ଗାନ୍ଧିବାଦର ଏନ୍ତୁଡ଼ିଶାଳରେ ମାଓବାଦ୍!
ନିକଟ ଅତୀତରେ କୋରାପୁଟ ଠାରେ ଅନୁଷ୍ଠିତ କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ୱିତୀୟ ଦିବସରେ “ଗାନ୍ଧିବାଦ୍ ବନାମ୍ ମାଓବାଦ୍ ଓ କୋରାପୁଟ”ଶିର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଆଲୋଚକ ଭାବେ କବି ହୁସେନ୍ ରବି ଗାନ୍ଧି, ସାମାଜିକ କବି ଅଚୁ୍ୟତ ଦାସ, ବିଶିଷ୍ଟ ସର୍ବୋଦୟ କର୍ମୀ କୃଷ୍ଣ ସିଂହ ଓ ଲେଖକ ନିଜେ ଆଲୋଚନା କରିବାର ସୁଯୋଗ ପାଇଥିଲେ ।
ଦିନେ ବଣ ପାହାଡ଼ ଘେରା କୋରାପୁଟ ଥିଲା ଗାନ୍ଧିବାଦ୍ର ପରିକ୍ଷାଗାର । ୧୯୩୬ ମସିହା ପୂର୍ବରୁ କୋରାପୁଟ ଅଂଚଳ ବା ଏଜେନ୍ସି ବି୍ରଟିସ୍ ମାନଙ୍କ ଅଧୀନରେ ମାଡ଼୍ରାସ ପ୍ରେସିଡ଼େନ୍ସିର ଅନ୍ତର୍ଭୁକ୍ତ ଥିଲା ଓ ଜୟପୁର ରାଜା ଏହାର ଶାସକ ଥିଲେ । ବସ୍ତୁତଃ ଏହା ଏକ ଜମିଦାରୀ ଥିଲା । କେବଳ ରାଜସ୍ୱ ଓ ଜଙ୍ଗଲ ବିଭାଗ ରାଜା ବୁଝୁଥିଲେ ଓ ସରକାରଙ୍କୁ ବାର୍ଷିକ ୧୮ହଜାର ଟଙ୍କା ରାଜସ୍ୱ ଦେଉଥିଲେ । ୧୯୩୬ ମସିହାରେ ଏହା ଓଡ଼ିଶା ସହିତ ମିଶିଲା ପରେ ଜିଲ୍ଲା କଂଗ୍ରେସର କାର୍ଯ୍ୟାଳୟ ପ୍ରତିଷ୍ଠା ହେଲା । ରାଧାକୃଷ୍ଣ ବିଶ୍ୱାସରାୟ, ସଦାଶିବ ତି୍ରପାଠୀ, ରାଧାମୋହନ ସାହୁ, ଲକ୍ଷ୍ମୀଚନ୍ଦ୍ର ଦାସ, ଜଗନ୍ନାଥ ତି୍ରପାଠୀ ଙ୍କ ଭଳି ନେତାମାନେ ଦଳର ନେତୃତ୍ୱ ନେଇଥିଲେ । ଗାଁ ଗାଁରେ ଗାନ୍ଧିବାଦ୍ ପ୍ରଚାର ହେଲା । ଲୋକମାନେ ଖଦଡ଼ ପିନ୍ଧିଲେ, ମୁଣ୍ଡରେ ଗାନ୍ଧି ଟୋପି ପିନ୍ଧିଲେ । ନିଜକୁ ଗାନ୍ଧି ଗୁମାସ୍ତା ବୋଲି କହି ଗର୍ବ ଅନୁଭବ କଲେ । ଗାନ୍ଧିଙ୍କ ଦ୍ୱାରା ପ୍ରବର୍ତିତ ନିଶା ନିବାରଣ, ଅସ୍ପୃଶ୍ୟତା ଦୂରୀକରଣ, ନାରୀ ଶିକ୍ଷା, ସୂତ୍ରଯଜ୍ଞ ଇତ୍ୟାଦି ନିଷ୍ଠାର ସହିତ ସଂପାଦନ କଲେ । କୁଜେନ୍ଦ୍ରୀ, ଗରୁଡ଼ଗୁଡ଼ା ଓ ନୂଆପୁଟ ଭଳି ସ୍ଥାନରେ ଆଶ୍ରମ ମାନ ସ୍ଥାପନ ହେଲା । ୧୯୪୨ ମସିହାରେ କୋରାପୁଟ ଜିଲ୍ଲାରେ ଅଗଷ୍ଟକ୍ରାନ୍ତି ଆନେ୍ଦାଳନ ଏକ ଭୟଙ୍କର ରୂପ ନେଲା । ହଜାର ହଜାର ଲୋକେ ଜେଲ୍ ଗଲେ । ମାଥିଲି ଓ ପାପଡ଼ାହାଣ୍ଡି ଗୁଳିକାଣ୍ଡ ଜାଲିଆନାବାଗ୍ କୁ ବଳିଗଲା । ଶେଷରେ ଦେଶ ସ୍ୱାଧୀନ ହେଲା । ସ୍ୱାଧୀନତା ପରେ ଗାନ୍ଧିଙ୍କ ପଟଶିଷ୍ୟ ବିନୋବା ଭୂସତ୍ୟାଗ୍ରହ ପାଇଁ ଏହି ଜିଲ୍ଲାରେ ମାସ ମାସ ଧରି ପଦଯାତ୍ରା କଲେ । ସାରା ଦେଶରେ ଭୂଦାନରେ କୋରାପୁଟ ରେକର୍ଡ଼ କଲା । ଶହଶହ ସର୍ବୋଦୟ କର୍ମୀ ବଣ ପାହାଡ଼ର ଅଗମ୍ୟ ଅଂଚଳରେ ରହି ଭୂଦାନର ବାର୍ତା ପ୍ରଚାର କଲେ ଓ ଲୋକ ମାନଙ୍କର ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ଦିନରାତି କାମ କଲେ । ଲକ୍ଷ୍ମୀପୁରର ବୁର୍ଜା ନାରାୟଣ ପାଟଣା, କାନ୍ସିର ଗୁମ୍ମା, ଗୁଣୁପୁରର କୁଜେନ୍ଦ୍ରୀ ଓ ଡ଼ାବୁଗାଁ ଠାରେ ଏବେ ବି ଖଦି ଭଣ୍ଡାର ମାନ ବଂଚି ରହିଛି । ଏପରିକି ପରିକ୍ଷା ସ୍ୱରୂପ କୋରାପୁଟର ବୈପାରିଗୁଡ଼ା ବ୍ଲକ୍ ର ଉନ୍ନୟନ କାର୍ଯ୍ୟକ୍ରମ ସର୍ବୋଦୟ କର୍ମୀ ଆନ୍ନା ସାହେବଙ୍କୁ ଦିଆଗଲା । ମନେ ହେଲା, କୋରାପୁଟ ହୋଇଯିବ ସାରା ଦେଶ ପାଇଁ ଗାନ୍ଧିବାଦ୍ ର ପରିକ୍ଷାଗାର ।
ମାତ୍ର ସ୍ୱାଧୀନତା ପରେ ସବୁ ବିଗିଡ଼ି ଗଲା । ଗୋରା ସାହେବଙ୍କ ହାତରୁ କଳା ସାହେବଙ୍କ ହାତକୁ ଶାସନ କ୍ଷମତା ଆସିଗଲା । ସ୍ୱାଧୀନ ସରକାରରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବ୍ୟାପିଗଲା । ଅଫିସର ମାନେ ଲଗାମ ଛଡ଼ା ହୋଇଗଲେ । ଆରମ୍ଭ ହେଲା ନିର୍ମମ ଶୋଷଣ ପର୍ବ । ଆଦିବାସୀ ମାନେ ପୁରୁଷାନୁକ୍ରମେ ଜଙ୍ଗଲ ଜମିର ଚାଷ କରୁଥିଲେ । ସେଥିପାଇଁ ତାଙ୍କର ପଟ୍ଟା