ହାଇକୋର୍ଟଙ୍କ ନିର୍ଦେଶ ପରେ ମଧ୍ୟ ସରକାରୀ ଯୋଜନା ଅପହଂଚ!

ପାରାଦୀପ, (ଆଇଏନଏସ୍): ପାରାଦୀପ ସହର ର ତିନି କି.ମି. ପଶ୍ଚିମ ପଟ ତାଳ ଦଣ୍ଡା କେନାଲ କଡର ଏକ ପରିତ୍ୟକ୍ତ ଘରେ ମୃତୁ୍ୟ ସହ ସଂଗ୍ରାମ କରି ପଡିରହିଛନ୍ତି ୭୫ ବର୍ଷ ବୟସର ଋଗ୍ଣ ବୃଦ୍ଧା ବାସନ୍ତୀ ଖଟୁଆ ର ପରିବାର । ପରିବାର ବୁଝାଇଲେ ବୟସାଧିକ ରୋଗ ଶଯ୍ୟାରେ ଥିବା ନିଜର ସ୍ୱାମୀ ଇଶ୍ୱର ଖଟୁଆ(୮୪) ଏବଂ ମାନସିକ ବିକାରଗ୍ରସ୍ଥ ପୁଅ ସନିଆ ଖଟୁଆ(୪୫) । ପାରାଦୀପ ଗଡ ପନ୍ଚାୟତ ନିକଟସ୍ଥ ତାଳଦଣ୍ଡା କେନାଲର ରାସ୍ତା କଡରେ ଥିବା ଏକ ଭଙ୍ଗା ମାଛ ଘେରି ଘରେ ରହି ଦୀର୍ଘ ୨୦ ବର୍ଷ ହେବ ଭିକ ମାଗି ଚଳୁଥିଲେ ସେମାନେ । କିନ୍ତୁ ଏବେ ଦିନେ ଖାଇଲେ ଦୁଇଦିନ ଉପବାସ ରହିବାକୁ ପଡୁଛି । ଜମି ଘରବାରି ନଥିବା ଗରିବ ଙ୍କ ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ବାହାବାହା ନେଉଛନ୍ତି । ହେଲେ ବାସନ୍ତି ପରିବାର ପାଇଁ ତାହା ସାତ ସପନ ପାଲଟିଛି । ଜଣାପଡ଼ିଛି ଯେ, ବଡମ୍ବା ନରସିଂହ ପୁରର ବାସନ୍ତୀ ଖଟୁଆ । ସ୍ୱାମୀ ଆଉ ଦୁଇ ପୁଅକୁ ନେଇ ସୁଖଦୁଃଖରେ ଚଳୁଥିଲା ସଂସାର । ଘରବାରି ବୋଲି କିଛି ନଥିଲା ଗାଁରେ । ସରକାରୀ ଗୋଚର ଜମିରେ ଚାଳିଆ କରି ରହିଆସୁଥିଲେ । ବଡ ପୁଅ ମାନସିକ ବିକୃତ । କେତବେଳେ ଘରେ ଥାଏ ତ କେତବେଳେ କୁଆଡେ ଚାଲିଯାଏ । ପ୍ରାୟ ୨୫ ବର୍ଷ ପୂର୍ବେ ସାନ ପୁଅ ଦିନେ ସ୍କୁଲ କୁ ପାଠ ପଢିବାକୁ ଯାଇ ଆଉ ଘରକୁ ଫେରି ନ ଥିଲା । ସାତ ବର୍ଷର ପୁଅକୁ ଖୋଜି ଖୋଜି ଶେଷରେ ପାରାଦୀପ ଉପକଣ୍ଠ ରେ ପହଁଚିଥିଲେ ବାସନ୍ତିର ପରିବାର । ମୁଣ୍ଡ ଗୁଞ୍ଜିବାକୁ ଯାଗା ପାଇ ନଥିଲେ । ଭିକ ମାଗି ଖାଇବା ପରେ ବିଭିନ୍ନ ସରକାରୀ ଘର ବାରଣ୍ଡାରେ ରାତି ବିତାଉଥିଲେ । କିଛି ଦିନ ପରେ ଜଣେ ସହୃଦୟ ବ୍ୟକ୍ତି କେନାଲ କଡରେ ଥିବା ମାଛ ଘେରି ଘରେ ରହିବାକୁ ସୁଯୋଗ ଦେଇଥିଲେ । ଦୀର୍ଘ ବର୍ଷ ପରେ ଘରର ଛପର ନଷ୍ଟ ହେବା ସହିତ ଘରର କାନ୍ଥ ଭାଙ୍ଗି ଗଲାଣି । ମରାମତି ହେଇ ପାରୁନି । ବୟସ ଦିନକୁ ଦିନ ବୃଦ୍ଧି ହେବାରୁ ସ୍ୱାମୀ ଇଶ୍ୱର ଙ୍କୁ ଦେଖା ଯାଉନାହିଁ କି ସେ ଭିକ ମାଗିବାକୁ ଯାଇ ପାରୁ ନାହାନ୍ତି । ବୁଢି ର ଦେହ ଖରାପ ହେବାରୁ ସବୁଦିନ ଭିକ ମାଗିବାକୁ ଯାଇ ହେଉ ନାହିଁ ବୋଲି କୋହ ଭରା କଣ୍ଠରେ କୁହନ୍ତି ବୁଢା ବୁଢି । ବର୍ଷା ଦିନ ହେଲେ ପିମ୍ପୁଡି ବେଢି ଯାଉଛନ୍ତି , ଶୋଇଥିବା ବେଳେ ସାପ ପସି ଯାଉଛନ୍ତି , ଶୀତ ଦିନେ ପ୍ରବଳ ଶୀତ ହେଉଛି, ଘୋଡେଇ ହେବାକୁ କିଛି ନାହିଁ । ଉପାସ ଭୋକ ରେ ଅନେକ ଦିନ ପାଣି ପିଇ ରହିବାକୁ ପଡୁଛି ବୋଲି କୁହନ୍ତି ବୁଢାବୁଢି । ଅନେକ ଥର ସ୍ଥାନୀୟ ସରପନ୍ଚ ଙ୍କୁ ଗୁହାରୀ କରିଛନ୍ତି, ହେଲେ ସରକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା କଥା ଦୂରରେ ଥାଉ କେହି ଭୋଟ ପରିଚୟ ପତ୍ର ଖଣ୍ଡେ କରିଦେବା ପାଇଁ ଆଗେଇ ଆସି ନାହାନ୍ତି । ଖାଦ୍ୟ ଯୋଜନା ପାଇଁ ଆବେଦନ କରିଥିଲେ ବି କିଛି ହେଲା ନାହିଁ । କିଛିଦିନ ତଳେ ଏହି ଦୁଃଖ ସବୁ ଜଣାଇବା ପରେ ସରପନ୍ଚ ବାବୁ ଥରେ ୫୦୦ ଟଙ୍କା ସହିତ କିଛି ଚାଉଳ ଦେଇଥିଲେ ସେମାନଙ୍କୁ । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚଳର ଜଣେ ଜଣାଶୁଣା ସାମଜିକ କର୍ମୀ ମାନ୍ୟବର ଉଚ୍ଚ ଅଦାଲତ ଙ୍କ ନିକଟରେ ଉକ୍ତ ପରିବାରକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ଡବ୍ଲୁ.ପି(ସି) ନଂ ୨୧୮୬୨/୨୦୧୩ ରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଦାଲତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ନିମନ୍ତେ ନିଦେ୍ର୍ଦଶ ଦେଇଥିଲେ । ତେବେ ବାସନ୍ତି ତତ୍କାଳିନ କୁଜଙ୍ଗ ତହସିଲଦାର ଙ୍କ ନିକଟରେ ଅଦାଲତଙ୍କ ନିଦେ୍ର୍ଦଶ ନାମା ଦାଖଲ କରିବା ଦିନ ସେ ମାତ୍ର ୨୦ ଟଙ୍କା ବୁଢି ହାତରେ ଧରେଇ ବିଦା କରିଥିଲେ । ହେଲେ ତା ପରେ କୈାଣସି ସରକାରୀ ସହାୟତା ସେହି ପରିବାରକୁ ଅଦ୍ୟାବଧି ଯୋଗାଇ ଦିଆ ଯାଇନାହିଁ । କୁଜଙ୍ଗ ତହସିଲ ଅଧିନରେ ଅନେକ ଧୁରନ୍ଧର ବ୍ୟକ୍ତି ତହସିଲଦାର ତଥା ରାଜ ନେତାଙ୍କୁ ହାତ କରି ସରକାରୀ ଯାଗା ହାତେଇ ନେଇଥିବା ନଜିର ଅଛି । ହେଲେ ଉକ୍ତ ଗରିବ ଲୋକ ଲାଂଚ ଦେଇ ନପାରିବାରୁ ସରକାରୀ ସହାୟତା ପାଇପାରୁ ନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା, ଏଠାରେ ଯିଏ ମୋଟା ଅଙ୍କର ମାଲ ଦେବ ତାହାର ସବୁକାମ ରାତାରାତି ହେବ । ହେଲେ ଉଚ୍ଚ ଅଦାଲତ ଛାଡି ସର୍ବୋଚ୍ଚ ଅଦାଲତ ନିଦେ୍ର୍ଦଶ ଦେଲେ ବି ସରକାରୀ ବାବୁମାନେ ତାହାକୁ ଫୁ କରି ଟେବୁଲ ତଳେ ଫାଇଲକୁ ଚାପି ରଖିବେ । ଏହିଭଳି ଗରିବ ମଣିଷ ମାନେ ଅନାହାର ବା ଅର୍ଦ୍ଧାହରରେ ବଂଚୁଥିବାବେଳେ ସେମାନେ ଲାନ୍ଚ ଦେବେ କେଉଁଠୁ ଆଣି? ସ୍ଥାନୀୟ ଅଂଚଳର ପ୍ରମୋଦ ଦାସ, ବସିର ଅଲ୍ଲି, ଡୋରା ଚାନ୍ଦ ମଲ୍ଲିକ, ରଘୁନି ସ୍ୱାଇଁ, ସଂଞ୍ଜୟ ସ୍ୱାଇଁଙ୍କ ଭଳି ସ୍ୱେଛାସେବୀମାନେ ଉକ୍ତ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବା ନିମନ୍ତେ ପ୍ରଶାସନ ଠାରେ ଦାବି କରିଛନ୍ତି । ଓଏନ୍ଏସ୍ ।

Leave a Reply

Your email address will not be published.