ଚିଫ ସେକ୍ରେଟାରିଙ୍କ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ!
ଭୁବନେଶ୍ୱର, (ଆଇଏନ୍ଏସ୍): ରାଜ୍ୟ ପ୍ରଶାସନର ମୁଖ୍ୟ ହେଉଛନ୍ତି ଚିଫ ସେକ୍ରେଟାରି । ରାଜ୍ୟ ଅମଲାତନ୍ତ୍ରକୁ ନିୟନ୍ତ୍ରଣ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶାସନ ସମ୍ପର୍କରେ ଉପଦେଶ ଦେଇଥାନ୍ତି । ଏବେ ଚିଫ ସେକ୍ରେଟାରି ଥିବା ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ ହେଉଛନ୍ତି ୧୯୮୩ ବ୍ୟାଚର ସର୍ବଭାରତୀୟ ପ୍ରଶାସନିକ ସେବାର ଅଧିକାରୀ । ତାଙ୍କର ଦୀର୍ଘ ୩୫ ବର୍ଷର ଅଭିଜ୍ଞତା । କିନ୍ତୁ ତାଙ୍କ ଦକ୍ଷତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଦେଖା ଦେଲାଣି । କୁହାଯାଉଛି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହିତ ତାଙ୍କର ଭଲ ସମ୍ପର୍କ ନାହିଁ । ଏଣୁ ତାଙ୍କ କଥାର କୌଣସି ମୂଲ୍ୟ ନାହିଁ । ସବୁ ପ୍ରଶାସନିକ ନିଷ୍ପତି ଥାର୍ଡଫ୍ଲୋରରେ ନିଆଯାଉଥିବାରୁ ସେ କେବଳ ରବରଷ୍ଟାମ୍ପ ଭଳି କାମ କରୁଛନ୍ତି । ଯେମିତି ଅଜିତ ତ୍ରିପାଠୀଙ୍କ ସମୟରେ ହେଉଥିଲା । ଫଳରେ ପ୍ରଶାସନ ନିମ୍ନଗାମୀ ହେବା ସହିତ ଅରାଜକତା ଦେଖାଦେଇଛି ବୋଲି ସଚିବାଳୟ ଅଳିନ୍ଦରେ ଖୋଲାଖୋଲି ଆଲୋଚନା ହେଉଛି ।
ଗୋଟାଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଚିଫ ସେକ୍ରେଟାରି ଗତ ଅଗଷ୍ଟ ୧୦ ତାରିଖରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି ନଦେବା ଓ ପୁନଃନିଯୁକ୍ତି ପାଇଥିବା ଅଧିକାରୀମାନଙ୍କୁ ବିଦା କରିଦେବା ପାଇଁ ସଚିବମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସେଇମାସ ୨୫ ତାରିଖରେ ଯୋଜନା ଓ ସଂଯୋଗୀକରଣ ବିଭାଗ ସମସ୍ତ ବିଭାଗକୁ ଚିଠିଲେଖି ଚିଫ ସେକ୍ରେଟାରିଙ୍କ ନିଦେ୍ର୍ଦଶକୁ କାର୍ଯ୍ୟକାରି କରିବାକୁ ଅନୁରୋଧ କରିଥିଲେ । ଆଶ୍ଚର୍ଯ୍ୟର କଥା ଯେ, ପୁନଃ ନିଯୁକ୍ତି ବନ୍ଦ କରିବା ତ ଦୂରର କଥା ବରଂ ଅବସରପ୍ରାପକ୍ତ ଅଧିକାରୀମାନଙ୍କୁ ପୁନଃନିଯୁକ୍ତି ଦିଆଗଲା । ପ୍ରଥମେ ଖଣି ନିଦେ୍ର୍ଦଶକ ଶ୍ରୀ ଦୀପକ ମହାନ୍ତିଙ୍କୁ ସେହି ପଦବୀରେ ୬ମାସ ପାଇଁ ପୁନଃନିଯୁକ୍ତି ଦିଆଗଲା । ତାପରେ ଜଙ୍ଗଲ ଓ ପରିବେଶ ବିଭାଗରେ ଦୁଇ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ କନସଲଟାଂଟ ଭାବେ ପୁନଃନିଯୁକ୍ତି ଦିଆଗଲା । ଏହାପରେ ଚିଫ ସେକ୍ରେଟାରିଙ୍କ ନିଜ ସାଧାରଣ ପ୍ରଶାସନ ବିଭାଗରେ ୪ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ନିଜେ ଚିଫ ସେକ୍ରେଟାରି ନିଦେ୍ର୍ଦଶ ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନଥି ପେଶ କରାଗଲାଣି । ଏ ସବୁ ପୁନଃ ନିଯୁକ୍ତି ଅଗଷ୍ଟ ମାସର ପରର ଘଟଣା । ତେବେ ଚିଫ ସେକ୍ରେଟାରି ମହୋଦୟ ଗତ ଅଗଷ୍ଟ ମାସରେ ଯେଉଁ ନିଦେ୍ର୍ଦଶ ଦେଇଥିଲେ ତାଙ୍କର କଣ ମନେ ନାହିଁ(?) ନା ତୃତୀୟ ମହଲା ଚାପରେ ଏପରି କରାଯାଉଛି? ଲୋକେ କୁହାକୁହି ହେଉଛନ୍ତି ଯେ, ଚିଫ ସେକ୍ରେଟାରିଙ୍କ ଡାହାଣ ହାତ କଣ କରୁଛି, ତାହା ବାମ ହାତ ଜାଣି ପାରୁ ନାହିଁ । ଯଦି ଖୋଦ ଚିଫ ସେକ୍ରେଟାରିଙ୍କ ନିଷ୍ପତି ପ୍ରତିମାସରେ ଏପରି ବଦଳେ, ତେବେ ପ୍ରଶାସନ କିପରି ଚାଲିବ? ଆଇଏନ୍ଏସ୍ ।