ନଥିଲା । ରାଜ ପ୍ରତିନିଧିଙ୍କ ମୌଖିକ ଅନୁମତିରେ ଜମି ଭୋଗ କରୁଥିଲେ । ରାତାରାତି ସେମାନେ ସ୍ୱାଧୀନ ସରକାର ଅମଳରେ ହୋଇଗଲେ ଭୂମିହୀନ । ତାଙ୍କୁ ଚିରସ୍ଥାୟୀ ପଟ୍ଟା ଦିଆ ନଯାଇ ଶୋଷଣ ଚାଲିଲା । ଏପରିକି ଲାଂଚ ନପାଇବାରୁ ଭୂଦାନ ଯଜ୍ଞରେ ସଂଗୃହୀତ ଲକ୍ଷ ଲକ୍ଷ ଏକର ଜମି ମୁ୍ୟଟେସନ୍ ହୋଇ ନପାରି ଲାପ୍ସ ହୋଇଗଲା । ଏଭଳି ଘଟଣା ବୋଧେ ପୃଥିବୀରେ ଆଉ କେଉଁଠି ଘଟିନାହିଁ ।
ଜଙ୍ଗଲ ଥିଲା ଆଦିବାସୀଙ୍କର ଜୀବନ ଓ ଜୀବୀକା । ସକାଳ ହେଲେ ଧାଡ଼ି ଧାଡ଼ି ପୁରୁଷ ଓ ମହିଳା ଜଙ୍ଗଲକୁ ଯାଉଥିଲେ । ଶିଆଳି ଲଟା, ଶାଳପତ୍ର, ଜାଳେଣିକାଠ, ଦାନ୍ତକାଠି, ଝୁଣା, ମହୁଲ, ଟୋଲ, ହରିଡ଼ା, ବାହାଡ଼ା, ଅଁଳା, କେନ୍ଦୁପତ୍ର, ପାଳୁଅ, ମହୁ କନ୍ଦା, ବିଭିନ୍ନ ପ୍ରକାର କୋଳି ଇତ୍ୟାଦି ସଂଗ୍ରହ କରି ସଂଜ ବେଳକୁ ଫେରି ସେସବୁକୁ ବିକି୍ର କରି ସେଇ ଅର୍ଥରେ ଚାଉଳ, ଡ଼ାଲି, ତେଲ, ଲୁଣ କିଣି ଘରକୁ ଫେରନ୍ତି । ବର୍ଷା ଋତୁରେ କିଛି ଜଙ୍ଗଲ ସଫା କରି ଧାନ, ମାଣ୍ଡିଆ ବିରି ଚାଷ କରନ୍ତି । ମହୁଲକୁ ପଚାଇ ମଦ ରାନ୍ଧନ୍ତି । ରାତିରେ ତାକୁ ପିଇ ନାଚ ଗୀତରେ ମାତନ୍ତି । କେବେକେବେ ଧନୁ ତୀର ବା ଖୁନ୍ଦା ବନ୍ଧୁକ ଧରି କୁଟୁରାଟିଏ ବା ଚଢେଇ ମାରନ୍ତି । ଋତୁଚକ୍ର ଭଳି ଏହି ଜୀବନ ତାଙ୍କର ହଜାର ହଜାର ବର୍ଷ ଧରି ଗଡ଼ି ଚାଲିଥିଲା । ବଣଜଙ୍ଗଲ, ଝରଣା ସବୁ ଠିକ୍ ସେମିତି ଥିଲା । କିନ୍ତୁ ସ୍ୱାଧୀନତା ପରେ ସବୁ ଓଲଟି ଗଲା । ଜଙ୍ଗଲରୁ ଦୁଇ ଖଣ୍ଡ ଜାଳ କାଠ ଆଣିଲେ, ଫରେଷ୍ଟର ଧରିଲା । ଲାଂଚ ନଦେଲେ ମାଡ଼ ମାରିଲା । ଜେଲ୍ କୁ ପଠାଇ ଦେବ ବୋଲି ଧମକ ଦେଲା । ଘରେ ବୋତଲେ ମଦ ରଖିଲେ, ଭାଟି ବାଲା ସହ ଅବକାରୀ ବାଲା ଘରେ ପହଂଚିଗଲେ । ଲାଂଚ ନଦେଲେ ଆରମ୍ଭ ହେଲା