ରାଜନଗର, (ଆଇଏନ୍ଏସ୍): ରାଜନଗର, ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇର ନଦୀ ତଟ୍ଟବର୍ତୀ ଅଂଚଳରେ ବଉଳା କୂମ୍ଭୀର ମାନଙ୍କ ଉତ୍ପାତ ବଢିବାରେ ଲାଗିଛି । କୂମ୍ଭୀର ଆକ୍ରମଣରେ ଅନେକ ଜିବନହାନୀ ଘଟୁଥିବା ବେଳେ ସାରା ଅଂଚଳରେ ଆତଙ୍କ ସୃଷ୍ଟି ହେଉଛି । ଗତ ୧୦ ବର୍ଷ ମଧ୍ୟରେ ଏହିସବୁ ଅଂଚଳରେ କୂମ୍ଭୀର ଆକ୍ରମଣରେ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଲୋକେ ପ୍ରାଣ ହରାଇଥିବା ବେଳେ ୭୦୦ରୁ ଉଦ୍ଧ୍ୱର୍ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଭିତରକନିକା ସାମୁଦ୍ରିକ ଅଭୟାରଣ୍ୟ ଅଂଚଳରେ ବିରଳ ବଉଳା କୂମ୍ଭୀରଙ୍କ ବଂଶ ବୃଦ୍ଧି ଯୋଗୁ ୧୯୭୫ ମସିହାରେ ଡ଼ାଙ୍ଗମାଳ ଠାରେ ଭାରତର ପ୍ରଥମ କୂମ୍ଭୀର ଗବେଷଣା ଓ ପ୍ରଜନନ କେନ୍ଦ୍ର ସ୍ଥାପିତ ହୋଇଥିଲା । ସେତେ ବେଳେ କୂମ୍ଭୀରଙ୍କ ସଂଖ୍ୟା ୨୨ ଥିଲା ବେଳେ ବର୍ତମାନ ପାଖାପାଖି ୨୩୦୦ ରହିଛି । ତେବେ ସରକାରଙ୍କ ଦ୍ୱାରା ସମସ୍ତ ଆକଟ ସତ୍ୱେ କୂମ୍ଭୀର ମାନେ ଜନବସତି ଭିତରକୁ ପଶି ଆସିବାର କାରଣ ସଂପର୍କରେ ପରିବେଶବିତ୍ ମାନେ ବିଭିନ୍ନ ଘଟଣାକୁ ଦାୟୀ କରୁଛନ୍ତି । ଭତିରକନିକା ସାମୁଦ୍ରିକ ଅଭୟାରଣ୍ୟ ସଂଲଗ୍ନ ପ୍ରାଣୀ ଅଭୟାରଣ୍ୟ ଅଂଚଳରେ ବେଆଇନ ଜନବସତି ସ୍ଥାପନ, ଅବାଧ ଚିଙ୍ଗୁଡ଼ି ଘେରୀ ନିର୍ମାଣ ଓ ସଂପୃକ୍ତ ଅଂଚଳର ଜଳଭଣ୍ଡାର ଗୁଡ଼ିକରୁ ପ୍ରଚୁର କଙ୍କଡ଼ା ଓ ଚିଙ୍ଗୁଡ଼ି ଯାଆଁଳ ଧରାଯାଉଥିବାରୁ ଖାଦ୍ୟାଭାବ ହେତୁ କୂମ୍ଭୀର ମାନେ ଜନବସତି ମୁହାଁ ହେଉଥିବା କୁହାଯାଉଛି । ଓଏନ୍ଏସ୍କୁ ମିଳିଥିବା ସୂଚନା ଅନୁଯାୟୀ କୂମ୍ଭୀର ମାନଙ୍କର ଅଣ୍ଡା ଦେବାର ସମୟ ହୋଇଗଲେ, ସେମାନେ ସୁସ୍ଥ ପ୍ରାକୃତିକ ପରିବେଶ ସନ୍ଧାନରେ ଜନବସତି ଅଂଚଳରେ ପ୍ରବେଶ କରୁଥିବା କେତେକ ପରିବେଶବିତ୍ ମତ ଦେଉଛନ୍ତି । ଆଉରି ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ନଦୀ ଜଳସ୍ତର ହ୍ରାସ ପାଇ ମୁହାଣ ଗୁଡ଼ିକ ଅଧିକ ଲବଣାକ୍ତ ହୋଇ ଯାଉଥିବାରୁ ଅପେକ୍ଷାକୃତ କମ୍ ଲବଣାକ୍ତ ସ୍ଥାନ ଖୋଜି ଖୋଜି କୂମ୍ଭୀରମାନେ ଉପର ମୁହାଁ ହେଉଛନ୍ତି ବୋଲି ଆଉ କେତେକ ପରିବେଶ୍ବିତ୍ ମତ ଦେଉଛନ୍ତି । ତେବେ ଏହାର ସ୍ଥାୟୀ ପ୍ରତିକାର କରାଯାଉ ନଥିବାରୁ ଡାÿଙ୍ଗମାଳ କୂମ୍ଭୀର ପ୍ରଜନନ କେନ୍ଦ୍ର ଓ ସାମୁଦି୍ରକ ଅଭୟାରଣ୍ୟ ଅଂଚଳରୁ ବାହାରି କୂମ୍ଭୀର ମାନେ ରାଜନଗର ଅଂଚଳରେ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା, ହଂସୁଆ, ଗୋବରୀ ଆଦି ଶାଖା ନଦୀମାନଙ୍କରେ ରହି ରାଜନଗର, ମହାକାଳପଡ଼ା, ରାଜକନିକା, ଭଦ୍ରକ, ଚାନ୍ଦବାଲି ଓ ପଟ୍ଟାମୁଣ୍ଡାଇ ଅଂଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଜନବସତି ମଧ୍ୟରେ ପ୍ରବାହିତ ନଦୀ ମାନଙ୍କରେ କୂମ୍ଭୀର ମାନେ ଅଣ୍ଡା ଦେଉଛନ୍ତି । ଅଣ୍ଡାରୁ ଛୁଆ ଫୁଟିବାକୁ ପ୍ରାୟ ୭୦ ରୁ ୮୦ ଦିନ ଲାଗୁଥିବାରୁ ମା’ କୂମ୍ଭୀର ଅଣ୍ଡା ଦେଇଥିବା ଜନବସତି ଅଂଚଳରେ ସେହି ସମୟରେ ହିଂସ୍ର ହୋଇ ଉଠନ୍ତି । ଯଦ୍ୱାରା ଜନସାଧାରଣ ଆତଙ୍କ ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି । ମାତ୍ର ଭିତରକନିକା ଅଭୟାରଣ୍ୟ ଅଂଚଳ ଅନ୍ତର୍ଗତ ଉପରୋକ୍ତ ନଦୀ ଗୁଡ଼ିକ ନିଷିଦ୍ଧାଂଚଳ ହୋଇଥିବାରୁ ଜନସାଧାରଣ ନଦୀ ଭିତରେ ପ୍ରବେଶ କରିବା ଉଚିତ ନୁହେଁ ବୋଲି ବରିଷ୍ଠ ପରିବେଶବିତ୍ ଶ୍ରୀ ହେମନ୍ତ କୁମାର ରାଉତ ଓଏନ୍ଏସ୍କୁ କହିଛନ୍ତି । କୂମ୍ଭୀର ମାନେ ଜନବସତି ଭିତରେ ଅନୁପ୍ରବେଶ କରୁ ନାହାଁନ୍ତି, ବରଂ ଜନସାଧାରଣ କୂମ୍ଭୀର ମାନଙ୍କ ଚରା ଭୂଇଁରେ ପ୍ରବେଶ କରୁଛନ୍ତି । ଅବଶ୍ୟ ଏଥିରେ ସାଧାରଣ ଲୋକଙ୍କର ଭୁଲ୍ ନାହିଁ, ବରଂ ଏ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରିବାରେ ରାଜ୍ୟ ସରକାର ବିଶେଷକରି ରାଜନଗର ବନ୍ୟପ୍ରାଣୀ ଡ଼ିଭିଜନ୍ ବିଫଳ ହୋଇଥିବା କୁହାଯାଉଛି । ତେବେ କାରଣ ଯାହା ହେଉ ନା କାହିଁକି ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ସାଧାରଣରେ ଦାବୀ ହେଉଛି । ଆଇଏନ୍ଏସ୍ ।