରି କାରଖାନା ଉପରେ ଆକ୍ରମଣ କରିବା ଓ ପ୍ରଶାସନ ନିରବ ରହିବାର ଦୃଷ୍ଟାନ୍ତ ପୃଥିବୀରେ ବୋଧେ କେଉଁଠି ଦେଖା ଯାଇନାହିଁ । ଏପରି ଅବସ୍ଥାରେ ଆମେ କିପରି ଆଶା କରିବା ଯେ, ଆମ ରାଜ୍ୟକୁ ଶିଳ୍ପପତି ମାନେ ଆଗ୍ରହରେ ଧାଇଁ ଆସିବେ? ଜଗନ୍ନାଥଙ୍କ ଦୟାରୁ ପ୍ରାକୃତିକ ସଂପଦରେ ଓଡ଼ିଶା ଅଦ୍ୱିତୀୟ ଅଟେ । ଓଡ଼ିଶା ବ୍ୟତୀତ ଅନ୍ୟ ପ୍ରଦେଶରେ ଗୋଟିଏ କିମ୍ବା ୨ଟି ନଦୀ ରହିଛି । ଓଡ଼ିଶାରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ,ବୈତରଣୀ, ମହାନଦୀ, ବ୍ରାହ୍ମଣୀ, ଋଷିକୂଲ୍ୟା, ବଂଶଧାରା, ନାଗାବଳୀ, ଇନ୍ଦ୍ରାବତୀ, ସିଲେରୁ ଓ ସାବେରୀ ଭଳି ଅସଂଖ୍ୟ ନଦୀ ପ୍ରବାହିତ । ଭାରତର ସବୁଠାରୁ ଅଧିକ ଲୁହା, କୋଇଲା ଓ ବକ୍ସାଇଟ୍ ଖଣି ଓଡ଼ିଶାରେ ରହିଛି । ସବୁଠାରୁ ମୂଲ୍ୟବାନ୍ ଧାତୁ କ୍ରୋମାଇଟ୍ର ପରିମାଣ ହେଉଛି ଦେଶର ୮୯% । ଏହାର ଦୀର୍ଘ ଉପକୂଳରେ ରପ୍ତାନୀ ଭିତିକ ବନ୍ଦର ପାଇଁ ପ୍ରଚୁର ସୁଯୋଗ ରହିଛି । ଲୋକମାନେ କର୍ମଠ ଓ ସରଳ । ସାରା ଭାରତରେ କୁଶଳୀ ଶ୍ରମିକ ଭାବେ ଏମାନଙ୍କର ଖ୍ୟାତି ରହିଛି । ମାତ୍ର ଏଠାରେ କୌଣସି ନିଯୁକ୍ତି କି କର୍ମର ସୁଯୋଗ ନାହିଁ । ପେଟ ବିକଳରେ ସେମାନେ ଦାଦନ ସାଜୁଛନ୍ତି । ସେହି ଭୋକିଲା ଲୋକଙ୍କୁ ଷ୍ଟେଷନରୁ ଧରି ଆମର ବାବୁମାନେ ବାଃ ବାଃ ନେଉଛନ୍ତି ।
ଆମର ଅପାରଗ ରାଜନେତା ଓ ଅଂହକାରୀ ପ୍ରଶାସକ ହିଁ ଆମ ଦୁର୍ଦ୍ଦଶାର କାରଣ । ସବୁ କଥାରେ କେଁ ପୁରାଇବାରେ ଆମର ବାବୁମାନେ ଦକ୍ଷ । ଲାଲି ଆଖି ଦେଖାଇବା ଛଡ଼ା ସହାନୁଭୂତି ଦେଖାଇବା ସେମାନଙ୍କ ଜାତକରେ ନାହିଁ । ଏହି ଉଦ୍ଧତ ଓ ଅଂହକାରୀ ପ୍ରଶାସକଙ୍କୁ ଦିଗ୍ ଦର୍ଶନ ଦେବା ପାଇଁ ଦକ୍ଷତା ଆମ ନେତାଙ୍କର ନାହିଁ । ସତ କହିବାର ସାହସ ସେମାନେ କେବେଠୁ ହଜେଇ ଦେଲେଣି । ଲାଲିବତୀ ଗାଡ଼ି ଓ ପଦଟିଏ ପାଇଗଲେ ଆମ୍ବକୁ ପଣସ କହିବାରେ ତାଙ୍କର ଦ୍ୱିଧା ନାହିଁ । ସେହିପରି ଟଙ୍କିକିଆ ଚାଉଳ, ତିନିଶହ ଟଙ୍କିଆ ଭତା, ବଖରିଆ ଘର ତଥା ଛତା, କମ୍ବଳ ଆଦି ପାଇ ଆମେ ଜନସାଧରଣ ମଧ୍ୟ ଖୁସି । ସେଇଥିପାଇଁ ସରକାରକୁ ଆହୁରି ୫ବର୍ଷ ପାଇଁ ଭୋଟ ଦେବାକୁ ସମସ୍ତେ ପ୍ରସ୍ତୁତ ହୋଇ ଗଲେଣି ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଉମରକୋଟ,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