ମାଡ଼ । କହିବେ କାହାକୁ, ଶୁଣିବ କିଏ? ଇଏତ ବି୍ରଟିସ୍ ସମୟ ନୁହଁ ଯେ, ବାବୁମାନେ ଗୋରା ହାକିମଙ୍କୁ ଡ଼ରିବେ! ଆମ କଳା ହାକିମଙ୍କୁ ମାସିକିଆ ପାଉଣା ଦେେଇ ଦେଲେ, ତୁମେ ଯାହା କର ପରବାୟ ନାହିଁ । ଯୋଜନା ନାଁରେ ଆଦିବାସୀଙ୍କ ଘର, ଜଙ୍ଗଲ ସବୁ ଉଜାଡ଼ି ଦିଆଗଲା । ଯେହେତୁ ତାଙ୍କର ଜମି ପଟ୍ଟା ନଥିଲା, ତେଣୁ କିଛି ଟଙ୍କା ଧରାଇ ଦେଇ ସରକାର ନିଜ କାମ ସାରିଦେଲା । ଜଣେ ଜଣେ ଆଦିବାସୀ ଲୋକ ତିନି ଚାରିଥର ବିସ୍ତାପିତ ହେଲେ । ପାହାଡ଼ ତଡ଼ାଯାଇ ଖଣି ଖୋଳାଗଲା । ବାହାର ଲୋକମାନେ ଆସି ଲାଂଚ ଦେଇ ଜମିସବୁ ଅକ୍ତିଆର କରିନେଲେ । କୋରାପୁଟ ଅଧିବାସୀ ବୋଲି କହି ମିଥ୍ୟା ପ୍ରମାଣପତ୍ର ଯୋଗାଡ଼ କରି ସରକାରୀ ଚାକିରି ସବୁ ନେଇଗଲେ । ଜଙ୍ଗଲ କାଟି ବଡ଼ବଡ଼ କାଠଗଣ୍ଡି ମାନ ସହରକୁ ନେଇ ନିଜ କୋଠାରେ ଲଗାଇଲେ । ଦୋଷ ଲଦିଦେଲେ ଆଦିବାସୀ ମୁଣ୍ଡରେ । ସେ ଜଙ୍ଗଲ ପୋଡ଼ୁଛି । କାଠ ଚୋରି କରୁଛି । ସରକାରୀ ଜମି ମାଡ଼ି ବସିଛି । ତାକୁ ଦଣ୍ଡ ଦେବା ଉଚିତ । ବିଚରା ଆଦିବାସୀ ମଣିଷ ଏତେ ଗୋଲକ ଧନ୍ଦାରେ ପଶି ପାରେନା । ବାହାରକୁ କିଛି ନକହିଲେ ମଧ୍ୟ ତା’ର ଆତ୍ମା ଚିକ୍ରାର କରୁଥିଲା । ସେ ସୁଯୋଗ ଅପେକ୍ଷାରେ ଥିଲା । ଶେଷରେ ସୁଯୋଗ ଆସିଲା । ୧୯୬୭ ମସିହାରେ ପୂର୍ବ ଦିଗରେ ନକ୍ସଲବାଡ଼ୀ ଜଙ୍ଗଲରେ ମୁକ୍ତିର ଲୋହିତ ସୂର୍ଯ୍ୟ ଉଦୟ ହେଲା । ଆଉ ବିଳମ୍ବ ନକରି ଆଦିବାସୀ ପିଲା ମୁକ୍ତି ଯୁଦ୍ଧରେ ଯୋଗ ଦେଲା । ତା’ର ଦୁର୍ବଳିଆ ଦେହରେ ସତସିଂହର ବଳ ସୃଷ୍ଟି ହେଲା । ହାତରେ ଧରିଲା ଏକେ୪୭ ରାଇଫଲ୍, ବୋମା ଓ ଗ୍ରେନେଡ଼୍ । ଏଗୁଡ଼ିକର ମାଡ଼ରେ ଥରି ଉଠିଲା ବଣ ମୂଲକ । ମୁଣ୍ଡÿ ପରେ ମୁଣ୍ଡ ଗଡ଼ିଲା । କୋରାପୁଟ ଜିଲ୍ଲା ପୋଲିସ୍ ମୁଖ୍ୟ ଦପ୍ତରରେ ଲାଲ୍ ପତାକା ଉଡ଼ିଲା ।
ସେ ଏକ ଅସରନ୍ତି ସଂଗ୍ରାମ । ଲମ୍ବା ପଥ । ଶୋଷଣ ମୁକ୍ତ ସମାଜ ଶେଷ ଲକ୍ଷ୍ୟ । ସରକାରଙ୍କ ପକ୍ଷରୁ ମିଲଟାରୀ ଗାଡ଼ିରେ ହଜାର ହଜାର ଫୌଜ ଘୁରି ବୁଲୁଛନ୍ତି । ତାରବାଡ଼ ଘେରା ଦୁର୍ଗ ମାନ ତିଆରି ହେଉଛି । ଆକାଶରେ ହେଲିକପ୍ଟର ମାନ ଘୁରି ବୁଲୁଛି । ଶହଶହ ନକ୍ସଲ ମରୁଛନ୍ତି । କ୍ୟାମ୍ପ ଛାରଖାର ହେଉଛି । ଅସ୍ତ୍ରଶସ୍ତ୍ର ଜବତ ହେଉଛି । ଶହଶହ ନକ୍ସଲ ଆତ୍ମସମର୍ପଣ କରୁଛନ୍ତି ବୋଲି ଦାବି ହେଉଛି । ମାତ୍ର ସଂଗ୍ରାମ ସରୁନାହିଁ । ଏହା ଏକ ଆଦର୍ଶର ସଂଗ୍ରାମ । ଆଦର୍ଶର ମୃତୁ୍ୟ ନାହିଁ । ଜଣେ ମରିଗଲେ, ଆଉ ଜଣେ ତା’ର ସ୍ଥାନ ନେବାକୁ ଆଗେଇ ଆସିବ । କାହିଁକି ଗାନ୍ଧିବାଦ୍ ର ମୃତୁ୍ୟ ହେଲା କୋରାପୁଟରେ? କିଏ ମାରିଲ ଗାନ୍ଧିବାଦ୍ କୁ? କାହିଁକି ଆମେ ଗାନ୍ଧିବାଦ୍ ର ମର୍କତ ମଣିକୁ ଛାଡ଼ି ମାଓବାଦ୍ ର ବାଲି ଗରଡ଼ାକୁ ଆଦରି ନେଲୁ? କାହିଁକି ଗୀତା ଛାଡ଼ି ମାଓରେଡ଼୍ ବୁକ୍ କୁ ହାତରେ ଧରିଲୁ? ଯେଉଁ ହାତରେ ଚରଖା ଚାଲୁଥାନ୍ତା, ସେ ହାତ କାହିଁକି ଏକେ-୪୭ ରାଇଫଲ୍ ଧରିଲା? ଏହା ସତ୍ୱେ ଆଜିର ସରକାର କହି ପାରିବେ ନାହିଁ ଯେ ଦୁର୍ନୀତି ଓ ଶୋଷଣ କମି ଯାଇଛି ।
ଆଲୋଚନା ଶେଷରେ ସର୍ବସମ୍ମତ ମତ ପ୍ରକାଶ ପାଇଲା ଯେ, ଗାନ୍ଧିବାଦ୍ ହିଁ ଚିରନ୍ତନ । ଏହା ସବୁକାଳ, ସବୁଯୁଗ ଓ ସବୁ ସ୍ଥାନ ପାଇଁ ପ୍ରଯୁଜ୍ୟ । ଶାନ୍ତିର ପଥ ଦ୍ୱାରା ହିଁ ଭାରତ ବଂଚି ପାରିବ । ଏହି ଅଭିଶପ୍ତ ଲାଲ୍ ଗଡ଼କୁ କେବଳ ଗାନ୍ଧିବାଦ୍ ହିଁ ବଂଚାଇ ପାରିବ ।
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ,
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ,
ଉମରକୋଟ, ନବରଙ୍ଗପୁର, ମୋ-୯୪୩୭୨୩୫୩୮୬